କେଉଁ ଆଧାରରେ ରଞ୍ଜିତାଙ୍କୁ ବାଛିଥିଲା ବିଜେଡି ? କାହିଁକି ରାଗିଲେ ଲତିକା, ଜାଣନ୍ତୁ

କେଉଁ ଆଧାରରେ ରଞ୍ଜିତାଙ୍କୁ ବାଛିଥିଲା ବିଜେଡି ? କାହିଁକି ରାଗିଲେ ଲତିକା, ଜାଣନ୍ତୁ

କବିସୂର୍ଯ୍ୟନଗର/ ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କିଛି ଠିକ୍ ନଥିଲା କି ନିର୍ବାଚନ ପରେ ବି ଠିକ୍ ନାହିଁ । ତୁ ତୁ ମେଁ ମେଁ ଭିତରେ ବିସ୍ଫୋରକ ବୟାନ ଦେଇ ଗଞ୍ଜାମ ରାଜନୀତିରେ ନିଆଁ ଲଗାଇଛନ୍ତି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ତଥା ୨୦୨୪ର MLA ପ୍ରାର୍ଥୀ ଲତିକା ପ୍ରଧାନ । ଲତିକା ଯେଉଁ ସଂଗୀନ ଅଭିଯୋଗ ଆଣିଛନ୍ତି ତାହାକୁ ଅଣଦେଖା କରାଯାଇନପାରେ । ହର ଭାଇ ଏଣ୍ଡ କମ୍ପାନୀ ସିନା ନିର୍ବାଚନରେ ‘ଗୋଟିଏ ଫୁଲକୁ ଗୋଟିଏ ଶଙ୍ଖ’ ନାରା ଦେଇ ଲତିକାଙ୍କ ବିଜୟ ପଥରେ କଣ୍ଟା ସାଜିଲେ କିନ୍ତୁ ନିଜ ଝିଅକୁ ମଇଦାନରେ ଓଲ୍ହାଇ ତାଙ୍କୁ ବ୍ୟୟବହୁଳ ନିର୍ବାଚନରେ ଖର୍ଚ୍ଚାନ୍ତ କରି ହାର୍ ର ସମ୍ମୁଖିନ କରାଇବା ପାଇଁ ଦାୟୀ ରହିଲେ । ଓଡ଼ିଆରେ ଗୋଟିଏ କଥା ଅଛି, ‘ସ୍ବାମୀ ମରୁ ପଛେ ସଉତୁଣୀ ରାଣ୍ଡ ହେଉ’।

ବିଜେଡି ନେତା ହର ସାହୁଙ୍କ କ୍ଷେତ୍ରରେ ବି ତାହା ସାବ୍ୟସ୍ତ ହୋଇଛି, ଲତିକାଙ୍କ ସହ ନିର୍ବାଚନ ପୂର୍ବରୁ ଥିବା ରାଗ ଆସ୍କା ସାଂସଦ ପାଇଁ ଝିଅଙ୍କୁ ଦଳ ବାଛିବା ପରେ ଶାନ୍ତ ପଡ଼ିଥିଲେ ବି ପ୍ରଚାର ବେଳକୁ ତାହା ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ଲତିକାଙ୍କ ଉପରେ ଭାରି ପଡ଼ିଲା । ଆଉ ଫଳସ୍ବରୂପ ଲତିକା ହାରିଲେ ଏବଂ ପ୍ରଥମ ଥର ପାଇଁ ନବୀନ ନୌକାରେ ବସି
୨୪ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଅଣ୍ଟା ଭିଡିଥିବା ରଞ୍ଜିତା ବି ରାଜନୀତିର ରଙ୍ଗରେ ଫିକା ପଡ଼ିଲେ । ଏଥିପାଇଁ ନିନ୍ମୋକ୍ତ କାରଣକୁ ହିଁ ଦାୟୀ କରାଯାଇପାରେ….

controversy-erupts-in-ganjam-latika-pradhan-accused-ranjita-of-conspiring-with-bjp

ପ୍ରଥମରୁ ଲତିକାଙ୍କୁ ହଟାଇବାକୁ ହର ସେନା ପ୍ରାଣମୂର୍ଛା ଉଦ୍ୟମ କରିଥିଲା । ଲତିକାଙ୍କୁ ଟିକେଟ୍ ନ ଦେଇ କବିସୂର୍ଯ୍ୟନଗରରୁ ହର ସାହୁଙ୍କୁ ପ୍ରାର୍ଥୀ କରିବାକୁ ଖୁବ୍ ଜୋରସରରେ ପ୍ରୟାସ କରାଯାଇଥିଲା । ଶେଷରେ ସାହୁ ପରିବାରରୁ କାହାକୁ ଜଣକୁ ବି ଟିକେଟ୍ ଦିଆଯାଉ ବୋଲି ବି କଥା ଉଠିଲା । ଭିନ୍ନ ଭିନ୍ନ ସଭା ସମିତି, ଶଙ୍ଘ ଭବନରେ ଶକ୍ତି ପ୍ରଦର୍ଶନ, କୋଟେରୀ ସହ ସମ୍ପର୍କ ବୃଦ୍ଧି ଯୋଗୁଁ ଲତିକା ଯେମିତି ନିଜ ଟିକେଟ କାଏମ ରଖିଲେ ରଞ୍ଜିତା ବି ସେମିତି
ବାପାଙ୍କ ପ୍ରୟାସରେ ବିଜେଡିରୁ ଟିକେଟ ଖଣ୍ଡେ ପାଇବାକୁ ସକ୍ଷମ ହେଲେ । ହେଲେ ଏଠି ବଡ଼ ପ୍ରଶ୍ନ କେଉଁ ଆଧାରରେ ରଞ୍ଚିତାଙ୍କୁ ଦଳ ଆସ୍କା ଭଳି ସମ୍ମାନଜନକ ଆସନରୁ ସାଂସଦ ପ୍ରାର୍ଥୀ ଲାଗି ଟିକେଟ ଦେଲା ?

କହିବା ବାହୁଲ୍ୟ ଯେ, ହର ସାହୁଙ୍କ ଲମ୍ବା ରାଜନୈତିକ ଯାତ୍ରା, କୋଦଳା ଏନଏନସିରେ ନିରଙ୍କୁଶ ଶାସନ, କେବେ ପରଦା ପଛରେ ତ କେବେ ପ୍ରତ୍ୟକ୍ଷ ଭାବରେ ସେ କୋଦଳାର ଶାସନ ଡୋରୀ ନିଜ ହାତରେ ରଖିଛନ୍ତି । ଲତିକା ବି କମ୍ ନୁହେଁ ନିଜର ପାରିବାରିକ ରାଜନୈତିକ ବିରାଶଦକୁ ଆଗକୁ ନେବା ପାଇଁ ଯେଉଁ ସଂକଳ୍ପ ନେଇଥିଲେ ସେଥିରେ ସେ ସଫଳ ରହିଲେ । ତମାମ ପ୍ରତିବନ୍ଧକ, ଦଳ ମଧ୍ୟରେ ବିଦ୍ରୋଦ, ଜନ ଆକ୍ରୋଷ, ନେତୃତ୍ବରେ ଫାଟ, ଯୁବ ବର୍ଗଙ୍କ ମଧ୍ୟରେ ଅନାଗ୍ରହ ଇତ୍ୟାଦି ମଧ୍ୟରେ ବି ସେ ଦ୍ବିତୀୟ ବାର୍ ଟିକେଟ ହାତେଇବାରେ ସଫଳ ରହିଲେ । ଲତିକାଙ୍କ ଅପେକ୍ଷା ତରୁଣ ରଞ୍ଜିତାଙ୍କୁ ଦଳ ବାଛିବାର ଏକମାତ୍ର କାରଣ ହର ସାହୁ ଏବଂ କବିସୂର୍ଯ୍ୟନଗର ବିଜେଡି ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହର ନିଆଁକୁ ପ୍ରଶମିତ କରିବା । ଦଳ ପାଇଁ କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ସାବ୍ୟସ୍ତ ହେଲା ଯାହା କିଛି ଦିନ ତଳେ ଲତିକା ଆଣିଥିବା ରଞ୍ଜିତାଙ୍କ ବିରୋଧରେ ଅଭିଯୋଗ ହିଁ ପ୍ରମାଣିତ କରିଦେଲା ।

ନିକଟକରେ ନବୀନ ବାବୁଙ୍କ ଜନ୍ମଦିନରେ ମିଡିଆକୁ ପ୍ରତିକ୍ରିୟା ଦେଇ ଲତିକା କହିଛନ୍ତି ଯେ, ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ନିର୍ବାଚନ ସମୟରେ ବିଭୀଷଣ ଭୂମିକା ନେଇଥିଲେ। ବେଇମାନୀ କରିବା ସହିତ ଗତ ନିର୍ବାଚନରେ ବିଜେପି ସହ ସାଲିସ୍ କରି କାମ କରିଥିଲେ। ଏବେ ମଧ୍ୟ ସେହି କାମ କରୁଛନ୍ତି। ଦଳର ସଭାପତିଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛି ବୋଲି ଲତିକା କହିଛନ୍ତି। ଏହା ବି କହିଛନ୍ତି ‘ରଞ୍ଜିତା ମୋ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ସମେତ ଆସ୍କା ସଂସଦୀୟ କ୍ଷେତ୍ରରେ ଦଳ ବିରୋଧୀ କାମ କରିଛନ୍ତି। ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ’। ସେପଟେ ଏ ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ସେ କହିଛନ୍ତି ଯେ ଲତିକା ତାଙ୍କ ଅଭିଯୋଗ ସିଧାସଳଖ ରାଜ୍ୟ ସଭାପତିଙ୍କୁ ଜଣାଇଛନ୍ତି । ସେ ଉଚିତ ନ୍ୟାୟ ଦେବେ। ସେପଟେ ନିଜେ ରଞ୍ଜିତା ମଧ୍ୟ ଲତିକା ପ୍ରଧାନଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ଦଳ ପରାଜୟ ସମ୍ପର୍କରେ ସମୀକ୍ଷା କରୁଛି। ସେ (ଲତିକା) ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହିନ ।

ଏବେ ଆପଣଙ୍କୁ କହୁଛୁ କାହିଁକି ହଠାତ ଲତିକା ପ୍ରଧାନ ଏମିତି ରଞ୍ଜିତାଙ୍କ ଉପରେ ରାଗ ଗର ଗର ହୋଇ ତାଙ୍କୁ ବିଭୀଷଣ ଆଖ୍ୟା ଦେଲେ ଏବଂ ଏତେ ବଡ଼ ରାଜନୈତିକ ହଟଚମଟ ହେଲା । ରଞ୍ଜିତାଙ୍କ ଉପରେ ଲତିକା ଆଣିଥିବା ଅଭିଯୋଗର ମାତ୍ର କିଛି ଦିନ ତଳେ ହିଁ କବିସୂର୍ଯ୍ୟନଗରରେ ଏକ ବୈଠକ ଡକାଇଥିଲେ ରଞ୍ଜିତା ସାହୁ । ଏହି ବୈଠକରେ ରଞ୍ଜିତାଙ୍କ ବାପା ହର ସାହୁ ଏବଂ କିଛି ଲତିକା ବିରୋଧୀ ଗୋଷ୍ଠୀର ନିର୍ବାଚନ ପ୍ରତିନିଧିି ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ଏହି ବୈଠକ ଦଳ ବିରୋଧୀ ବୋଲି ଅଭିଯୋଗ ଆଣିବା ସହ ନିର୍ବାଚନରେ ଏମାନେ ସମସ୍ତେ ବିଜେପି ପ୍ରାର୍ଥୀଙ୍କ ପାଇଁ କାମ କରିଥିଲେ ବୋଲି ପରୋକ୍ଷରେ ସ୍ବୀକାର କରିଥିବା କଥା କହି ଭଡକିଥିଲେ ଲତିକା । ତା ପରେ ଯାହା ହେଲା ତାହା ସାରା ଓଡ଼ିଶା ଦେଖିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: