ପଲିଟିକାଲ ଟେବୁଲରେ ପରୀ, ନ୍ୟାୟ କେବେ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧୀରେଧୀରେ ଜଟିଳ ହେଉଛି ନୟାଗଡ଼ ପରୀ ହତ୍ୟା ମାମଲା। ବିଧାନସଭାରେ ସବୁଦିନ ବିରୋଧୀଙ୍କ ହଙ୍ଗାମା ଫଳରେ ଗୃହ ବି ଠିକ୍ ସେ ଚାଲି ପାରୁନି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନେଇ ଗୃହରେ ମତ ରଖିଛନ୍ତି। ଆବଶ୍ୟକ ପଡ଼ିଲେ ଘଟଣାର ଏସଆଇଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଘଟଣାକୁ ନେଇ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିରୋଧ ମଧ୍ୟ ପ୍ରଦର୍ଶନ କରିଛନ୍ତି। ତେଣୁ, ଘଟଣାକୁ ନେଇ ମନ୍ତ୍ରୀ ଏକ ପ୍ରକାର ହରଡ଼ଘଣାରେ ପଡ଼ି ଯାଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଜର ଓ ପରିବାର ସୁରକ୍ଷା ନେଇ ହାଇକୋର୍ଟରେ ସେ ରିଟ୍ ପିଟିସନ ଦାୟର କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ସୌମ୍ୟରଞ୍ଜନ ଆବେଦନରେ ଦର୍ଶାଇଛନ୍ତି। ପୋଲିସ ସୁରକ୍ଷା ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ଏ ନେଇ ତାଙ୍କ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଛନ୍ତି।

ଘଟଣା ଘଟିଛି। ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ମଧ୍ୟ ହୋଇଛି। କିନ୍ତୁ, ଏଯାଏ କୌଣସି ଦୋଷୀଙ୍କୁ ଧରାଯାଇ ନାହିଁ। ଇତିମଧ୍ୟରେ ରାଜ୍ୟରେ ଦୁଇଟି ବଡ଼ ବଡ଼ ଘଟଣା ଘଟିଛି, ଯେଉଁଥିରେ ରାଜ୍ଯ ପୋଲିସକୁ ସଫଳତା ମିଳିଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ସେହିପରି କଟକ ନୟାସଡ଼କ ଆଇଆଇଏଫ୍ଏଲ ଲୁଟ୍ ଘଟଣାରେ ମଧ୍ୟ ପୋଲିସକୁ ବିଭିନ୍ନ ସୁରାକ ମିଳି ସାରିଛି। କିନ୍ତୁ, ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏବଂ ପୋଲିସର ତଦନ୍ତ କେତେ ଗହନ ଭିତରକୁ ଯାଉଛି, ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା।

%d bloggers like this: