୨ ଦିନିଆ ସିକିଲ୍‌ସେଲ୍‌ ଓ ଥାଲାସେମିଆ କର୍ମଶାଳା ଶେଷ

୨ ଦିନିଆ ସିକିଲ୍‌ସେଲ୍‌ ଓ ଥାଲାସେମିଆ କର୍ମଶାଳା ଶେଷ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ୟୁନିସେଫ୍‌ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସିକିଲସେଲ୍‌ ଓ ଥାଲାସେମିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନିଆ କାର୍ଯ୍ୟକ୍ରମରେ ବଂଶାନୁକ୍ରମିକ ରୋଗ, ଚିକିତ୍ସା ପ୍ରୋଟୋକଲ ଏବଂ ସଶକ୍ତିକରଣ ବିଷୟରେ ତାଲିମ ଦିଆଯାଇଛି । ରାଜ୍ୟର ୩୦ ଜିଲ୍ଲାରୁ ଏନ୍‌ଏଚ୍‌ଏମ, ସ୍ବାସ୍ଥ୍ୟ ଅଧିକାରୀ, ସିକିଲସେଲ୍‌ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଏବଂ ଜିଲ୍ଲା ଯୋଗାଯୋଗ ଅଧିକାରୀ ପ୍ରମୁଖ ୧୫୦ ପ୍ରତିଯୋଗୀ ଏହି ତାଲିମ କର୍ମଶାଳାରେ ଯୋଗ ଦେଇଥିଲେ ।


ଏନ୍‌ଏଚ୍‌ଏମ୍‌ର ଟିମ୍‌ ମୁଖ୍ୟ ଡ. ଦୀନବନ୍ଧୁ ସାହୁ କହିଛନ୍ତି ଯେ, ସ୍କ୍ରିନିଂ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସିକିଲ୍‌ସେଲ୍‌ ଓ ଥାଲାସେମିଆ ରୋଗକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭାଇଛି । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରି ଆମେ ସିକିଲସେଲ୍‌ ଓ ଥାଲାସେମିଆକୁ ସମ୍ପୂର୍ଣ୍ଣ ଭାବେ ଶୂନ୍ୟ କରିଦେବା ବୋଲି କହିଛନ୍ତି ଡ. ସାହୁ ।


ସେହିପରି ୟୁନିସେଫ୍‌ର ଏସ୍‌ବିସି ବିଶେଷଜ୍ଞ ଡ. ସୁଗତ ରୟ ମଧ୍ୟ ଏ ଅବସରରେ ଗୁରୁତ୍ବପୂର୍ଣ୍ଣ ଆଲୋକପାତ କରିଛନ୍ତି । ତାଙ୍କରି କହିବା କଥା, ସିକିଲସେଲ୍‌ ଓ ଥାଲାସେମିଆଠାରୁ ଦୂରେଇ ରହିବାକୁ ହେଲେ ସ୍ବାସ୍ଥ୍ଯ କ୍ଷେତ୍ରରେ କଡ଼ା ହସ୍ତକ୍ଷେପ ଜରୁରୀ । ଏହାସହ ବ୍ୟାବହାରିକ ପରିବର୍ତ୍ତନ ମଧ୍ୟ ନିହାତି ଆବଶ୍ୟକ ।

ତେବେ ବର୍ତ୍ତମାନ ସୁଦ୍ଧା ୪୧ ଲକ୍ଷ ଲୋକଙ୍କୁ ଯାଞ୍ଚ କରାଯାଇଛି । ତନ୍ମଧ୍ୟରୁ ୩.୫ ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ୧ ଲକ୍ଷ ରୋଗୀଙ୍କ ଚିକିତ୍ସା କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ରକ୍ତ ସୁରକ୍ଷାର ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ପାତ୍ର, ଏନ୍‌ଏଚ୍‌ଏମ୍‌ ଆଡ୍‌ ଟେକ୍‌ ଡ. ନୀରଦ କୁମାର ସାହୁ ଏବଂ ୟୁନିସେଫ୍‌ର ସ୍ବାସ୍ଥ୍ଯ ଅଧିକାରୀ ଡ. ବ୍ରଜେଶ ମାର୍ତ୍ତା ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: