ଏମିତି କେମିତି ହେଲା ? ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନରେ ଗ୍ରହଣୀୟ ହେଉନାହାନ୍ତି ବିକ୍ରମ !

ଏମିତି କେମିତି ହେଲା ? ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନରେ ଗ୍ରହଣୀୟ ହେଉନାହାନ୍ତି ବିକ୍ରମ !

ବ୍ରହ୍ମପୁର/ ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ଗୋପାଳପୁର ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ବିକ୍ରମ କୁମାର ପଣ୍ଡାଙ୍କ ଗତି ଏବେ କୁଆଡ଼େ ? ଏକଥା ଆମେ ଜମାରୁ ପଚାରୁନୁ, ପଚାରୁଛନ୍ତି ଲୋକେ । କେବଳ ଦଳୀୟ କର୍ମୀ ନୁହଁ, ବରଂ ବ୍ରହ୍ମପୁର ଏବଂ ଗୋପାଳପୁର ଜନସାଧାରଣଙ୍କ ମନରେ ବି ବର୍ତ୍ତମାନ ଏହି ଏକା ପ୍ରଶ୍ନ ଉଙ୍କି ମାରୁଛି। କାରଣ ଗୋପାଳପୁରରୁ ପ୍ରାର୍ଥୀ ହୋଇ ପରାସ୍ତ ହେବା ପରେ ଏବେ ବିକ୍ରମ ନିଜର ପୂର୍ବ ଆସନ ବ୍ରହ୍ମପୁରକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ହେଲେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ବିଜୁ ଜନତା ଦଳର ବ୍ରହ୍ମପୁର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି।

ଆମ ପାଖରେ ଯାହା ଖବର ଅଛି ବିକ୍ରମ ପଣ୍ଡାଙ୍କ ଦ୍ୱାରା ବ୍ରହ୍ମପୁରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ଅନେକ ନେତା, ବିଶେଷକରି ବିଜେଡି କର୍ପୋରେଟରମାନେ ଅନୁପସ୍ଥିତ ରହୁଛନ୍ତି। ବିଶେଷକରି ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ମେୟର ସଂଘମିତ୍ରା ଦଳେଇଙ୍କ ଗୋଷ୍ଠୀ ପକ୍ଷରୁ ବିକ୍ରମଙ୍କୁ ତୀବ୍ର ବିରୋଧ କରାଯାଉଛି।


ଏବେ ଏହି ତଥ୍ୟ ଉପରେ ନଜର ପକାନ୍ତୁ, ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ବୁଧବାର ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପାଳନ କରାଯାଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଦୀପଦାନ ପରେ ଟାଉନ ହଲ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ଅନ୍ୟ ନେତାମାନେ ଯୋଗଦେଇଥିଲେ। ହେଲେ ବିଜେଡିର ବହୁ କର୍ପୋରେଟର ଅନୁପସ୍ଥିତ ଥିଲେ। ଯାହା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। କେବଳ ଏହି ଗୋଟିଏ କାର୍ଯ୍ୟକ୍ରମ ନୁହଁ, ଗତ ୯ ତାରିଖରେ ବିବେକ ବିହାର ଠାରେ ବିଜେଡ଼ି ସଦ୍ୟସତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରାୟ ୧୫ରୁ ଅଧିକ ବିଜେଡ଼ି କର୍ପୋରେଟର ଅନୁପସ୍ଥିତ ରହିଲେ। ଏସବୁ ପଛରେ ବିକ୍ରମଙ୍କ ସକ୍ରୀୟତାକୁ ଦାୟୀ କରାଯାଉଛି। କାରଣ ଉଭୟ କାର୍ଯ୍ୟକ୍ରମକୁ ବିକ୍ରମ ପଣ୍ଡାଙ୍କ ତରଫରୁ ଆୟୋଜନ କରାଯାଇଥିଲା। ତାଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ କରୁଥିବା କର୍ପୋରେଟରମାନେ ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି। ଦଳର ଶୀର୍ଷ ନେତୃତ୍ୱ କୌଣସି ବିଷୟକୁ ଗୁରୁତର ସହ ନେଉନଥିବା ଯୋଗୁ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି।

ଏଠାରେ କହି ରଖୁଛୁ ଯେ, ୧୯୯୫ ମସିହାରୁ ଲଗାତାର ୫ ଥର ବିଧାୟକ ଥିଲେ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ। ୨୦୧୯ରେ ଦଳ ବିକ୍ରମଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ହୋଇଥିଲେ। ହେଲେ ଗତ ନିର୍ବାଚନରେ ବିକ୍ରମଙ୍କୁ ଗୋପାଳପୁର ଏବଂ ଡା. ଚ୍ୟାଉପଟ୍ଟନାୟକଙ୍କୁ ପୁଣି ଥରେ ବ୍ରହ୍ମପୁରର ଟିକେଟ୍‌ ମିଳିଥିଲା। ଉଭୟ ନେତା ପରାସ୍ତ ହୋଇଥିଲେ। ଏଣୁ ପୁଣି ଥରେ ବ୍ରହ୍ମପୁରକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଛନ୍ତି ବିକ୍ରମ, ଯାହା ଦଳୀୟ କନ୍ଦଳକୁ ବଢ଼ାଇ ଦେଇଛି। ତେବେ ଏ ନେଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: