ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ: ଏକ ଗୋଲାମୀ ଓ ଅପରିଚ୍ଛନ୍ନତା ମୁକ୍ତି

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ: ଏକ ଗୋଲାମୀ ଓ ଅପରିଚ୍ଛନ୍ନତା ମୁକ୍ତି

ନୂଆଦିଲ୍ଲୀ; (ସୁଶ୍ରୀ ବିନି ମହାଜନ) ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏକ ଜନ ଆନ୍ଦୋଳନର ରୂପ ନେଇ ଏହି ବିରାଟ ଦେଶ ଭାରତର କୋଣ ଅନୁକୋଣରେ ପହଞ୍ଚିପାରିଛି । ଏହା କେବଳ ଲୋକଙ୍କ ଅଭ୍ୟାସ ଓ ଆଚରଣ ପରିବର୍ତ୍ତନ କରିନାହିଁ, ଘରେ ଘରେ ଏକ ପରିଚିତ ନାମ ପାଲଟିଛି । ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ, ଏହି ସ୍ୱଚ୍ଛ ଭାରତ ମିଶନକୁ ଆଉ କେହି  ନୁହେଁ ସ୍ୱୟଂ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି ।

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏଯାବତ ଯେଉଁ ସଫଳତା ଅର୍ଜନ କରିଛି ତା’ ପଛରେ ରାଜ୍ୟ, ଜିଲ୍ଳା ପ୍ରଶାସନ, ବିକାଶମୂଳକ ଅଂଶୀଦାର, ଏନ୍‌ଜିଓ, ପଞ୍ଚାୟତ ନେତା ଓ ବିଭିନ୍ନ  ଗୋଷ୍ଠୀ ତଥା ସମୁଦାୟଙ୍କର ଅବଦାନ ପ୍ରମୁଖ ଭାବେ ରହିଛି । ଭାରତକୁ ସ୍ୱଚ୍ଛ ଓ ସୁସ୍ଥ କରିବାର ଆଗ୍ରହ ତଥା ଉତ୍ସାହ ଏହି ସଫଳତାକୁ ବିଶେଷ ପ୍ରଭାବିତ କରିଛି।

ଦକ୍ଷିଣ ଆଫ୍ରିକାର ପ୍ରଖ୍ୟାତ ବର୍ଣ୍ଣ ବୈଷମ୍ୟ ବିରୋଧୀ ନେତା ତଥା ଆଧୁନିକ ଦକ୍ଷିଣ ଆଫ୍ରିକାର ଜାତିର ଜନକ ଡକ୍ଟର ନେଲସନ୍ ମଣ୍ଡେଲା ଥରେ କହିଥିଲେ, “ମହିଳାମାନେ ଯେପର୍ଯ୍ୟନ୍ତ ସମସ୍ତ ପ୍ରକାର ଅତ୍ୟାଚାରରୁ ମୁକ୍ତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସ୍ୱାଧୀନତା ହାସଲ କରାଯାଇପାରିବ ନାହିଁ ।” ଏହି ଉକ୍ତି ସହିତ ଦ୍ୱିମତ ହେବାର ଅବକାଶ ନାହିଁ । ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗରେ ଏକ ବର୍ଷରୁ ଊର୍ଦ୍ଧ୍ୱ  ସମୟ ଧରି କାମ କରିବା ପରେ ଏବେ ମୁଁ ଦେଶର ଦୁଇଟି ଧ୍ୱଜାଧାରୀ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ । ଏହି ଦୁଇ କାର୍ଯ୍ୟକ୍ରମ ମହିଳାମାନଙ୍କୁ ଅସରନ୍ତୀ ଗୋଲାମୀ, କଠିନ ପରିଶ୍ରମ ଓ ବ୍ୟାଧିରୁ ମୁକ୍ତ କରି ସଶକ୍ତ କରୁଛି ।

ଏହି ଗଣତନ୍ତ୍ର ଦିବସରେ ଅସ୍ୱାସ୍ଥ୍ୟକର ଓ ଅସ୍ୱଚ୍ଛ ପରମ୍ପରା ଏବଂ ସ୍ଥିତିରୁ ମୁକ୍ତ ହେବା ପ୍ରାସଙ୍ଗିକ ମନେ ହୁଏ । ଏଥି ପାଇଁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟ କରୁଛି । ଏହି ଅଭିଯାନ ସମାଜର ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସ୍ୱଚ୍ଛତାର ସୁଯୋଗ ଆଣି ଦେଇଛି ଏବଂ ସେମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ଅଭିଯାନର ଗରିବ ଏବଂ ମହିଳା ସପକ୍ଷବାଦୀ ନୀତି ଫଳରେ ମହିଳାମାନେ ଅନେକ କଷଣ ଓ ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି । ସେମାନଙ୍କୁ ଶୌଚ ହେବାକୁ ଯିବା ପାଇଁ ଆଉ ରାତିର ଅନ୍ଧାରକୁ ଅପେକ୍ଷା କରିବାକୁ ପଡୁନାହିଁ । ସେମାନେ ନିଜର ଶୌଚାଳୟ ସ୍ୱାଧୀନ ଭାବେ ବ୍ୟବହାର କରିବା ସହିତ ସୁରକ୍ଷିତ ଏବଂ ମର୍ଯ୍ୟାଦାବନ୍ତ ଜୀବନ ଅତିବାହିତ କରିବାର ସୁଯୋଗ ପାଇଛନ୍ତି । ଖୋଲା ପଡିଆକୁ ମଳତ୍ୟାଗ କରିବାକୁ ନ ଯାଇ ଶୌଚାଳୟ ବ୍ୟବହାର କରିବା ଫଳରେ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ପାଉଛନ୍ତି । ଜାତୀୟ ଜଳ ଜୀବନ ମିଶନ ଅନ୍ୟ ପକ୍ଷରେ ଆଉ ପାଦେ ଆଗେଇ ଯାଇଛି । ଦେଶର ଜଳକଷ୍ଟ ଅଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ଏହା ଦେବଦୂତ ସାଜିଛି । ଉଭୟ ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନ ଓ ଜାତୀୟ ଜଳଯୋଗାଣ ମିଶନର ମିଳିତ ପ୍ରୟାସରେ ଦେଶରେ ୧୧କୋଟିରୁ ଅଧିକ ବ୍ୟକ୍ତିଗତ ଶୌଚାଳୟ ନିର୍ମିତ ହୋଇଛି ଏବଂ ୧୦.୯୦ କୋଟିରୁ ଅଧିକ ଘରକୁ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯାଇଛି ।

 ଆହୁରି ମଧ୍ୟ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଭାରତକୁ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ୬.୨ ପୂରଣ କରିବାକୁ ପଥ ଉନ୍ମୁକ୍ତ କରିଛି । ଜାତିସଂଘର ଏହି ଲକ୍ଷ୍ୟ ୬.୨ ଅନୁସାରେ ୨୦୩୦ ସୁଦ୍ଧା ଭାରତର ସବୁ ଲୋକଙ୍କୁ ଶୌଚାଳୟ, ଟ୍ୟାପ ଦ୍ୱାରା ପାନୀୟଜଳ ସୁବିଧା ଯୋଗାଣ ସହିତ ଗରିବ ଓ ଅବହେଳିତ ବର୍ଗର ମହିଳା ଏବଂ କନ୍ୟାମାନଙ୍କୁ ବିପଜ୍ଜନକ ଓ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତ କରିବାକୁ ହେବ । ସର୍ଭେ ଅନୁସାରେ ଏବେ ଗ୍ରାମାଂଚଳରେ ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ୯୩.୪ ଶତାଂଶ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଅନ୍ତର୍ଭୁକ୍ତ । ଏହାର ଉଲ୍ଲେଖନୀୟ ପ୍ରଭାବ ମଧ୍ୟ ଅର୍ଥର୍ନୀତି, ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଛି ଏବଂ ନିର୍ଦ୍ଧିଷ୍ଟ ଭାବେ ମହିଳା ସଶକ୍ତିକରଣ ଏହା ସହାୟକ ହେଉଛି ।

ଆଦର୍ଶ ପଞ୍ଚାୟତ ପ୍ରୟାସ –

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନରେ ଆହୁରି ଅନେକ କିଛି କରିବାର ଥିଲେ ମଧ୍ୟ ଏଯାଏ ଏହି ଯୋଜନାରେ ଯାହା ସବୁ ହେଉଛି ତାହା ନିଶ୍ଚିତ ଉଲ୍ଲେଖଯୋଗ୍ୟ । ଏହି ଅଭିଯାନରେ ଘରୋଇ କ୍ଷେତ୍ରର ଭୂମିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ସ୍ୱଚ୍ଛତା’କୁ ସମସ୍ତଙ୍କ କାମ ଓ ଦାୟିତ୍ୱର ମାନ୍ୟତା ଦିଆଯାଇଛି । ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ‘ଫିକି’ ଇଣ୍ଡିଆ ସାନିଟେସନ କୋଆଲିସନ ସହିତ ସହଯୋଗ ପ୍ରତିଷ୍ଠା କରି ଏ କ୍ଷେତ୍ରରେ କାମ କରୁଛି । ଏହା ଫଳରେ ଭାରତ ସରକାର ଏଥି ପାଇଁ କର୍ପୋରେଟ ଅଂଶୀଦାର, ବିକାଶ ଅଂଶୀଦାର ସହଜରେ ପାଉଛନ୍ତି । ସେମାନଙ୍କ ସହଯୋଗରେ ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଗ୍ରାମ ସ୍ତରରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୫ଟି ରାଜ୍ୟରେ ଆଦର୍ଶ ପଞ୍ଚାୟତ ବା ଲାଇଟ୍ ହାଉସ ପଞ୍ଚାୟତ ଗ୍ରାମୀଣ ସ୍ତରରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ପରିଚାଳନା କାମ କରାଯିବ ଏବଂ ଏହାର  ସଫଳତା ଆଧାରରେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟତ୍ର ଏହା କାର୍ଯ୍ୟକାରୀ ହେବ । ଏହା ଫଳରେ ସବୁ ଗ୍ରାମ ଓଡିଏଫ ପ୍ଲସ୍ ମାନ୍ୟତା ପାଇବେ ।

ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୨୩

 ଏବେ ସମଗ୍ର ଦେଶରେ ଗ୍ରାମୀଣ ସ୍ୱଚ୍ଛ ସର୍ବେକ୍ଷଣ  ୨୦୨୩ କାମ ଚାଲିଛି । ଏହି ସର୍ଭେ ମାଧ୍ୟମରେ ପ୍ରଦର୍ଶନ ଓ ସଫଳତା ଆଧାରରେ ରାଜ୍ୟ ଓ ଜିଲ୍ଲାଗୁଡିକର ରାଙ ନିର୍ଦ୍ଧାରିତ ହେଉଛି । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ମାନଦଣ୍ଡ ଆଧାରରେ ଏହ ର‌୍ୟାଙ୍କ ନିର୍ଦ୍ଧାରିତ ହେଉଛି । ଏଥିପାଇଁ ଗ୍ରାମ ପଞ୍ଚାୟତଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହେଉଛି ଓ ପ୍ରଦର୍ଶନ ଭିତ୍ତିରେ ବିଜେତାଙ୍କୁ ବଛାଯାଉଛି ।

ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଅନେକ ବଡ ବଡ ଅଭିଯାନ ହାତକୁ ନେଇଛି ଏବଂ ଏହାର ପ୍ରଭାବ ବେଶ୍ ଭଲ ରହିଛି । ରେଟ୍ରୋଫିଟ୍‌ରୁ ଟୁଇନ ଫିଟ୍ ସେଥିମଧ୍ୟରୁ ଗୋଟିଏ । ଏଥିରେ ସରଳ ‘ଅନ୍‌-ସାଇଟ୍‌’ ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ସିଙ୍ଗଲ ପିଟ୍ ଟଏଲେଟକୁ ଟୁଇନ ପିଟ୍‌ରେ ପରିଣତ କରାଯାଉଛି । ସେହିଭଳି ସେପ୍ଟିକ ଟ୍ୟାଙ୍କ ଟଏଲେଟକୁ ଏୟାରଭେଣ୍ଟ ଓ ସୋକପିଟ୍ ଟଏଲେଟ୍ ସହିତ ସଂଯୁକ୍ତ କରିବା କାମ ହାତକୁ ନିଆଯାଇଛି । ଏହି ଅଭିଯାନରେ ମଧ୍ୟ ଗ୍ରାମାଞ୍ଚଳରେ ଘରୋଇ ଶୌଚାଳୟର ମଳକୁ ନିରାପଦରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜନ ସଚେତନତା ସୃଷ୍ଟି କରାଯାଉଛି ।

ସୁଜଳାମ୍ ୧.୦ ଓ ୨.୦ଅଭିଯାନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସୋକ୍‌ପିଟ୍ ମାନ ଘରେ ଓ ପ୍ରତିଷ୍ଠାନରେ ତିଆରି କରାଯାଇ ବର୍ଜ୍ୟଜଳର ବିଶୋଧନ ବ୍ୟବସ୍ଥା କରାଯାଉଛି । ଏହି ଦୁଇ ଅଭିଯାନରେ ୨୩ ନିୟୁତ ସୋକ ପିଟ୍ ତିଆରି ହୋଇଛି ।

ଗୋବର୍ଦ୍ଧନ ଯୋଜନାରେ ଗ୍ରାମର ପଶୁ ପକ୍ଷୀଙ୍କ ମଳ, ଫସଲ ଓ ଜୈବିକ ଅବଶେଷ ସବୁର ପରିଚାଳନା ଗୁରୁତ୍ୱ ପାଇଛି । ଏହାକୁ ସଂଗ୍ରହ କରି ଜୈବିକ ଖତସାର ଓ ଇନ୍ଧନରେ ପରିଣତ କରାଯାଉଛି । ଏହାଫଳରେ ଗ୍ରାମର ପରିବେଶ ସଫା ସୁତୁରା ରହିବା ସହିତ ରୋଗ ଜୀବାଣୁ ବ୍ୟାପିବା ଯଥେଷ୍ଟ ହ୍ରାସ ପାଇବ । ଏଥିପାଇଁ ଭାରତ ସରକାର ସବୁ ଜିଲ୍ଲାକୁ ବୈଷୟିକ ସହାୟତା ଯୋଗାଉଛନ୍ତି । ଜିଲ୍ଲା ପିଛା ଏଥି ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଏ ଯାଏଁ ଦେଶର ୫୦୦ରୁ ଅଧିକ ଗୋବର୍ଦ୍ଧନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି ।

ସୂଚନା, ଶିକ୍ଷା ଓ ଯୋଗାଯୋଗ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ଜନସଚେତନତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଏହା ଦ୍ୱାରା ଏହି ଯୋଜନା ବିଶେଷ ପ୍ରୋତ୍ସାହିତ ହୋଇଛି । ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ଭାରତ ଦିବସ, ସ୍ୱଚ୍ଛତା ପାଇଁ ସଂଯୁକ୍ତ ଭାରତ ଭଳି ଯେତେ ସବୁ କାର୍ଯ୍ୟକ୍ରମ କରାଯାଇଛି ତାହାର ସଫଳତା ପଛରେ ଜନ ସହଯୋଗର ଗୁରୁତ୍ୱ ରହିଛି । ସଚେତନତା ବିନା ଏହା ସମ୍ଭବ ହୋଇ ନ ଥାନ୍ତା । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ପର୍ଯ୍ୟାୟ-୨ରେ ଦକ୍ଷତା ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ସୁଲଭ ଟେକେ୍‌ନୋଲୋଜିର ଉପଯୋଗ କରି ନିର୍ମିତ ହେବାକୁ ଥିବା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଦକ୍ଷତା ଓ କୌଶଳକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି ।

ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ରକ୍ଷା ପରିଚାଳନା ଏବଂ ବିଭିନ୍ନ ରାଜ୍ୟର ଏ ସଂକ୍ରାନ୍ତ ଉପଲବ୍ଧି ସମ୍ପର୍କରେ ଏକ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତା ନିକଟରେ ଆୟୋଜିତ ହୋଇଥିଲା । ବାସ୍ତବ କ୍ଷେତ୍ରରେ ଏ ସମ୍ପର୍କରେ ଯାହା ହେଉଛି ଓ ଯେଉଁ ସଫଳତା ମିଳୁଛି ତାହାକୁ ପ୍ରଦର୍ଶିତ କରି ପଞ୍ଚାୟତଗୁଡିକୁ ଉତ୍ସାହିତ କରିବାକୁ ଏହା କରାଯାଇଥିଲା । ପରିତାପର ବିଷୟ ଯେ ବିଭିନ୍ନ ପ୍ରକାର ନିଷେଧ ଓ କୁସଂସ୍କାର ଯୋଗୁଁ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟରକ୍ଷା ଉପରେ ସମାଜ ଖୁବ୍ କମ୍ ଆଲୋଚନା କରେ ଓ ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦିଏ ନାହିଁ । ଏ କ୍ଷେତ୍ରରେ ଜ୍ଞାନ, ସଚେତନତା ଓ ଆବଶ୍ୟକ ସାମଗ୍ରୀର ଅଭାବ ବଡ ପ୍ରତିବନ୍ଧକ ପାଲଟିଛି । ଅନେକ ଲୋକ ସାନିଟାରୀ ପ୍ୟାଡର ବ୍ୟବହାର ଓ ତାହାକୁ କିପରି କେଉଁଠି ପକାଇବେ ସେ କଥାମଧ୍ୟ ଜାଣନ୍ତି ନାହିଁ । ଏ ସମ୍ପର୍କରେ ଝିଅ ଓ ମହିଳାମାନଙ୍କୁ ଯେତେ ଅଧିକ ସଚେତନ କରାଯିବ ସେମାନେ ସେତେ ଅଧିକ ଉପକୃତ ହେବେ । ଏହା ମଧ୍ୟ ଝିଅପିଲାଙ୍କ ମଝିରୁ ପାଠଛାଡ ସମସ୍ୟା ଅନେକାଂଶରେ ଦୂର କରିବ ଏବଂ ସେମାନେ ଏହାକୁ ବ୍ୟବହାର କରି ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ ।

ଏହି ଗଣତନ୍ତ୍ର ଦିବସରେ ମୁଁ ସ୍ୱଚ୍ଛତା ଯୋଦ୍ଧା, ଗ୍ରାମ ପଞ୍ଚାୟତର ନେତାଗଣ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ସେମାନଙ୍କର ନିରଳସ ଶ୍ରମ ଓ ସେବା ପାଇଁ ସାଲ୍ୟୁଟ ଜଣାଉଛି । ସେମାନଙ୍କ ସହଯୋଗ ବିନା ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇପାରି ନ ଥାନ୍ତା । ଭାରତକୁ ଏକ ସୁସ୍ଥ ଓ ପରିଚ୍ଛନ୍ନ ରାଷ୍ଟ୍ରରେ ପରିଣତ କରିବାରେ ସେମାନେ ନିଃସନ୍ଦେହରେ ଆଲୋକ ବର୍ତ୍ତିକା ସାଜିଛନ୍ତି ।

(ଲେଖିକା କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗର ସଚିବ)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: