ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପାଶ୍ଚାତ୍ୟ ଦେଶରେ ଗର୍ଭପାତ ପ୍ରାୟ ସମ୍ପୂର୍ଣ୍ଣ ନିଷିଦ୍ଧ ହେବା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଏହା ବିରୋଧରେ ସ୍ୱର ଜୋରଦାର ହୋଇଛି । ଏଭଳି ବ୍ୟଥା ଦାୟକ ସମୟରେ ଗର୍ଭପାତ ଘେନି ଭାରତର ଉଦାରବାଦୀ ବ୍ୟବସ୍ଥା ନିଶ୍ଚିତ ଏକ ସାନ୍ତ୍ୱନାମୂଳକ ପଦକ୍ଷେପ । ଭାରତ ପ୍ରଫେସନାଲ ସରୋଗାସୀ ଉପରେ ନିଷେଧାଦେଶ ଜାରି କରିବା ସହିତ ଉଭୟ ପୁରୁଷ ଓ ମହିଳାଙ୍କ ବିବାହ ବୟସ ସମାନ କରିବା ପ୍ରସ୍ତାବକୁ ଗୁରୁତ୍ୱ ପ୍ରଦାନ କରିଛି । ମହିଳାଙ୍କ ପ୍ରଜନନ ସ୍ୱାଧୀନତାର ସୁରକ୍ଷାକୁ ନିଶ୍ଚିତ କରି ଭାରତ ଏ କ୍ଷେତ୍ରରେ ବିଶ୍ୱର ବେଶ୍ ଉଚ୍ଚ ସ୍ଥାନରେ ରହିଛି ।
ଭାରତୀୟ ସମ୍ବିଧାନ ଏହାର ଧାରା-୨୧ରେ ନାଗରିକକଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଓ ସୁରକ୍ଷା ପ୍ରଦାନ କରିଛି । ଗର୍ଭପାତ ବା ଗର୍ଭଧାରଣକୁ ବନ୍ଦ କରିବା ମହିଳାଙ୍କର ଇଚ୍ଛାଧୀନ ବିଷୟ ଏବଂ ସେ ଏ କ୍ଷେତ୍ରରେ ନିଜର ଇଚ୍ଛା ଓ ଅଗ୍ରାଧିକାର ଭିତ୍ତିରେ ନିଜସ୍ୱ ନିଷ୍ପତ୍ତି ନେବାକୁ ହକ୍ଦାର । ନିଜର ଜୈବିକ ଓ ଶାରୀରିକ ସ୍ଥିତି ଯୋଗୁଁ ମହିଳାମାନେ ଗର୍ଭଧାରଣର ପ୍ରାକୃତିକ ସୁଯୋଗ ପାଇଛନ୍ତି । ତେବେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥା ସେମାନଙ୍କୁ ଗର୍ଭଧାରଣ, ଶିଶୁଙ୍କ ଜନ୍ମ ଓ ଲାଳନପାଳନରେ ଅଧିକ ଦାୟିତ୍ୱ ନ୍ୟସ୍ତ କରିଛି ।
ଡାକ୍ତରୀ ଗର୍ଭପାତ ସଂଶୋଧନ ଆଇନ (ଏମ୍ଟିପି) ୨୦୨୧ ଏ କ୍ଷେତ୍ରରେ ଏକ ଯଥାର୍ଥ ପଦକ୍ଷେପ । ଏହି ଆଇନ ପରିବାରକୁ ନୂଆ ସଦସ୍ୟ ଆସିବେ କି ନାହିଁ ତାହା ନିର୍ଦ୍ଧାରଣ କରିବାର ଅଧିକାର କେବଳ ପ୍ରଜନନକ୍ଷମ ବା ଗର୍ଭବତୀ ମହିଳାଙ୍କୁ ଦେଇଛି । ଏହି ଆଇନ ଅନୁସାରେ ଯଦି ମା’ର ଜୀବନ ପ୍ରତି ବିପଦ ଥାଏ, ତା’ ହେଲେ ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳା ଗର୍ଭପାତ କରାଇପାରିବେ । ଏହାଛଡା ଗର୍ଭବତୀ ଯଦି ମାନସିକ ଅଶାନ୍ତି ଓ କଷ୍ଟକର ସ୍ଥିତିରେ ଥାଆନ୍ତି, କିମ୍ବା ବଳାତ୍କାର ଦ୍ୱାରା ଗର୍ଭଧାରଣ କରିଥାନ୍ତି, ଅଥବା କୁଟୁମ୍ବଗତ ବ୍ୟଭିଚାର, ଗର୍ଭ ନିରୋଧତାର ବିଫଳତା ଯୋଗୁଁ ଗର୍ଭବତୀ ହୋଇଥାନ୍ତି କିମ୍ବା ଗର୍ଭସ୍ଥ ଶିଶୁ /ଭ୍ରୂଣରେ ଅସ୍ୱାଭାବିକତା ଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡେ, ଏସବୁ ସ୍ଥିତିରେ ମହିଳାଙ୍କୁ ଗର୍ଭପାତ କରାଇବାର ଅଧିକାର ଏହି ଆଇନ ଦେଇଛି । ୧୯୭୧ ଏମ୍ଟିପି ଆଇନରେ ଏହି ଗର୍ଭପାତ ସମୟ ସୀମା ସର୍ବୋଚ୍ଚ ୨୦ ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ବିଜ୍ଞାନ, ଗର୍ଭଧାରଣ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟକୁ ବିଚାରକୁ ନେଇ ଏହି ସମୟ ସୀମା ବୃଦ୍ଧିର ଆବଶ୍ୟକତା ଥିଲା ଯାହା ୨୦୨୧ ସଂଶୋଧିତ ଆଇନରେ କରାଯାଇଛି । ଏଭଳି ଉଦାରବାଦୀ ବ୍ୟବସ୍ଥା ନିଶ୍ଚୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅନେକ ଦେଶରେ ଗର୍ଭଧାରଣ ମାତ୍ରେ ଗର୍ଭନଷ୍ଟ ବା ଗର୍ଭପାତକୁ ବେଆଇନ କରାଯାଇଛି । କୁଟୁମ୍ବଗତ ବ୍ୟଭିଚାର, ବଳାତ୍କାର ଓ ଯୌନଶୋଷଣ ଭଳି ଅତି ଜଘନ୍ୟ ସ୍ଥିତିରେ ମଧ୍ୟ ଗର୍ଭବତୀ ହେଉଥିବା ମହିଳାଙ୍କୁ ସେସବୁ ଦେଶରେ ଗର୍ଭପାତର ସୁଯୋଗ ମିଳେ ନାହିଁ ।
୨୦୨୧ ଏମ୍ଟିପି ଆଇନରେ ଏହାର ପ୍ରଣେତାମାନେ ନିଜର ଦୂରଦୃଷ୍ଟି ଓ ଅନ୍ତର୍ଦୃଷ୍ଟିକୁ ଅତି ନିପୁଣତାର ସହ ବିନିଯୋଗ କରିଛନ୍ତି । ସନ୍ତାନ ପାଇବାର ଆଗ୍ରହ ଓ ଏଥିପାଇଁ ପ୍ରସ୍ତୁତି, ମା’, ପରିବାର ଓ ଶିଶୁଙ୍କ ଜୀବନର ଗତିପଥକୁ ଉପଯୁକ୍ତ ଆକାର ଦେଇଥାଏ । ଅବାଂଚ୍ଛିତ ଗର୍ଭସଂଚାର ପିତାମାତାଙ୍କ ଜୀବନ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବ୍ୟାହତ କରେ । ଏଥିରେ ନିର୍ଦ୍ଦିଷ୍ଟ ଭାବେ ମା’ ମାନଙ୍କର ମାନସିକ ଶାନ୍ତି ଓ ବ୍ୟକ୍ତିଗତ ଅଭିବୃଦ୍ଧି ବ୍ୟାହତ ହୁଏ ।
ଆହୁରି ମଧ୍ୟ ଅବାଂଚ୍ଛିତ ଶିଶୁ ଜନ୍ମ ହେଲେ ସେ ଅବହେଳାର ସମ୍ମୁଖୀନ ହୁଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ର ତଥ୍ୟ ଅନୁସାରେ ବାଂଛିତ ସନ୍ତାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ ପାଇଁ ବାପା ମା’ମାନେ ଅଧିକ ଖର୍ଚ୍ଚ କରିଥାନ୍ତି । ଅବାଂଛିତ ସନ୍ତାନଙ୍କ ଭାଗ୍ୟରେ ସେ ସୁବିଧା ବିଶେଷ ଜୁଟେ ନାହିଁ । ତେଣୁ ସାମ୍ପ୍ରତିକ ଏମ୍ଟିପି ଆଇନ ମା’ମାନଙ୍କୁ ଅବାଂଛିତ ଗର୍ଭଧାରଣ ଜନିତ ମାନସିକ, ଆବେଗାତ୍ମକ ଓ ଆର୍ଥିକ ଚାପରୁ ରକ୍ଷା କରିଛି ।
ଏହି ଆଇନରେ ସରକାର ମହିଳାମାନଙ୍କୁ ଅତି ନିଖୁଣଭାବେ ପ୍ରଜନନ ଓ ସନ୍ତାନଧାରଣର ଏକ ବଡ ବିକଳ୍ପ ପ୍ରଦାନ କରିଛନ୍ତି, ଯଦ୍ୱାରା ସେମାନେ ନିଜର ଇଚ୍ଛା ଅନୁସାରେ ଏ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ କରିପାରିବେ । ଋତୁମତୀ ହେବାଠାରୁ ନାରୀର ବିବାହ ସହିତ ସନ୍ତାନ ଜନ୍ମ ଦେବା ଓ ଶିଶୁର ଲାଳନପାଳନ କରିବା ସହ ଆମ ସାମାଜିକ, ସାଂସ୍କୃତିକ ବ୍ୟବସ୍ଥା ଯୋଡି ଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ନୀତି ନିର୍ମାତାମାନେ ମହିଳାମାନଙ୍କ ଆଇନଗତ ବିବାହ ବୟସକୁ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଫଳରେ ମାତୃ/ମହିଳା ସମାଜର ଏକ ବଡ ଉପକାର ସାଧିତ ହେବ । ସେମାନଙ୍କ ଗର୍ଭଧାରଣ ବୟସ ବିଳମ୍ବିତ ହୋଇପାରିବ । ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ଉପଯୁକ୍ତ ହେବା ପରେ ସେମାନେ ଗର୍ଭଧାରଣ କରିବାର ସୁଯୋଗ ପାଇବେ ।
ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ୍ ୨୦୨୧ରେ ମହିଳାଙ୍କ ସର୍ବନିମ୍ନ ଆଇନଗତ ବିବାହ ବୟସ ୧୮ରୁ ୨୧ବର୍ଷ କରିବାକୁ ପ୍ରସ୍ତାବ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଓ ତଥ୍ୟ ଅନୁସାରେ ଏହି ବିଲ୍ରେ ଯଥାର୍ଥ ବ୍ୟବସ୍ଥା କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ୧୦ରୁ ୧୯ବର୍ଷ ବୟସର କିଶୋରୀ ମା’ମାନେ ଏକ୍ସେମ୍ପସିଆ, ପ୍ୟୁଏରପେରାଲ ଏଣ୍ଡୋମିଟ୍ରାଇଟିସ୍ ଓ ବିଭିନ୍ନ ପ୍ରକାର ସଂକ୍ରମଣ ଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏହା ଫଳରେ ସେମାନଙ୍କର ଛାତି ଧଡପଡ ହୁଏ, ଦେହ ଥରେ, ରକ୍ତଚାପ ବୃଦ୍ଧି ପାଏ ଏବଂ ଗର୍ଭାଶୟ ଓ ପରିସ୍ରା ପଥ ସଂକ୍ରମିତ ହୋଇ ଗର୍ଭବତୀମାନେ ଅଧିକ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡିଥାନ୍ତି । ସେମାନଙ୍କ ଠାରୁ ଜନ୍ମ ନେଉଥିବା ଶିଶୁଙ୍କର ଓଜନ କମ୍ ହୋଇଥାଏ ଓ ସେମାନେ ନାନାପ୍ରକାର ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଏହିପରି ସମସ୍ୟା ୨୦ରୁ ୨୪ବର୍ଷ ବୟସର ଗର୍ଭବତୀଙ୍କଠାରେ କମ ଦେଖାଯାଏ ।
ଏଠାରେ ସୂଚନାଯୋଗ୍ୟ ଯେ ପରିବାର ନିୟୋଜନ ଲକ୍ଷ୍ୟପୂରଣ ଓ ସନ୍ତାନ ଜନ୍ମ କ୍ଷେତ୍ରରେ ଯେଉଁ ଆବଶ୍ୟକ ବ୍ୟବଧାନ ରହିବା କଥା ତାହା ପୂରଣ ହୋଇପାରୁନାହିଁ ।୨୦୧୪-୧୫ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍)-୪ ଓ ୨୦୧୯-୨୧ ଏନ୍ଏଫ୍ଏଚ୍ଏସ -୫ ତଥ୍ୟର ତୁଳନାତ୍ମକ ଅନୁଶୀଳନରୁ ଜଣାପଡିଛି ଯେ ମହିଳାଙ୍କ ଦୁଇ ଗର୍ଭଧାରଣ ସମୟ ବ୍ୟବଧାନ ୧୨.୯% ରୁ ୯.୪ ଶତାଂଶକୁ ହ୍ରାସ ପାଇଛି । ତେବେ ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର କଥାହେଲା ଏନ୍ଏଚ୍ଏଫ୍ଏସ -୫ ବେଳକୁ ୧୫ରୁ ୧୯ବର୍ଷ ବୟସର ପ୍ରାୟ ୭ ଶତାଂଶ ମା’ ଗର୍ଭବତୀ ହୋଇସାରିଥିଲେ । ଏହା ପୂର୍ବ ସର୍ଭେ ତୁଳନାରେ ସାମାନ୍ୟ ହ୍ରାସ ପାଇଥିଲା । ଚତୁର୍ଥ ସର୍ଭେରେ ଏହି ବୟସ ବର୍ଗର ଗର୍ଭବତୀ ଓ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କ ଅନୁପାତ ଥିଲା ୭.୮ ଶତାଂଶ । ଏହି କିଶୋରୀ ମା’ମାନେ ପିଲାମାନଙ୍କୁ ଦୁଗ୍ଧପାନ, ଖାଦ୍ୟ ଖୋଇବା ଏବଂ ସେମାନଙ୍କ ଯତ୍ନ ନେବା ବିଷୟରେ ବିଶେଷ ଅବଗତ ନୁହଁନ୍ତି । ଏହା ଫଳରେ ସେହି ଶିଶୁମାନେ କୁପୋଷଣର ସମ୍ମୁଖୀନ ହୋଇଥାନ୍ତି ଏବଂ ସେମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ସ୍ୱାଭାବିକ ହୋଇ ନ ଥାଏ । ଏମ୍ଟିପି ଆଇନ ୨୦୨୧ ଓ ପିସିଏମ୍ଏ ବିଲ୍-୨୦୨୧ ଯଦି ମିଳିତ ଭାବେ ନିୟମରେ ପରିଣତ ହୋଇ କାର୍ଯ୍ୟକାରୀ ହୁଏ, ତା’ହେଲେ ସହଳ ବିବାହ, ଶୀଘ୍ର ଗର୍ଭଧାରଣ ଏବଂ ଖରାପ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଜନିତ ଗୁରୁତର ସମସ୍ୟାର ଅବସାନ ଘଟିବ ।
ସରୋଗାସୀ ବଜାରର ଅବସାନ ଘଟାଇ ସରକାର ପୂର୍ବର ଦୁର୍ବଳ ଆଇନ ଓ ବ୍ୟବସ୍ଥାର ବିଲୋପ ଘଟାଇଛନ୍ତି । ପୂର୍ବରୁ ମହିଳାମାନେ ନିଜର ଗର୍ଭକୁ ଅନ୍ୟର ସନ୍ତାନ ଧାରଣ ପାଇଁ ଭଡାରେ ଦେବାର ବ୍ୟବସ୍ଥା ଥିଲା । ସେତେବେଳେ ବୈଶ୍ୱିକ ଅସମାନତା ଦୃଷ୍ଟିରୁ ଭାରତ ସରୋଗେଟ୍ ମଦର ବା ଗର୍ଭ ଭଡାଦିଆ ମା’ମାନଙ୍କର ଲାଭଜନକ ବଜାର ପାଲଟିଥିଲା । ବିଶ୍ୱର ଧନୀ ରାଷ୍ଟ୍ରମାନେ ଏହାର ସୁଯୋଗ ନେଇ ସନ୍ତାନ ଆଶାରେ ଭାରତର ଗରିବ ମାଆମାନଙ୍କୁ ବ୍ୟବହାର କରୁଥିଲେ । ଏହା ଫଳରେ ଭାରତରେ ମାତୃତ୍ୱର ବ୍ୟବସାୟକରଣ ସହିତ ନାରୀକୁ ଏକ ପଣ୍ୟ ସାମଗ୍ରୀ ଭାବେ ବ୍ୟବହାର କରାଯାଉଥିଲା । ଏଭଳି ସ୍ଥିତିରେ ଭାରତକୁ ଅନେକ ଦେଶ ଶିଶୁ କାରଖାନା ବା ବେବୀ ଫ୍ୟାକ୍ଟ୍ରି କହି ତାତ୍ସଲ୍ୟ ଦେଖାଉଥିଲେ । ଏହି ପ୍ରକ୍ରିୟାରେ ଅନେକ ଶିଶୁ ପରିତ୍ୟକ୍ତ ହେଉଥିଲେ ଏବଂ ସରୋଗେଟ୍ କରିଥିବା ମହିଳାମାନଙ୍କୁ ଶୋଷଣ କରାଯାଉଥିଲା । ଗର୍ଭ ଭଡା ଦେଇ ସନ୍ତାନ ଧାରଣ କରିଥିବା ଗରିବ ମହିଳାମାନେ ସେମାନଙ୍କ ପ୍ରାପ୍ୟ ପାଉ ନ ଥିଲେ । ଭାରତ ଭଳି ଏକ ଦେଶ ଯେଉଁଠି ମା’ଙ୍କୁ ବହୁ ସମ୍ମାନ ଦିଆଯାଏ ସେଠାରେ ମନଇଚ୍ଛା ସରୋଗାସୀ ବ୍ୟବସ୍ଥା ଏବଂ ଏହାର ବ୍ୟାବସାୟକରଣ ରାଷ୍ଟ୍ରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ବିରୋଧାଚରଣ କରୁଥିଲା ।
ଏହି ବିରୋଧାଭାସର ଅବସାନ ଘଟାଇବାକୁ ସରୋଗାସୀ ନିୟନ୍ତ୍ରଣ ଆଇନ ୨୦୨୧ ଅଣାଯାଇ ବ୍ୟାବସାୟିକ ସରୋଗାସୀଙ୍କୁ ବନ୍ଦ କରାଯାଇଛି । କେବଳ ନୈତିକ, ପରୋପକାରୀ ସରୋଗାସୀକୁ ଅନୁମତି ଦିଆଯାଇଛି । ଯେଉଁ ଦମ୍ପତି ଭାରତୀୟ ବଂଶୋଦ୍ଭବ ନୁହଁନ୍ତି ସେମାନଙ୍କୁ ଭାରତରେ ସରୋଗାସୀ ପାଇଁ ନୂଆ ଆଇନରେ ଅନୁମତି ନାହିଁ । କେବଳ ସ୍ଥାନୀୟ ଲୋକ, ବିଶେଷତଃ ଭାରତୀୟମାନେ ଆବଶ୍ୟକ ଚିକିତ୍ସାଗତ ପ୍ରମାଣପତ୍ର ଦାଖଲ କରି ଗର୍ଭଧାରଣ ସରୋଗାସୀ ଅନୁମତି ପାଇଛନ୍ତି । ଏମଟିସି ଆଇନ, ସରୋଗାସୀ ଆଇନ ଓ ପିସିଏମ୍ ସଂଶୋଧନ ଆଇନ-୨୦୨୧ ମିଳିତଭାବେ ଭାରତରେ ନାରୀଶକ୍ତିକୁ ନୂଆ ଅର୍ଥ ଦେଇଛି ।
ଏହି ରାଜନୀତିକ-ଆଇନଗତ ବ୍ୟବସ୍ଥା ମଧ୍ୟରେ ଭାରତ ସରକାର ଗର୍ଭଧାରଣ ସମ୍ପର୍କରେ ଯେଉଁ ନୀତି ପ୍ରସ୍ତୁତ କରିଛନ୍ତି ସେଥିରେ ମହିଳାମାନଙ୍କ ଇଚ୍ଛା ଓ ପସନ୍ଦକୁ ସମ୍ମାନ ଦିଆଯାଇଛି । ସେମାନେ ନିଜ ଇଚ୍ଛା ଅନୁସାରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ଅଧିକାର ପାଇଛନ୍ତି । ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ପରିବାରଙ୍କୁ ବାର୍ଷିକ ପାଞ୍ଚଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଣର ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ମହିଳାଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ପ୍ୟାକେଜ ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଲା ସ୍ତ୍ରୀରୋଗ ସମ୍ବନ୍ଧୀୟ ଚିକିତ୍ସା । ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯେଉଁ ମହିଳାମାନେ ଗର୍ଭଧାରଣ ପୂର୍ବ ଓ ପରବର୍ତ୍ତୀ ସମୟରେ ମଜୁରୀ/ରୋଜଗାର ହରାଉଛନ୍ତି ସେମାନଙ୍କୁ ଆଂଶିକ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଯୋଜନାରେ ଗର୍ଭଧାରଣ ସମୟରେ ମହିଳାଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରତି ମାସର ନବମ ଦିନରେ ଯୋଗାଇ ଦିଆଯାଇଛି । ଏହା ଫଳରେ ଗର୍ଭବତୀମାନଙ୍କ ଚିକିତ୍ସାଜନିତ ଆର୍ଥିକ ବୋଝ କମିଛି ।
ଭାରତ ସରକାର ମହିଳାମାନଙ୍କ ପ୍ରଜନନ ଗତ ରୁଚି, ପସନ୍ଦ ଓ ଇଚ୍ଛା ତଥା ଏ ବାବଦ ଖର୍ଚ୍ଚ ବୋଝକୁ ସହଜ ଓ ନିଶ୍ଚିତ କରିବାକୁ କେବଳ ଉଦ୍ୟମ କରୁନାହାନ୍ତି: ଜନନୀ ସୁରକ୍ଷା ଯୋଜନାରେ ଆନୁଷ୍ଠାନିକ ପ୍ରସବ ବ୍ୟବସ୍ଥା ମାଧ୍ୟମରେ ନିରାପଦ ମାତୃତ୍ୱ ବ୍ୟବସ୍ଥାକୁ ପ୍ରୋତ୍ସାହନ ଯୋଗାଉଛନ୍ତି ।ଏହାଛଡା ‘ଲକ୍ଷ୍ୟ’ ଯୋଜନାରେ ଗର୍ଭବତୀଙ୍କୁ ପ୍ରସବ କକ୍ଷରେ ସମ୍ମାନଜନକ ଭାବେ ଉତ୍ତମମାନର ଯତ୍ନ ଓ ସେବା ଯୋଗାଇ ଦିଆଯାଉଛି । ସରକାରଙ୍କ ଏହି ଉଦ୍ୟମ ଫଳରେ ଆନୁଷ୍ଠାନିକ ପ୍ରସବ ହାର ଏନ୍ଏଫ୍ଏଚ୍ଏସ-୪ରେ ୭୯% ଥିବାବେଳେ ପଞ୍ଚମ ଏନ୍ଏଫଏଚଏସରେ ଏହା ୮୯% କୁ ବୃଦ୍ଧି ପାଇଛି । ଏଥିରେ ଦେଶ ସବୁଠୁ ଅଧିକ ଉପକୃତ ହୋଇଛି, କାରଣ ଏହା ଦ୍ୱାରା ମା’ ମାନଙ୍କର ପରମାୟୁ ବଢିଛି । ଦେଶରେ ୨୦୧୧-୧୩ ବର୍ଷ ମଧ୍ୟରେ ମାତୃ ମୃତ୍ୟୁହାର ଜୀବନ୍ତ ଶିଶୁ ଜନ୍ମ ଦେବା କ୍ଷେତ୍ରରେ ଏକ ଲକ୍ଷରେ ୧୬୭ ଥିବାବେଳେ ୨୦୧୯ରେ ଏହା ୧୦୩କୁ ହ୍ରାସ ପାଇଛି ।
ବର୍ତ୍ତମାନର ସରକାର ନିଜର ବହୁରୂପୀ କନ୍ୟାମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେମାନେ ଜୀବନରେ ସ୍ନେହମୟୀ ଜନନୀର ଭୂମିକା ସଫଳତାର ସହ ନିର୍ବାହ କରିପାରୁଛନ୍ତି । ବେଟି ବଚାଓ, ବେଟି ପଢାଓ ଅଭିଯାନର ଉଦ୍ଦେଶ୍ୟ ହେଲା ଝିଅମାନଙ୍କୁ ଉପଯୁକ୍ତଭାବେ ଲାଳନପାଳନ କରି, ଶିକ୍ଷା ଦେଇ ସମାଜରେ ମର୍ଯ୍ୟାଦାପୂର୍ଣ୍ଣ ଭାବେ ପ୍ରତିଷ୍ଠିତ କରାଇବା ଓ ସଶକ୍ତ କରିବା । ଏହି ଯୋଜନାରେ ସୁଫଳ ଅବଶ୍ୟ ମିଳିଲାଣି । ଦେଶରେ ପୁଅ ଓ ଝିଅଙ୍କ ସଂଖ୍ୟା ମଧ୍ୟରେ ଯେଉଁ ବଡ ବ୍ୟବଧାନ ଥିଲା ତାହା କମିବାର ଲାଗିଛି । ଏବେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୨୦ରେ ପହଂଚଛି । ଉଜ୍ଜ୍ୱଳା ଓ ଜଳଜୀବନ ମିଶନ ଭଳି ଯୋଜନା ଦ୍ୱାରା ଘରେ ମହିଳାମାନଙ୍କ କାମ ସହଜ ହୋଇଛି ଓ ସମୟ ଅଭାବ ଦୂର ହୋଇଛି । ଜାଳ ଓ ପାଣି ସଂଗ୍ରହ କରିବାର ଦୈନନ୍ଦିନ ବୋଝରୁ ସେମାନେ ମୁକ୍ତି ପାଇ ଯେଉଁ ସମୟ ପାଉଛନ୍ତି ତାହାକୁ ପରିବାରର ଅନ୍ୟାନ୍ୟ ଲାଭଜନକ କାମ ପାଇଁ ବ୍ୟୟ କରୁଛନ୍ତି । ମୁଦ୍ରା ଯୋଜନାରେ ଆକାଂକ୍ଷୀ ମହିଳାମାନଙ୍କୁ ନିଜର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବିନା ବନ୍ଧକ ଓ ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଉଛି । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନାରେ ମହିଳାମାନଙ୍କୁ ଅଧିକ ସବ୍ସିଡି ଯୋଗାଣର ବ୍ୟବସ୍ଥା କରାଯାଇଛି ।
ପଶ୍ଚିମରେ ଯେତେବେଳେ ମହିଳାମାନଙ୍କୁ ଗର୍ଭପାତ ଅଧିକାରରୁ ଉଚ୍ଛେଦ କରାଯାଉଛି, ସେତେବେଳେ ଭାରତ ଅନୁମତିପ୍ରାପ୍ତ ଗର୍ଭପାତ ସୀମାକୁ ସମ୍ପ୍ରସାରିତ କରୁଛି । ବିଶ୍ୱର ଅନ୍ୟ ପ୍ରାନ୍ତରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ରକ୍ଷା କଥାକୁ ଲୋକେ ଫୁସ୍ପାସ ହୋଇ ଲୁଚାଛପାରେ ଆଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏ ବିଷୟ ଲାଲକିଲ୍ଲାର ପ୍ରାଚୀର ଉପରୁ ବଡ ପାଟିରେ କହିବାବେଳେ ୧୩୦ କୋଟି ଭାରତୀୟ ଏହାକୁ ମନ ଧ୍ୟାନ ଦେଇ ଶୁଣୁଛନ୍ତି । ତିନି ତଲାକର ଅବସାନ ଘଟାଇ ସରକାର ମୁସଲମାନ ମହିଳାମାନଙ୍କୁ ନିରନ୍ତର ସମ୍ମୁଖୀନ ହେଉଥିବା ଅସୁରକ୍ଷାରୁ ମୁକ୍ତି ଦେଇଛନ୍ତି । ଆଇନଗତ ବିବାହ ବୟସ ସୀମା ବଢାଇବାର ପ୍ରସ୍ତାବ ରଖି ସରକାର ଉଭୟ ପୁରୁଷ ଓ ମହିଳାଙ୍କୁ ଏ କ୍ଷେତ୍ରରେ ଗୋଟିଏ ସ୍ତରରେ ସମାନ ଓ ନିରପେକ୍ଷଭାବେ ରଖିବାକୁ ଚାହୁଁଛନ୍ତି । ଭାରତରେ ମା’ ଓ ମହିଳାମାନଙ୍କୁ ଉତ୍ତମ ଜୀବନଯାପନ ସୁବିଧା ଯୋଗାଇ ଦେବାକୁ ସରକାର ସଦା ଚେଷ୍ଟିତ ଏବଂ ଏଥିପାଇଁ ବିଭିନ୍ନ ସମୟରେ ନାନାପ୍ରକାର ନୀତିଗତ ଓ ଆଇନଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାଫଳରେ ପିଢି ପରେ ପିଢି ଭାରତୀୟ ମହିଳା ଓ ମା’ମାନେ ଉତ୍ତମ, ମର୍ଯ୍ୟାଦାଜନକ ଜୀବନଯାପନର ସୁଯୋଗ ପାଇପାରିବେ ।
ଏ କ୍ଷେତ୍ରରେ ପାଶ୍ଚାତ୍ୟ ପଶ୍ଚାତଗମନ କରୁଥିବା ସମୟରେ ଭାରତ ଆଗେଇ ଚାଲିଛି ଏବଂ ଏକ ପ୍ରଗତିଶୀଳ ସମାଜ ପାଇଁ ବାଟ ଦେଖାଉଛି ।
(ଲେଖିକା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ)
0 Comments