ପରଂବ୍ରହ୍ମଙ୍କ କିମାଶ୍ଚର୍ଯ୍ୟମ ପାଠକାର୍ପିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯୁବ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀଙ୍କ ଚତୁର୍ଥ ପ୍ରବନ୍ଧ ସଂକଳନ କିମାଶ୍ଚର୍ଯ୍ୟମ ଆଜି ପାଠକାର୍ପିତ ହୋଇଯାଇଛି। ବିଶିଷ୍ଟ ସ୍ଥମ୍ଭକାର ଡଃ ଭଗବାନ ପ୍ରକାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ। ବର୍ଷା ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଥିଲେ ଯେ ପ୍ରଶ୍ନ ପଚାରିବାର ପ୍ରବୃତ୍ତି ଧୀରେ ଧୀରେ ମରି ଯାଉଛି। ଗଣତନ୍ତ୍ର, ସମାଜ ଓ ସାହିତ୍ୟ ବଂଚିବା ପାଇଁ ପ୍ରଶ୍ନ ପଚାରିବାର ପ୍ରବୃତ୍ତି ନିହାତି ଆବଶ୍ୟକ। କିମାଶ୍ଚର୍ଯ୍ୟମ ପ୍ରଶ୍ନ ପଚାରିବାକୁ ଉସକାଉଛି। ତେଣୁ ଏହା ଗତାନୁଗତିକତାରୁ ନିଶ୍ଚିତ ଭିନ୍ନ।ଅନ୍ୟତମ ଅତିଥି ବିଶିଷ୍ଟ ଗାଳ୍ପିକ ଡ଼ଃ ଅଜୟ ସ୍ୱାଇଁ ସାହିତ୍ୟରେ ଗଦ୍ୟର ଭୂମିକା, ନୂତନ ପିଢ଼ିର ଲେଖକମାନେ ଗଦ୍ୟକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ଓ କିମାଶ୍ଚର୍ଯ୍ୟମ କିପରି ଏକ ନିଆରା ଧାରା ସୃଷ୍ଟି କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ କବି ଓ କଳା ସମୀକ୍ଷକ କେଦାର ମିଶ୍ର କିମାଶ୍ଚର୍ଯ୍ୟମକୁ ବିଦ୍ରୋହ ଓ ବ୍ୟଙ୍ଗର ଏକ ସଠିକ ସମିଶ୍ରଣ ବୋଲି କହିବା ସହ ଏହା ପାଠକ ମନ ଓ ମସ୍ତିଷ୍କକୁ ଆନ୍ଦୋଳିତ କରିବାର କ୍ଷମତା ରଖିଛି ବୋଲି ମତ ପ୍ରକାଶ କରିଥିଲେ। ଯୁବ ପିଢ଼ିର ଶକ୍ତିଶାଳୀ ସ୍ୱର, କବି ଓ ଗାଳ୍ପିକ ଡଃ ଶକ୍ତି ମହାନ୍ତି ସରଳ ପ୍ରବହମାନତା, ଶବ୍ଦର ମିତବ୍ୟୟିତା ଓ ସମସ୍ୟା ପ୍ରତି ଭିନ୍ନ ଦୃଷ୍ଟିଭଙ୍ଗୀ ପରଂବ୍ରହ୍ମଙ୍କ ଲେଖାର ବୈଶିଷ୍ଟ୍ୟ ବୋଲି ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡ଼ଃ ସୂର୍ଯ୍ୟସ୍ନାତ ତ୍ରିପାଠୀ ବହିଟି ନିଜ ପ୍ରାସଙ୍ଗିକତା ଅନେକ ସମୟ ପର୍ଯ୍ୟନ୍ତ ବଜାୟ ରଖିବ ବୋଲି ମତବ୍ୟକ୍ତ କରିଥିଲେ।ନିଜ ଲେଖକୀୟ ଅଭିଭାଷଣରେ ପରଂବ୍ରହ୍ମ ପାଠକୀୟ ଶ୍ରଦ୍ଧାକୁ ଗୁରୁତ୍ୱ ଦେବା ସହ ଏହାହିଁ ତାଙ୍କୁ ଅନୁପ୍ରାଣିତ କରିଛି ବୋଲି କହିଥିଲେ।ବର୍ଷା ପ୍ରକାଶନୀର ମୁଖ୍ୟ ବାଦଲ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମୃତି ସଂଚିତା ଜେନା ମଞ୍ଚ ପରିଚାଳନା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ପାଠକ, ସାହିତ୍ୟିକ ଓ ସାମ୍ବାଦିକ ଏହି ସଭାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *