ବଢୁଛି ମହିଳା ହିଂସା !

ବଢୁଛି ମହିଳା ହିଂସା !

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ସମୟ ସହ ତାଳ ଦେଇ ମାନବଜାତି ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ; ପ୍ରତି କ୍ଷେତ୍ରରେ ଉନ୍ନତି କରିଛି, କିନ୍ତୁ ସମତାଳରେ ମହିଳାମାନଙ୍କ ପ୍ରତି ହିଂସା, ଶୋଷଣ, ଅପରାଧ ଏବଂ ନିର୍ଯାତନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଘରେ ହେଉ କି ବାହାରେ କେଉଁଠି ବି ମହିଳା ନିଜକୁ ସୁରକ୍ଷିତ ମଣୁ ନାହିଁ l କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଥିବା ମହିଳାଟିଏ ସନ୍ଧ୍ୟା ପୂର୍ବରୁ କେମିତି ଘରକୁ ଫେରିବ, ମହିଳାମାନେ ଘରୁ ବାହାରକୁ ଗଲେ ଏକୁଟିଆ ନ ଯାଇ ନିଜ ସ୍ୱାମୀ କିମ୍ବା ପରିବାର ବର୍ଗଙ୍କ ସହ ମିଶି ଯିବେ ; ଏସବୁ ମହିଳାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି ? ପୂର୍ବେ ମହିଳା ମାନଙ୍କୁ ପୂଜା କରାଯାଉଥିଲା, ସେମାନଙ୍କୁ ଦେବୀ ଆସନରେ ସ୍ଥାନିତ କରାଯାଉଥିଲା, ହେଲେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର, ହିଂସା, ନିର୍ଯାତନା ମଧ୍ୟ ଦିଆଯାଉଥିଲା l ସେ କାଳରୁ ଏ କାଳ ଭିତରେ ଆମ ସମାଜ ବହୁତ ଉନ୍ନତି କରିଛି, ମାତ୍ର ମହିଳା ହିଂସା, ଅପରାଧ, ଶୋଷଣ ଯେଉଁଠି କି ସେଇଠି ରହିଛି l ମହିଳାଙ୍କୁ ଅସହାୟ, ଦୁର୍ବଳା ମନେକରି ଘରେ କିମ୍ବା ବାହାରେ ମାନସିକ ଓ ଶାରୀରିକ ଭାବରେ କଷ୍ଟ ଦେବାର ଅନେକ ଉଦାହରଣ ଆମେ ନିତିଦିନ ଦେଖବାକୁ ପାଉଛେ l

ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କ ପ୍ରତି ଅସଦାଚରଣ, ହିଂସା ଦିନକୁ ଦିନ ବଢ଼ି ଚାଲିଛି l ସେଥିପାଇଁ ଝିଅଟିଏ ଜନ୍ମ ହେଲେ ବୋଧେ ବାପା ମାଆ ଖୁସି ହେଲେ ବି ପରମୁହୂର୍ତ୍ତରେ ଚିନ୍ତିତ ହେଉଛନ୍ତି l ତାର ଉପଯୁକ୍ତ ଲାଳନ ପାଳନ ସତ୍ତ୍ୱେ ବଡ଼ ହୋଇ ସେ ଯେ କୌଣସି ଦୁର୍ଘଟଣାର ଶିକାର ନ ହୁଏ ସେହି ଆଶ୍ବସ୍ତି ଟିକକ ସେମାନଙ୍କ ମନକୁ ଆସୁନାହିଁ l ଯେତେ ପାଠ ପଢେଇ ଆତ୍ମନିର୍ଭରଶୀଳ, ସଶକ୍ତ କଲେ ମଧ୍ୟ ଏହି ସମାଜରେ ବହୁ ଦିନରୁ ଚାଲିଆସୁଥିବା ମଣିଷକୃତ ଧରାବନ୍ଧା ନିୟମ ଯୋଗୁଁ ଝିଅଟିଏ ଅବହେଳା, ମାନସିକ ଚାପ ଏବଂ ବିଭିନ୍ନ ଅପରାଧ ଭିତରକୁ ଟାଣି ହୋଇଯାଉଛି l ଝିଅଟିଏ କୁ ବାପା ମାଆ ସବୁପ୍ରକାର ଗୁଣରେ ଗୁଣୀୟାନ କରି ବଢ଼େଇଲେ ମଧ୍ୟ, ବାହାରେ ଯେ ତା ସହ କିଛି ଅନ୍ୟାୟ ଘଟିବ ନାହିଁ, ଏଥିପ୍ରତି ସେମାନେ ନିଶ୍ଚିନ୍ତ ହୋଇ ପାରୁନାହାନ୍ତି l ସବୁବେଳେ ସେମାନଙ୍କ ମନରେ ଡରଟିଏ ଘର କରି ରହୁଛି, ‘ ଆମ ଝିଅ ଠିକ ବାଟରେ ଯାଉଛି ତ ? ସେ ଯେଉଁ ପରିବେଶରେ ଚଳୁଛି, ପାଠ ପଢୁଛି କିମ୍ବା କାମ କରୁଛି ସେଠି ସେ ସୁରକ୍ଷିତ ତ ?’

ବିଗତ ୨o ବର୍ଷରେ ମହିଳାଙ୍କ ସହିତ ହତ୍ୟା, ଦୁଷ୍କର୍ମ, ଶୋଷଣ, ଅସଦାଚରଣ କ୍ଷୀପ୍ର ଗତିରେ ବଢ଼ି ଚାଲିଛିl ତଥ୍ୟ ଅନୁସାରେ ମହିଳାମାନେ ଶିକାର ହେଉଥିବା ଦୁଷ୍କର୍ମ, ହତ୍ୟା, ଉତ୍ପୀଡ଼ନ, ଦୁର୍ବ୍ୟବହାର ପରେ ମାନସିକ ଭାବରେ ଅବସାଦ ଗ୍ରସ୍ତ ରହୁଛନ୍ତି, କେତେ ତ ଆତ୍ମହତ୍ୟା କରିବାକୁ ଆଗେଇ ଆସନ୍ତି l ଦୁଃଖର କଥା ଅନେକ କ୍ଷେତ୍ରରେ ସେମାନେ ନିଜର ସମ୍ପର୍କୀୟ ଏବଂ ଚିହ୍ନାଜଣା ବ୍ୟକ୍ତିଙ୍କ ଦ୍ୱାରା ପୀଡିତ ହୁଅନ୍ତି l ସେଥିରୁ ମାତ୍ର ୧o % ଲୋକ ପୋଲିସ କିମ୍ବା ବିଚାରାଳୟରେ ହାଜର ହୁଅନ୍ତି l ଅଭିଯୋଗ ପୋଲିସ ପାଖକୁ ଯିବା ପୂର୍ବରୁ ଅନେକେ ଲଜ୍ଜ୍ୟା କିମ୍ବା ଭୟରେ ଏସବୁକୁ ଲୋକଲୋଚନକୁ ଆଣନ୍ତି ନାହିଁ l

ଉପରୋକ୍ତ ଅପରାଧ ଏବଂ ଅହିଂସା ଉପରେ ରୋକ ଲଗେଇବା ପାଇଁ ୧୯୮୬ ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଗଠନ କରାଯାଇଥିଲାl ଏହା ଦେଶରେ ଘଟିଯାଉଥିବା ଅପରାଧ ଓ ହିଂସାତ୍ମକ ଘଟଣା ଗୁଡ଼ିକର ତଥ୍ୟ ସଂଗ୍ରହ କରିଥାଏ, ଯାହାକୁ ଆକଳନ କରି ସୁରକ୍ଷା ବ୍ୟବସ୍ଥା ଉପରେ ସୁଧାର ଆଣିବାକୁ ଚେଷ୍ଟା କରାଯାଏ l ଅପରାଧୀ ଓ ଅପରାଧ ଗୁଡିକ ବିଷୟରେ ଗମ୍ଭୀରତାର ସହ ଯାଞ୍ଚ କରି ପୋଲିସକୁ ସବିଶେଷ ସୂଚନା ଦେବା ଏବଂ ଅପରାଧ ରୋକିବା ପାଇଁ ସାହାଯ୍ୟ କରିବା ଏହାର ମୂଳ ଲକ୍ଷ୍ୟ l ସ୍ଥାନ ବିଶେଷରେ ଅପରାଧ ବୃଦ୍ଧି ହାର କୁ ନେଇ ଏହା ପଛର କାରଣ ଖୋଜାଯାଇ, ତାକୁ କେମିତି ହ୍ରାସ କରାଯାଇପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଏ l

୨o୧୯ ତୁଳନାରେ ୨o୨oରେ ମହିଳାଙ୍କ ବିରୋଧରେ ଅପରାଧର ହାର ୮. ୩ % ହ୍ରାସ ପାଇଥିଲା l ସେତେବେଳେ ବି ଦେଶରେ ଦିନକୁ ୭୭ ଟି ଦୁଷ୍କର୍ମର ମାମଲା NCRB ଦ୍ୱାରା ଦତ୍ତ ତଥ୍ୟରୁ ଜଣାଯାଇଛି l ଏହାର ଅନୁସନ୍ଧାନ ଅନୁଯାୟୀ ଗତବର୍ଷ ୩୭୧, ୫o୩ ଅପରାଧ ମାମଲା ମହିଳା ହିଂସା ସପକ୍ଷରେ ରୁଜୁ କରାଯାଇଥିଲା l ଏମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ସବୁଠାରୁ ଅଧିକ ଅପରାଧ ପ୍ରବଣ ରାଜ୍ୟ ଘୋଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶ ଏହା ପଛକୁ କ୍ରମାନ୍ୱୟରେ ସ୍ଥାନ ଅଧିକାର କରିଛନ୍ତି l ଦେଖାଯାଇଛି ମହିଳାଙ୍କ ନିର୍ଯାତନା କ୍ଷେତ୍ରରେ ସବୁଠାରୁ ବେଶି ମାମଲା ନିଜ ସ୍ୱାମୀ ଦ୍ୱାରା କରାଯାଇଥିବା ହିଂସା ( ୩o. ୨ %), ଅସଦାଚରଣ ଓ ସମ୍ମାନହାନି ( ୧୯. ୭ %), ଅପହରଣ ଓ ଚାଲାଣ ( ୧୯. o%), ଦୁଷ୍କର୍ମ ( ୭. ୨ %) ହାର ରହିଛି ବୋଲି ଗଣନା କରାଯାଇଛି l

ଅଧିକାଂଶ କ୍ଷେତ୍ରରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳାମାନେ ନିଜ ନିକଟ ସମ୍ବନ୍ଧୀୟ ଦ୍ୱାରା ପୀଡିତ ହୋଇଥାନ୍ତି l ତେଣୁ ସେମାନେ ମାମଲା ପୋଲିସ ଷ୍ଟେସନରେ ଦାୟର କରନ୍ତି ନାହିଁ, କିମ୍ବା ଦାୟର କଲା ପରେ କିଛି କାରଣ ଦର୍ଶାଇ କେଶକୁ ପ୍ରତ୍ୟାହାର କରିନିଅନ୍ତି l ଏଭଳି କ୍ଷେତ୍ରରେ ଦୋଷୀକୁ ଦଣ୍ଡ ଦେବା ତ ଦୂରର କଥା, ତାକୁ ଧରିବା, କି ଜେରା କରିବା ବି କଷ୍ଟକର ହୁଏ l ତେଣୁ ଦୋଷୀ ଧରା ପଡନ୍ତି ନାହିଁ ଏବଂ ଅପରାଧ ପ୍ରବଣତା ବୃଦ୍ଧି ପାଏ l ଦୋଷୀ ନିର୍ଦ୍ବନ୍ଦ୍ୱରେ ଖୋଲା ବୁଲେ, ବାରମ୍ବାର ଅପରାଧ ଘଟେଇବାର ମନୋବୃତ୍ତି ତା ଭିତରେ ବଳବତ୍ତର ହୁଏ l

ଜଣେ ପୋଲିସ ଅଫିସର ଦେଶରେ ଲଗାତାର ହଉଥିବା ଦୁଷ୍କର୍ମ ଓ ବର୍ବର କାଣ୍ଡ ଗୁଡିକୁ ଦେଖି ମତ ରଖିଛନ୍ତି, ” ଦୁଷ୍କର୍ମ ଘଟଣା ଗୁଡ଼ିକ ଏବେ ଆଉ ଆଇନ କାନୁନର ହାତ ପାଆନ୍ତାରେ ନାହିଁ, ଏହା ଏକ ସାମାଜିକ ସମସ୍ୟାରେ ପରିଣତ ହେବାକୁ ଲାଗିଲାଣିl ” ବାସ୍ତବରେ ଏହାକୁ ରୋକିବା ଦିଗରେ ପୋଲିସ ମଧ୍ୟ ଅପାରଗ ହେବା ଆରମ୍ଭ କଲାଣି l ଦିନକୁ ଦିନ ପରିସ୍ଥିତି ଆଉ ସେମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇ ପାରୁନାହିଁ l

ମହିଳା ହିଂସାକୁ ରୋକିବା ପାଇଁ ସର୍ବପ୍ରଥମେ ମହିଳା ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ l ତାଙ୍କୁ ହୀନ ଦୃଷ୍ଟିରେ ନୁହେଁ ବରଂ ଜଣେ ସହଯୋଗୀ, ଜଣେ ବାନ୍ଧବୀ ରୂପେ ଦେଖିବା ଦରକାର l ପୁରୁଷ ମାନଙ୍କ ମନରେ ମହିଳାଙ୍କ ପ୍ରତି ସମ୍ମାନ ଓ ମହତ ଭାବନା ଆସିଲେ ମହିଳା ହିଂସା ଓ ତଦଜନିତ ଅପରାଧ ବହୁମାତ୍ରାରେ କମିଯିବ l ପ୍ରତ୍ୟେକ ଅଭିଭାବକ ତାଙ୍କ ପୁଅ ଝିଅ ଉଭୟଙ୍କୁ ପିଲାଦିନରୁ ଉଚିତ ସଂସ୍କାର ଦେବା ଉଚିତ l ପୁଅ ଓ ଝିଅ ଭିତରେ ଭେଦଭାବ ନ ରଖି ପରସ୍ପର ଗୋଟିଏ ଗାଡିର ଦୁଇ ଚକ ଭଳି ସମାନ୍ତରାଳ ଗତିରେ ଗଲେ ଜୀବନ ସୁଖମୟ ହେବl ଅପରାଧ ଘଟିବା ମାତ୍ରେ ପ୍ରଶାସନ ଏବଂ ପୋଲିସ ତ୍ୱରିତ ପଦକ୍ଷେପ ନେଇ ପୀଡିତାଙ୍କୁ ଉଦ୍ଧାର କରିବା, ବୁଝାମଣା ଏବଂ ସୌହାଦ୍ଦ୍ୟପୂର୍ଣ୍ଣ ପରିବେଶରେ ତାଙ୍କ ଠାରୁ ତଥ୍ୟ ନେଇ ଦୋଷୀକୁ ଯଥାଶୀଘ୍ର ଧରିବାକୁ ଚେଷ୍ଟା କରିବା l ଦୋଷୀର ଦୋଷ ସାବ୍ୟସ୍ତ ହେଲା ପରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଲେ ହିଁ ଏହି ହିଂସା ଓ ଅପରାଧ, ଶୋଷଣ ଓ ଉତ୍ପୀଡ଼ନକୁ ରୋକଯାଇ ପାରିବ l ଅପରାଧ କରିବାର ମାନସିକତାକୁ ଦୁର୍ବଳ କରିବା ପାଇଁ ମହିଳାମାନେ ସାହସର ସହ ଆଗେଇ ଆସି ନିଜ ସହିତ ଘଟିଥିବା ଅନ୍ୟାୟକୁ ସର୍ବସମ୍ମୁଖକୁ ଆଣିଲେ ହିଁ ଅପରାଧୀ ଏଭଳି କାଣ୍ଡ ଭିଆଇବା ଆଗରୁ ଅନେକ ଥର ଭାବିବାକୁ ବାଧ୍ୟ ହେବ l

(ଫୋନ – 6370516478)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: