ଆଗୁଆ ନ ସରୁ ଶୀତ ଅଧିବେଶନ

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): ରାଜ୍ୟରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ। ଏଥିପାଇଁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାର ମଧ୍ୟ ଡିଫେଣ୍ଡ କରିବାକୁ ତୟାର ଅଛନ୍ତି। ଏହାରି ଭିତରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳର ବୈଠକ ମଧ୍ୟ ଡାକିଥିଲେ। ବୈଠକରେ ତିନିଟି ଯାକ ଦଳ ନିଜ ନିଜ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ପ୍ରଥମେ ବିଜେପିର ପ୍ରସଙ୍ଗ ଗୁଡ଼ିକୁ ଦେଖିବା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି। ଯେହେତୁ ପ୍ରଥମ ବିରୋଧୀ ଦଳ ଭାବେ ରାଜ୍ୟରେ ଗେରୁଆ ଦଳ ଉଭା ହୋଇଛି, ସେଥିପାଇଁ ଦଳ ଉପରେ ସମସ୍ତଙ୍କ ନଜର। ତେବେ ବିଜେପିର ପ୍ରମୁଖ ପ୍ରସଙ୍ଗ ଭିତରେ-
୧) ଧାନ କିଣା ଅବ୍ୟବସ୍ଥା
୨) ବଗଲା ଧର୍ମଶାଳା ଜମି ଦୁର୍ନୀତି
୩) ସୀମା ବିବାଦ
୪) ଆଇନ ଶୃଙ୍ଖଳା ପରିସ୍ଥିତି
୫) ବିଜୁଳି ଦର ବୃଦ୍ଧି
୬) ଏକାମ୍ର କାନନ ଜମି ହସ୍ତାନ୍ତର

ସେହିପରି କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି। କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ଭିତରେ-

୧) ବେକାରୀ ସମସ୍ୟା
୨) ପ୍ରବାସୀ ଶ୍ରମିକ
୩) ସ୍କୁଲ ଖୋଲିବା ପ୍ରସଙ୍ଗ
୪) ଖଣିଜ ସମ୍ପଦ ଚାଲାଣ
୫) ପୁରୀ ହାଜତ ମୃତ୍ୟୁ
୬) ମାଲକାନଗିରି ଜିଲ୍ଲାପାଳଙ୍କ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗ

ଅନ୍ୟପଟେ ବିଜେଡି ମଧ୍ୟ ବିରୋଧୀଙ୍କ ପ୍ରସଙ୍ଗ ଗୁଡ଼ିକୁ ଡିଫେଣ୍ଡ କରିବାକୁ ପ୍ରସ୍ତୁତ ଅଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକରେ ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି। ଖାସକରି ବିରୋଧୀଙ୍କ ଆଟାକକୁ କାଉଣ୍ଟର ଆଟାକ କରିବାକୁ ଶାସକ ବିଜେଡି ପାଖରେ ବି ଏଥର ରହିଛି ଅମୋଘ ଅସ୍ତ୍ର । କାରଣ ଏଥର ପୁରୀ ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବୟାନକୁ ନେଇ ବ୍ୟାକଫୁଟରେ ରହିଛି ବିଜେପି । ଦଳକୁ ଏହି ପ୍ରସଙ୍ଗରେ ଦାବିବାରେ ସଫଳ ହୋଇପାରେ ବିଜେଡି। ବିରୋଧୀଙ୍କ ଅନେକ ପ୍ରସଙ୍ଗ ବିରୋଧରେ ଏଇ ଗୋଟିଏ ପ୍ରସଙ୍ଗରେ ହୋ ହଲ୍ଲା କରି ପାରି ହୋଇ ଯାଇପାରେ ଶାସକ ଦଳ । ସବୁ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଏବଂ ସରକାରୀ ଦଳର ଚାଲାକୀ ଯୋଗୁ ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ପାରେନି। ଏଥର କୋରୋନା ପାଇଁ ପ୍ରଶ୍ନକାଳ ନାହିଁ। ତେଣୁ, କେହି ପ୍ରଶ୍ନ ପଚାରି ପାରିବେ ନାହିଁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏଥର ଅଧିବେଶନ ସବୁଦିନ ସାଢ଼େ ୪ ଘଣ୍ଟା ଲେଖାଏ ଚାଲିବ। ଏହାରି ଭିତରେ ଅନେକ ବିଲ୍ ଆସିବ, ଅନେକ ପ୍ରସଙ୍ଗ ଉଠିବ। ତେଣୁ, ଗୃହ ମଧ୍ୟରେ ଶାନ୍ତିଶୃଙ୍ଖଳା ନିହାତି ଜରୁରୀ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। କୋରୋନା ମାଡ଼ରେ ଅର୍ଥନୀତି ଦୋହଲି ପଡ଼ିଥିବାବେଳେ ଅର୍ଥମନ୍ତ୍ରୀଙ୍କ ଅତିରିକ୍ତ ବଜେଟ୍ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି। ବାହାର ରାଜ୍ୟରୁ ଅନେକ ଲୋକ ଫେରି ଥିବାରୁ ଏଥର ରାଜ୍ୟ ସରକାର ସେମାନଙ୍କ ପାଇଁ ବଜେଟରେ କିଛିଟା ସ୍ଥାନ ଦେଇ ଥାଇ ପାରନ୍ତି। ସେହିପରି ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ବଜେଟରେ ସ୍ୱତନ୍ତ୍ର ସ୍ଥାନ ମିଳିପାରେ। ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମଧ୍ୟ ବଜେଟରେ ସ୍ଥାନ ଥାଇପାରେ। ତେଣୁ, ବିଭିନ୍ନ ଦିଗ ଉପରେ ସରକାର ଗୁରୁତ୍ୱ ଦେଇଥିବେ।

ଜନତାଙ୍କ ଯେଉଁ ସମସ୍ୟା ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ କରି ନ ଥାନ୍ତି, ସେହି ସମସ୍ୟା ବିଧାନସଭାରେ ଉଠାଇଥା’ନ୍ତି। ନିଜ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥାନ୍ତି। କିନ୍ତୁ, ଏଥର ତ ପ୍ରଶ୍ନକାଳ ନାହିଁ। ତେଣୁ, ଯାହା ହେବ, କେବଳ ଆଲୋଚନା ମାଧ୍ୟମରେ ହେବ। ତେଣୁ, ବିରୋଧୀ ହୋହଲ୍ଲା, ହଙ୍ଗାମା ଓହରତାଳରେ ସମୟ ନଷ୍ଟ ନ କରି ସ୍ୱଳ୍ପ ସମୟରେ ସଦବିନିଯୋଗ କରିବା ଉଚିତ୍। ସେହିପରି ସରକାର ମଧ୍ୟ ବିରୋଧୀଙ୍କ ପ୍ରସଙ୍ଗ ଓ ଦାବିକୁ ଏଡ଼ାଇ ନ ଦେଇ, ଧୈର୍ଯ୍ୟର ସହ ଏବଂ ସଠିକ୍ ଭାବେ ସମାଧାନ କରିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ପ୍ରକୃତ ବିକାଶ ହେବ। କାରଣ, ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ସରକାରଙ୍କ ଯେତିକି ଭୂମିକା ଥାଏ, ବିରୋଧୀଙ୍କ ମଧ୍ୟ ସେତିକି ଭୂମିକା ଥାଏ। ସରକାର ଓ ବିରୋଧୀ ଠିକ୍ ରହିଲେ, ଦେଶ ବା ରାଜ୍ୟର ସମତୁଲ ରକ୍ଷା ହୋଇଥାଏ।

%d bloggers like this: