ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ମେଳି, ଦଳ ପାଇଁ ନା ନିଜ ପାଇଁ ??

ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ମେଳି, ଦଳ ପାଇଁ ନା ନିଜ ପାଇଁ ??

(ବିଜୟ ମହାରଣା)
ରାଜ୍ୟ ବିଜେପିରେ କଂଗ୍ରେସ ରୋଗ ଭୂତାଣୁ ବୋଧେ ପ୍ରବେଶ କରି ସାରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧ ଜଣେ ସର୍ବମାନ୍ୟ ନେତା ଉଭୟ ଦଳ ୨୧ବର୍ଷ ହେବ ଦେଇ ପାରି ନାହାନ୍ତି ଏହା ହିଁ ଉଭୟ ଦଳର ସବୁଠୁ ବଡ଼ ବିଫଳତା ।ରାଜ୍ୟ ବିଜେପି, କଂଗ୍ରେସ ଭଳି ବହୁ ଗୋଷ୍ଠୀରେ ବିଭକ୍ତ ଏହା ସ୍ପଷ୍ଟ ।ରାଜ୍ୟ ବିଜେପିରେ ସବୁଠୁ ଶକ୍ତିଶାଳୀ ତଥା କ୍ଷମତାଶାଳୀ ଗୋଷ୍ଠୀ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ବୁଝାଏ। ଯଦିଓ ବିଜେପି ଅନ୍ୟ ଦଳଗୁଡିକଠାରୁ ପୃଥକ ବୋଲି ବାରମ୍ବାର କହୁଥିଲେ ମଧ୍ୟ ଦଳରେ ଯେ କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପ ଏବଂ ତାଙ୍କ ବିରୋଧୀ କ୍ୟାମ୍ପ ଅଛି ଏହା ସମସ୍ତେ ଜାଣନ୍ତି। ଏହା ମଧ୍ୟ ସତ୍ୟ ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ କେନ୍ଦ୍ରରେ ଅନ୍ୟମାନଙ୍କ ଠାରୁ ଅଧିକ। ପ୍ରଥମ ଥର ବିଧାୟକ ଥିବା ବେଳେ ସେ ରାଷ୍ଟ୍ରୀୟ ସମ୍ପାଦକ ହୋଇଥିଲେ । ପ୍ରଥମ ଥର ସାଂସଦ ବେଳେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ୨୦୦୯ ନିର୍ବାଚନରେ ସେ ପାଲଲହଡ଼ାରୁ ପରାଜିତ ହେବା ତାଙ୍କ ପାଇଁ ଆଶୀର୍ବାଦ ହେଲା ବୋଲି କହିଲେ ଭୁଲ ହେବ ନାହିଁ। ନିତୀନ ଗଡ଼କରୀଙ୍କ ସଭାପତିତ୍ୱ ସମୟରେ ୨୦୧୨ରେ ଧର୍ମେନ୍ଦ୍ର ପ୍ରଧାନ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇଥିଲେ ।ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଓଡ଼ିଆ ଯିଏ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇଥିଲେ। ଏଥିରୁ ସ୍ପଷ୍ଟ ଯେ ତାଙ୍କର ଦଳରେ ସ୍ଥାନ କେତେ ଗୁରୁତ୍ୱପୂର୍ଣ୍ଣ ତଥା ଦଳ ତାଙ୍କୁ କେତେ ମହତ୍ୱ ଦିଏ । କେବଳ ଥରେ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ୱ କରିଛନ୍ତି ତାହା ନୁହେଁ, ଦ୍ଵିତୀୟ ଥର ୨୦୧୮ରେ ଅମିତ ଶାହଙ୍କ ସଭାପତିତ୍ବ ସମୟରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ୨୦୧୪ ରେ ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ପେଟ୍ରୋଲିୟମ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦୁଇ ବର୍ଷ ପରେ କ୍ୟାବିନେଟକୁ ପଦୋନ୍ନତି ସହ ଅତିରିକ୍ତ ଦକ୍ଷତା ବିକାଶ ପାଇଥାନ୍ତି । ୨୦୧୯ ନିର୍ବାଚନରେ ପେଟ୍ରୋଲିୟମ ସହ ଇସ୍ପାତ ବିଭାଗ । ଦଳର ବରିଷ୍ଠ ନେତା ଜୁଏଲ ଓରାମ ମନ୍ତ୍ରୀରୁ ବାଦ ପଡିବା ,ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ପଦ ପାଇବା ଇତ୍ୟାଦି ଘଟଣାରୁ ରାଜ୍ୟ ବିଜେପି ତଥା ମିଡିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବୁଝିପାରେ । ବସନ୍ତ ପଣ୍ଡା ଏବଂ ସମୀର ମହାନ୍ତି ଦଳର ସଭାପତି ହେବା ପଛରେ କୁଆଡେ ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣ ସମର୍ଥନ ଯୋଗୁଁ ସମ୍ଭବ।

ନିକଟରେ ବିଜେପିର କିଛି ନେତା ଏକ ହୋଟେଲରେ ଏକତ୍ରିତ ହୋଇଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବାଲେଶ୍ଵର ସାଂସଦ ତଥା ନିଜଟରେ କେନ୍ଦ୍ରମନ୍ତ୍ରୀ ପଦରୁ ବାଦ ପଡିଥିବା ପ୍ରତାପ ଷଡ଼ଙ୍ଗୀ, ବିଜେଡିରୁ ଗତ ନିର୍ବାଚନରେ ବିଜେପିକୁ ଆସି ପରାଜିତ ହୋଇଥିବା ବ୍ୟବସାୟରୁ ନେତା ହୋଇଥିବା ବୈଜୟନ୍ତ ପଣ୍ଡା ,ଦଳ ଛାଡ଼ି ପୁଣି ଦଳରେ ଯୋଗ ଦେଇଥିବା ବିଜୟ ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏମାନଙ୍କ ସହ ଆଉ ଜଣେ ନେତା ବି ସାମିଲ ଥିଲେ ।
ରାଜ୍ୟର ଗଣମାଧ୍ୟମ ବିଶେଷ କରି କିଛି ୱେବ ପୋର୍ଟାଲର ଖବର ଅନୁଯାୟୀ ଏ ସମସ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ମେଳି କରିଥିଲେ ! କୁଆଡେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିତିରିଆ ସମ୍ପର୍କ ରଖିଛନ୍ତି ! ରାଜ୍ୟର ଏପରି କୌଣସି ଦଳ ନାହିଁ ଯାହାର ନେତାମାନଙ୍କ ବିରୋଧରେ ସେହି ଦଳର କିଛି ନେତା ଏହି ଅଭିଯୋଗ କରୁନାହାନ୍ତି। ସବୁଠୁ ମଜା କଥା ହେଲା, ଅନେକ କୁହନ୍ତି ରାଜ୍ୟର ସବୁ ଦଳର ଅଘୋଷିତ ମୁଖିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକୃତ କଥା ହେଲା ଏହି ନେତାମାନେ ସମଦୁଃଖୀ। ଆଉ ଦୁଃଖର କାରଣ ଧର୍ମେନ୍ଦ୍ର।
ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଆମ ରାଜ୍ୟ ବିଜେପିର କିଛି ନେତାଙ୍କ ଦିବାସ୍ୱପ୍ନ ଭାଙ୍ଗି ଦେଇଛି। ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନେକ ଆତ୍ମଘୋଷିତ ବଡ଼ ନେତା ସହଜରେ ଗ୍ରହଣ କରି ପରିନାହାନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳରେ ଷଡ଼ଙ୍ଗୀ ମହାଶୟ ବାଦ ପଡିପାରନ୍ତି ଏ ଚର୍ଚ୍ଚା ଥିଲା ,କିନ୍ତୁ କେହି କେବେ ଭାବି ନଥିଲେ ଯେ ଟୁଡୁ ବାବୁ ସୁଯୋଗ ପାଇବେ ବୋଲି ।
ଖବର ବେପାରୀ ତଥା ପେଜ ଥ୍ରୀ ନେତା ବାବୁ ପଣ୍ଡା ନିଜର ଦିଲ୍ଲୀର ଖବର ବେପାରୀଙ୍କ ସହାୟତା ନିଜକୁ ମନ୍ତ୍ରିମଣ୍ଡଳରେ ସାମିଲ କରିଦେଇଥିଲେ। ରାଜ୍ୟରେ ବି ଚର୍ଚ୍ଚା କରାଇବାରେ ସଫଳ ହୋଇଥିଲେ ।ଆସାମରେ ବିଜେପି ସଫଳତା କୁଆଡେ ୟାଙ୍କ ଯୋଗୁଁ ବୋଲି କିଛି ୱେବ ପୋର୍ଟାଲ ପ୍ରଚାରରେ ଲାଗି ପଡିଥିଲେ।କିନ୍ତୁ ସେ ଭୁଲି ଗଲେ ଯେ, ସେ ସାଂସଦ ନାହାନ୍ତି। ଦ୍ଵିତୀୟ କଥା ଏସ ଜୟଶଙ୍କର ଭଳି ବ୍ୟକ୍ତିତ୍ୱ ନୁହଁନ୍ତି ଯେ ଦଳ ୟାଙ୍କୁ ମନ୍ତ୍ରୀ କରି ସାଂସଦ କରିଥାନ୍ତା। ଦ୍ଵିତୀୟ ପଣ୍ଡା ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି । ଆଉ ଦଳ ପାଇଁ ଇଏ ଆସେଟ ବୋଲି ୨୦୨୯ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଦଳ ସଭାପତି ଶାହ ଯାହା ଭାବିଥିଲେ ତାହା ସମ୍ପୂର୍ଣ୍ଣ ଭୂଲ ବୋଲି ଦଳ ଜାଣି ସାରିଲାଣି ।ଚାଲି ନଜାଣି ବାଟର ଦୋଷ ଭଳି ୟାଙ୍କ ଦିବାସ୍ୱପ୍ନ ପୁରଣ ନହେବାରେ ଧର୍ମେନ୍ଦ୍ର ଦାୟୀ ଏ ଧାରଣା ୟାଙ୍କର ରହିଛି।କାରଣ ଯେତେ ଅଶ୍ୱିନ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେଲେ ଏବଂ ରେଳ ଭଳି ବିଭାଗ ପାଇଲେ ଏବଂ ଧର୍ମେନ୍ଦ୍ର ପେଟ୍ରୋଲିୟମ ବିଭାଗ ବଦଳରେ ଶିକ୍ଷା ବିଭାଗ ପାଇଲେ ୟାଙ୍କ ପରିବାରର ମାଲିକାନାଭି ଥିବା ନିୟୁଜ ଚ୍ୟାନେଲ ଯେପରି ଶିରୋନାମ ଦେଇ ଖବର ପରିବେଷଣ କଲା ଆଉ ବୈଷ୍ଣବଙ୍କ ଓଡ଼ିଶାରେ ଜନ ଆଶୀର୍ବାଦ ଯାତ୍ରା ସମୟରେ ତାଙ୍କ ମକା ଖିଆ ଆଉ ଚା’ରେ ବିସ୍କୁଟ ବୁଡ଼ାଇ ଖାଇବାର ଲାଇଭ ପ୍ରସାରଣରୁ ସ୍ପଷ୍ଟ ଯେ ଧର୍ମେନ୍ଦ୍ର ପ୍ରଧାନ ୟାଙ୍କୁ ବହୁତ କଷ୍ଟ ଦେଇଦେଲେଣି, ଆଉ ସେ ରାଗ ଓ ଅଭିମାନରେ ମେଳିରେ ସାମିଲ ହୋଇଥାଇପାରନ୍ତି।

ଅପରାଜିତାଷଡ଼ଙ୍ଗୀ ପ୍ରଥମ ଥର ସାଂସଦ ପୁଣି ବିଜେଡ଼ିର ଗଡ଼ରୁ। କେନ୍ଦ୍ର ମନ୍ତ୍ରିମଣ୍ଡଳ କଥା ଉଠିଲେ ୟାଙ୍କ ନାଁ ରାଜ୍ୟ ମିଡିଆ ଚର୍ଚ୍ଚା କରେ। ସୋସିଆଲ ମିଡିଆରେ ୟାଙ୍କର ପ୍ରଶଂସକ ବି କିଛି କମ ନୁହନ୍ତି। ୟାଙ୍କୁ ଆଗାମୀ ଦିନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କର୍ମୀ ପ୍ରଚାର କରନ୍ତି। ଯଦିଓ କଂଗ୍ରେସ ଦଳ ଭଳି ଏଠି ବି ବିଧାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଆଶାୟୀ। ଇଏ ମନ୍ତ୍ରୀ ହୋଇନପାରିବା ପଛରେ ଧର୍ମେନ୍ଦ୍ରଙ୍କ ହାତ ଥିବା ଏ ଧାରଣା ଥାଇପାରେ । ଜୁଏଲ ଓରାମ ରାଜ୍ୟ ବିଜେପିର ସକ୍ରିୟ ଥିବା ନେତାମାନଙ୍କ ମଧ୍ୟରେ ସବୁଠୁ ବରିଷ୍ଠ ନେତା କହିଲେ ଭୁଲ ହେବ ନାହିଁ। ଦୁଇ ଦୁଇ ଥର ବିଧାୟକ,ପାଞ୍ଚ ଥର ସାଂସଦ,ଏକାଧିକ ଥର ରାଜ୍ୟ ବିଜେପି ସଭାପତି,କେନ୍ଦ୍ରୀୟ ଉପସଭାପତି,ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ । ଜୁଏଲ ଓରାମ ହେଉଛନ୍ତି ସର୍ବାଧିକ ସମୟ କ୍ୟାବିନେଟ ମନ୍ତ୍ରୀ ଥିବା ଓଡ଼ିଆ ।କିନ୍ତୁ ସେ ଜାଣିବା ଦରକାର ଗୁଡ଼ ମାଠିଆ ଯେଉଁଠି ପିମ୍ପୁଡ଼ି ପଲ ସେଇଠି । ଦଳର ନେତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାରି ପାଖେ ଯେପରି ଘୁରି ବୁଲୁଛନ୍ତି ତାଙ୍କ ପଛରେ କାହିଁକି ନାହାନ୍ତି ? କେନ୍ଦ୍ରୀୟ ନେତୃତ୍ୱ ଧରି ନେଇଛି ଯେ ଜୁଏଲ ବାବୁ ଦଳର ଭବିଷ୍ୟତ ନୁହନ୍ତି। ସେଥି ପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିନାହିଁ ,କିନ୍ତୁ ଜୁଏଲ ବାବୁଙ୍କ ମନରେ ବସାବାନ୍ଧି ଥାଇପାରେ ଏହା ପଛରେ କିଛି ଗୋଟେ ଖେଳ ହୋଇଛି ବୋଲି ।
ସୁରେଶ ପୂଜାରୀ ହେଉଛନ୍ତି ବରଗଡ଼ ସାଂସଦ।କିନ୍ତୁ କୁଆଡେ ସେ ସମ୍ବଲପୁର ପାଇଁ ଆଶାୟୀ ।ତାଙ୍କ ଘର ସମ୍ବଲପୁର ନିର୍ବାଚନମଣ୍ଡଳିରେ । ଆପଣଙ୍କ ମନେ ଥାଇପାରେ କିଛି ଦିନ ପୂର୍ବେ ଏକ ସଭାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜାସାହେବ (ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନିତେଶ ଗଙ୍ଗଦେବେ )ଯଦି ଚାହିଁବେ ତେବେ ମୁଁ(ଧର୍ମେନ୍ଦ୍ର ପ୍ରଧାନ)ସମ୍ବଲପୁରରୁ ନିର୍ବାଚନ ଲଢ଼ିବି। ଧର୍ମେନ୍ଦ୍ର ପ୍ରଧାନ ଏହି କଥା ମାଧ୍ୟମରେ ତାଙ୍କୁ ଚେକ ଦେବାକୁ ଚାହୁଁଥିଲେ। ସମ୍ବଲପୁର ଅଂଚଳର ଜଣେ ବରିଷ୍ଠ ରାଜନେତା ତଥା ରାଜନୈତିକ ସମୀକ୍ଷକଙ୍କୁ ଯେତେବେଳେ ପ୍ରଧାନ କ’ଣ ସତରେ ସମ୍ବଲପୁରରେ ଲଢିବେ ବୋଲି ପିଚାରିଥିଲି ସେ ଏହି କଥା କହିଥିଲେ।


ବିଜୟ ମହାପାତ୍ର ଓଡିଶା ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ତଥା ତାଙ୍କ ଜୀବିତ ଅବସ୍ଥାରେ ଲଗାତାର ଚାରିଥର ବିଧାୟକ ତଥା ୧୯୯୦ବିଜୁ ପଟ୍ଟନାୟକଙ୍କ ସରକାରରେ ସୁପର ସିଏମ୍ ଆଜି ସୋପିସ ହୋଇଗଲେଣି ବୋଲି ଅନେକ କୁହନ୍ତି। ବିଜେପିର ଅଲୋଡା ହେବା ଦଳ ବିରୁଦ୍ଧରେ ବିଶେଷ କରି ଧର୍ମେନ୍ଦ୍ରଙ୍କ ବିରୋଧରେ ବିଶୋଦଗାର କରୁଥିବା ଦଳରୁ ଇସ୍ତଫା ଦେଇ ପୁଣି ଦଳକୁ ଫେରିବା ପରେ ଅନେକ ଦିନ ନିଜକୁ ଦଳଠାରୁ ଦୂରେଇ ରଖିଥିଲେ।ଚାରି ଚାରି ଥର ଜିତିଥିବା ନେତା ୨୦୦୦ ମସିହାରୁ ବିଧାନସଭା ଆସି ପାରୁନାହାନ୍ତି। ନିକଟରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟି ଥିଲେ। ଏହାକୁ ନେଇ ଅନେକ ଖବର ଆସିଲା ଚର୍ଚ୍ଚା ହେଲା। ଧର୍ମେନ୍ଦ୍ର ଡରି ତାଙ୍କୁ ଭେଟିଲେ ଇତ୍ୟାଦି ଇତ୍ୟାଦି।
ତାହା ପରେ ମେଳି ଖବର ବିଜେପିରେ ସବୁ କିଛି ଠିକ ନାହିଁ ବୋଲି ପ୍ରମାଣିତ କରୁଛି । ନିଜକୁ ବୟସରେ ବଡ଼ ତଥା ରାଜନୈତିକ ଜୀବନ ଆଗରୁ ତେଣୁ ଯୋଗ୍ୟ ଏ ଭାବନା ମନ୍ତ୍ରୀ ହେବା ପାଇଁ ଯୋଗ୍ୟତା ନୁହେଁ। ଯଦି ସେପରି ହେଇଥାନ୍ତା ତେବେ ଜେନେରାଲ ଭିକେ ସିଂହ ରାଷ୍ଟ୍ରମନ୍ତ୍ରୀ ଆଉ ଏସ ଜୟଶଙ୍କର କ୍ୟାବିନେଟ ମନ୍ତ୍ରୀ ହୋଇ ନ ଥାନ୍ତେ କି୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାରରେ ବିଜୟ ମହାପାତ୍ର କ୍ୟାବିନେଟ ଓ ପ୍ରଫୁଲ୍ଲ ଘଡ଼େଇ ରାଷ୍ଟ୍ରମନ୍ତ୍ରୀ ହୋଇନଥାନ୍ତେ ।
ଦଳ ପାଇଁ ଯିଏ ଆସେଟ ସେ ନିର୍ବାଚନ ଜିତୁ କି ହାରୁ ଦଳ ତାକୁ କ୍ଷମତା ଦେବେ ଆଉ ତା’ ମାର୍ଫତରେ ଦଳର ମୁଣ୍ଡି ନେତା ତାଙ୍କ ଲକ୍ଷ୍ୟ ପୂରଣ କରିଥାନ୍ତି ।
ଏପରି ହେଉଥିଲେ ଶ୍ରୀକାନ୍ତ ଜେନାଙ୍କ ବଦଳରେ ହେମାନନ୍ଦ ବିଶ୍ୱାଳ ମନ୍ତ୍ରୀ ହୋଇଥାନ୍ତେ ,ଚନ୍ଦ୍ରଶେଖର ସାହୁ ମନ୍ତ୍ରୀ ହୋଇପାରିନଥାନ୍ତେ ଗରିଧର ଗମାଙ୍ଗ ହୋଇଥାନ୍ତେ। ଏକଥା ବିଜେପିର ଆତ୍ମଘୋଷିତ ବଡ଼ ନେତା ବୁଝିବା ଦରକାର।
କେନ୍ଦ୍ର ବିଜେପି ପାଇଁ ଧର୍ମେନ୍ଦ୍ର ସୁନା ପୁଅ। କଂଗ୍ରେସ ଭଳି ବିଜେପି ବି ଜାଣି ସାରିଲାଣି ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ ଦେବାରେ ଅକ୍ଷମ। ସେ ଥିବା ଯାଏ ରାଜ୍ୟବାସୀ ଆମକୁ ଗ୍ରହଣ କରିବେ ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: