ଗାଈକ୍ଷୀର, ଏହାର ବିକଳ୍ପ ଓ ଆପଣଙ୍କ ଶରୀର

ଗାଈକ୍ଷୀର, ଏହାର ବିକଳ୍ପ ଓ ଆପଣଙ୍କ ଶରୀର

ଡା ଇପସିତା ପ୍ରଧାନ : ଏଇ ଅଳ୍ପ ବର୍ଷ ତଳେ ମୁଁ ପ୍ରଥମ ଥର ଜାଣିବାକୁ ପାଇଲି ଯେ ଖାଦ୍ୟ ଗ୍ରହଣ ଦୃଷ୍ଟିରୁ ଭେଜିଟେରିଆନ୍ ଓ ନନ୍-ଭେଜିଟେରିଆନ୍ ଭିତରେ ପ୍ରଭେଦ କ’ଣ ଏବଂ ଯେଉଁମାନେ କ୍ଷୀର (କ୍ଷୀର ମାନେ ଏଠି whole ବା ସମ୍ପୂର୍ଣ୍ଣ ଗାଈ କ୍ଷୀର) ବା କ୍ଷୀରଜାତ ଦ୍ରବ୍ଯ ଗ୍ରହଣ କରନ୍ତି ସେମାନଙ୍କୁ ପ୍ରକୃତରେ ଭେଜିଟେରିଆନ୍ କୁହାଯାଏ ନାହିଁ, କାରଣ କ୍ଷୀର ମଧ୍ୟ ପଶୁଜାତ ଦ୍ରବ୍ୟ। ଆଗରୁ ବି ଆମେ ଜାଣିଛେ ଯେ ମଣିଷ ଗାଈକ୍ଷୀର ଛଡା ମଇଁଷି, ଛେଳି, ମେଣ୍ଢା ଓ ଓଟ ପରି କେତେକ ପ୍ରାଣୀଙ୍କ କ୍ଷୀର ମଧ୍ୟ ସେବନ କରେ। କିନ୍ତୁ ଏବେ ଭେଜିଟେରିଆନ୍ ମାନଙ୍କ ପାଇଁ ବଜାରରେ କ୍ଷୀରର ଅନ୍ୟ ଅନେକ ବିକଳ୍ପ ଉପଲବ୍ଧ ହେଲାଣି, ଯେମିତିକି ଆଲମଣ୍ଡ୍ ମିଲ୍କ, ସୋୟା ମିଲ୍କ, କୋକନଟ୍ ମିଲ୍କ, ଓଟ୍ସ ମିଲ୍କ, ରାଇସ ମିଲ୍କ। ସେମିତି ଗାଈକ୍ଷୀରର ମଧ୍ୟ ଅନେକ ପ୍ରକାର ଯେମିତିକି ସ୍କିମ୍ଡ, ସିଙ୍ଗଲ ଟୋନ, ଡବଲ ଟୋନ୍, ନନଲାକ୍ଟେଟ୍ ଆଦି ବଜାରରେ ମିଳୁଛି। ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ ଓ ଦିନକୁ ଦିନ ବଢୁଥିବା ହେଲ୍ଥ ବ୍ଲଗ- ଓ ଭ୍ଲଗ- ଗୁଡିକ ପ୍ରଭାବରେ ଏଇ ସମସ୍ତ ବିକଳ୍ପ ବିଷୟରେ ପୃଥିବୀବାସୀ ଖୁବ ଶୀଘ୍ର ଓ ସହଜରେ ଅବଗତ ହୋଇପାରୁଛନ୍ତି। ତଥା ଗ୍ଲୋବାଲାଇଜେସନ୍, ବଢୁଥିବା ସୁପରମାର୍କେଟ୍ ଚେନ୍ ଓ ବ୍ୟାବସାୟୀକରଣ ପାଇଁ ସ୍ଥାନୀୟ ବଜାରରେ ମଧ୍ୟ ଏସବୁ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି। କିନ୍ତୁ ଅନେକ ସମୟରେ ଇଣ୍ଟରନେଟ୍, ମାଗାଜିନ୍ କିମ୍ବା ବ୍ଲଗରେ ଉପଲବ୍ଧ ତଥ୍ୟ ଯେ ପେଡ୍ (ଦେୟଯୁକ୍ତ) ବା ବ୍ୟାବସାୟିକ ଦୃଷ୍ଟିକୋଣରୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କଷ୍ଟମରାଇଜ୍ଡ ବା ତିଆରି କରାଯାଇଥାଏ, ତାହା ମଧ୍ୟ ମନେରଖିବାକୁ ପଡିବ। ସେଥିପାଇଁ ବହୁତ ସମୟରେ ଅନେକ ଦ୍ବନ୍ଦ୍ବରେ ପଡ଼ନ୍ତି ଯେ କେଉଁ ଉତ୍ପାଦଟି ବ୍ୟବହାର କରିବେ? ସେମିତି କିଛି ଦ୍ବନ୍ଦକୁ ଦୂର କରିବା ପାଇଁ ଆଜିର ଏ ଆଲୋଚନା। ପଢିସାରିଲା ବେଳକୁ ହୁଏତ ଆପଣଙ୍କ ପାଇଁ କେଉଁ କ୍ଷୀରଟି ଗ୍ରହଣ କରିବା ଉଚିତ ହେବ, ଏହାର ଉତ୍ତର ଆପଣ ପାଇସାରିଥିବେ।

ଗାଈକ୍ଷୀର: whole milk ବା ସମ୍ପୂର୍ଣ୍ଣ ଗାଈକ୍ଷୀରରେ ହିଁ ଅନ୍ୟ ଯେକୌଣସି କ୍ଷୀରଠାରୁ ଅଧିକ ପରିମାଣର ଫ୍ୟାଟ୍ ବା ସ୍ନେହସାର ଥାଏ। ଗୋଟିଏ କପ୍ ଗାଈକ୍ଷୀରରେ ୧୫୦ କ୍ୟାଲୋରୀ (୧ % କ୍ଷୀରରେ ୧୧୦ କ୍ୟାଲୋରୀ ଓ ସ୍କିମ୍ଡ ମିଲ୍କରେ ୮୦ କ୍ୟାଲୋରୀ), ୧୨ ଗ୍ରାମ ଶ୍ବେତସାର (କାର୍ବୋହାଇଡ୍ରେଟ୍ (ଲାକ୍ଟୋଜ୍ ବା ମିଲ୍କ ସୁଗାର)), ୮ ଗ୍ରାମ ସ୍ନେହସାର (ଫ୍ୟାଟ୍) ଏବଂ ୮ ଗ୍ରାମ ପୁଷ୍ଟିସାର (ପ୍ରୋଟିନ) ଥାଏ। ଏହାଛଡ଼ା ଭିଟାମିନ C, D, E, K, B6, କୋବାଲାମାଇନ୍, କ୍ୟାଲସିୟମ, ମ୍ୟାଗନେସିୟମ, ସୋଡିୟମ୍, ପୋଟାସିୟମ, ଆଇରନ ମଧ୍ୟ ଥାଏ। ଫ୍ୟାଟ୍ ଫ୍ରି ଗାଈକ୍ଷୀରରେ ଯଦିଓ କ୍ୟାଲୋରୀ କମ୍ ଥାଏ, କିନ୍ତୁ ଏହି ପ୍ରକ୍ରିୟାରେ ଅନେକ ସମୟରେ ଭିଟାମିନ E ଓ K ନଷ୍ଟ ହୋଇଯାଏ। ଏବେ ବଜାରରେ ଲାକ୍ଟୋଜ୍ ଫ୍ରି ମିଲ୍କ (ଗାଈକ୍ଷୀର) ମଧ୍ୟ ମିଳିଲାଣି। ଏଥିରେ ଲାକ୍ଟୋଜ୍ ନଥିଲେ ମଧ୍ୟ ପ୍ରୋଟିନ, ଭିଟାମିନ୍ସ ଓ ମିନେରାଲ୍ସ ପରି ଅନ୍ୟାନ୍ୟ ଖାଦ୍ୟସାରର ପରିମାଣ ସମ୍ପୂର୍ଣ୍ଣ ବା whole cow milk ସହ ସମାନ ଥାଏ।

ଆଲମଣ୍ଡ ମିଲ୍କ: ଆଲମଣ୍ଡ ମିଲ୍କ ପ୍ରାକୃତିକ ଉପାୟରେ କମ୍ କ୍ୟାଲୋରୀ, ଫ୍ୟାଟ୍ ଯୁକ୍ତ ଓ ଲାକ୍ଟୋଜ୍ ଫ୍ରି ହୋଇଥାଏ। ପେସା ଯାଇଥିବା ଆଲମଣ୍ଡ ଓ ଫିଲ୍ଟର୍ଡ ବା ପ୍ୟୁରିଫାଏଡ୍ ପାଣିରୁ ଏହା ପ୍ରସ୍ତୁତ କରାଯାଏ। ବ୍ୟାବସାୟିକ ଦୃଷ୍ଟିରୁ ଏହି କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଏଥିରେ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଯଦିଓ ପ୍ରାକୃତିକ ଉପାୟରେ ଆଲମଣ୍ଡରେ ପୁଷ୍ଟିସାର ବା ପ୍ରୋଟିନର ମାତ୍ରା ଅଧିକ ଥାଏ କିନ୍ତୁ ଆଲମଣ୍ଡ ମିଲ୍କରେ ପ୍ରୋଟିନର ମାତ୍ରା ବହୁତ କମ୍ ଥାଏ। ଗୋଟିଏ କପ୍ ଆଲମଣ୍ଡ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ୩୦ -୬୦ କ୍ୟାଲୋରୀ, ୩.୫ ଗ୍ରାମ କାର୍ବୋହାଇଡ୍ରେଟ୍, ୩ ଗ୍ରାମ ଫ୍ୟାଟ୍, ୧ ଗ୍ରାମ ପ୍ରୋଟିନ ଓ ୦.୫ ଗ୍ରାମ ଫାଇବର ଥାଏ। ଏହା ଛଡା କ୍ୟାଲସିୟମ, ପୋଟାସିୟମ, ଭିଟାମିନ ଡି ଓ ଇ ମଧ୍ୟ ଥାଏ। ଗାଈକ୍ଷୀର ତୁଳନାରେ ପ୍ରୋଟିନ ଓ କ୍ୟାଲସିୟମ ଏଥିରେ କମ୍ ଥିବା ସ୍ଥଳେ ଭିଟାମାନ E ଅଧିକ ପରିମାଣରେ ଥାଏ, ଯାହା ତ୍ବଚା ପାଇଁ ଖୁବ୍ ଉପକାରୀ। ଭେଜିଟେରିଆନ୍, ଲ୍ୟାକ୍ଟୋଜ୍ ଇନଟଲେରାଣ୍ଟ ବ୍ୟକ୍ତି ଓ ଯେଉଁମାନେ ଓଜନ ନିୟନ୍ତ୍ରଣ ଉପରେ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଆଲମଣ୍ଡ ମିଲ୍କ ଗୋଟିଏ ଭଲ ବିକଳ୍ପ। କିଛି କମ୍ପାନୀ ନିଜ ଉତ୍ପାଦରେ ଅଧିକ କ୍ୟାଲସିୟମ, ଭିଟାମିନ A ଓ D ମିଶାଇଥାନ୍ତି। ଆଲମଣ୍ଡ କିମ୍ବା ଅନ୍ୟ ନଟ୍ସକୁ ଆଲର୍ଜିଥିବା ବ୍ୟକ୍ତି ଏହାକୁ ଗ୍ରହଣ କରିବା ଉଚିତ ନୁହେଁ।

କ୍ୟାସ୍ବୁ ବା କାଜୁ ମିଲ୍କ: କାଜୁକୁ ପ୍ରଥମେ ଭେଦାଇ, ପ୍ୟୁରିଫାଏଡ୍ ପାଣି ସହ ଗ୍ରାଇଣ୍ଡ କରି ଏହା ପ୍ରସ୍ତୁତ କରାଯାଏ। ଏବଂ ବିକ୍ରି ପୂର୍ବରୁ ଏହି କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଏଥିରେ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଗୋଟିଏ କପ୍ କ୍ୟାସ୍ବୁ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ୧୫୬ କ୍ୟାଲୋରୀ, ୧୦.୫ ଗ୍ରାମ କାର୍ବୋହାଇଡ୍ରେଟ୍, ୪.୫ ଗ୍ରାମ ପ୍ରୋଟିନ୍, ୧୧ ଗ୍ରାମ ଫ୍ୟାଟ୍, ୨ ଗ୍ରାମ ଫାଇବର ଥାଏ। ଏହାଛଡ଼ା ସୋଡିୟମ୍, କ୍ୟାଲସିୟମ, ପୋଟାସିୟମ,ଜିଙ୍କ୍, କପର୍, ମ୍ୟାଗନେସିୟମ, ଆଇରନ୍, ଭିଟାମିନ D ଓ E ମଧ୍ୟ ଥାଏ। ଯଦି ପ୍ରୋଟିନ୍ ର ମାତ୍ରା ଅନୁସାରେ ଦେଖାଯାଏ ତେବେ ଭେଜିଟେରିଆନ୍, ନଟ୍ସ ଆଲର୍ଜି ନଥିବା ବ୍ୟକ୍ତି ପାଇଁ ଆଲମଣ୍ଡ ମିଲ୍କ ଅପେକ୍ଷା କ୍ୟାସ୍ବୁ ମିଲ୍କ ଗୋଟିଏ ଭଲ ବିକଳ୍ପ। କିନ୍ତୁ ଓଜନହ୍ରାସ, ଓଜନ ନିୟନ୍ତ୍ରଣ, କ୍ୟାଲୋରୀ ଓ ଫ୍ୟାଟ୍ କୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୋଗୀ ନୁହେଁ।

ପିନଟ୍ ବା ଚିନାବାଦାମ ମିଲ୍କ: ଏଠି ମଧ୍ୟ ଚିନାବାଦାମକୁ ଭେଦାଇ, ପ୍ୟୁରିଫାଏଡ୍ ପାଣି ସହ ଗ୍ରାଇଣ୍ଡ କରି ଏହା ପ୍ରସ୍ତୁତ କରାଯାଏ ଏବଂ କ୍ଷୀରର ଟେକ୍ସଚର୍ ପାଇଁ ଏଥିରେ ବିଭିନ୍ନ ଥିକେନର୍, ଷ୍ଟାର୍ଚ ଓ ଅନ୍ୟ ଉପାଦାନ ମିଶାଯାଏ। ଗୋଟିଏ କପ୍ ପିନଟ୍ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ୧୫୦ କ୍ୟାଲୋରୀ, ୬ ଗ୍ରାମ କାର୍ବୋହାଇଡ୍ରେଟ୍, ୬ ଗ୍ରାମ ପ୍ରୋଟିନ୍, ୧୧ ଗ୍ରାମ ଫ୍ୟାଟ୍, ୨ ଗ୍ରାମ ଫାଇବର ଥାଏ। ପିନଟ୍ ମିଲ୍କରେ ପାଖାପାଖି ଗାଈକ୍ଷୀର ସହ ସମାନ ପରିମାଣର କ୍ୟାଲସିୟମ ଓ ଭିଟାମିନ D ମହଜୁଦ ଥାଏ। ଏହାଛଡ଼ା ସୋଡିୟମ୍, ପୋଟାସିୟମ, ଫସଫରସ୍, ଭିଟାମିନ A, B2 ଓ E ମଧ୍ୟ ଥାଏ। ଯେଉଁମାନେ କିଛି ଓଜନ ବଢାଇବାର ପ୍ରୟାସରେ ଅଛନ୍ତି, ଏକ୍ସରସାଇଜ ସହ ପିନଟ୍ ମିଲ୍କ ଗୋଟିଏ ଭଲ ଅପ୍ସନ। କେବଳ ନଟ୍ ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଛାଡିଦେଲେ ଭେଜିଟେରିଆନ୍ ମାନଙ୍କ ପାଇଁ ପିନଟ୍ ମିଲ୍କ ଗୋଟିଏ ଭଲ ବିକଳ୍ପ।

ସୋୟା ମିଲ୍କ: ପେସା ଯାଇଥିବା ସୋୟାବିନ୍ ଏବଂ ପ୍ୟୁରିଫାଏଡ୍ ପାଣିରୁ ଏହା ପ୍ରସ୍ତୁତ କରାଯାଏ। ଏଥିରେ ମଧ୍ୟ ବ୍ୟାବସାୟିକ ଦୃଷ୍ଟିରୁ କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଏହା ପ୍ଲାଣ୍ଟ୍ ବେସ୍ଡ ପ୍ରଡକ୍ଟ (ବୃକ୍ଷଜାତ) ଓ ପ୍ରାକୃତିକ ଉପାୟରେ ଲାକ୍ଟୋଜ୍ ଫ୍ରି, କୋଲେଷ୍ଟ୍ରେଲ୍ ଫ୍ରି ଏବଂ କମ୍ ସାଚୁରେଟେଡ୍ ଫ୍ୟାଟ୍ ଯୁକ୍ତ ହୋଇଥାଏ। ଗୋଟିଏ କପ୍ ସୋୟା ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ପାଖାପାଖି ୮୦ -୧୦୦ କ୍ୟାଲୋରୀ, ୪ ଗ୍ରାମ କାର୍ବୋହାଇଡ୍ରେଟ୍, ୪ ଗ୍ରାମ ଫ୍ୟାଟ୍, ୭ ଗ୍ରାମ ପ୍ରୋଟିନ ଥାଏ। ଏହା ଛଡା ଆଇରନ୍, ମ୍ୟାଗ୍ନେସିୟମ, ସୋଡିୟମ୍, ପୋଟାସିୟମ, ଭିଟାମିନ C ଏବଂ B6 ଥାଏ। ସୋୟା ମିଲ୍କରେ ପ୍ରୋଟିନର ପରିମାଣ ଗାଈକ୍ଷୀରରେ ଉପଲବ୍ଧ ପ୍ରୋଟିନ ପରିମାଣର ପାଖାପାଖି ହୋଇଥିବାରୁ ଓ ଏହା କୋଲେଷ୍ଟ୍ରେଲ୍ ଫ୍ରି ହୋଇଥିବାରୁ ଭେଜିଟେରିଆନ୍, ଲାକ୍ଟୋଜ୍ ଇନଟଲେରାଣ୍ଟ ତଥା ସ୍ବାସ୍ଥ୍ୟ ସଚେତନ ମଣିଷଙ୍କ ପାଇଁ ସୋୟା ମିଲ୍କ ଗୋଟିଏ ଭଲ ବିକଳ୍ପ। ଯେଉଁ ଶିଶୁ କିମ୍ବା ବୟସ୍କଙ୍କର ସୋୟାବିନ୍ ଓ ସୋୟା ପ୍ରଡକ୍ଟକୁ ଆଲର୍ଜି ଥାଏ ତଥା ଥାଏରୋଏଡ ଡିଜଅର୍ଡର, ରିୟୁମାଟୋଏଡ୍ ଆର୍ଥରାଇଟିସ୍ ରେ ପିଡୀତ ବ୍ୟକ୍ତି ସୋୟା ମିଲ୍କ ଗ୍ରହଣ କରିବା ଅନୁଚିତ। ନିଜ ସୋୟା ମିଲ୍କର ଗୁଣ ବୃଦ୍ଧି ପାଇଁ ଏବେ କିଛି କମ୍ପାନୀ କ୍ୟାଲସିୟମ, ଭିଟାମିନ A, B12 ଆଉ D ମିଶାଉଛନ୍ତି।

କୋକନଟ୍ ମିଲ୍କ: ପ୍ରଥମେ ପାକଳ ନଡ଼ିଆକୁ କୋରି, ସେଥିରୁ କ୍ରିମ୍ ବାହାର କରି, ପ୍ୟୁରିଫାଏଡ୍ ପାଣି ସାହାଯ୍ୟରେ କୋକନଟ୍ ମିଲ୍କ ପ୍ରସ୍ତୁତ କରାଯାଏ। ରୋଷେଇ ପାଇଁ କେନ୍ ରେ ମିଳୁଥିବା କୋକନଟ୍ ମିଲ୍କଠାରୁ ଏହା ଭିନ୍ନ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ୍-ବେସଡ ମିଲ୍କ ପରି ଏଥିରେ ମଧ୍ୟ କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଗାଈକ୍ଷୀରର ଅନ୍ୟାନ୍ୟ ବିକଳ୍ପ ଅପେକ୍ଷା କୋକନଟ୍ ମିଲ୍କରେ ଅଧିକ ପରିମାଣରେ ଫ୍ୟାଟ୍ ଥାଏ। ଗୋଟିଏ କପ୍ କୋକନଟ୍ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ପାଖାପାଖି ୫୦ କ୍ୟାଲୋରୀ, ୨ ଗ୍ରାମ କାର୍ବୋହାଇଡ୍ରେଟ୍, ୫ ଗ୍ରାମ ଫ୍ୟାଟ୍, ୦ ଗ୍ରାମ ପ୍ରୋଟିନ ଥାଏ। ଏହାଛଡ଼ା ସୋଡିୟମ୍, ପୋଟାସିୟମ, ମ୍ୟାଗନେସିୟମ, ଆଇରନ୍, ଭିଟାମିନ C ଓ B6 ମଧ୍ୟ ଥାଏ। କିନ୍ତୁ ଏଥିରେ ପ୍ରାକୃତିକ ଉପାୟରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ D ଆଦି ନଥାଏ। ଯଦିଓ ନଡିଆକୁ ଇ°ରାଜୀରେ କୋକନଟ୍ କୁହାଯାଏ, କିନ୍ତୁ ପ୍ରକୃତରେ ଏହା ନଟ୍ ଜାତୀୟ ନୁହେଁ, ତେଣୁ ନଟ୍ ଆଲର୍ଜି ଥିବା ଭେଜିଟେରିଆନ୍ ବ୍ୟକ୍ତି କୋକନଟ୍ ମିଲ୍କକୁ ଗାଈକ୍ଷୀରର ବିକଳ୍ପ ହିସାବରେ ଗ୍ରହଣ କରିପାରିବେ। କିନ୍ତୁ କୋକନଟ୍ ମିଲ୍କରେ ଥିବା carrageenan ଅନେକ ସମୟରେ digestion ବା ହଜମରେ ଅସୁବିଧା କରେ। ୟାଛଡା ଯେଉଁମାନେ ଓଜନ ନିୟନ୍ତ୍ରଣ ପାଇଁ ଗାଈକ୍ଷୀରକୁ ଗ୍ରହଣ କରିବାକୁ ଚାହାନ୍ତିନି, ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଅନ୍ୟ ପ୍ଲାଣ୍ଟ୍-ବେସଡ ମିଲ୍କ ତୁଳନାରେ କୋକନଟ୍ ମିଲ୍କରେ ଅଧିକ ପରିମାଣର ଫ୍ୟାଟ୍ ଥାଏ। ଏବେ କୋକନଟ୍ ମିଲ୍କର ଖାଦ୍ୟ ଗୁଣବତ୍ତା ବଢାଇବା ପାଇଁ ଅନେକ କମ୍ପାନୀ କ୍ୟାଲସିୟମ, ଭିଟାମିନ D ଓ A ମିଶାଇ ପ୍ରସ୍ତୁତ କରୁଛନ୍ତି।

ରାଇସ୍ ମିଲ୍କ: ଚାଉଳକୁ କୁଟି, ପ୍ୟୁରିଫାଏଡ୍ ପାଣି ସାହାଯ୍ୟରେ ରାଇସ୍ ମିଲ୍କ ପ୍ରସ୍ତୁତ କରାଯାଏ। ଅନ୍ୟାନ୍ୟ ପ୍ଲାଣ୍ଟ୍-ବେସଡ ମିଲ୍କ ପରି ଏଥିରେ ମଧ୍ୟ କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଗୋଟିଏ କପ୍ ରାଇସ୍ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ପାଖାପାଖି ୧୨୦ କ୍ୟାଲୋରୀ, ୨୨ ଗ୍ରାମ କାର୍ବୋହାଇଡ୍ରେଟ୍, ୨ ଗ୍ରାମ ଫ୍ୟାଟ୍, ୧ ଗ୍ରାମରୁ ବି କମ୍ ପ୍ରୋଟିନ୍ ଥାଏ। ଏହା ଛଡ଼ା ସୋଡିୟମ୍, ପୋଟାସିୟମ, ମ୍ୟାଗନେସିୟମ, ଆଇରନ୍, ଭିଟାମିନ C ଓ B6 ମଧ୍ୟ ରାଇସ୍ ମିଲ୍କରୁ ମିଳିଥାଏ। କେବଳ ଭେଜିଟେରିଆନ୍ ନୁହେଁ ବରଂ ଲାକ୍ଟୋଜ୍ ଇନଟଲେରାସ୍, ନଟ୍ସ ଓ ସୋୟା ଆଲର୍ଜି ଥିବା ସମସ୍ତଙ୍କ ପାଇଁ ରାଇସ ମିଲ୍କ ଗୋଟିଏ ଉତ୍ତମ ବିକଳ୍ପ। କିନ୍ତୁ ଯେହେତୁ ଏହା ରାଇସ୍ ବା ଚାଉଳଜାତ ଓ ଏଥିରେ ଶର୍କରା ବା କାର୍ବୋହାଇଡ୍ରେଟ୍ ମାତ୍ରା ଅଧିକ ଥାଏ। ତେଣୁ ମଧୁମେହରେ ପୀଡିତ ବ୍ୟକ୍ତି ଏହା ସେବନ କରିବା ଅନୁଚିତ। ସେହିପରି ବିଶେଷଜ୍ଞଙ୍କ ମତରେ ରାଇସ୍ ମିଲ୍କରେ ଇନଅର୍ଗାନିକ୍ ଆର୍ସେନିକ୍ ମଧ୍ୟ ମିଳିଥାଏ। ତେଣୁ FDA ଓ ‘ଆମେରିକାନ୍ ଏକାଡେମିକ୍ସ ଅଫ ପେଡିଆଟ୍ରିସିଆନ୍’ର ବିଶେଷଜ୍ଞଙ୍କ ମତରେ ସବୁବେଳେ ରାଇସ୍ ପ୍ରଡକ୍ଟ ଓ ରାଇସ୍ ମିଲ୍କ ଦେବା ଦ୍ବାରା ପିଲାଙ୍କ ଶରୀରରେ ଇନଅର୍ଗାନିକ୍ ଆର୍ସେନିକ୍ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ତେଣୁ କେବଳ ଚାଉଳ ଓ ରାଇସ୍ ମିଲ୍କ ଉପରେ ନିର୍ଭର ନକରି ଛୁଆ ମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଦେବା ଉଚିତ, ଯାହା ସେମାନଙ୍କୁ ଖାଦ୍ୟାଭାବ ବା ପୁଷ୍ଟିହୀନତାରୁ ରକ୍ଷା କରିବ।

ଓଟ୍ସ ମିଲ୍କ: ଓଟ୍ସ ମିଲ୍କକୁ ମଧ୍ୟ ରାଇସ୍ ମିଲ୍କ ପରି ପ୍ରସ୍ତୁତ କରାଯାଏ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ୍-ବେସଡ ମିଲ୍କ ପରି ଏଥିରେ ମଧ୍ୟ କ୍ଷୀରକୁ ମୋଟା ବା ଗାଢ଼ କରିବା ପାଇଁ ଅନେକ ସମୟରେ ଷ୍ଟାର୍ଚ ଓ ଅନ୍ୟାନ୍ୟ ଥିକେନର୍ ମିଶାଯାଏ। ଗୋଟିଏ କପ୍ ଓଟ୍ସ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ପାଖାପାଖି ୧୩୦ କ୍ୟାଲୋରୀ, ୧୫ ଗ୍ରାମ କାର୍ବୋହାଇଡ୍ରେଟ୍, ୨.୫ ଗ୍ରାମ ଫ୍ୟାଟ୍, ୪ ଗ୍ରାମରୁ ପ୍ରୋଟିନ୍ ଓ ୨ ଗ୍ରାମ ଫାଇବର ଥାଏ। ଏହା ଛଡ଼ା ସୋଡିୟମ୍, ପୋଟାସିୟମ, ମ୍ୟାଗନେସିୟମ, କ୍ୟାଲସିୟମ, ଫସଫରସ୍, ଆଇରନ୍, ମାଙ୍ଗାନିଜ୍, କପର, ଭିଟାମିନ D, B1, B2, B3, ଫୋଲେଟ୍ (B9), B12 ମଧ୍ୟ ଥାଏ। ଭେଜିଟେରିଆନ୍, ଲାକ୍ଟୋଜ୍ ଇନଟଲେରାଣ୍ଟ, ନଟ୍ସ, ସୋୟା କିମ୍ବା ଗ୍ଲୁଟିନ୍ ଆଲର୍ଜି ତଥା ଯେଉଁମାନଙ୍କର ସିଲିଆକ୍ ଡିଜିଜ୍ ଥାଏ ସେମାନଙ୍କ ପାଇଁ ଓଟ୍ସ ମିଲ୍କ, ଗାଈକ୍ଷୀରର ଗୋଟିଏ ଭଲ ବିକଳ୍ପ। ଏଥିରେ ଗାଈକ୍ଷୀର ଓ ସୋୟା ମିଲ୍କ ତୁଳନାରେ କମ୍ ପ୍ରୋଟିନ୍ ଥିଲେ ମଧ୍ୟ ଅନ୍ୟ ପ୍ଲାଣ୍ଟ୍-ବେସଡ ମିଲ୍କ ତୁଳନାରେ ଅଧିକ ପ୍ରୋଟିନ୍ ଥାଏ। ସେମିତି ଅନ୍ୟ ଯେକୌଣସି ପ୍ଲାଣ୍ଟ୍-ବେସଡ ମିଲ୍କ ତୁଳନାରେ କ୍ୟାଲସିୟମ ଓ ଭିଟାମିନ D ମଧ୍ୟ ଏଥିରୁ ଅଧିକ ପରିମାଣରେ ମିଳିଥାଏ। ଓଟ୍ସ ମିଲ୍କରେ ଥିବା beta-glucans ଶରୀରରୁ କୋଲେଷ୍ଟ୍ରେଲ୍ କମ୍ କରିବାରେ ସାହାଯ୍ୟ କରେ। ଏହି beta-glucan ପ୍ରଭାବରେ ମଧ୍ୟ ଓଟ୍ସ ମିଲ୍କ (ବା ଓଟ୍ସର ଅନ୍ୟ ଯେକୌଣସି ପ୍ରଡକ୍ଟ) ଖାଇବା ଦ୍ବାରା ଜଲଦି ପେଟ ଭରି ହୋଇଯିବା (easy satiety) ଓ ଭୋକ କମ୍ ଲାଗେ। ସେଥିପାଇଁ ଓଜନହ୍ରାସ ଓ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଓଟ୍ସ ମିଲ୍କ ସବୁଠାରୁ ଭଲ ବିକଳ୍ପ। ଓଟ୍ସ ମିଲ୍କରେ ଥିବା ଫାଇବର ଆମ ଖାଦ୍ୟନଳୀରେ ହଜମ କରିବାରେ ସାହାଯ୍ୟ କରୁଥିବା ଜୀବାଣୁ (gut bacteria) ମାନଙ୍କ ସ°ଖ୍ୟା ବୃଦ୍ଧିରେ ସାହାଯ୍ୟ କରେ। କମ୍ପାନୀ ଗୁଡିକ ଏହାର ଖାଦ୍ୟ ଗୁଣବତ୍ତା ବଢାଇବା ପାଇଁ ଏଥିରେ ଭିଟାମିନ A ଓ E ମଧ୍ୟ ମିଶାଇଥାନ୍ତି।

ହେମ୍ପ୍ ମିଲ୍କ: ହେମ୍ପ୍ ବା କାନାବିସ୍ ବା ମାରିଜୁଆନା ବା ଗଞ୍ଜେଇ କ୍ଷୀର ଏଇ କିଛି ବର୍ଷ ହେବ ବ୍ୟବହାରରେ ଆସିଛି। ବର୍ଷବର୍ଷ ଧରି ଏହାକୁ psychoactive agent ହିସାବରେ ସ୍ମୋକି°(ଚିଲମ) ଓ ଇନହଲେସନ୍ ତଥା ଖାଦ୍ୟରେ ବ୍ୟବହାର କରାଯାଇଛି। ବିଶେଷଜ୍ଞଙ୍କ ମତରେ ପୃଥିବୀରେ ଯେଉଁ କେତୋଟି ଗଛର ଫାଇବରରୁ ପ୍ରଥମେ କପଡା, ଦଉଡି, କାଗଜ ତିଆରି ହେବା ଆରମ୍ଭ ହୋଇଥିଲା, ସେମାନଙ୍କ ମଧ୍ୟରୁ ହେମ୍ପ୍ ବା ଗଞ୍ଜେଇ ଗଛ ମଧ୍ୟ ଗୋଟିଏ। ହେମ୍ପ୍ ମିଲ୍କ, ହେମ୍ପ୍ ସିଡ୍ସ ବା ମଞ୍ଜିରୁ ପ୍ରସ୍ତୁତ କରାଯାଏ। ଗଞ୍ଜେଇ ମଞ୍ଜିକୁ ଭେଦେଇ, ପ୍ୟୁରିଫାଏଡ୍ ପାଣିସହ ଗ୍ରାଇଣ୍ଡ (ବାଟି) ହେମ୍ପ୍ ମିଲ୍କ ପ୍ରସ୍ତୁତ କରାଯାଏ। ଏହାର ସ୍ବାଦ, ଟେକ୍ସଚର୍ ଓ ରଙ୍ଗରେ ଗାଈକ୍ଷୀର ସହ ବହୁତ ସାମଞ୍ଜସ୍ୟ ଥାଏ (ଅନ୍ୟ ପ୍ଲାଣ୍ଟ ବେସଡ କ୍ଷୀର ଅଧିକ ଧଳା ଦିଶନ୍ତି)। ଗୋଟିଏ କପ୍ ହେମ୍ପ୍ ମିଲ୍କରେ (୨୪୦ ମିଲି ଓ ଶର୍କରା ବା ସୁଗାର ନ ମିଶିଥିବା ଅବସ୍ଥାରେ) ୧୩୦ କ୍ୟାଲୋରୀ, ୨୦ ଗ୍ରାମ କାର୍ବୋହାଇଡ୍ରେଟ୍, ୪ ଗ୍ରାମ ପ୍ରୋଟିନ୍, ୩ ଗ୍ରାମ ଫ୍ୟାଟ୍ ଓ ୧ ଗ୍ରାମ ଫାଇବର ଥାଏ। ଏହାଛଡା କ୍ୟାଲସିୟମ, ଫସଫରସ୍, ଜିଙ୍କ୍, ଆଇରନ୍, ଭିଟାମିନ A, D, B12 ମଧ୍ୟ ଥାଏ। ଅନ୍ୟ ପ୍ଲାଣ୍ଟ-ବେସଡ ମିଲ୍କ ଅପେକ୍ଷା ଏଥିରେ ଅଧିକ ପ୍ରୋଟିନ୍ ଥାଏ ଓ ଆବଶ୍ୟକୀୟ ସମସ୍ତ ଆମିନୋ ଏସିଡ୍ ମଧ୍ୟ ରହିଥାଏ। ଏଥିରେ ଥିବା ଓମେଗା-3 ଓ ଓମେଗା-6 ଫ୍ୟାଟି ଏସିଡ୍ ଏବଂ ଆର୍ଜିନିନ୍ ହୃଦୟ (heart health)ର ସ୍ବାସ୍ଥ୍ୟ ପାଇଁ ଉପକାରୀ। କେବଳ ଭେଜିଟେରିଆନ୍ କିମ୍ବା ଲାକ୍ଟୋଜ୍ ଇନଟଲେରାସ୍ ଥିବା ବ୍ୟକ୍ତି ନୁହେଁ, ନଟ୍ସ ଓ ସୋୟା ଆଲର୍ଜିଥିବା ସମସ୍ତଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ।

ମଇଁଷିକ୍ଷୀର ବା ବଫାଲୋ ମିଲ୍କ : ପୃଥିବୀରେ ଗାଈକ୍ଷୀର ପରେ ସର୍ବାଧିକ ମଇଁଷିକ୍ଷୀର ହିଁ ବ୍ୟବହାର କରାଯାଏ। ଗୋଟିଏ କପ୍ ମଇଁଷିକ୍ଷୀରରେ ୨୩୭ କ୍ୟାଲୋରୀ, ୧୨ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ପ୍ରୋଟିନ୍ ଓ ୧୭ ଗ୍ରାମ ଫ୍ୟାଟ୍ ଥାଏ। ଏହାଛଡ଼ା କ୍ୟାଲସିୟମ, ଫସଫରସ୍, ପୋଟାସିୟମ, ମ୍ୟାଗନେସିୟମ, ସେଲେନିୟମ୍, ଆଇରନ୍, ଭିଟାମିନ A, B2, B12, D ମଧ୍ୟ ଥାଏ। ଗାଈକ୍ଷୀର ତୁଳନାରେ ମଇଁଷିକ୍ଷୀରରେ କ୍ୟାଲସିୟମ, ଫସଫରସ୍, ପୋଟାସିୟମ, ମ୍ୟାଗନେସିୟମ ପରି ମିନେରାଲ୍ସର ମାତ୍ରା ଅଧିକ ଥାଏ। କିନ୍ତୁ ଫ୍ୟାଟ୍ ଓ ଲାକ୍ଟୋଜ୍ ପରିମାଣ ଅଧିକ ଥିବାରୁ ଏହା ହଜାମ ହେବାକୁ ଗାଈକ୍ଷୀର ଅପେକ୍ଷା ଅଧିକ ସମୟ ନିଏ। କିନ୍ତୁ ଏଥିରେ ଗାଈକ୍ଷୀର ଅପେକ୍ଷା କୋଲେଷ୍ଟ୍ରେଲ୍ର ମାତ୍ରା କମଥାଏ।

ଛେଳିକ୍ଷୀର ବା ଗୋଟ୍ ମିଲ୍କ: ଯଦିଓ ଏହା ଭେଜିଟେରିଆନ୍ ମାନଙ୍କ ପାଇଁ ବିକଳ୍ପ ଧରାଯିବନି କିନ୍ତୁ ବୟସ୍କ ବ୍ୟକ୍ତି ଓ ଯେଉଁମାନେ ବାରମ୍ବାର ବଦହଜମୀର ଶୀକାର ହୁଅନ୍ତି ସେମାନଙ୍କ ପାଇଁ ଏହା ଭଲ। ପ୍ରକୃତରେ ଛେଳିକ୍ଷୀରରେ ଲାକ୍ଟୋଜ୍ ର ମାତ୍ରା ଗାଈକ୍ଷୀର ଅପେକ୍ଷା କମ ଥାଏ ତେଣୁ ଏହା ଲାକ୍ଟୋଜ୍ ଇନଟଲେରାଣ୍ଟ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ହଜମ କରିବାରେ ସହଜ ହୁଏ। ଗୋଟିଏ କପ୍ ଛେଳିକ୍ଷୀରରେ ୧୬୮ କ୍ୟାଲୋରୀ, ୧୧ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ପ୍ରୋଟିନ୍, ୧୦ ଗ୍ରାମ ଫ୍ୟାଟ୍ ଥାଏ। ଏହାଛଡ଼ା କ୍ୟାଲସିୟମ, ଫସଫରସ୍, ସୋଡିୟମ୍, ପୋଟାସିୟମ, ମ୍ୟାଗନେସିୟମ, ଆଇରନ୍, ଭିଟାମିନ A, C ଓ B6 ମଧ୍ୟ ଥାଏ। ପୃଥିବୀରେ ଏପରି ଅନେକ ବିକାଶଶୀଳ ଦେଶ ଅଛନ୍ତି ଯେଉଁଠି ଗାଈ ଅପେକ୍ଷା ଛେଳି ପାଳିବା ସହଜବୋଲି, ଛେଳିକ୍ଷୀରକୁ ପ୍ରାଧାନ୍ୟ ଦିଅନ୍ତି।

ମାର୍ଚ୍ଚ ୨୦୨୨ରେ ପ୍ରକାଶ ପାଇଥିବା ଗୋଟିଏ ରିପୋର୍ଟ ଅନୁସାରେ ପୃଥିବୀର ଡେରୀ ମାର୍କେଟ (global dairy food market) ବା କ୍ଷୀର ଓ କ୍ଷୀରଜାତ ଦ୍ରବ୍ଯର ମାର୍କେଟ ଯାହା ୨୦୨୧ରେ ୭୦୦.୦୬ ବିଲିୟନ୍ ଡଲାର ଥିଲା ୨୦୨୨ରେ ବଢି ୭୬୮.୫୩ ବିଲିୟନ୍ବା ଡଲାର ହେବାର ସମ୍ଭାବନା ଅଛି ଓ ୨୦୨୬ ଶେଷ ଶୁଦ୍ଧା ଏହା ୧୦୭୨.୦୬ ବିଲିୟନ୍ଲା ଡଲାରର ମାର୍କେଟରେ (ବାର୍ଷିକ ବୃଦ୍ଧି ହାର ୮.୭%) ପରିଣତ ହେବାର ଆଶା ଅଛି। ପୃଥିବୀରେ ଉତ୍ପାଦିତ ହେଉଥିବା ସମସ୍ତ ଡେରୀ-ପ୍ରଡକ୍ଟ ମଧ୍ୟରୁ ୮୧% ଗାଈକ୍ଷୀର, ୧୫% ମଇଁଷିକ୍ଷୀର ଏବଂ ବାକି ୪% ଛେଳି, ମେଣ୍ଢା ଓ ଓଟ କ୍ଷୀରରୁ ଆସିଥାଏ। ସେମିତି ପୃଥିବୀର ନନ୍-ଡେରୀ (global non dairy or dairy alternative market) ଯାହା ୨୦୨୧ରେ ୨୧.୦୩ ବିଲିୟନ୍ ଡଲାର ଥିଲା, ୨୦୨୨ ଶେଷ ଶୁଦ୍ଧା ୨୨.୨୬ବିଲିୟନ୍ ଡଲାର ଓ ୨୦୨୬ ଶୁଦ୍ଧା ୨୮.୦୨ ବିଲିୟନ୍ ଡଲାରର (ବାର୍ଷିକ ବୃଦ୍ଧି ହାର ୫.୯%) ମାର୍କେଟରେ ପରିଣତ ହେବାର ସମ୍ଭାବନା ଅଛି (ନନ୍-ଡେରୀ ବା ଡେରୀ-ଅଲ୍ଟରନେଟିଭ୍ ସାଧାରଣତଃ ଆଲମଣ୍ଡ୍ ମିଲ୍କ, ସୋୟା ମିଲ୍କ, କୋକାନଟ୍ ମିଲ୍କ, ଓଟ୍ସ ମିଲ୍କ, ରାଇସ ମିଲ୍କ, ଓଟ୍ସ ମିଲ୍କ, ଫ୍ଲାକ୍ସ ମିଲ୍କ, କାସ୍ବୁ ମିଲ୍କ ଓ ହେମ୍ପ ମିଲ୍କ ଓ ସେମାନଙ୍କ ପ୍ରଡକ୍ଟକୁ ବୁଝାଏ)। ଯେଉଁମାନଙ୍କର ଗାଈକ୍ଷୀର ସେବନ ଦ୍ବାରା ଆଲର୍ଜି ବା ଲାକ୍ଟୋଜ୍ ଇନ୍ଟଲେରେନ୍ସ ଥାଏ କିମ୍ବା ଯେଉଁମାନେ କମ୍ କ୍ୟାଲୋରୀ ଓ ଓଜନ ହ୍ରାସ ପାଇଁ କ୍ଷୀରର ବିକଳ୍ପ ଖୋଜୁଥାନ୍ତି ତେବେ ସେମାନଙ୍କ ପାଇଁ ଏଇ ନନ୍-ଡେରୀ ମିଲ୍କ/ ପ୍ଲାଣ୍ଟ-ବେସଡ ମିଲ୍କ ଉତ୍ତମ ଅଟେ। କିନ୍ତୁ କୌଣସି ସମୟରେ ମାର୍କେଟ ଟ୍ରେଣ୍ଡ୍ ବା କମରସିଆଲସ ଦେଖି ପ୍ରଭାବିତ ହୋଇ ଓ ନିଜକୁ ଆଧୁନିକ କିମ୍ବା ଯୁଗୋପଯୋଗୀ ସାବ୍ୟସ୍ତ କରିବା ପାଇଁ ଯାଇ କୌଣସି ବିକଳ୍ପ ବାଛିବା ଅନୁଚିତ। ନିଜ ଆବଶ୍ୟକତା ଓ ସ୍ବାସ୍ଥ୍ୟାବସ୍ତା ଅନୁସାରେ ହିଁ ଖାଦ୍ୟ-ପାନୀୟ ଅଭ୍ୟାସରେ ଅଦଳ-ବଦଳ କରନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: