କେଉଁ ଆଡ଼କୁ ମୁହାଁଉଛି ଦେଶ ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦେଶର ଅବସ୍ଥାକୁ ଦେଖି ସାଧାରଣ ଜନତା ପ୍ରଶ୍ନ କରିବାକୁ ବାଧ୍ୟ ହେଲେଣି। ତେଲ ବଜାରରେ ସବୁଦିନ ମୂଲ୍ୟବୃଦ୍ଧି ରେକର୍ଡ, ପ୍ରାୟ ତିନି ମାସ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ଇତିମଧ୍ୟରେ ଥରେ ତିନି ଘଣ୍ଟିଆ ଚକା ଜାମ, ଗୁରୁବାର ଚାରିଘଣ୍ଟିଆ ରେଳରୋକୋ କରି ସାରିଲାଣି। ଜାନୁୟାରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କାରଣରୁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା। ତଥାପି ସରକାର ନିର୍ବିକାର। କାହିଁକି ଦେଶରେ ଏଭଳି ଘଟୁଛି ? ମୂଲ୍ୟବୃଦ୍ଧି ଭାରରେ କାହିଁକି ଭାଙ୍ଗୁଛି ଜନତାର ଅଣ୍ଟା ? ଏହା କ’ଣ ମୋଦି ସରକାରଙ୍କ ‘ଅଚ୍ଛେ ଦିନ୍’ର ନମୁନା ? ଲୋକେ କ’ଣ ପରିବର୍ତ୍ତନ ଆଣି ବିରାଟ ବଡ଼ ଭୁଲ କରିବସିଛନ୍ତି ? ସରକାର କେବଳ କୋରୋନାକୁ ଦ୍ୱାହି ଦେଇ ଯାବତୀୟ ଅପାରଗତା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ବାସ୍ତବତା ବୁଝିବାକୁ ଯେପରି କେହିନାହାନ୍ତି। ଏବେ ଅଭିଯୋଗ ଉଠିଲାଣି ଯେ ସରକାର ପଛରେ ରହିଥିବା ହିନ୍ଦୁବାଦୀ ସଂଗଠନ ଗୁଡ଼ିକ ଅଯୋଧ୍ୟ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ପାଇଁ କେତେକ ସ୍ଥାନରେ ଜୋର୍ କରି ଚାନ୍ଦା ଉଠାଉଛନ୍ତି। ଯେଉଁମାନେ ଚାନ୍ଦା ଦେଉନାହାନ୍ତି ସେମାନଙ୍କୁ ଚହ୍ନଟ କରାଯାଉଛି। କର୍ଣ୍ଣାଟକରେ ଏଭଳି ଘଟଣା ଘଟୁଛି ବୋଲି ସେହି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଗୁରୁତର ଅଭିଯୋଗ କରିଛନ୍ତି। ଏହା ସତ୍ୟ ହୋଇଥିଲେ ସାଙ୍ଘାତିକ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯଥେଷ୍ଟ କମ ଥିଲେ ମଧ୍ଯ ଭାରତରେ ସବୁଦିନ ବଢୁଛି ପେଟ୍ରୋଲ, ଡିଜେଲ ଦର। ଦେଶର କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଲାଣି। ଡିଜେଲ ଦର ମଧ୍ଯ ଶତକ ପାଖାପାଖି ହେଲାଣି। ସରକାର କିଛି ଶୁଣୁନାହାନ୍ତି। ତୈଳ ମନ୍ତ୍ରୀ ପରିସଂଖ୍ୟାନର ଜାଲ ବିଛାଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତୈଳ ଦର ବୃଦ୍ଧି ପାଇଁ ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଦାୟୀ କରୁଛନ୍ତି। ଏହା ଠାରୁ ହାସ୍ୟାସ୍ପଦ ଓ ବିରକ୍ତିକର କଥା ଆଉ କ’ଣ ଥାଇପାରେ। ବିରୋଧୀଙ୍କ ତୈଳ ଦର ବୃଦ୍ଧି ବିରୋଧୀ ପ୍ରଦର୍ଶନ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ। ବାସ୍ତବରେ ବିରୋଧ ପ୍ରଭାବୀ ହୋଇ ପାରୁନାହିଁ। ଶାସକ ଏନଡିଏ ସହଯୋଗୀଙ୍କ ପକ୍ଷରୁ ତୈଳଦର ବୃଦ୍ଧି ବିରୋଧରେ ମୃଦୁ ଅଭିଯୋଗ ମଧ୍ଯ ଶୁଣିବାକୁ ମିଳିଲାଣି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଲେଣି ତୈଳଦର ବୃଦ୍ଧିରେ ବିରାମ ଲାଗିଲେ ଭଲ ହୁଅନ୍ତା। ବୁଝି ହେଉନି ଏକ ଗାଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀଙ୍କୁ ସରକାର ଗୁରୁତ୍ୱ ଦେଉନାହାନ୍ତି କିପରି ? ସଂଖ୍ୟାର ଅହଂକାରରେ ମନଇଚ୍ଛା ଶାସନ କରିବାର ଅର୍ଥ କ’ଣ ? ସ୍ଵେଚ୍ଛାଚାର ନୁହେଁ କି ?ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ କେବଳ ହିନ୍ଦୁମାନେ ନୁହନ୍ତି, ଖ୍ରୀଷ୍ଟିଆନ, ମୁସଲମାନ, ଶିଖ ସମ୍ପ୍ରଦାୟରୁ ଲୋକେ ବିପୁଳ ଅର୍ଥ ଦାନ ଦେଉଛନ୍ତି। ଏଥିପାଇଁ ସଂଘ ପରିବାର ପକ୍ଷରୁ ବାଧ୍ୟବାଧକ ଚାନ୍ଦା ଆଦାୟ କରାଯାଉଛି ବୋଲି ଅଭିଯୋଗ ଉଠିଲାଣି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଯେ, ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉନାହାନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆରଏସଏସ )ପକ୍ଷରୁ ସେମାନଙ୍କ ଘର ଚିହ୍ନଟ କରି ରଖା ଯାଉଛି। ନାଜିମାନେ ଜର୍ମାନୀରେ ସମାନ ଧାରଣର କାର୍ଯ୍ୟ କରୁଥିଲେ ବୋଲି କୁମାରସ୍ୱାମୀ କହିଛନ୍ତି। ରାମ ମନ୍ଦିର ନିଧି ସମର୍ପଣ ଅଭିଯାନ ନାମରେ ଆରଏସଏସର ଏକ ଗୋଷ୍ଠୀ ରାମ ମନ୍ଦିର ପାଇଁ ଏଵେ ଚାନ୍ଦା ଆଦାୟ କରୁଛନ୍ତି। ଯେଉଁମାନେ ଚାନ୍ଦା ଦେଉନାହାନ୍ତି ସେମାନଙ୍କୁ ଚିହ୍ନଟ କରି ରଖାଯାଉଛି। ଏହି ପ୍ରସଙ୍ଗ ଉଠାଇ କୁମାରସ୍ବାମୀଙ୍କର ପ୍ରଶ୍ନ, ତେବେ କ’ଣ ଆମେ ନାଜି ଯୁଗରେ ପହଁଚି ଯାଇଛେ ? କୁମାରସ୍ବାମୀ ଏନେଇ କରିଥିବା ଏକ ଟ୍ୱିଟ୍ ଜବାବରେ ସଂଘର ମିଡ଼ିଆ ଇନ ଚାର୍ଜ ଇ ଏସ ପ୍ରଦୀପ କହିଛନ୍ତି, ତାଙ୍କର ଏହି ଟ୍ୱିଟ ମନ୍ତବ୍ୟ କୌଣସି ଉତ୍ତରର ଯୋଗ୍ୟତା ରଖୁନାହିଁ। ଏହାସତ୍ତ୍ୱେ କୁମାରସ୍ବାମୀ କହିଛନ୍ତି ଯେ, ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଚାଲିଛି। ଲୋକେ ଖୋଲାଖୋଲି ଭାବେ ନିଜର ଦୃଷ୍ଟିଭଙ୍ଗି ପ୍ରକାଶ କରି ପାରୁନାହାନ୍ତି। ଗଣମାଧ୍ୟମ କେବଳ ସରକାରଙ୍କର ବଚସ୍କର ସାଜିଛି। ବିରୋଧୀଙ୍କ କଠୋର ଆଭିମୁଖ୍ୟ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନର ଗତି ପ୍ରକୃତିକୁ ଦେଖି ବୁଝାପଡୁଛି ଯେ, ଦେଶରେ ଯାହାକିଛି ବି ହୋଇପାରେ। କହିବାବାହୁଲ୍ୟ ଯେ, ସଂଘ ଏବଂ ବିଜେପି ବିରୋଧରେ ‘ଚିହ୍ନଟକରଣ’ ଅଭିଯୋଗ ପୂର୍ବରୁ ରହିଛି। ଉତ୍ତର ପ୍ରଦେଶରେ ନାଗରିକତ୍ୱ ଆଇନ ପ୍ରକ୍ରିୟା ଚାଲୁଥିବା ବେଳେ ଯୋଗୀ ଅଦିତ୍ୟନାଥ ସରକାର ଜିଲ୍ଲା ଶାସକମାନଙ୍କୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କୁ ଚିହ୍ନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନାଗରିକତ୍ବ ବିଲ ନେଇ ସଂସଦରେ ବିତର୍କ ବେଳେ ତୃଣମୂଳ ସାଂସଦ ମହୁଆ ମୈତ୍ର ନାଜି କଂସେଟ୍ରେସନ କ୍ୟାମ୍ପ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଜାତୀୟ ନାଗରିକପଞ୍ଜି ଜରିଆରେ ଶରଣାର୍ଥୀମାନଙ୍କୁ ପ୍ରଥମେ ଚିହ୍ନଟ କରାଯିବ। ତା’ପରେ ସେମାନଙ୍କର ଅଧିକାର କାଢି ନିଆଯାଇ ସେମାନଙ୍କୁ ନିଶ୍ଚିହ୍ନ କରାଯିବ। ଇତିହାସରୁ ଜଣାଯାଏ ଯେ, ୧୯୩୩ ମସିହାରେ ଜର୍ମାନୀରେ ଏକ ଆଇନ ଜରିଆରେ ଇହୁଦୀଙ୍କ ସମେତ ବିଭିନ୍ନ ଜନଗୋଷ୍ଠୀର ନାଗରିକତ୍ବ ବାତିଲ କରାଯାଇଥିଲା। ୧୯୩୫ରେ ନାଜି ସରକାର ବିବାଦୀୟ ‘ନୁରେମ୍ବର୍ଗ ଆଇନ’ ଆଣିଥିଲେ। ଏହି ଆଇନ ବଳରେ ଇହୁଦୀ ଏବଂ ଅନ୍ୟ ଗୋଷ୍ଠୀ ସହ ଜର୍ମାନମାନଙ୍କର ବିବାହକୁ ନିଷିଦ୍ଧ କରାଯାଇଥିଲା। ଏବେ ଭାରତ ସରକାର ସେହି ନାଜି ରାସ୍ତାରେ ଚାଲୁଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି।

%d bloggers like this: