ଅନ୍‌ଲକ୍‌-୪ : ଜରୁରୀ କଟକଣା ସହ ଜାରି ହେଲା ଗାଇଡଲାଇନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:‘ଅନ୍‌ଲକ୍‌-୪’ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।  ‘ଅନ୍‌ଲକ୍‌-୪’ ଗାଇଡଲାଇନରେ ଅଧିକାଂଶ କୋହଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ କାର୍ଯ୍ୟକାରୀ କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କଟକଣା କଡାକଡ଼ି ରଖାଯାଇଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରି ପାରିବେ ନାହିଁ ବୋଲି ଏହି ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।ପୂର୍ବରୁ ଏହି କ୍ଷମତା କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦେଇଥିଲେ ମାତ୍ର ଏହାକୁ ଅନଲକ-୪ରେ ପ୍ରତ୍ୟାହାର କରି ନିଆଯାଇଛି। କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ରାଜ୍ୟ, ଜିଲ୍ଲା ଓ ସବ୍‌ଡିଭିଜନ୍‌, ସହର ଓ ଗ୍ରାମାଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିବେ ନାହିଁ। କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଏପରି କରାଯାଇ ପାରିବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି।

ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୋଭିଡ ସଂକ୍ରମଣକୁ ନଜରରେ ରଖି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିବେ। ଏହି ଜୋନ୍‌ଗୁଡ଼ିକରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ।  ସେହିପରି ଅନ୍‌ଲକ୍‌-୪ ଗାଇଡଲାଇନ୍‌ ଅନୁସାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କେଉଁ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲେ ତାହାକୁ ସରକାରୀ ୱେସାଇଟରେ ପ୍ରକାଶ କରିବେ। ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ  ମଧ୍ୟ ଏବାବଦରେ ସୂଚିତ କରିବେ।

ଅନଲକ୍ ୪.୦

  • ୭ ତାରିଖରୁ ଚାଲିବ ମେଟ୍ରୋ । ଏଥିପାଇଁ ଏସ୍‌ଓପି ଜାରି ହେବ
  • ସାମାଜିକ, ଶୈକ୍ଷିକ, କ୍ରୀଡ଼ା ମନୋରଞ୍ଜନ, ସାଂସ୍କୃତିକ, ଧର୍ମୀୟ ଓ ରାଜେନୖତିକ କାର୍ଯ୍ୟକ୍ରମରେ କେବଳ ୧୦୦ ଜଣ ବ୍ୟକ୍ତି ହିଁ ସାମିଲ ହୋଇପାରିବେ । ସେପ୍ଟେମ୍ବର ୨୧ ତାରିଖରୁ ଏହା ଲାଗୁ ହେବ । ତେବେ ଏଭଳି ଜନସମାବେଶରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ଥର୍ମାଲ୍‌ ସ୍କାନିଂ ଆଦି ବ୍ୟବସ୍ଥା ରହିବ ।
  • ସେପ୍ଟେମ୍ବର ୨୧ ତାରିଖରୁ ମୁକ୍ତାକାଶରଙ୍ଗ ମଞ୍ଚ ଖୋଲିବ ।
  • ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
  • ସ୍କୁଲ-କଲେଜର ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅନୁଷ୍ଠାନକୁ ଯାଇପାରିବେ
  • ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ପରାମର୍ଶ ପାଇଁ ସ୍କୁଲକୁ ଯାଇପାରିବେ । ତେବେ ଏଥିପାଇଁ ସେମାନଙ୍କୁ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ତେବେ  ସ୍କୁଲ ଓ କଲେଜ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଆବଶ୍ୟକ ।
  • ସିନେମା ହଲ୍‌ ସୁଇମିଂ ପୁଲ ମନୋରଞ୍ଜନ ପାର୍କ ପୂର୍ବ ଭଳି ବନ୍ଦ ରହିବ ।
  • ଅନ୍ତର୍ଜାତୀୟ ବିମାନ ଉଡ଼ାଣ ମଧ୍ୟ ବନ୍ଦ ରହିବ ।
  • କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ ।
  • ଜିଲ୍ଲା ଅଧିକାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରିତ କରିବେ । ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କଣ୍ଟେନ୍‌ମେଣ୍ଟ ଜୋନ ବାବଦରେ ନିଜ ଓ୍ୱେବ୍‌ସାଇଟ୍‌ରେ ତଥ୍ୟ ଦେବେ ।
  • ରାଜ୍ୟ ଭିତରେ ଓ ରାଜ୍ୟରୁ ରାଜ୍ୟ ମଧ୍ୟରେ ଗମନାଗମନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ
  • ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ ବୟସର ପିଲା ଘରେ ରହିବେ
  • ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯିବ
Leave a Reply

Your email address will not be published. Required fields are marked *