ସହଜ ହେବ ସରକାରୀ ଚାକିରି, ଯୁବଗୋଷ୍ଠୀଙ୍କୁ ମିଳିବ ଅଧିକ ଫାଇଦା

ସହଜ ହେବ ସରକାରୀ ଚାକିରି, ଯୁବଗୋଷ୍ଠୀଙ୍କୁ ମିଳିବ ଅଧିକ ଫାଇଦା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଣିକି ବ୍ୟାଙ୍କ୍ ଓ କେନ୍ଦ୍ର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା। ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା ଏନ୍‌ଆର୍‌ଏ ପ୍ରତିଷ୍ଠା କରିବେ। ଏହି ସଂସ୍ଥା କମନ୍ ଏଲିଜିବିଲିଟି ଟେଷ୍ଟ ଆୟୋଜନ କରିବ। ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ। ଏ ବିଷୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଏବେ ଚାକିରି ପାଇଁ ଆଶାୟୀଙ୍କୁ ଏକାଧିକ ପରୀକ୍ଷା ଦେବାକୁ ପଡୁଛି । ଏସବୁ ଶେଷ କରିବା ପାଇଁ ଏନ୍‌ଆର୍‌ଏ ଲାଗୁ କରାଯାଉଛି। ଏହା ଯୁବଗୋଷ୍ଠୀଙ୍କୁ ଅଧିକ ଫାଇଦା ଦେବ। ଯେଉଁମାନେ ଚାକିରି ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ଏନ୍‌ଆର୍‌ଏ ଦ୍ୱାରା ଫାଇଦା ମିଳିବ । ତେବେ ନୂଆ ନିଷ୍ପତ୍ତି ଦ୍ୱାରା ଯୁବଗୋଷ୍ଠୀ ଭୋଗୁଥିବା ସମସ୍ୟା କେବଳ ଦୂର ହେବନି ବରଂ ସେମାନଙ୍କ ଟଙ୍କା ମଧ୍ୟ ବଂଚିବ। ଏବେ ଯୁବ ଗୋଷ୍ଠୀ ଗୋଟିଏ ପରୀକ୍ଷା ଦେଇ ଆଗୁକୁ ବଢ଼ିପାରିବେ। ସିଇଟିରେ ପିଲାମାନେ ଯେମିତି ନମ୍ୱର ବା ମାର୍କ ରଖିବେ ତାହା ୩ ବର୍ଷ ଯାଏ ବୈଧ ରହିବ। ଏହାକୁ ଆଧାର କରି ଜଣେ ଆଶାୟୀ ନିଜର ଯୋଗ୍ୟତା ଓ ଇଚ୍ଛା ଅନୁସାରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ତେବେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରିଜମ୍ ନ୍ୟୁଜ୍ ଟିମ୍ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିଥିଲା। ସେମାନଙ୍କ ମଧ୍ୟରୁ ଦୀର୍ଘ ପାଞ୍ଚ ବର୍ଷ ଧରି କମ୍ପିଟିଟିଭ ପ୍ରିପାରେସନ୍ କରୁଥିବା ଜଣେ ଛାତ୍ରଙ୍କ କହିବାନୁସାରେ, ଏହା ସରକାରଙ୍କ ଏକ ଭଲ ନିଷ୍ପତ୍ତି। ସରକାରୀ ଚାକିରି ପାଇଁ ଆମକୁ ଅନେକ ଗୁଡ଼ିଏ ପରୀକ୍ଷା ଦେବାକୁ ପଡ଼ୁଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଗୋଟିଏ ପରୀକ୍ଷା ଦେବାକୁ ପଡ଼ିବ। ବିଭିନ୍ନ ପରୀକ୍ଷା ପାଇଁ ଯେତିକି ସମୟ ଦେବାକୁ ପଡ଼ୁଥିଲା, ଏଣିକି ସେତେକି ସମୟ କେବଳ ଗୋଟିଏ ପରୀକ୍ଷା ପାଇଁ ଦେବାକୁ ପଡ଼ିବ। ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଏମିତି ହେବ ବ୍ୟବସ୍ଥା:
ଜାତୀୟ ନିଯୁକ୍ତ ସଂସ୍ଥା ବା ଏନ୍ଆରଏ ବିଭିନ୍ନ ନିଯୁକ୍ତି ବୋର୍ଡ ପାଇଁ ଅନଲାଇନ୍ କମନ୍ ଏଲିଜିବିଲିଟି ଟେଷ୍ଟ (ସିଇଟି) କରିବ। ଏହାପରେ ଗ୍ରୁପ୍-ବି ଓ ଗ୍ରୁପ-ସିର ଅଣ ବୈଷୟିକ ପଦବୀ ପାଇଁ ପରୀକ୍ଷା ହେବ। ସିଇଟିରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ପାଇଁ ସାମର୍ଥ୍ୟ ହେବେ। ମୁଖ୍ୟ ପରୀକ୍ଷାରେ ଫେଲ୍ ହେବା ସତ୍ତ୍ୱେ ସେମାନଙ୍କୁ ତିନି ବର୍ଷ ପାଇଁ କେବଳ ମୁଖ୍ୟ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ।
କାହିଁକି ପଡ଼ିଲା ଜରୁରୀ ?
ଏବେ କେନ୍ଦ୍ର ସରକାରୀ ପଦବୀ ପାଇଁ ପିଲାମାନଙ୍କୁ ଅନେକ ଗୁଡ଼ିଏ ପରୀକ୍ଷା ଦେବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ପରୀକ୍ଷା ଫି’ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ସହିବାକୁ ପଡୁଛି। ବେଳେବେଳେ ଗରିବ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ମୁସ୍କିଲ ହୋଇପଡ଼େ। ତେଣୁ, ନୂଆ ନିୟମ ଅନୁସାରେ ଖର୍ଚ୍ଚ କମ୍ ହେବା ସହ ସୁବିଧାଜନକ ହେବ।
ଏନଆରଏର ସ୍ୱରୁପ କ’ଣ ହେବ ?
ଏନଆରଏ ଏକ ସ୍ୱାୟତ୍ତ ଏଜେନ୍ସି ଭାବେ କାର୍ଯ୍ୟ କରିବ, ଯାହାର ମୁଖ୍ୟାଳୟ ଦିଲ୍ଲୀରେ ରହିବ। ଏହାର ଅଧ୍ୟକ୍ଷ କେନ୍ଦ୍ରରେ ଥିବା ସଚିବସ୍ତରୀୟ ରହିବେ।
ସିଇଟିର ମୁଖ୍ୟ ଭୂମିକା:
୧) ଜାତୀୟ ନିଯୁକ୍ତି ସଂସ୍ଥା ବର୍ଷକୁ ୨ ଥର ସିଇଟି ଆୟୋଜନ କରିବ
୨) ପଞ୍ଜୀକରଣ ଠାରୁ ପରୀକ୍ଷା ଏବଂ ମେରିଟ୍ ଲିଷ୍ଟ ପର୍ଯ୍ୟନ୍ତ ସବୁ ଅନଲାଇନ୍ ହେବ
୩) ୧୨ଟି ଭାଷାରେ ସିଇଟି ହେବ
୪) ଦଶମ, ଦ୍ୱାଦଶ ଓ ସ୍ନାତକଧାରୀଙ୍କ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା
୫) ମାନକ ପାଠ୍ୟକ୍ରମ ଆଧାରରେ ପଚରା ଯିବ ପ୍ରଶ୍ନ
୬) ଉଚ୍ଚକୋଟୀର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ
୭) ପରୀକ୍ଷା ସରିବା କ୍ଷଣି ଫଳାଫଳ ଉପଲବ୍ଧ ହେବ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: