ଏଥର ହେବ ବଡ଼ ଚ୍ୟାଲେଞ୍ଜ, ଫେବ୍ରୁଆରୀ ପହିଲାରେ ନିର୍ମଳା ବଜେଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫେବ୍ରୁଆରୀ ପହିଲାରେ ଆସିପାରେ କେନ୍ଦ୍ର ବଜେଟ୍। ଏନେଇ ସୂଚନା ରହିଛି। ଏହା ପୂର୍ବରୁ ଆସନ୍ତା ୨୯ରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ୱୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ବଜେଟ୍ ଅଧିବେଶନ ଦୁଇଟି ଭାଗରେ ବିଭକ୍ତ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୫ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। କୋରୋନା ପାଇଁ ଗତ ମାସରେ ଶୀତ ଅଧିବେଶନ ବାତିଲ ହୋଇଥିଲା।

ତେବେ ଏଥର କୋରୋନା ହେତୁ କେନ୍ଦ୍ର ସରକାରଙ୍କ ପାଇଁ ବଜେଟ୍ ବଡ଼ ଚ୍ୟାଲେଞ୍ଜ ହେବ। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ କେଉଁ ବିଭାଗକୁ କେତେ ଭାଗ ମିଳିବ, ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ। ସେହିପରି କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ବଜେଟରେ ନିଶ୍ଚିତ ଭାବେ କିଛି ଅଧିକ ବ୍ୟବସ୍ଥା କରିପାରନ୍ତି। ସେହିପରି ପିଏମ୍ କିଷାନ ନିଧି ଯୋଜନା, ଉଜ୍ୱଳା, ମନରେଗା ଆଦି କ୍ଷେତ୍ର ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇପାରନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ର ଏଥର ସରକାରଙ୍କ ପାଇଁ ଅନ୍ୟତମ ଚିନ୍ତାର ବିଷୟ ପାଲଟିବ। କାରଣ, ଲକଡାଉନରେ ସବୁଠୁ ଅଧିକ ଏହି କ୍ଷେତ୍ର ପ୍ରଭାବିତ ହୋଇଛି। ତେଣୁ, ସରକାର ସବୁ ବର୍ଗକୁ ସୁହାଇଲା ଭଳି ଏକ ବଜେଟ୍ ଆଣିପାରନ୍ତି।