ୟୁଜିସିର ନୂଆ ଗାଇଡଲାଇନ୍: ୟୁନିଭର୍ସିଟି ମାନିବେ ଏହି ନିୟମ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଯୋଗୁ ବନ୍ଦ ପଡ଼ିଥିବା ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ ପାଇଁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବଡ଼ବଡ଼ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଫଇସଲା ନେବାକୁ ସରକାର ଅଧିକାର ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଏନେଇ ଗୁରୁବାର ବିସ୍ତୃତ ଭାବେ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟ ଗୁଡ଼ିକର ସହମତି ପ୍ରକାଶ ପରେ ଖୋଲିବାକୁ ଅଧିକାର ଦିଆଯାଇଛି। ନୂଆ ଶିକ୍ଷା କ୍ୟାଲେଣ୍ଡର ଅନୁସାରେ, ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ନୂଆ ଶିକ୍ଷାବର୍ଷ ନଭେମ୍ୱର ୨ ତାରିଖରୁ ଆରମ୍ଭ ହୋଇ ସାରିଲାଣି। ମାତ୍ର, ଏହା ଅନଲାଇନରେ ଚାଲୁଛି। ୟୁଜିସି ସଫା ସଫା କହିଛି, ଯଦି ବିଶ୍ୱବିଦ୍ୟାଳୟ ଗୁଡ଼ିକ କଲେଜକୁ ଡାକି କ୍ଲାସ କରିବାକୁ ଇଚ୍ଛୁକ, ତେବେ ସେମାନେ ରାଜ୍ୟ ସରକାରଙ୍କ ଅନୁମତି ଆଣିବେ ଏବଂ କୋଭିଡ୍ ନିୟମ ପାଳନ କରି ଶିକ୍ଷାରମ୍ଭ କରିପାରିବେ।

ନିର୍ଦ୍ଦେଶନାମା ଅନୁସାରେ, ପ୍ରଥମେ ଗବେଷଣାରତ ଅନୁଷ୍ଠାନ ଏବଂ ସ୍ନାତକୋତ୍ତର ପାଇଁ ଅନୁମତି ପ୍ରଦାନ କରାଯାଇଛି, କାରଣ ଏମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍। ଏହାସହ ପୁସ୍ତକାଳୟ ଓ ପ୍ରାଶାସନିକ ଭବନକୁ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏହି ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହାବ୍ୟତୀତ ଉଚ୍ଚଶିକ୍ଷାନୁଷ୍ଠାନର ଶେଷ ବର୍ଷର ପିଲାଙ୍କ ପାଇଁ ଆୟୋଜନ ହେଉଥିବା ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ଚାଲୁ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସେହିପରି ସଂକ୍ରମଣ ଭୟରେ ଯେଉଁମାନେ ଅନୁଷ୍ଠାନକୁ ଆସିବାକୁ ଚାହୁଁନାହାନ୍ତି, ସେମାନଙ୍କ ପାଇଁ ଅନଲାଇନ୍ ଶିକ୍ଷାଦାନ ଓ ଇ-ସାମଗ୍ରୀ ଯୋଗାଇ ଦେବାକୁ କୁହାଯାଇଛି। ବିଭିନ୍ନ ସଂସ୍ଥାରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ୟୁଜିସି ଅନୁଷ୍ଠାନ ଗୁଡ଼ିକୁ ପରାମର୍ଶ ଦେଇଛି।

%d bloggers like this: