ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ: ଚେତେଇଲା UGC, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ ଦଣ୍ଡ

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ: ଚେତେଇଲା UGC, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ ଦଣ୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ– ୨୦୨୦ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ପତ୍ର ଲେଖିଛନ୍ତି । ଗତ ୨୦ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସି ଉଲ୍ଲଂଘନ କରୁଥିବା ନେଇ ୟୁଜିସି ପତ୍ରରେ ଉଲ୍ଲେଖ କରିଛି ।

ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ସଚିବ ଏବଂ ଓପିଏସସିକୁ ଲେଖିଥିବା ପୃଥକ ପୃଥକ ପତ୍ରରେ ଉଲ୍ଲେଖ କରିଛି ଯେ ମଇ ୨୩ ତାରିଖରେ ଓପିଏସସି ସାମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଏବଂ ମଇ ୨୪ ତାରିଖରେ ବାଣିଜ୍ୟର ଆସିଷ୍ଟାଣ୍ଟ୍ ପ୍ରଫେସର ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ନେଇ ଏସଏଲପି ବିଚାରଧୀନ ରହିଛି । ତେଣୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡ(ଏସଏସବି)ର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି ।ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ । ନଚେତ୍ ଏଥିରେ ଅବମାନନା କଲେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ପତ୍ରରେ ତାଗିଦ୍ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: