ଜନଜାତିଙ୍କ ହଜିଲା ଦିନର କାହାଣୀ ବଖାଣୁଛି ଚନ୍ଦ୍ରଗିରି ଆଦିମ ଜନଜାତି ସଂସ୍କୃତି ସଂଗ୍ରହାଳୟ

ଜନଜାତିଙ୍କ ହଜିଲା ଦିନର କାହାଣୀ ବଖାଣୁଛି ଚନ୍ଦ୍ରଗିରି ଆଦିମ ଜନଜାତି ସଂସ୍କୃତି ସଂଗ୍ରହାଳୟ

ପ୍ରେମାନନ୍ଦ ପୁଜାରୀ: ଚାକ ଚକ୍ୟ ଆଧୁନିକତାର ପରିପାଟୀ ମଧ୍ୟରେ ହଜିଯାଉଛି ସଉରା ଆଦିବାସୀଙ୍କ ନିଆରା ପାରମ୍ପାରିକ ଜୀବନ ଶୈଳୀ। କୋଳାହଳରୁ ବହୁଦୂରରେ ପ୍ରକୃତି କୋଳରେ ଜୀବନ ଯ଼ାପନ କରିଆସୁଥିବା ଆଦିମ ଜନଜାତିଙ୍କ ମଧ୍ୟରୁ ଓଡ଼ିଶାର ସଉରା ସଂପ୍ରଦାୟ ଅନ୍ୟତମ I ଆଦିମ କାଳରୁ ଅବହେଳିତ ବିଭିନ୍ନ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସର୍ବଦା ସରକାର ତତ୍ପର ରହିଥାନ୍ତି I ଏହି ଜାତିର ସଂସ୍କୃତି ପରମ୍ପରା ଓ ଐତିହକୁ ସଂରକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ସରକାର ବିଭିନ୍ନ ଯୋଜନାମାନ କରିଥାନ୍ତି I ତେବେ ଆଧୁନିକତାର ଅଗ୍ରଗତି ସହ ଏହି ଜନଜାତିଙ୍କ ଭାଷା ଓ ଢାଞ୍ଚା ବଦଳିବାରେ ଲାଗିଛି ,ଏହା ସହ ଲୋପ ପାଇବାରେ ଲାଗିଛି ସଉରା ନୃତ୍ୟ ସଂସ୍କୃତି । ପୁର୍ବରୁ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡ଼ିକ ମଧ୍ୟ ଏବେ ବିଲୋପ ହେବାକୁ ବସିଥିବା ବେଳେ ସେମାନଙ୍କ କଳା ସଂସ୍କୃତି ସହ ଜଡ଼ିତ ଜିନିଷ ଗୁଡ଼ିକ ଦେଖିବା ସ୍ବପ୍ନ ସଦୃଶ ।

ତେବେ ଗଜପତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରଚେଷ୍ଟାରେ ଏସବୁ ଜିନିଷ କୁ ପୁନଃଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଗିରିରେ ନିର୍ମାଣ ହୋଇଛି ଜନଜାତି ସଂସ୍କତି ସଂଗ୍ରହାଳୟ । ଯାହା ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବା ସହ ଜନଜାତିଙ୍କ ସହ ଜଡ଼ିତ ବିଭିନ୍ନ ଜିନିଷ ବିଷୟରେ ଧାରଣା ଦେଇଥାଏ ଏହି ସଂଗ୍ରହାଳୟ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ହୋଇଛି ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀଙ୍କ ପାରମ୍ପାରିକ ସଂସ୍କୃତି ସଂଗ୍ରାହଳୟ ଓ ଆଦିବାସୀ ଅଡିଟୋରିୟମ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଚଳିତ ବର୍ଷ ଜୁଲାଇ ୧୩ରେ ଉଦ୍-ଘାଟନ କରିବା ସହ ଏହି ସଂଗ୍ରାହଳୟ ଟି ଲୋପ ପାଇଯାଉଥିବା ଆଦୀମ ଜନଜାତୀଙ୍କ ସଂସ୍କୃତିକୁ ବଞ୍ଚାଇରଖିବାର ଏକ ପ୍ରୟାସ ହେବ ବୋଲି କହିଥିଲେ । ବିଶେଷତଃ ବହୁ ପୁରାତନ କାଳରୁ ଆଦିବାସୀ ମାନେ ବ୍ୟବହାର କରିଆସୁଥିବା ବସ୍ତ୍ର ,ଶସ୍ତ୍ର , ଅଳଙ୍କାର, ବାଦ୍ୟ ଯନ୍ତ୍ର, ଖାଦ୍ୟ ସାମଗ୍ରୀ ସହ ଅବିକଳ ବାସସ୍ଥାନକୁ ଏହି ସଂଗ୍ରହାଳୟରେ ସୁସଜ୍ଜିତ କରାଯାଇଛି ।

ଏବେ ସମୟ ସ୍ରୋତରେ କ୍ରମଶଃ ଆଦିବାସୀଙ୍କ ଅନେକ ପରିବର୍ତ୍ତନ ଘଟିଛି। ବିଲୋପ ପ୍ରାୟ ପୁରାତନ ସଂସ୍କୃତି, କାର୍ଯ୍ୟକଳାପର ସଂଗ୍ରହ ଅତ୍ୟନ୍ତ ମନୋରୋମ । ତେବେ ଜନଜାତିଙ୍କ ସଂସ୍କତି ଉପରେ ଆଧାରିତ ଗବେଷଣା ବା ଅଧ୍ୟୟନରତ ବିଷେଶଜ୍ଞମାନେ ମଧ୍ୟ ଏହି ସଂଗ୍ରହାଳୟକୁ ଆସିଥାନ୍ତି । ସେହିଭଳି ଏହି ଅଞ୍ଚଳର ବା ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଆସି ପରିଦର୍ଶନ କରି ଶିକ୍ଷା କ୍ଷେତ୍ରରେ ବେଶ ଲାଭବାନ ହେଉଛନ୍ତି । ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ତରଫୁରୁ ଏହି ସଂଗ୍ରାହଳୟ ଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ମାଣ ଲାଗି ଅନେକ ଅନୁସଂନ୍ଧାନ କରି ସଂଗୃହିତ କରି ରଖାଯାଇଛି ବିରଳ ଜିନିଷ । ଏହି ସଂଗ୍ରାହଳୟର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବା ସହ କୁତ୍ରିମ ପାହାଡି ଝରଣା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିପାରୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଶତକଡା ୮୦ ଭାଗ ଲାଞ୍ଜିଆ ସଉରା ଓ ସୌରା ଆଦିବାସୀ ସଂପ୍ରଦାୟର ଜୀବନ ଜିବିକା ଅତିବାହିତ କରୁଛନ୍ତିl

ଆଦିମ ଜନଜାତି ତଥା ସୌରା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାର ମୋହନା ବ୍ଳକ ଚନ୍ଦ୍ରଗିରି ଠାରେ ୧୯୭୯ମସିହାରେ ନିର୍ମାଣ କରିଛନ୍ତି ସଉରା ଉନ୍ନୟନ ସଂସ୍ଥା ‌। ଏହି ସଂସ୍ଥା ମାଧ୍ୟମରେ ଅତି ଗରୀବ ଅନଗ୍ରସର ଅନୁନ୍ନତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ୩୨ ଗୋଟି ଆଦୀମ ଜନଜାତି ଗାଁ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ , ଜିବନ ଜୀବିକା ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାର ବିଭିନ୍ନ ସଂସ୍ଥାର ସଂଯୋଜନାରେ କରୁଛନ୍ତି l ସମୟ ର ତାଳ ସହିତ ବିକାଶ ବଜାୟ ରହିଥିବା ବେଳେ ଏବେ ବଦଳିଛି ଜିବିନ ଜିବିକା , ଏଥିସହ ସଉରା ଆଦିବାସୀ ଙ୍କ ଜୀବନ ଶୈଳୀ ରେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ମଧ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ମଧ୍ୟ ସରକାର ନେଇଛନ୍ତି ପଦକ୍ଷେପ । ଲୋପ ପାଇଥିବା ସଉରା ଜନଜାତି ଙ୍କ ଅଳଙ୍କାର ବସ୍ତ୍ର , ଅସ୍ତ୍ର , ଶସ୍ତ୍ର,ବାଦ୍ୟ ଯନ୍ତ୍ର, କୃଷି ବିହନ , ଆଦି ବିଭିନ୍ନ ସାମଗ୍ରୀ, ଖାଦ୍ୟ, ଦୈନନ୍ଦିନ ଚଳଣି ରେ ବ୍ୟବହାରିକ ଜିନିଷ ମଧ୍ୟକୁ ସଂଗ୍ରହ କରି ଏକ ସଂଗ୍ରହାଳୟ ରଖାଯାଇଛି l ଏହି ସଂଗ୍ରହାଳୟରେ ସେମାନଙ୍କ ସମସ୍ତ ଜିନିଷ ଥିବା ବେଳେ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ଙ୍କ ଭିଡ଼ ଜମୁଛି l ନଭେମ୍ବର ମାସରେ ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ଏହି ସଂଗ୍ରହାଳୟ ପରିଦର୍ଶନ କରି ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି l ଆଦିବାସୀଙ୍କ ଜିନିଷ ଧୀରେ ଧୀରେ ଲୋପ ପାଇ ଯାଉଥିବା ଯୋଗୁଁ ଏହାକୁ ଉଦ୍ ଜୀବିତ ରଖିବା ପାଇଁ ସଂଗ୍ରହାଳୟ କରାଯାଇଥିବା ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ର ସ୍ଵତନ୍ତ୍ର ଅଧିକାରୀ ଭନମାଳି ଭୁଆଁ କହିଛନ୍ତି l ପର୍ଯ୍ୟଟନୀ କ୍ଷେତ୍ର ଭାବେ ବେଶ ପ୍ରସିଦ୍ଧ ପାହାଡିଆ ଝରଣା ମାଙ୍କଡଡିଆଁ ବୃହତ ଜଳପ୍ରପାତ , ଖସଡ଼ା ଜଳପ୍ରପାତ , ଜୀରାଙ୍ଗ ସ୍ଥିତ ବୌଦ୍ଦ କିର୍ତ୍ତିର ସମ୍ଭାର ତଥା ପ୍ରସିଦ୍ଦ ପଦ୍ମସମ୍ଭଭ ମହା ବିହାର , ନିକଟରେ ରହିଥିବା ହେତୁ ଏହା ମଧ୍ୟ ପର୍ଯ୍ୟଟନ ସ୍ଥଳରେ ଅଳଙ୍କାର ରୁପେ ବେଶ ଆକର୍ଶଣିୟ ।

ଆଦିମ ଜନଜାତିଙ୍କ ଏହି ସଂଗ୍ରାହଳୟକୁ ଲୋକେ ଜାଣିବା ସହ ଆଦିବାସୀ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନିଜ ଜାତିର ମହାନ ପରମ୍ପରା, ଗୌରବ ସୃଷ୍ଟି କରିପାରିବ ବୋଲି ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର କହିଛନ୍ତି । ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ ରାଉତ ଏହି ସଂଗ୍ରାହଳୟ ପରିଦର୍ଶନ ରେ ଆସି ନିଜ ଜାତି ଓ ସଂସ୍କୃତି ପରମ୍ପରା କୁ ବଞ୍ଚେଇରଖିବାରେ ଜିଲ୍ଲା ପ୍ରସାଶନର ସୁପଦକ୍ଷେପ ବୋଲି କହିଛନ୍ତି l ଅନ୍ୟ ପକ୍ଷରେ ଏହାକୁ କେବଳ ସଂଗ୍ରହାଳୟ ଭିତରେ ସୀମିତ ନରଖି ଏଥିପାଇଁ ଶିକ୍ଷାନୁଷ୍ଠାନରେ ଏକ ସ୍ବତନ୍ତ୍ର ପାଠ୍ୟ କ୍ରମ କରିବାକୁ ପଦକ୍ଷେପ ନେଲେ ଭଲ ହୁଅନ୍ତା ଏବଂ ସୌରା ଭାଷା ମଧ୍ୟ ବିଲୋପ ହେବାକୁ ବସିଥିବା ଯୋଗୁଁ ଭାଷା ପ୍ରଚଳନ ପାଇଁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: