ଆମାନିଆଙ୍କୁ ନିଆରା ସଜା, ରାମ ନାମ ଭରସା..

ଆମାନିଆଙ୍କୁ ନିଆରା ସଜା, ରାମ ନାମ ଭରସା..

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ବଢୁଥିବା କରୋନା ଚେନରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । ତଥାପି କେତେକ ଅମାନିଆ ବିଭିନ୍ନ ଆଳ ଦେଖାଇ ଘରୁ ବାହାରି ପଦାରେ ବୁଲୁଛନ୍ତି । ତେବେ ସେହି ଅମାନିଆଙ୍କୁ ସାବଡ଼ା କରିବା ପାଇଁ ପୋଲିସ ବା ପ୍ରଶାସନ ପକ୍ଷରୁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ତେବେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଲକଡାଉନ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଏକ ଭିନ୍ନ ପ୍ରକାର ଦଣ୍ଡ ମିଳୁଛି । ଏଠାରେ କରୋନା ଗାଇଡଲାଇନ ଉଲ୍ଲଂଘନକାରୀ ପ୍ରଭୁ ରାମଙ୍କ ନାମ ଶହ ଶହ ଥର ଲେଖୁଛନ୍ତି ।

   ପୋଲିସ୍ ସବ୍ ଇନ୍ସପେକ୍ଟର ସନ୍ତୋଷ ସିଂହ କହିଛନ୍ତି ଯେ, ଯେଉଁମାନେ ନିୟମ ଭାଙ୍ଗନ୍ତି ସେମାନଙ୍କୁ ଆମେ ଏକ ରାମ-ନାମ ଲେଖିବା ବୁକଲେଟ୍ ଦେଇଥାଉ, ଯେଉଁଥିରେ ସେମାନଙ୍କୁ ଶ୍ରୀ ରାମଙ୍କ ନାମ ଏକାଧିକ ଥର ଲେଖିବାକୁ ପଡିଥାଏ। ସତନାର ଏହି ଖବର ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ମାତ୍ରେ ଅନେକ ଲୋକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ । କେହି କେହି ଏହାକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଦଣ୍ଡ ଦେବା ପାଇଁ ଅନ୍ୟ ପଦ୍ଧତି ଗ୍ରହଣ କରିବାକୁ ପୋଲିସକୁ ପରାମର୍ଶ ଦେଇଛନ୍ତି।

    ଉଲ୍ଲେଖନୀୟ କଥା ହେଉଛି, ଜିଲ୍ଲାରେ ପୁଣି ଥରେ କରୋନା କର୍ଫ୍ୟୁ ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି। ଶନିବାର ଅନୁଷ୍ଠିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକରେ ମେ ୨୩ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କରୋନା କର୍ଫ୍ୟୁ ମେ ୬ ରାତି ୧୧ଟା ପର୍ଯ୍ୟନ୍ତ ଥିଲା। ତେବେ ସଂକ୍ରମଣରେ ୫ ସ୍ଥାନରେ ଥିବା ମଧ୍ୟପ୍ରଦେଶ ଲକଡାଉନ୍ ପରେ ୧୫ ତମ ସ୍ଥାନକୁ ଆସିଛି । ଦୈନିକ ସଂକ୍ରମଣ ସଂଖ୍ୟା କମୁଛି। ତେବେ ଏହିଭଳି ସମୟରେ ଲକଡାଉନ୍ ନିୟମ ଭାଙ୍ଗିଥିବା ଲୋକଙ୍କୁ ଶାରୀରିକ ବା ଆର୍ଥିକ ଦଣ୍ଡ ଦେବା ଅପେକ୍ଷା ରାମ ନାମ ଲେଖିବାକୁ ଦେବା ଏକ ପ୍ରଭାବଶାଳୀ ଉପାୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହା ମାନସିକ ଶାନ୍ତି ଦେବ ବୋଲି କେତେକ ଲୋକ କମେଣ୍ଟରେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: