ଭାରତର ଏକ ମାତ୍ର ଅପରାଧ ମୁକ୍ତ ଗାଁ, ୪୦ ବର୍ଷ ହେଲା ଥାନାକୁ ଯାଇନି ଗୋଟେ ବି ଏତଲା

ଭାରତର ଏକ ମାତ୍ର ଅପରାଧ ମୁକ୍ତ ଗାଁ, ୪୦ ବର୍ଷ ହେଲା ଥାନାକୁ ଯାଇନି ଗୋଟେ ବି ଏତଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଆଜିକା ସମୟରେ ଲୋକ ଏତେ ଅସହିଷ୍ଣୁ ହୋଇ ପଡିଲେଣି ଯେ ଛୋଟ ଛୋଟ କଥାରେ ହାତାହାତି ହେଉଛନ୍ତି। ପ୍ରତିଦିନ ଥାନାରେ ଶହ ଶହ ଅପରାଧିକ ମାମଲା ରୁଜୁ ହେଉଛି। କିଏ କାହାକୁ ମରିଲା ତ କିଏ କାହା ଜାଗା ମାଡ଼ି ବସିଲା। ଏମିତି କୁଢ଼ କୁଢ଼ ମାମଲା ଥାନାରେ ଗଦା ହେଉଛୁ। ତେବେ ଭାରତର ତେଲଙ୍ଗାନାର ଏକ ଗାଁ ଅଛି ଯେଉଁଠି ଗତ ୪୦ ବର୍ଷ ହେବ ଗାଁରୁ ଗୋଟିଏ ବୁ ମାମଲା ଥାନାରେ ରୁଜୁ ହୋଇନାହିଁ । ବିଶ୍ୱାସ ନହେଲେ ବି କଥାଟି ସତ। ଗାଁର ନାଁ ର‌ରାଗତ୍‌ଲାପାଲ୍ଲି। ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ଭିକନୁର ମଣ୍ଡଳରେ ଅବସ୍ଥିତ ଏହି ଗାଁର ଜନସଂଖ୍ୟା ୯୩୦ ହୋଇଥିବା ବେଳେ ଏଠାରେ ମୋଟ ୧୮୦ ପରିବାର ବସକଟନ୍ତି। ତେବେ ନିକଟରେ କାମାରେଡ୍ଡୀ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଅଫ୍‌ ଫାର୍ଷ୍ଟ କ୍ଲାସ୍‌ ଓ ଡିଷ୍ଟ୍ରିକ୍ଟ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ଚେୟାରମ୍ୟାନ୍‌ ଜଷ୍ଟିସ୍‌ ଶ୍ରୀଦେବୀ ଏହି ଗାଁକୁ ‘ଅଭିଯୋଗମୁକ୍ତ ଗାଁ’ ଘୋଷଣା କରିଛନ୍ତି ।

ସେତିକି ନୁହେଁ, ଗତ ସ୍ୱାଧୀନତା ଦିବସ ଅବସରରେ ଗାଁର ପ୍ରଶାସନିକ କମିଟିର ପ୍ରତିନିଧିମାନଙ୍କୁ ସେ ଅଭିଯୋଗମୁକ୍ତ ଗାଁର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗମୁକ୍ତ ଗାଁର ଶ୍ରେୟ ସମଗ୍ର ଗ୍ରାମବାସୀଙ୍କୁ ଯାଏ । କାରଣ ଗତ ୪୦ ବର୍ଷ ଧରି ଏଠାକାର ଲୋକେ ଗାଁ ମୁଖିଆଙ୍କ ପାଖକୁ ଯାଇ ନିଜ ନିଜ ସମସ୍ୟା ସମାଧାନ କରୁଛନ୍ତି । କାମାରେଡ୍ଡୀ ଏସ୍‌ପି ଶ୍ରୀନିବାସଙ୍କ କହିବା ଅନୁସାରେ, ରେକର୍ଡ ଅନୁସାରେ ଗାଁରେ ଗୋଟିଏ ବି ଘରୋଇ ହିଂସା ଓ ଅନ୍ୟ ମାମଲା ଗ୍ରାମବାସୀଙ୍କ ତରଫରୁ ଥାନାକୁ ଆସିନାହିଁ । ଦୀର୍ଘ ବର୍ଷ ଧରି ଗୋଟିଏ ବି ଅଭିଯୋଗ କରିନଥିବାରୁ ଗାଁକୁ ନେଇ ସେ ବେଶ ଖୁସି ।ଗାଁର ମୁଖିଆମାନଙ୍କ ଅନୁସାରେ, ଗ୍ରାମବାସୀଙ୍କ ମଧ୍ୟରେ ମଦ୍ୟପାନକୁ ନେଇ କଳି ଝଗଡ଼ାର ଆଶଙ୍କା ଥିଲା। ସେଥିପାଇଁ ଗତ ୧୨ ବର୍ଷ ଧରି ମଦ ବ୍ୟବସାୟ କରିଆସୁଥିବା ଗାଁର ଏକ ମାତ୍ର ଦୋକାନକୁ ନିକଟରେ ବନ୍ଦ କରି ଦିଆଯାଇଛି । ଆହୁରି ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଯଦି କେହି ମଦ ବିକ୍ରି କରେ, ତେବେ ଗାଁର ପ୍ରଶାସନିକ କମିଟିକୁ ତାକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଗାଁରେ ୬୩ ଜଣିଆ ସଦସ୍ୟବିଶିଷ୍ଟ ଏକ ବରିଷ୍ଠ ନାଗରିକ କମିଟି ରହିଛି। ବରିଷ୍ଠ ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ହେଲେ, କମିଟି ତା’ର ସମାଧାନ କରେ । ଘରକୁ ଘର ବୁଲି ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ମଧ୍ୟରେ ସମସ୍ୟା ମଧ୍ୟ ଏମାନେ ତୁଟାଉଛନ୍ତି । ଚାଷ ଉପରେ ପୂର୍ଣ୍ଣ ନିର୍ଭରଶୀଳ ଏହି ଗାଁର ଲୋକେ ନିକଟସ୍ଥ ବଜାରରେ ପରିବା ବିକ୍ରି କରି ନିଜକୁ ଆର୍ଥିକ ସ୍ବାବଲମ୍ବୀ କରୁଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରା ଭାବ ଗାଁକୁ ବିକସମୁଖି କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: