୧ ମିନିଟ୍‌ ବିଳମ୍ବ ପାଇଁ କମ୍ପାନୀ  କାଟିଦେଲା ଦରମା

୧ ମିନିଟ୍‌ ବିଳମ୍ବ ପାଇଁ କମ୍ପାନୀ କାଟିଦେଲା ଦରମା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଭାରତରେ ଟ୍ରେନ ଘଣ୍ଟା ଘଣ୍ଟା ଧରି ବିଲମ୍ୱ ହେଲେ କିଛି ଫରକ ପଡେନି, ଏଠି ଫ୍ଲାଇଟ ମଧ୍ୟ ବିଳମ୍ବ ହେଲେ କାହାର କିଛି ଯାଏ ଆସେ ନାହିଁ। ହେଲେ ଜାପାନୀମାନେ ଅତ୍ୟନ୍ତ ସମୟାନୁବର୍ତ୍ତି । ଯାହାକି ସେମାନଙ୍କ ସଫଳତାର ବଡ କାରଣ ମଧ୍ୟ କୁହାଯାଏ। କିନ୍ତୁ ଗୋଟେ ମିନିଟ୍ ଟ୍ରେନ ଡେରି ହେବାରୁ ଜଣେ ଚାଳକଙ୍କ ଚାକିରି ପଳେଇଛି। ଖବର ଅନୁଯାୟୀ ଜାପାନ୍‌ରେ ଟ୍ରେନ୍‌ ପହଞ୍ଚିବାକୁ ମାତ୍ର ୧ ମିନିଟ୍‌ ବିଳମ୍ବ ହେବାରୁ କମ୍ପାନୀ ଅଧିକାରୀ ରାଗିଯାଇ ଟ୍ରେନ୍‌ ଡ୍ରାଇଭରଙ୍କ ୫୬ ପାଉଣ୍ଡ ଅର୍ଥାତ୍ ପ୍ରାୟ ୫୦୦୦ ଟଙ୍କାରୁ ଅଧିକ ଟଙ୍କା କାଟିଦେଇଥିଲେ। ପଶ୍ଚିମ ଜାପାନ ରେଲୱେ କମ୍ପାନୀ ଏଭଳି କରିଛି।ଜାପାନର ଟ୍ରେନ୍‌ ଯାତାୟତ ସିଷ୍ଟମ ସଠିକ୍‌ ଟାଇମିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଟ୍ରେନ୍‌ ବିଳମ୍ବରେ ପହଞ୍ଚିବା ଭଳି ଘଟଣା ବେଶ୍‌ ଦୁର୍ଲଭ। ୧ ମିନିଟ୍‌ ବି ଟ୍ରେନ୍‌ ବିଳମ୍ବ ହେବା ଜାପାନରେ ଚର୍ଚ୍ଚାର ବିଷୟ ପାଲଟିଯାଏ। ତେବେ ଏହା ବିରୋଧରେ ଚାଳକ ଜଣକ କୋର୍ଟର ଦ୍ବାରସ୍ଥ ହେବା ସହ ୧୪,୩୦୦ ପାଉଣ୍ଡ ଅର୍ଥାତ୍, ୧୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଜୁନ୍‌ ୧୮ ତାରିଖରେ ଡ୍ରାଇଭର ଜଣକ ଓକାୟାମା ଷ୍ଟେସନରୁ ଏକ ଖାଲି ଟ୍ରେନ୍ ନେଇ ବାହାରିଥିଲା। ଏହି ସମୟରେ ହଠାତ୍ ଚାଳକ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଜଣେ ଜୁନିଅର ଡ୍ରାଇଭରଙ୍କୁ ଦାୟିତ୍ୱ ଦେଇ ବାଥରୁମକୁ ଚାଲି ଯାଇଥିଲେ। କିନ୍ତୁ ଜୁନିଅର ଡ୍ରାଇଭର ଜଣକ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ନେବା କାରଣରୁ ଟ୍ରେନ୍ ଏକ ମିନିଟ୍ ବିଳମ୍ବ ହୋଇଥିଲା। ଅର୍ଥାତ୍ ଟ୍ରେନ୍ ଷ୍ଟେସନ ଛାଡିବା ଏବଂ ଗନ୍ତବ୍ୟ ସ୍ଥଳରେ ସମୟରେ ପହଞ୍ଚିବାରେ ଗୋଟିଏ ଗୋଟିଏ ମିନିଟ୍ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ପଶ୍ଚିମ ଜାପାନ ରେଳ କମ୍ପାନୀ ତାଙ୍କର ଜୁଲାଇ ମାସର ଦରମାରୁ ୫,୬୦୦ ଟଙ୍କା କାଟି ଦେଇଥିଲା।ଏହି ନିଷ୍ପତ୍ତି ବିରୋଧରେ ଚାଳକ ଜଣକ ଓକାୟାମା ଶ୍ରମ ମାନକ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ କମ୍ପାନୀ ଟ୍ରେନର ବିଳମ୍ବ ସମୟକୁ ଦୁଇ ମିନିଟରୁ ଏକ ମିନିଟକୁ ହ୍ରାସ କରି ଜରିମାନାକୁ ୨୮ ପାଉଣ୍ଡକୁ ହ୍ରାସ କରିଥିଲେ। କିନ୍ତୁ ଡ୍ରାଇଭର ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଟ୍ରେନ୍‌ ବିଳମ୍ବ ହେତୁ ସମୟ ନିର୍ଘଣ୍ଟରେ କୌଣସି ବ୍ୟାଘାତ ଘଟି ନାହିଁ ବୋଲି ଯୁକ୍ତି କରିଥିଲେ। ଏହାପରେ ଟ୍ରେନ୍ ଚାଳକ ଜଣକ ଏହି ମାମଲାକୁ ଓକାୟାମା ଜିଲ୍ଲା କୋର୍ଟକୁ ନେଇଥିଲେ। ଏକ ମିନିଟ୍ ବିଳମ୍ବ ପାଇଁ ତାଙ୍କ ଉପରେ ଲଗାଯାଇଥିବା ଜରିମାନା ବିରୋଧରେ ସେ କ୍ଷତିପୂରଣ ଦାବି କରିଥିଲେ। ତାଙ୍କ ଭାବମୂର୍ତ୍ତି, ଓଭରଟାଇମ୍ କଟ୍, ମାନସିକ ଯନ୍ତ୍ରଣା, ଚାକିରିରେ ଅସୁବିଧା ଇତ୍ୟାଦି ବିଷୟରେ ସେ କମ୍ପାନୀରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।ତେବେ ଦରମା କାଟ କରିବା ନେଇ କମ୍ପାନୀ ତାର ‘କୌଣସି କାମ ନାହିଁ ତ, ବେତନ ନାହିଁ ‘ ନୀତି ଦର୍ଶାଇଥିଲା। ଅନ୍ୟପକ୍ଷରେ ଡ୍ରାଇଭର କମ୍ପାନୀକୁ ମାନବିକ ତ୍ରୁଟି ପାଇଁ ବେତନକୁ ନିଷେଧାଦେଶ ଭାବରେ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଏବଂ ସାମାନ୍ୟତମ ଭୁଲକୁ ଚୁକ୍ତିନାମା ଉଲ୍ଲଂଘନ ବୋଲି ଧରାଯିବା ଉଚିତ୍ ନୁହେଁ। ବର୍ତ୍ତମାନ ସୁଦ୍ଧା କୋର୍ଟରେ ଏହି ମାମଲା ଚାଲିଛି। ତେବେ ଘଟଣାଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: