ଶିଶୁ କବିତା : ବାପା

ଶିଶୁ କବିତା : ବାପା

(ସୁପ୍ରିୟା ପଣ୍ଡା): ତୁମ ହାତ ଧରି ଶିଖିବି ମୁଁ ଚାଲି
ପଡ଼ୁ ପଡ଼ୁ ପୁଣି ଉଠିବି
ଟିକି ମନରେ ମୋ ଟିକି ଭାବନାଟେ
ତୁମ ସ୍ୱପ୍ନ ପୁରା କରିବି ।

କୁନି ପାଦ ମୋର ଥକି ଗଲେ କେବେ
ତୁମେ ହେବ ମୋର ଆଶରା
ତୁମ କାନ୍ଧ ମୋର ପକ୍ଷୀରାଜ ଘୋଡ଼ା
ଦେଖିବାକୁ ଯାନି ଯାତରା।

ତୁମେ ଥିଲେ ବାପା କିଛି ଡର ନାହିଁ
ସବୁ ଦୁଃଖ ସୁଖ ହୋଇବ
ତୁମ ସେନେହର ଅନୁଶାସନରେ
ଭଲ ବାଟ ମତେ ଦିଶିବ।

ଯଦି କେବେ ପଥ ହୁଡିଯିବି ମୁହିଁ
ଟାଣିନେବ ତୁମ ହାତେ
ଧନ ଦୌଲତ ଲୋଡ଼ା ନାହିଁ ମୋର
ସୁଖ ତୁମେ ଥିଲେ ସାଥେ ।

ଦୁନିଆର ସବୁ ମିଛ ଯଦି ହୁଏ
ମନ ଊଣା ମୋର ନୋହିବ
ତୁମରି କୋଳରେ ପୃଥିବୀଟା ମତେ
ଚିରନ୍ତନ ସତ୍ୟ ଲାଗିବ।

ତୁମ ଭାବନାରେ ଭବିଷ୍ୟତ ମୋର
ତୁମେ ମୋ ପାଇଁ ଈଶ୍ୱର
ଆକାଶ ପରି ମୋ ଭକ୍ତି ଭାବ ହେଉ
ପୂଜୁଥିବି ତୁମ ପୟର।

(ରସୁଲଗଡ଼ , ଭୁବନେଶ୍ୱର)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: