ସୁଧା ଭାରଦ୍ବାଜଙ୍କୁ ବଡ଼ ଆଶ୍ବସ୍ତି

ସୁଧା ଭାରଦ୍ବାଜଙ୍କୁ ବଡ଼ ଆଶ୍ବସ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭୀମା କୋରେଗାଓଁ ମାମଲାରେ ସାମାଜିକ କର୍ମୀ ସୁଧା ଭାରଦ୍ବାଜଙ୍କୁ ବଡ଼ ଆଶ୍ବସ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଅପିଲକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ସୁଧାଙ୍କ ଜାମିନକୁ କାଏମ୍ ରଖିଛନ୍ତି। ଫଳରେ ତାଙ୍କୁ ବୁଧବାର ଜାମିନ ମିଳିବା ନେଇ ରାସ୍ତା ସଫା ହୋଇଯାଇଛି। ତାଙ୍କ ବିରୁଦ୍ଧରେ NIA କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ତତ୍‌ସହିତ ବମ୍ବେ ହାଇକୋର୍ଟଙ୍କ ଜାମିନ ଶୁଣାଣି ଉପରେ ସର୍ବୋଚ୍ଚ ଅଦାଲତ ମୋହର ଲଗାଇଛନ୍ତି। ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ବେଲା ତ୍ରିବେଦୀଙ୍କ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ, ବମ୍ବେ ହାଇକୋର୍ଟ ଜାମିନ ଅନୁମତି ଦେଇ ସାରିବା ପରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ନାହିଁ। ଡିସେମ୍ବର ୧ ତାରିଖରେ ବମ୍ବେ ହାଇକୋର୍ଟ ସୁଧା ଭାରଦ୍ବାଜଙ୍କୁ ଜାମିନ ପ୍ରଦାନ କରିଥିଲେ। ତଳ ଅଦାଲତ ନିକଟରେ କୌଣସି କ୍ଷମତା ନ ଥିବା ସତ୍ତ୍ବେ UAPA ଆଧାରରେ ସୁଧାଙ୍କୁ ଅଧିକ ସମୟ ଧରି ଅଟକ ରଖିବାକୁ ଅନୁମତି ଦିଆଯାଇଥିଲା। ଏହାକୁ ନେଇ ହାଇକୋର୍ଟ ମଧ୍ୟ କ୍ଷୋଭପ୍ରକାଶ କରିଥିଲେ। NIA ସ୍ବତନ୍ତ୍ର କୋର୍ଟ ହୋଇ ନ ଥିଲେ ଜଣେ ଅଭିଯୁକ୍ତଙ୍କୁ ୯୦ ଦିନ ପରେ ଛାଡ଼ି ଦିଆଯିବା କଥା। କିନ୍ତୁ ସେସନ୍ସ କୋର୍ଟ ତାହା କରି ନ ଥିଲେ। ସେଥିପାଇଁ ତାଙ୍କୁ ଜାମିନ ମିଳିବା ଜରୁରୀ ବୋଲି କୋର୍ଟ କହିଥିଲେ। ତେବେ ଭୀମା କୋରେଗାଓଁ ମାମଲାରେ ଜେଲରେ ଥିବା ୧୬ ଜଣ ସାମାଜିକ କର୍ମୀଙ୍କ ମଧ୍ୟରୁ ସୁଧା ଭାରଦ୍ବାଜ ହେଉଛନ୍ତି ପ୍ରଥମ ଅଭିଯୁକ୍ତ, ଯାହାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କବି ଏବଂ ସାମାଜିକ କର୍ମୀ ବାରବରା ରାଓ ଏବେ ମିଡେକାଲ ବେଲରେ ବାହାରେ ଅଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଷ୍ଟାନ ସ୍ବାମୀଙ୍କ ଦେହାନ୍ତ ଚଳିତବର୍ଷ ଜୁଲାଇ ୫ ତାରିଖରେ ହୋଇ ସାରିଛି। ଚିକିତ୍ସା ପାଇଁ ମେଡିକାଲ ଜାମିନ ପାଇଁ ଆବେଦନ କରି କରି ସେ ଶେଷରେ ଆଖି ବୁଜି ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: