ନିଷିଦ୍ଧ ‘ମେରିଆ’ର କାହାଣୀ, ଯେଉଁଠି ମାଟି ମାଗୁଥିଲା ରକ୍ତ

ରାକେଶ ଦାସ: ଇତିହାସ, କେତେବେଳେ ସେ ଆତତାୟୀର ତୀକ୍ଷ୍ଣ ତରବାରୀର ରକ୍ତ ରଞ୍ଜିତ କାହାଣୀକୁ ସ୍ଥାନିତ କରିଛି ତ ଆଉ କେତେବେଳେ କରୁଣା, ଦୟା ଓ ପ୍ରେମର କାହାଣୀକୁ ନିଜ ପାଖରେ ସାଉଁଟି ଧରିଛି। ସଭ୍ୟତାର ବୀଜ ବୁଣିଥିବା ଆମ ପୂର୍ବପୁରୁଷମାନଙ୍କ ଇତିହାସ ଓ ସଂସ୍କୃତି ଅତୀବ ସୁଦୃଢ଼ ଥିଲା। କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ସମାଜ ପରିପୂର୍ଣ୍ଣ ଥିଲା। ସରଳମୟ ଜୀବନ ଯାପନ ଲୋକମାନଙ୍କ ପ୍ରାଥମିକତା ଥିଲା । ଏତେସବୁ ସରଳତା ଭିତରେ କେଉଁଠି ନା କେଉଁଠି ଜଟିଳତା ଓ ଅନ୍ଧବିଶ୍ୱାସର ପ୍ରତିଛବି ଲୁଚି ରହିଥିଲା। ଧାର୍ମିକ ଭାବନାର ଦ୍ୱାହି ଦେଇ ଅନେକ କୁସଂସ୍କାର ଯଥା- ସତୀଦାହ ପ୍ରଥା, ମେରିଆ ବଳି ଓ ଶିଶୁ ବଳ୍ ଇତ୍ୟାଦି ପ୍ରଚଳିତ ହୋଇ ଆସୁଥିଲା। ସାରା ଦେଶର ଭିଭିନ୍ନ ଅଞ୍ଚଳରେ ଉଣା ଅଧିକେ ଅନ୍ଧବିଶ୍ୱାସ, ନିଜର ପତିଆରା ଜାହିର କରିଥିବା ବେଳେ ଓଡ଼ିଶାରେ ଏହାର ମାତ୍ରା ବ୍ୟାପକ ଥିଲା, ବିଶେଷ କରି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ମେରିଆ ବଳି ଦେଖିବାକୁ ମିଳୁଥିଲା। ଓଡ଼ିଶାରେ ମୋଟ ଜନସଂଖ୍ୟାର ଶତକଡ଼ା ୨୨.୧ ପ୍ରତିଶତ ଜନଜାତି ରହିଥିବା ବେଳେ ସାରା ଦେଶରେ ଏହାର ଶତକଡ଼ା ୯.୭ ପ୍ରତିଶତ ରହିଛି। ଓଡ଼ିଶାରେ ଥିବା ମୋଟ ଜନଜାତିକୁ ଏଥୋନ୍ ଲିଙ୍ଗୁଷ୍ଟିକାଲୀ (ଜାତିଗତ ଭାଷା ଭିତ୍ତିରେ) ସାରା ଓଡ଼ିଶାର ଜନଜାତିକୁ ତିନି ଭାଗରେ ବିଭକ୍ତ କରାଯାଇଛି। ମୁଣ୍ଡା (ଅଷ୍ଟ୍ରୋ-ଆସିଆଟିକ୍ ଗ୍ରୁପ) ଯେଉଁଠି କି ଶବର, ଲାଞ୍ଜିଆ, ଝୁଡ଼ିଆ,ବଣ୍ଡା,ଅର୍ସି, ଗୁଡୁମ। ସେହିଭଳି ଦ୍ରାବିଡ଼-ଇଣ୍ଡୋ ଆରିୟାନ ସମୁଦାୟରେ ପରଜା, କୁଇ (କନ୍ଧ-କୁଟିଆ, ଡଙ୍ଗରିଆ) କନ୍ଧ, ଓଲରି, ଗୁଣ୍ଡି ଭଳି ଆଦିମ ଜନଜାତି ଦେଖିବାକୁ ମିଳିଥାଏ।


pic credit-Major General John Campbell, Author

ମେରିଆ ନର ବଳିର ଉତ୍ପତ୍ତି:
ସେମାନେ ପ୍ରକୃତି କୋଳରେ ବାସ କରନ୍ତି, ବନ ପାହାଡ଼ ଘେରା ଜଙ୍ଗଲ ସେମାନଙ୍କ ପାଇଁ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆନୁଷ୍ଠାନିକ ଶିକ୍ଷା ଠାରୁ ବହୁ ଦୂରରେ ଥିବା କନ୍ଧ ସମ୍ପ୍ରଦାୟର ଲୋକମାନେ ମେରିଆ ଭଳି ଏକ କୁତ୍ସିତ ପରମ୍ପରାକୁ ପାଳନ କରି ଆସୁଥିଲେ। ମେରିଆ ଶବ୍ଦଟି କନ୍ଧମାନଙ୍କ କଥିତ ଶବ୍ଦ ‘ମେର୍ଭି’ ରୁ ଆସିଥିବା ବେଳେ ଏହାର ମୂଳ ଶବ୍ଦ ହେଲା ‘ମେର୍ଭିପନ୍ନୁ’ (ମାଟି ମା’)। ମେରିଆ ଏକ ନର ବଳି ପ୍ରଥା, ଯେଉଁଠି ଚାଷ ଜମିର ଉର୍ବରତା ପାଇଁ ମନୁଷ୍ୟକୁ ବଳି ଦିଆଯାଇଥାଏ। ବଞ୍ଚିରହିବାକୁ ହେଲେ ଖାଦ୍ୟ ଲୋଡ଼ା,ଖାଦ୍ୟ ପାଇଁ ଚାଷଲୋଡ଼ା ଆଉ ଚାଷ ପାଇଁ ଉର୍ବର ମାଟି ଲୋଡ଼ା। ଉର୍ବର ମାଟି ସେତେବେଳ ମିଳିପାରିବ, ଯେତେବେଳେ ମେର୍ଭିପନ୍ନୁ(ମାଟି ମା’) ଉପରେ ମଣିଷ ରକ୍ତର ଛିଟା ପଡ଼ିବ, ଏଭଳି ବିଶ୍ୱାସ ରଖନ୍ତି କନ୍ଧ ଜନଜାତିର ଲୋକମାନେ। ମୁଖ୍ୟତଃ ସେମାନେ ହଳଦୀ, ମହୁଲ, ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଅଧିକରୁ ଅଧିକ ଅମଳ କରିବା ପାଇଁ ‘ମେର୍ଭିପନ ମା’ କୁ ଖୁସି କରିବାକୁ ଯାଇ ମେରିଆ ବଳି ଦେଇଥାନ୍ତି । ଏହାସହ ସମସ୍ତ ପ୍ରକାର ରୋଗ ବ୍ୟାଧି ଏବଂ ହିଂସ୍ର ଜୀବଜନ୍ତୁ ଠାରୁ ରକ୍ଷା ପାଇବା ପାଇଁ ସେମାନେ ମାଟି ମା’ ଠାରେ ନିବେଦନ କରନ୍ତି।

ପ୍ରଥା ପରମ୍ପରା ଉପରେ ବିଶ୍ୱାସ କରି ଆସୁଥିବା କନ୍ଧ ସମ୍ପ୍ରଦାୟ ଲୋକମାନଙ୍କ ମେରିଆ ବଳି ଦେବାପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଥାଏ। ମେରିଆ ବଳି ପାଇଁ ସାଧାରଣତଃ, ବ୍ରାହ୍ମଣ ଓ କନ୍ଧ ଆଦିବାସୀଙ୍କୁ ଛାଡ଼ିଦେଲା ପରେ ଅନ୍ୟ ସମସ୍ତ ଲୋକମାନଙ୍କୁ ଗ୍ରହଣ କରାଯାଏ। ଏହି ବଳି ପରମ୍ପରାଟି ମୁଖ୍ୟତଃ ଚାଷ କାର୍ଯ୍ୟ ଆରମ୍ଭରୁ ସମ୍ପାଦନ ହୋଇଥାଏ । ନିମ୍ନ ସ୍ତରର ହିନ୍ଦୁ ଜାତିର ଲୋକମାନଙ୍କୁ ମେରିଆ ସଂଗ୍ରହ କରିବାକୁ ଟଙ୍କା ଦିଅଯାଏ। ଏହି ବଳି ଲାଗି ଶିକାର ହେଉଥିବା ଲୋକମାନଙ୍କୁ ଅପହରଣ କରି ଅଣାଯାଇଥାଏ। ସେମାନଙ୍କୁ ୧୫ ରୁ ୧୦୦ ଟଙ୍କା ମଧ୍ୟରେ କିଣାଯାଏ। ମେରିଆ ବଳିକୁ ସମ୍ପନ୍ନ କରିବା ପାଇଁ ଉକ୍ତ ସମ୍ପ୍ରଦାୟର ଜଣେ ପୁରୋହିତ ଥାଆନ୍ତି ଯାହାକୁ “ଜାନି” ବୋଲି କୁହାଯାଏ। ବନ୍ଦୀ କରିବାର ଦ୍ୱାଦଶ ଦିନରେ ପ୍ରଥମେ ମେରିଆର ମସ୍ତକ ମୁଣ୍ଡନ କରାଯାଏ, ବଳି ଦେବାର ଗୋଟିଏ ଦିନ ପୂର୍ବରୁ ତାକୁ ନୂତନ ବସ୍ତ୍ର ପରିଧାନ କରାଯାଇଥାଏ। ଏକ ନିକଟବର୍ତ୍ତୀ ଗାଁ କୁ ନିଆଯାଇ ନିଜର ଶେଷ ଇଚ୍ଛା ପୂରଣ ପାଇଁ ଆଦେଶ ଦିଆଯାଏ, ଏମିତିକି ସେ ଇଚ୍ଛା କରୁଥିବା ନାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥାଏ। ବଳି ପକାଇବାର ଶେଷ ଦିନରେ ଗାଁ ନିକଟବର୍ତ୍ତୀ ଏକ ଜଙ୍ଗଲକୁ ନିଆଯାଏ ଏବଂ ସେଠାରେ ମେରିଆକୁ ତେଲ, ହଳଦୀରେ ସମ୍ପୂର୍ଣ୍ଣ ଶରୀରକୁ ଲେପନ କରାଯାଏ ଏବଂ ପରିଶେଷରେ ଏକ ନୂତନ ବସ୍ତ୍ର ସହିତ ଗଳାରେ ଫୁଲମାଳ ସଜ୍ଜିତ କରାଯାଏ। ଏସବୁ ବିଧି ସମ୍ପନ୍ନ ହେବାପରେ ଶେଷରେ ତାକୁ ମାଟି ମେର୍ଭିପନ୍ନୁଙ୍କ ପାଖକୁ ନିଆଯାଇଥାଏ ଏବଂ ସେଠାରେ ସମ୍ପୂର୍ଣ୍ଣ ଗୋଟିଏ ରାତି ବାଉଁଶରେ ରଖାଯାଏ। ପରଦିନ ସକଳୁ ଜାନୀ ପୂଜାପାଠ ଆରମ୍ଭ କରି ପ୍ରଥମେ ଶରୀର ଅସ୍ତ୍ରଘାତ କରି ମାଟି ମା’କୁ ରକ୍ତର ସ୍ୱାଦ ଚଖାଇଥାଏ, ପରେ ସେହି ସମ୍ପ୍ରଦାୟର ସାଧାରଣ ଲୋକମାନେ ମେରିଆର ମୁଣ୍ଡ ଭାଗକୁ ଛାଡ଼ି କାଟିଥାନ୍ତି। ଅନେକ ସମୟରେ ମେରିଆକୁ ଉକ୍ତ ସ୍ଥାନରେ ଛାଡ଼ି ଦିଆଯାଉଥିବା ବେଳେ ଅନ୍ୟ କିଛି ସ୍ଥାନରେ ଏହାକୁ କବର ଦିଆଯାଉଥିଲା। ଏହିଭଳି ମଣିଷ ବଳିର ପରମ୍ପରା ସାଧାରଣତଃ, ସୋନପୁର,କଳାହାଣ୍ଡି ,କୋରାପୁଟ, ଜୟପୁର, ବୌଦ୍ଧ, ଚିନାକମେଡି, ବସ୍ତର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଦେଖାଯାଇଥାଏ। ତେବେ ମେରିଆ ନର ବଳିକୁ ପ୍ରଥମେ ବ୍ରିଟିଶ ସରକାର ଜି. ଇ ରୁଷଲ ୧୮୩୬ ମସିହାରେ ଲୋକଲୋଚନକୁ ଆଣିଥିଲେ। ଘୁମୁସର କନ୍ଧ ବିଦ୍ରୋହକୁ ଦମନ କରିବା ପାଇଁ ଯାଉଥିବା ବେଳେ ମେରିଆ ଭଳି ଏକ ବର୍ବରୋଚିତ ପ୍ରଥାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ସେ ବ୍ରଟିଶ ପାର୍ଲିଆମେଣ୍ଟରେ ନିଜର ମତ ଉତ୍ଥାପନ କରିଥିଲେ। ସମୟ କ୍ରମେ ବ୍ରଟିଶ ସରକାର ଏହାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବିଭିନ୍ନ ବିଧି ବ୍ୟବସ୍ଥା ପ୍ରଣୟନ କରିଥିଲେ। ବିଂଶ ଶତାବ୍ଦୀରେ ମଧ୍ୟ ଭାଗରେ ବେଳେବେଳେ ଦେଖା ଯାଉଥିବା ମେରିଆ ବଳି ୧୮୫୧ରେ ବ୍ରିଟିଶ ସରକାର ଆଇନ ବଳରେ ନିଷିଦ୍ଧ ଘୋଷଣା କରାଯାଇଥିଲା ।

(ଲେଖକ ଜଣଙ୍କ ପ୍ରତ୍ନତତ୍ତ୍ୱ ଉପରେ ଗବେଷଣା କରୁଛନ୍ତି)

Leave a Reply

Your email address will not be published.