୫୫ଲକ୍ଷ ଟନ୍‍ ଧାନ ସଂଗ୍ରହ, ବିରୋଧୀ ନାଖୁସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ମାସ ୧୯ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍‍ ୫୫ଲକ୍ଷ ୩ହଜାର ଟନ୍‍ ଧାନ କିଣାଯାଇଛି । ଗତ ଖରିଫ ଋତୁରେ ଫେବୃୟାରୀ ୧୯ାତରିଖ ସୁଦ୍ଧା ୪୫.୬୧ଲକ୍ଷ ଟନ୍‍ ଧାନ କିଣାହୋଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଧାନ କିଣା ସଂକ୍ରାନ୍ତରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଶୂନ୍ୟକାଳରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାନସଂଗ୍ରହରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ଖରିଫରେ ସର୍ବମୋଟ୍‍ ୫୩.୩୧ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଖରିଦ ହୋଇଥିବା ଧାନ ପରିମାଣ ଗତବର୍ଷର ମୋଟ୍‍ କ୍ରୟକୁ ଅତିକ୍ରମ କରିସାରିଲାଣି । ଏହାଛଡା ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି । ଗତ କାଲି ସୁଦ୍ଧା ପାଖାପାଖି ୧୦ଲକ୍ଷ ଚାଷୀ ଧାନ ବିକି ଛନ୍ତି ।

ବିଗତବର୍ଷ ଫେବୃଆରୀ ୧୯ ସୁଦ୍ଧା ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ୮.୨୩ଲକ୍ଷ ରହିଥିଲା ଓ ଧାନ ସଂଗ୍ରହ କାର୍ଯ୍ୟ ସରିବାବେଳକୁ ଚାଷୀଙ୍କ ସଂଖ୍ୟା ୯.୫୬ଲକ୍ଷ ରହିଥିଲା। ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଏକର ପ୍ରତି ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କୁଇଣ୍ଟାଲ ହିସାବରେ ଖରିଫ ଧାନ କିଣାଯାଉଛି । ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ଧାନ ବାବଦରେ ଚାଷୀମାନଙ୍କ ବ୍ୟାଙ୍କ୍‍ଖାତାକୁ ସିଧାସଳଖ ଭାବେ ୧୦,୨୮୧କୋଟି ଟଙ୍କା ପଠାଯାଇ ସାରିଲାଣି। ସଅଳ ଧାନ ଅମଳ ହୋଇଥିବା ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ଧାନ କ୍ରୟ କାର୍ଯ୍ୟ ପ୍ରାୟ ସରିଆସିଲାଣି । ଉପକୂଳ ଓ ଉତ୍ତର ଓଡିଶା ଜିଲ୍ଲାଗୁଡିକରେ ବର୍ତ୍ତମାନ ଧାନ କିଣା ସର୍ବୋଚ୍ଚ ସ୍ତରରେ ରହିଛି ଓ ଏହା ଆସନ୍ତା ମାର୍ଚ୍ଚ ୩୧ ତାରଖରେ ସମାପ୍ତ ହେବ। ଧାନ କିଣା ଦିବସର ୭ଦିନ ପୂର୍ବରୁ ପଞ୍ଜିକୃତ ଚାଷୀଭ୍‍କୁ ଧାନ ବିକ୍ରିର ତାରିଖ ଓ ପରିମାଣ ଆଦି ମୋବାଇଲ୍‍ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଜଣାଇ ଦିଆଯାଉଛି। ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ୧୮୬୮ ଟଙ୍କାରେ ଖରିଦ କରାଯାଉଥିବାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କିଣାଯାଉଛି । ଗତବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ନାମମାତ୍ର ଓ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।


ସେପଟେ କିନ୍ତୁ ମନ୍ତ୍ରୀଙ୍କ ବିବୃତିକୁ ନାପସନ୍ଦ କରିଛନ୍ତି ବିରୋଧୀ। ଗୃହ ବାହାରେ ଗାଉନ୍ ପିନ୍ଧି ପ୍ରତିବାଦ କରିଥିଲେ ବିଜେପି ବିଧାୟକ। ଏବେ ବି ମଣ୍ଡିରେ ଧାନ ପଡ଼ିଥିବାରୁ ବଳକା ଧାନ ଉଠାଣ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟ ଉତ୍ତର ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିନାହିଁ, ବିରୋଧ ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏଥିସହ ମୋସନ ଆକାରରେ ମୁଲତବି ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରଙ୍କୁ ଆହ୍ୱାନ କରିଛି। ଏଥିସହ ସରକାର ଆଲୋଚନା କରିବାକୁ ଭୟ କରି ପଳାୟନପନ୍ଥୀ ସାଜିଥିବା ହାତ ଦଳ କହିଛି।

%d bloggers like this: