ଶ୍ରୁତସଂକ୍ଷିପ୍ତ-ପଖାଳପ୍ରେମୀ ଓଡ଼ିଆ

ଏଇ ନିକଟରେ ଯାଇଛି ପଖାଳ ଦିବସ। ଏହାକୁ ନେଇ ଏହି ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ଶ୍ରୁତକୀର୍ତ୍ତି ତ୍ରିପାଠୀ

ପ୍ରିଜମ୍ ନ୍ୟୁଜ(ଶ୍ରୁତକୀର୍ତ୍ତି ତ୍ରିପାଠୀ): ପଖାଳ, କାହିଁ କେଉଁକାଳରୁ ଓଡିଶାବାସୀଙ୍କ ପ୍ରିୟ ଖାଦ୍ୟ l ସର୍ବପ୍ରଥମେ ପଖାଳକୁ ଖାଦ୍ୟ ରୂପେ କିଏ ବ୍ୟବହାର କରିଥିଲେ, ସେ କଥା ତ ଠିକ ରୂପେ ଜଣା ନାହିଁ ; ମାତ୍ର ଜଗନ୍ନାଥ ମନ୍ଦିରରେ ‘ପଖାଳ ଭୋଗ’ କଥା ଜଗନ୍ନାଥଙ୍କ ଅବସ୍ଥିତି କାଳରୁ ବୋଲି କହିଲେ ଭୁଲ ହେବ ନାହିଁ l ପଖାଳରେ ଆମ ଓଡିଶାବାସୀଙ୍କ ଭାରି ସରାଗ l ଧନୀରୁ ଗରିବ ସମସ୍ତେ ଏହାକୁ ଆଦରରେ ଆପଣେଇ ନେଇଛନ୍ତି l କିଏ ଚୁଲି ମୁଣ୍ଡରେ ବେଲାଏ ପଖାଳ ଖାଇ ଦିନ ଆରମ୍ଭ କରୁଛି ତ କିଏ ପଞ୍ଚତାରକା ଭୋଜନାଳୟରେ ଚୌକି ଟେବୁଲ ଉପରେ ବସି ଏହାର ମଜା ନେଉଛି l ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ରୂପେ ଧାନ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ଭାତ ଆମ ଓଡ଼ିଆଙ୍କର ପ୍ରଧାନ ଖାଦ୍ୟ l ତେଣୁ ଅର୍ଦ୍ଧାଧିକ ଓଡ଼ିଆଙ୍କ ଦୁଇ ଓଳି ଖାଇବା ଭିତରେ ଏବଂ ଏକ – ଚତୁର୍ଥାଂଶ ଙ୍କ ଗୋଟିଏ ଥର ଭୋଜନରେ ଭାତ ନିଶ୍ଚିତ ରୂପେ ମୁଖ୍ୟ l

ପଖାଳର ଚାହିଦା ପୂର୍ବରୁ ଥିଲେ ମଧ୍ୟ ଓଡ଼ିଶାରେ ” ପଖାଳ ଦିବସ ” ପାଳନ ହେବା ପରେ ଏହା ଏକ ଆକର୍ଷଣ ପାଲଟିଯାଇଛି l ଭଲକଥା, ପାଶ୍ଚାତ୍ୟ ଖାଦ୍ୟର ବହୁଳ ବ୍ୟବହାର ଭିତରେ ପଖାଳ ଯେ ଦିନେ ନିଶ୍ଚିହ୍ନ କିମ୍ବା ଅଲୋଡ଼ା ହୋଇ ଯାଇ ନ ଥାନ୍ତା, ସେ କଥା କିଏ କହିପାରିବ ! ତେଣୁ ସାରା ବିଶ୍ୱରେ ୨o୧୫ ମାର୍ଚ୍ଚ ୨o ରୁ ‘ ପଖାଳ ଦିବସ ‘ ପାଳନ କରିବା ପରଠାରୁ ସମସ୍ତଙ୍କ ପଖାଳ ପ୍ରତି ଅହେତୁକ ଭଲ ପାଇବା ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି l

ଏବେ ତ ପଖାଳ ହ୍ଵାଟ୍ସଆପ, ଫେସବୁକ ଆଦି ସାମାଜିକ ଗଣମାଧ୍ୟମ ରୁ ଆରମ୍ଭ କରି ଖବରକାଗଜ, ଟେଲିଭିଜନ ସବୁଠି ନିଜର ପ୍ରଚାର ପ୍ରସାର ବିସ୍ତାରି ଚାଲିଛି l ଲୋକଙ୍କ ଆଦର ଅନୁଯାୟୀ ଛୋଟରୁ ବଡ଼ ସବୁ ହୋଟେଲ ଗୁଡିକରେ ପଖାଳର ପସରାର ଚାହିଦା ରହିଛି l ବିଭିନ୍ନ ହୋଟେଲ ଓ ରେଷ୍ଟୋରାଣ୍ଟରେ ଭଳି କି ଭଳି ପଖାଳ ସହିତ ସ୍ୱାଦିଷ୍ଟ ଓ ମନଲୋଭା ‘ପଖାଳ ପାଗ’ କାୟା ମେଲାଇ ଚାଲିଛନ୍ତି l ଓଡ଼ିଶାରେ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ଗରମ ଅନୁଭୂତ ହେଉଥିବାରୁ ପଖାଳର ରାଜୁତି ୪- ୫ ମାସ ଯାଏଁ ବଳବତ୍ତର ରହୁଛି l ସବୁଠାରୁ ବଡ଼କଥା ଏହା ଯେ, ପଖାଳ ଖାଇବା ପାଇଁ ବେଶୀ କିଛି ଆୟୋଜନର ଆବଶ୍ୟକତା ନ ଥାଏ l ଗରିବ, ଅଭାବୀ ଲୋକ ପିଆଜ, ଲଙ୍କା ଦଳି ଏହାକୁ ଉଦରସ୍ଥ କରୁଥିବା ବେଳେ ତାଙ୍କ ଠାରୁ ଅଧିକ ସମର୍ଥ ଲୋକ ବଡ଼ିଚୁରା, ଆଳୁ ଚଟଣି, ଶାଗ, ମାଛ ଭଜା, ପୋଡ଼ପୋଡି ଲଗେଇ ପଖାଳ ଖାଇବାକୁ ଭଲ ପାଆନ୍ତି l

ମଜାକଥା ହେଲା, ଯେତେ ଧନ ଥିଲେ ବି ପଖାଳ ଖାଇବାକୁ ହେଲେ ଉପରୋକ୍ତ ସାଧାରଣ, ସୁଲଭ ଓ ସହଜରେ ମିଳୁଥିବା ଖାଦ୍ୟ ପଦାର୍ଥ ଉପରେ ହିଁ ଭରସା କରିବାକୁ ପଡ଼ିଥାଏ l ପଖାଳ ହିଁ ଏମିତି ଏକ ଖାଦ୍ୟ ଯେଉଁଥିରେ କୌଣସି ତେଲ ଓ ମସଲାର ବ୍ୟବହାର ନ କରାଯାଇ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ l ପଖାଳ ଖାଇବା ପରେ ମନ ତୃପ୍ତ ଓ ଉଦର ଶୀତଳ ରହେ, ଯାହା ଉଭୟ ଦେହ ଓ ମନ ପାଇଁ ଲାଭପ୍ରଦ l

ଡାକ୍ତର ମାନଙ୍କ ମତ ଅନୁଯାୟୀ ପଖାଳର ତୋରାଣିରେ ରୋଗ ପ୍ରତିରୋଧକ ଶକ୍ତିଧାରଣ କ୍ଷମତା ରହିଥାଏ l ପଖାଳର ପାଣିରେ ଥିବା ମାଇକ୍ରବ୍ସ, ଫୁସଫୁସ ଓ ପାକସ୍ଥଳୀ ରେ ସୃଷ୍ଟି ହେଉଥିବା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ l ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ସୁସ୍ଥ ରଖିଥାଏ l ପଖାଳ ଏକାବେଳକେ ଉଭୟ ଖାଦ୍ୟ ଓ ପାନୀୟର କାର୍ଯ୍ୟ କରୁଥିବାରୁ ଏହା ମନୁଷ୍ୟକୁ ଅପପୃଷ୍ଟିରୁ ମଧ୍ୟ ରକ୍ଷା କରିଥାଏ l

ପୂର୍ବେ ମହିଳାମାନେ ସକାଳେ ଗୋବରରେ ଘର ଲିପା, ଗୁହାଳ କାମ, କାଠଚୂଲି ରେ ରୋଷେଇ, ଧାନସିଝା, ଉଷୁଆଁ, ମୁଗବିରି ରଗଡା, ନଦୀ କିମ୍ବା ଗାଡିଆକୁ ଗାଧୋଇବାକୁ ଯିବା ଆଦି କଷ୍ଟକର କାମ ସାରି ପଖାଳ କଂସାଏ ଖାଇଦେଲେ, ତାଙ୍କ ଶରୀର ପୁଣି ସତେଜ ଓ ଚଳଚଞ୍ଚଳ ହୋଇଉଠୁଥଲା l ସେହିଭଳି ପୁରୁଷ ମାନଙ୍କ କ୍ଷେତ୍ରରେ ବିଲ କାମ, ଚାଷବାସ, ଗୋରୁଗାଇଙ୍କ ସେବା ଯତ୍ନ ଭଳି କଠିନ ପରିଶ୍ରମ କଲା ପରେ ବେଲାଏ ପଖାଳ ଆହାର ସଂଜୀବନୀ ଭଳି କାର୍ଯ୍ୟ କରୁଥିଲା l ଆଗଭଳି ଏବେ ଏ ସବୁରେ ବ୍ୟତିକ୍ରମ ଘଟିଛି l ସହର ଅପେକ୍ଷା ଗାଁ ଗୁଡିକରେ ପଖାଳ ଉପରେ ଲୋକ ଅଧିକ ନିର୍ଭରଶୀଳ l ମାତ୍ର ପଖାଳ ଯେ ସମ୍ପୂର୍ଣ୍ଣ ରୂପେ ନିଜର ଲୋକପ୍ରିୟତା ହରେଇନାହିଁ, ତାହା ଏକ ଆଶ୍ବସ୍ତିକର ବିଷୟ l

‘ ପଖାଳ ଦିବସ ‘ ପାଳନ ହେଉ ଅବା ନ ହେଉ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ତାଲିକା ଭିତରେ ପଖାଳ ନାଆ ଟି ସବୁବେଳେ ପ୍ରଥମେ ଆସିବ l ତଥାପି ଗୋଟିଏ ଡର ସବୁବେଳେ ବିଚଳିତ କରେ ଯେ ବର୍ତ୍ତମାନର ଯୁବପିଢ଼ି ଏବଂ ଛୋଟ ପିଲାମାନେ ଭବିଷ୍ୟତରେ ପଖାଳକୁ ଏମିତି ଆଦରି ନେବେ ତ ? ଯଦି ସେମାନେ ଏଥିରେ ହେଳା କରନ୍ତି, ସେମାନଙ୍କୁ ପୁଣି ଥରେ ମନେ ପକେଇଦେବା ପାଇଁ ସାହାଯ୍ୟ କରିବ ମାର୍ଚ୍ଚ ୨o ର ଏହି ଦିନଟି l ନାମୀ, ଦାମୀ, ଆକର୍ଷଣୀୟ ଖାଦ୍ୟପଦାର୍ଥ ସବୁ ଭିତରେ ପଖାଳର ମହତ୍ତ୍ୱ ଆଦୌ କିଛି କମ ନୁହେଁ ଏହା ସ୍ମରଣ କରେଇଦେବ ଫି ବର୍ଷ ପାଳନ କରାଯାଉଥିବା ” ପଖାଳ ଦିବସ ” l

(ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର)

Leave a Reply

Your email address will not be published.