ସତ୍ୟର ଅନାବରଣ ଦିଗରେ ସାର୍ଥକ ପ୍ରୟାସ-‘କାଶ୍ମୀର ଫାଇଲ୍ସ’

ସତ୍ୟର ଅନାବରଣ ଦିଗରେ ସାର୍ଥକ ପ୍ରୟାସ-‘କାଶ୍ମୀର ଫାଇଲ୍ସ’

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ବହୁ ବାଦ ବିବାଦ ପରେ ମୁକ୍ତିଲାଭ କରିଥିବା ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର କାଶ୍ମୀର ଫାଇଲ୍ସ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକଙ୍କ ଆଖି ଖୋଲିଦେଇଛି l ଚଳଚ୍ଚିତ୍ର ର ଵିଜ୍ଞାପନ ଲୋକଙ୍କ ହୃଦୟକୁ ଏଭଳି ଛୁଇଁଛି ଯେ ସମସ୍ତେ ଏହାକୁ ଥରେ ହେଲେ ଯାଇ ସିନେମା ହଲ୍ ରେ ଦେଖିବାକୁ ଆଗ୍ରହୀ ହେଉଛନ୍ତି l ଆରମ୍ଭରୁ ରାଷ୍ଟ୍ରଗାନ ଯୋଗୁଁ ଶରୀରରେ ଜାତ ହୋଇଥିବା ଶିହରଣ ଶେଷରେ ଦର୍ଶକଙ୍କୁ ବାକଶୂନ୍ୟ କରିଦେଉଛିl କୋହ, ଲୁହ ଏବଂ ନିରାଶା ଭରା ମୁହଁମାନ ସିନେମା ହଲ୍ ରୁ ବାହାରିବାର ଦୃଶ୍ୟ ସତରେ ଅତ୍ୟନ୍ତ ଆବେଗାତ୍ମକ l ପ୍ରଥମରୁ ଶେଷ ଯାଏଁ ଚଳଚ୍ଚିତ୍ର ଟି ଦର୍ଶକଙ୍କ ହୃଦୟକୁ ଛୁଇଁବ l କେତେବେଳେ ଦର୍ଶକ ଭୟରେ ଥରି ଉଠିବେ ତ, କେତେବେଳେ ଅନେକ ପ୍ରଶ୍ନ ଜାଲରେ ଛନ୍ଦି ହେବେ l ପୁଣି କେତେବେଳେ ରାଗ ଓ ପଶ୍ଚାତାପ ରେ କଣ କଲେ ସେଭଳି ପରିସ୍ଥିତି କୁ ସମ୍ଭାଳି ନିଆଯାଇପାରିଥାନ୍ତା ଭାବି ନିଜକୁ ଧିକ୍କାରି ହେବେ l

ସିନେମାର କେତୋଟି ଦୃଶ୍ୟ ଏତେ ହୃଦୟସ୍ପର୍ଶୀ ଯେ, ସିନେମା ଶେଷ ହେବା ପରେ ମଧ୍ୟ ସେ ଦୃଶ୍ୟ ସବୁ ଦେଖଣାହାରୀଙ୍କୁ ବାରମ୍ବାର ମନେପଡିବ l ସ୍ତ୍ରୀ ଆଗରେ ସ୍ୱାମୀର ହତ୍ୟା ପରେ ସେହି ରକ୍ତରେ ଭିଜା ଚାଉଳକୁ ସ୍ତ୍ରୀ କୁ ଖୁଆଇବା ସେମାନଙ୍କ ବର୍ବରତାର ପ୍ରମାଣ ଦିଏ l ଅଭାବ ଅନାଟନରେ ବଞ୍ଚୁଥିବା ପୁଷ୍କର ନାଥ, ଘରର ଖର୍ଚ୍ଚ କମେଇବା ପାଇଁ ଏବଂ ପିଲାଙ୍କ ପେଟ ଠିକରେ ଭର୍ତ୍ତି ହେବା ଉଦ୍ଦେଶ୍ୟରେ ଗୋଟିଏ ଓଳି ଖାଇବା, କିନ୍ତୁ ରାତିରେ ଭୋକର ଜ୍ୱାଳା ସହି ନ ପାରି ବିସ୍କୁଟ୍ ଟିଏ କୁ କେବଳ ଚାଟି କି ରଖିଦେବା, ପ୍ରତି ଦର୍ଶକ ମନରେ ଭାବାନ୍ତର ସୃଷ୍ଟି କରିବ l ଡାକ୍ତରଖାନାରେ ଜୀବନ ବଞ୍ଚେଇବା ପାଇଁ ଦରକାର ପରିମାଣର ରକ୍ତର ଆବଶ୍ୟକତା ପୂରଣ ହେବା ପରେ ରକ୍ତଦାନ କରୁଥିବା ବ୍ୟକ୍ତିର ରକ୍ତକୁ ପାଣି ଭଳି ବୁହେଇଦେଇ ତାର ମୃତ୍ୟୁ କୁ ଅପେକ୍ଷା କରିବା, ଜଣେ ମହିଳାକୁ ନିର୍ବସ୍ତ୍ର କରି ନିଜ ସନ୍ତାନ, ଶ୍ୱଶୁର ତଥା ଆହୁରି ଅନେକଙ୍କ ଆଗରେ ଅପମାନିତ କରି ବୁଲେଇବା ଏବଂ ଶେଷରେ କାଠଚିରା ମେସିନ୍ ରେ ଜୀଅନ୍ତା ଚିରିଦେବା ଭଳି ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିଲେ ଭୟ ଓ କ୍ରୋଧରେ ମନ ଭାରାକ୍ରାନ୍ତ ହେବl

ଚଳଚ୍ଚିତ୍ରର ପ୍ରତିଟି ଚରିତ୍ରଙ୍କ ଅଭିନୟ ଅତି ଉଚ୍ଚକୋଟୀର ହୋଇଥିବା ବେଳେ ସେମାନଙ୍କ ସଂଳାପ ମନରେ ଗଭୀର ଛାପ ଛାଡ଼ିଯିବ l ବିଶେଷ କରି ପୁଷ୍କର ନାଥ, ବ୍ରହ୍ମଦତ୍ତ, କ୍ରୀଷ୍ଣା ପଣ୍ଡିତ ଓ ରାଧିକା ମେନନ୍ ଙ୍କ ସଂଳାପ ଗୁଡ଼ିକ ଅତୀତରେ ଘଟିଯାଇଥିବା କଟୁସତ୍ୟର ଉପସ୍ଥାପନା କରୁଛି l ଏହାକୁ ଦେଖିବା ପରେ ହୁଏତ ଦର୍ଶକ କିଛି ଘଣ୍ଟା ପାଇଁ ସ୍ଥାଣୁ ପାଲଟିଯିବେ l ରାତିରେ ଶୋଇବା ବେଳେ ଚଳଚ୍ଚିତ୍ରର ଦୃଶ୍ୟ ସ୍ମରଣ କରି ହୁଏତ କିଛି ବିନିଦ୍ର ରଜନୀ ବି କଟିବାର ସମ୍ଭାବନା ରହିଛି l ବାରମ୍ବାର ମନ ଆଲୋଡିତ ହେବ ଯେ, କଣ ହୋଇଥିଲେ ଏ ସବୁ କୁ ରୋକା ଯାଇପାରିଥାନ୍ତା l ଏତେ ବିଭତ୍ସ କାଣ୍ଡର ମୂକସାକ୍ଷୀ ଆମ ଇତିହାସର ପୃଷ୍ଠା ଲେଉଟାଇଲେ ଆମର ମାନବିକତା ବିଳପି ଉଠୁନାହିଁ କି ? ଚଳଚ୍ଚିତ୍ର ରେ ପ୍ରଦର୍ଶିତ କିଛି ଦୃଶ୍ୟ ସଭିଙ୍କୁ ବିଚଳିତ କରୁଛି, ମାତ୍ର ୟା ଠାରୁ ଅଧିକ ଘୃଣିତ, ବିଭତ୍ସ, ଅମାନବୀୟ ଘଟଣା ଯେ ଘଟି ଯାଇ ନ ଥିବ ସେ କଥା କିଏ କହିପାରେ !

୧୯୯o ରେ ୮o କୋଟିରୁ ଅଧିକ ହିନ୍ଦୁ ନୀରବ ନ ରହି ଏହି କାଶ୍ମୀରୀ ପଣ୍ଡିତ ମାନଙ୍କ ପାଇଁ ସହଯୋଗର ହାତ ବଢ଼େଇଥିଲେ, ଏ ଭଳି ଦିନ ଦେଖିବାକୁ ପଡ଼ି ନ ଥାନ୍ତା l କ୍ଷମତା, ଯୋଗ୍ୟତା, ପ୍ରତିପତ୍ତି ଥିବା ଲୋକ ମଧ୍ୟ ଏମାନଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଦେଖେଇଲେ ନାହିଁ, ତା ଠାରୁ ଲଜ୍ଜ୍ୟାଜନକ ବିଷୟ ଆଉ କଣ ହୋଇପାରେ ହିନ୍ଦୁ ମାନଙ୍କ ପାଇଁ l ” କାଶ୍ମୀର ଫାଇଲ୍ସ ” ଦେଖିଲା ପରେ ସର୍ବ ପ୍ରଥମେ ମନରେ ଅପରାଧୀ ଭାବଟିଏ ଜାଗ୍ରତ ହେବ l ୩o ବର୍ଷ ତଳେ କାଶ୍ମୀରରେ ଘଟିଥିବା ନରସଂହାର ଭଳି ଭୟାନକ ଘଟଣା ବିଷୟରେ ଆମେ ଅବଗତ ନ ଥିଲୁ, ୟେ ଅପରାଧ ନୁହେଁ ତ ଆଉ କଣ ? ପରକ୍ଷଣରେ ଆମ ସରକାର, ବ୍ୟବସ୍ଥା ( ସେତେବେଳର ) ଉପରେ ରାଗ ଓ ଅଭିମାନ ମଧ୍ୟ ଆସିବ ଯେ ସେ ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ l ଅନ୍ୟାୟକୁ ଚୁପ୍ ହୋଇ ବସି ଘଟିବାକୁ ଦେବା ବି ଅନ୍ୟାୟ ନୁହେଁ କି ?

ଶେଷରେ ରହିଲା ପିଲାଙ୍କୁ ଏହି ସିନେମା ଦେଖେଇବା କଥା, କେତେଜଣ ପିଲାଙ୍କୁ ଏଥିରୁ ବାରଣ କରିବାକୁ ମତ ଦେଇଛନ୍ତି କାରଣ ୧୯୯o ରେ ଘଟିଯାଇଥିବା ନାରକୀୟ ଘଟଣାର ଦୃଶ୍ୟ, ସେମାନଙ୍କ ବର୍ବରତା ପିଲାଙ୍କ କୋମଳ ମନକୁ ଆଘାତ ଦେଇପାରେ l ସେଭଳି ହିଂସାତ୍ମକ ଏବଂ ଅମାନବୀୟ କାର୍ଯ୍ୟକଳାପ ପିଲାଙ୍କୁ ପ୍ରତିକ୍ରିୟାଶୀଳ କରିଦେଇପାରେ, ଯାହା ତାଙ୍କ ହୃଦୟ ଓ ମନ ପାଇଁ ଠିକ ନୁହେଁ l କିନ୍ତୁ ସତ୍ୟତା କୁ ଲୁଚେଇଦେଲେ ତ ତାହା ବଦଳିଯିବ ନାହିଁ, ବରଂ ଭୁଲ ବୁଝି ଅନ୍ଧାରରେ ରହିବା ଅପେକ୍ଷା ସତକୁ ସାମ୍ନା କରିବା ଉଚିତ l ଆମ ଆଗାମୀ ପିଢ଼ି କିଛି ବର୍ଷ ପରେ ଆମକୁ ଦୋଷ ଦେବେ ନାହିଁ ତ, କାହିଁକି ତାଙ୍କୁ ବାରଣ କରାଯାଇଥିଲା ଏ ସତ ଜାଣିବାରୁ, ଆମ ହିନ୍ଦୁ ପଣ୍ଡିତ ମାନଙ୍କ ସହ ଏତେ ଅନ୍ୟାୟ ହୋଇଛି, କିନ୍ତୁ ସେମାନେ ଡେରି ରେ ଜାଣିବାକୁ ପାଉଛନ୍ତି l ଏ ସିନେମା ରେ ପ୍ରଦର୍ଶିତ ଦୃଶ୍ୟ ଠାରୁ ଆହୁରି ହିଂସାତ୍ମକ ଏବଂ ଭୟ ସଂଚାର କରୁଥିବା ଦୃଶ୍ୟ ତ ସେମାନେ ନିତିଦିନିଆ ଟେଲିଭିଜନ ଏବଂ ମୋବାଇଲ ଫୋନ ରେ ଦେଖୁଥିବା ଅପରାଧ ଏବଂ ରୋମାଞ୍ଚ ଭିତ୍ତିକ ଚଳଚ୍ଚିତ୍ରରେ ଦେଖିଆସୁଛନ୍ତି l ତାର ପ୍ରଭାବ କଣ ପଡିବ ବୋଲି ଦିନେ ହେଲେ ତ ଅଭିଭାବକ କିମ୍ବା ସେନ୍ସର ବୋର୍ଡ ଭାବି ନାହାନ୍ତି ! କହିବା ବାହୁଲ୍ୟ ପିଲାମାନଙ୍କୁ ସତକୁ ଜାଣିବାକୁ ଦେବା ଏବଂ ସତକୁ ସ୍ୱୀକାର କରିବାର ଦମ୍ଭ ରଖିବାର ଶିକ୍ଷା ଦେବା ଆମର କର୍ତ୍ତବ୍ୟ l

ଖୁସିର ବିଷୟ ” କାଶ୍ମୀର ଫାଇଲ୍ସ ” ଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସତ ସାହସ ନିର୍ଦ୍ଦେଶକ ତଥା କଳାକାର ମାନେ କରିଛନ୍ତି l ଶସ୍ତା ମନୋରଞ୍ଜନ ଏବଂ ଟଙ୍କା ଆୟ ପାଇଁ ତିଆରି ହଉଥିବା ହାଏ ବଜେଟ୍ ସିନେମା ଗୁଡ଼ିକ ଅପେକ୍ଷା ଏହାର ଲୋକପ୍ରିୟତା ଅଧିକ, ଯାହା ପ୍ରମାଣିତ କରୁଛି ଯେ ଏବେ ବି ଲୋକ ସତ ଦେଖିବାକୁ ଏବଂ ଏହାକୁ ଗ୍ରହଣ କରିବାକୁ ରାଜି, ଦରକାର ଅଛି ଚଳଚ୍ଚିତ୍ର ନିର୍ମାଣକାରୀ ମାନେ ଏହା ପ୍ରତି ଧ୍ୟାନ ଓ ଗୁରୁତ୍ୱ ଦେବା ଉଚିତ l ଆମ ଇତିହାସ ର ଆହୁରି ଅନେକ ଲୁକ୍କାୟିତ ପୃଷ୍ଠା ଯେ ଏବେ ବି ଆଢୁଆଳରେ ରହିଯାଇଛି ସେଥିରେ ସନ୍ଦେହ ନାହିଁ l

” କାଶ୍ମୀର ଫାଇଲ୍ସ ” ପ୍ରେକ୍ଷାଳୟ ଗୁଡିକୁ ଆସିବା ପୂର୍ବରୁ ଅନେକ ବାଧାବିଘ୍ନ ଦେଇ ଗତି କରିଛି l ଏହା ସର୍ବସାଧାରଣ ରେ ପ୍ରଦର୍ଶିତ ହେବା ପାଇଁ ଅନେକ ବିରୋଧର ସାମନା କରିଛି l ଏପରିକି ରିଲିଜ ପୂର୍ବରୁ ଏହାର ପ୍ରଚାର ଏବଂ ଵିଜ୍ଞାପନ ପାଇଁ ଅନେକ ଅରାଜି ହୋଇଛନ୍ତି l ବିବାଦାତ୍ମକ ପରିସ୍ଥିତିକୁ ଏଡାଇ ଦେବା ପାଇଁ ନାମୀ ଓ ପ୍ରସିଦ୍ଧ ବ୍ୟକ୍ତି ଏହା ବିଷୟରେ କିଛି କହିବା ଠିକ ମନେ କରି ନାହାନ୍ତି l ଚଳଚ୍ଚିତ୍ର ଟି ପ୍ରେକ୍ଷାଳୟକୁ ଆସିବା ପରେ ମଧ୍ୟ ଏହାର ଗୋଟିଏ ପୋଷ୍ଟର, ସିନେମା ହଲ୍ କାନ୍ଥରେ ମରାଯାଇ ନ ଥିଲାl ଏସବୁ ସତ୍ତ୍ୱେ ୩ ସପ୍ତାହରୁ ଉର୍ଦ୍ଧ୍ୱ ହେଲାଣି ଆଜି ପର୍ଯ୍ୟନ୍ତ ସିନେମାଟି ହାଉସଫୁଲ୍ ରହୁଛି l ‘ ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ନାହିଁ ‘ ଭଳି ଏହା ପ୍ରମାଣିତ କରିଦେଇଛି ଯେ ଚଳଚ୍ଚିତ୍ର ର ବିଷୟବସ୍ତୁ ଯଦି ଉଚ୍ଚକୋଟୀର ଏବଂ ଏହାକୁ ପରିବେଷଣ କରିବାର ଚିନ୍ତାଧାରା ପଛରେ ସମାଜ ଓ ମାନବଜାତିର ହିତ ସାଧନ ପାଇଁ ଉଦ୍ଦେଶ୍ୟ ରହିଛି, ତେବେ ତାକୁ ସଫଳ ହେବାରେ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ l ଆମ ଦେଶ କୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନକୁ ପହଞ୍ଚେଇବା ପାଇଁ ” କାଶ୍ମୀର ଫାଇଲ୍ସ ” ଭଳି ଆହୁରି ଅନେକ ସତ୍ୟତା ଏବଂ ସଚେତନଧର୍ମୀ ଚଳଚ୍ଚିତ୍ର ନିର୍ମାଣର ଆବଶ୍ୟକତା ରହିଛି l
(ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: