(ଶ୍ରୁତସଂକ୍ଷିପ୍ତ)-ରୋଗର ପ୍ରାକୃତିକ ଉପଚାରରେ ଆୟୁର୍ବେଦର ଭୂମିକା

(ଶ୍ରୁତସଂକ୍ଷିପ୍ତ)-ରୋଗର ପ୍ରାକୃତିକ ଉପଚାରରେ ଆୟୁର୍ବେଦର ଭୂମିକା

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ପ୍ରାୟ ୩ooo ହଜାର ବର୍ଷ ପୂର୍ବେ ଭାରତରେ ଆୟୁର୍ବେଦର ଜନ୍ମ l ‘ ଆୟୁର୍ବେଦ ‘ ଶବ୍ଦଟି ‘ ଆୟୁ ‘ ଓ ‘ ବେଦ ‘ ର ସନ୍ଧିରୁ ସୃଷ୍ଟ l ଏହାର ଶାବ୍ଦିକ ଅର୍ଥ ‘ ଆୟୁର ବେଦ’ ବା ‘ ଦୀର୍ଘାୟୁ ହେବାର ବିଜ୍ଞାନ ‘ l ବିଶ୍ୱାସ ରହିଛି ଯେ ମାନବର ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ତାର ମନ, ଶରୀର ଏବଂ ଆତ୍ମା ଭିତରେ ସନ୍ତୁଳନର ମାଧ୍ୟମ ହେଉଛି ଆୟୁର୍ବେଦ l ମାନବର ମନ, ଶରୀର ଓ ଆତ୍ମା ମଧ୍ୟରେ ତାଳମେଳ ରହିଲେ ସ୍ୱାସ୍ଥ୍ୟ ଭଲ ରହୁଥିବା ବେଳେ ଏଥିରେ ବ୍ୟତିକ୍ରମ ଘଟିଲେ ନାନାଦି ରୋଗ ମାଡ଼ିବସେ l

ଭାରତ, ନେପାଳ ଓ ଶ୍ରୀଲଙ୍କାରେ ଆୟୁର୍ବେଦର ବ୍ୟବହାର ପ୍ରଚଳନ ସବୁଠାରୁ ଅଧିକ l ଏହି ରାଷ୍ଟ୍ର ଗୁଡ଼ିକରେ ଜନସଂଖ୍ୟାର ପ୍ରାୟ ୮o % ଲୋକ ଆୟୁର୍ବେଦର ବ୍ୟବହାରରେ ନିଜକୁ ସୁସ୍ଥ ଓ ନିରୋଗ ରଖିବା ସହିତ ଦୀର୍ଘାୟୁ ଜୀବନ ବଞ୍ଚିବାରେ ସକ୍ଷମ ହୁଅନ୍ତି l କିଛି ଲୋକ ଆୟୁର୍ବେଦର ସିଦ୍ଧାନ୍ତକୁ ବ୍ରହ୍ମାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ବୋଲି ମାନୁଥିବା ବେଳେ କିଛି ଗବେଷକ ଏହାକୁ ପ୍ରୋଟୋ ସାଇନ୍ସ (ପ୍ରାଥମିକ ବିଜ୍ଞାନ) ବା ଟ୍ରାନ୍ସ ସାଇନ୍ସ ମଧ୍ୟ ମାନନ୍ତି l ଏହା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦ୍ଵାରା AYUSH ( Ayurveda, Yoga, Naturopathy, Unani, Sidda & Homeopathy ) ରୂପେ ସ୍ୱୀକୃତି ପାଇସାରିଛି l

ଶରୀରର ତିନୋଟି ଦୋଷ ଯଥା ବାତ, ପିତ୍ତ ଓ କଫ ଅସୁନ୍ତଳନରେ ରୋଗ ସୃଷ୍ଟି ହେଉଥିବା ବେଳେ ଏହାର ସନ୍ତୁଳନ ଘଟିଲେ ରୋଗୀ ପୁନଃ ଆରୋଗ୍ୟ ଲାଭ କରେ ବୋଲି ଆୟୁର୍ବେଦର ସିଦ୍ଧାନ୍ତରେ ଲିଖିତ ହୋଇଛି l ଆଜି ସମଗ୍ର ବିଶ୍ୱରେ ଅସାମାନ୍ୟ ଜୀବନ ଧାରଣ ପଦ୍ଧତି କାରଣରୁ ନିତି ନିତି ନୂଆ ରୋଗର ପ୍ରାଦୁର୍ଭାବ ଘଟୁଛି l ନିକଟରେ ମହାମାରୀ କରୋନା ଏହାର ଏକ ବଳିଷ୍ଠ ଉଦାହରଣ l ସମ୍ପୂର୍ଣ୍ଣ ମାନବଜାତି ପାଇଁ ବିପଦ ସୃଷ୍ଟି କରୁଥିବା ରୋଗର ନିରାକରଣ ଆୟୁର୍ବେଦର ପ୍ରୟୋଗ ଦ୍ୱାରା ଉପଶମ ହୋଇପାରିବ l ମୃତ୍ୟୁ ଆବଶ୍ୟମ୍ଭାଵୀ, ମାତ୍ର ଅସୁସ୍ଥ ହୋଇ ସମୟ ପୂର୍ବରୁ ଅକାଳ ମୃତ୍ୟୁ ଘଟିବା ଏକ ବିଡମ୍ବନା l ଆୟୁର୍ବେଦ ପ୍ରଦତ୍ତ ପ୍ରକ୍ରିୟା, ଚିକିତ୍ସା ଅବଲମ୍ବନ କଲେ ଜଣେ ନିରୋଗ ହୋଇ ନିଜ ପୂର୍ଣ୍ଣ ଆୟୁକାଳ ବଞ୍ଚିବା ସମ୍ଭବପର ହେବ l

‘ଆୟୁର୍ବେଦ ‘ ମାଧ୍ୟମରେ ଉପଚାର କେବଳ ଔଷଧ ଭିତରେ ସୀମିତ ନୁହେଁ l ବରଂ ଏହା ମଣିଷର ପ୍ରକୃତି ସହିତ ନିବିଡ଼ ସମ୍ପର୍କ ଏବଂ ପ୍ରକୃତି ବିନା ମଣିଷର ଅସ୍ତିତ୍ୱ ଯେ ଅସମ୍ଭବ, ତାହା ଦର୍ଶେଇଥାଏ l ଏହି ଚିକିତ୍ସା ପଦ୍ଧତି ବହୁ ପୁରାତନ, ଯାହା ଋଷି ମୁନି ମାନଙ୍କ ଦ୍ଵାରା ଆରମ୍ଭ ହୋଇଥିଲା l ଏଥିରେ ବ୍ୟବହାର କରାଯାଇଥିବା ପ୍ରତ୍ୟେକ ସାମଗ୍ରୀ ପ୍ରକୃତି କୋଳରୁ ଅଣାଯାଇଥାଏ l ତେଣୁ ଏଥିରେ କୌଣସି ପ୍ରକାର ଅପମିଶ୍ରଣ କିମ୍ବା କୃତ୍ରିମତା ନ ଥାଏ l ଅନ୍ୟ ଔଷଧ ତୁଳନାରେ ଆୟୁର୍ବେଦ ଔଷଧରେ ରୋଗକୁ ମୂଳରୁ ନାଶ କରିବାର ଶକ୍ତି ଅଧିକ ଥାଏ l ବିଭିନ୍ନ ଜଟିଳ ରୋଗର ସହଜ ଏବଂ ନିଶ୍ଚିତ ଉପଶମ ଆୟୁର୍ବେଦ ଔଷଧୀ ଦ୍ୱାରା ସମ୍ଭବ ହୋଇଥାଏ l

ରୋଗ ଜଣାପଡିବା ପରେ ଆୟୁର୍ବେଦିକ ଡାକ୍ତର ରୋଗୀର ଆହାର, ଯୋଗ, ବ୍ୟାୟାମ, ମାଲିସ ଏବଂ ଜଡ଼ି – ବୁଟି ଉପରେ ଆଧାରିତ ଚିକିତ୍ସା ଆରମ୍ଭ କରନ୍ତି l ଏହାଦ୍ୱାରା ଶରୀରରେ ସନ୍ତୁଳନ ଆସିବା ସହିତ ରୋଗରୁ ମୁକ୍ତି ମିଳିଥାଏ l ଜୀବନ ଉଭୟ ସମସ୍ୟା ଓ ଅବସର ପ୍ରଦାନ କରେ l ଉଭୟସ୍ଥଳରେ ନିୟନ୍ତ୍ରଣ ଆମ ହାତରେ ନ ଥାଏ l ମାତ୍ର ଜୀବନଶୈଳୀ, ଖାଦ୍ୟପାନୀୟରେ ପରିବର୍ତ୍ତନ ଆମର ନିୟନ୍ତ୍ରଣାଧୀନ l ଏଗୁଡିକରେ ସୁଧାର ଆସିଲେ ଶରୀର ରୋଗମୁକ୍ତ ହୁଏ ଓ ମସ୍ତିଷ୍କର ଚେତନା ଶକ୍ତି ବୃଦ୍ଧି ପାଏ l

ମାନବ ଯେତେ ଆଧୁନିକତା ଓ ପ୍ରଯୁକ୍ତି ବିଦ୍ୟାର ଅଧିକାରୀ ହେଲେ ମଧ୍ୟ ସୁସ୍ଥ ଏବଂ ସୁରକ୍ଷିତ ରହିବା ପାଇଁ ସ୍ୱଚ୍ଛନ୍ଦରେ ମିଳିଯାଉଥିବା ଜିନିଷ ଉପରେ ବେଶୀ ନିର୍ଭର କରେ l ଆୟୁର୍ବେଦ ଔଷଧର ପ୍ରୟୋଗ, ଉଭୟ ସୁସ୍ଥ ଏବଂ ରୋଗୀ ଲୋକଙ୍କ ଦ୍ଵାରା କରାଯାଇପାରିବ l ରୋଗ ନ ହେବା ପାଇଁ ଏବଂ ଶରୀରର ପ୍ରତିରୋଧ ଶକ୍ତି ବଢେଇବା ପାଇଁ ଏହା ସୁସ୍ଥ ଲୋକଙ୍କ ଦ୍ଵାରା ବେଶୀ ଆଦୃତି ଲାଭ କରିଛି l

ଆୟୁର୍ବେଦର ବହୁଳ ବ୍ୟବହାର, ଏହାକୁ ମାନବ ସମାଜରେ ବେଶ ଆଦୃତି ଦେଇଛି l ଭାରତ ସରକାର ମଧ୍ଯ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି l କୌଣସି ନକାରାତ୍ମକ ପ୍ରଭାବ ନ ପକାଉଥିବାରୁ ଏବଂ ମଣିଷକୁ ପ୍ରକୃତି ଉପାସକ ହେବାରେ ସାହାଯ୍ୟ କରୁଥିବାରୁ “ଆୟୁର୍ବେଦ “କୁ ସମସ୍ତେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଲେ ଭୁଲ ହେବ ନାହିଁ l


ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର

0 Comments

Leave Your Comment

Your email address will not be published. Required fields are marked *

%d bloggers like this: