ଶ୍ରୁତସଂକ୍ଷିପ୍ତ- ଅନର୍ କିଲିଂ: ସମାଜ ପାଇଁ ଲଜ୍ଜ୍ୟା !

ଶ୍ରୁତସଂକ୍ଷିପ୍ତ- ଅନର୍ କିଲିଂ: ସମାଜ ପାଇଁ ଲଜ୍ଜ୍ୟା !

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ହାଇଦ୍ରାବାଦରେ ଘଟିଯାଇଥିବା , ହିନ୍ଦୁ ଦଳିତ ପୁଅକୁ ମୁସଲିମ ସମ୍ପ୍ରଦାୟର ଝିଅର ଭାଇ ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ଘଟଣା ଏବେ ସବୁଆଡେ ଚହଳ ପକେଇଛି l ଅତ୍ୟନ୍ତ ନିନ୍ଦନୀୟ ବିଷୟ ଯେ ରାସ୍ତା ଉପରେ ଏ ଘଟଣା ଟି ଘଟିଥିଲେ ସୁଦ୍ଧା ଏହାକୁ ରୋକିବା ପାଇଁ କେହି ପ୍ରୟାସ କରି ନ ଥିଲେ l ଦେଖଣାହାରୀ ସାଜିଥିବା ଜନତା ଚେଷ୍ଟା କରିଥିଲେ ଏହି ଅମାନୁଷିକ କାଣ୍ଡ ଘଟି ନ ଥାନ୍ତା, କିନ୍ତୁ ସେହି ଭିଡ଼ର ମଣିଷମାନେ ସେତକ ଜରୁରୀ ଭାବିଲେ ନାହିଁl ଏହି ହତ୍ୟା ପାଇଁ ଯଦିଓ ଝିଅର ଭାଇକୁ ଦୋଷୀ କୁହାଯାଏ , ହେଲେ ବାସ୍ତବରେ ସେହି ଭିଡ଼ ହିଁ ପିଲାଟିର ମୃତ୍ୟୁ ପାଇଁ ଦାୟୀ l ଉକ୍ତ ଘଟଣାରେ ହତ୍ୟାର କାରଣ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଥିବା ତିକ୍ତତା ଓ ଅସହିଷ୍ଣୁ ପଣିଆ ନୁହେଁ ତ ?
ହତ୍ୟା ଏକ ଜଘନ୍ୟ ଅପରାଧ l କିନ୍ତୁ ନିଜ ଆତ୍ମୀୟ ସ୍ଵଜନ ଏପରିକି ନିଜର ଅତି ନିକଟ ସମ୍ପର୍କୀୟ ମାନେ ଚକ୍ରାନ୍ତ କରି ପରିବାରର ସଦସ୍ୟ ମାନଙ୍କୁ ହତ୍ୟା କରିବା ବା କାହା ଦ୍ଵାରା କରେଇବା ଏକ ଅକ୍ଷମଣୀୟ ଏବଂ ଲଜ୍ଜ୍ୟାଜନକ ଅପରାଧ l ଲୋକ ଦେଖାଣିଆ ସମ୍ମାନ, ବଂଶଗତ ପ୍ରତିପତ୍ତି କୁ ବଞ୍ଚେଇ ରଖିବା ଆଳରେ ନିଜ ପରିବାର, ବଂଶ ତଥା ସମୁଦାୟର କୌଣସି ସଦସ୍ୟ ର ହତ୍ୟା ଉଦ୍ୟମ କୁ ଅନର୍ କିଲିଂ କୁହାଯାଏ l ସେମାନଙ୍କର ଧାରଣା ଯେ ଏଭଳି ସନ୍ତାନ, ଯେଉଁମାନେ ତାଙ୍କ ଜାତି ଏବଂ କୂଳ ପାଇଁ ନିନ୍ଦା, ଅପବାଦ ଆଣନ୍ତି ; ସେମାନେ ବଞ୍ଚିବା ଅପେକ୍ଷା ତାଙ୍କୁ ମାରିଦିଆଯିବା ଶ୍ରେୟସ୍କର l ସମଗ୍ର ବିଶ୍ୱରେ ପ୍ରତିବର୍ଷ ୫ooo ହତ୍ୟା, କେବଳ ଅନର୍ କିଲିଂ ଯୋଗୁଁ ହୋଇଥାଏ l NCRB ରିପୋର୍ଟ ଅନୁଯାୟୀ ୨o୨o ରେ ୨୫ ଟି ଅନର କିଲିଂ ଘଟଣା ଘଟିଯାଇଛି l ତଥ୍ୟ ଅନୁସାରେ ୨o୧୯ ରେ କରାଯାଇଥିବା ଗଣନା ଅନୁଯାୟୀ ବିଗତ ୫ ବର୍ଷରେ ୧୯୫ ଟି ଅନର କିଲିଂ ଘଟଣା କେବଳ ତାମିଲନାଡୁ ରାଜ୍ୟରେ ଘଟିଛି l ତଥ୍ୟ ବାହାରେ ଅନେକ ଘଟଣା ଲୋକଲୋଚନ କୁ ଆସୁନାହିଁ l ଏଥିରୁ ଜଣାପଡୁଛି ବିଗତ ୭୫ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଭାରତରେ ଜାତିପ୍ରଥାର ବିଲୋପ ହାଇନାହିଁ l

ଏଭଳି କାଣ୍ଡ ପଛରେ କାରଣ ମଧ୍ଯ ବେଶ ସମ୍ବେଦନଶୀଳ l ଯେପରିକି :-
▪️ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ପ୍ରେମ ବିବାହ
▪️ପୁଅ ଏବଂ ଝିଅଙ୍କ ସମାନ ଗୋତ୍ରରେ ବିବାହ
▪️ବିବାହ ପୂର୍ବରୁ କିମ୍ବା ପରେ ପୁରୁଷ / ମହିଳା ଅନ୍ୟ
କାହା ସହିତ ଅବୈଧ ସମ୍ପର୍କ ସ୍ଥାପନ
▪️ସମଲିଙ୍ଗୀ ଆଚରଣ
▪️ସ୍ୱାମୀ ଠାରୁ ଛାଡ଼ପତ୍ର ପାଇଁ ଇଚ୍ଛା ପୋଷଣ
▪️ଦୁଇଟି ଭିନ୍ନ ଧର୍ମର ପୁଅ ଝିଅଙ୍କ ପରିବାରର ଅନୁମତି ବିନା ବିବାହ

    ପରିବାର ର ସମ୍ମାନକୁ ହାନି ପହଞ୍ଚାଉଥିବା ଗୋଟିଏ ଛୋଟ କାରଣ ମଧ୍ଯ ଅନର୍ କିଲିଂ ଭଳି ଏକ ଗୁରୁତର ଅପରାଧ ଦିଗରେ ବାଟ କଢେଇ ନିଏ। ନିଜ ଔରସରୁ ଜନ୍ମଦେଇ ଏବଂ ସ୍ନେହରେ ଲାଳନ ପାଳନ କରିଥିଲେ ବି କ୍ଷଣିକ ରାଗ, ପରିବାରର ଗୌରବ ପାଇଁ ସେମାନେ ତାଙ୍କୁ ଜଳାଞ୍ଜଳି ଦେବାକୁ ପଛେଇ ନ ଥା'ନ୍ତି। ନିଜ ସନ୍ତାନ ମାନେ ପସନ୍ଦ କରିଥିବା ଜୀବନସାଥୀକୁ ଜୀବନରୁ ମାରିଦେବା ତାଙ୍କ ପାଇଁ ଅତି ସହଜ। ବେଳେବେଳେ ସାଙ୍ଗେ ସାଙ୍ଗେ ନ ହେଲେ ବି କିଛି ବର୍ଷର ବ୍ୟବଧାନ ପରେ ପୁରା ପରିବାରକୁ କ୍ଷତି ପହଞ୍ଚେଇବା ପାଇଁ ସେମାନଙ୍କର ଦ୍ଵିଧା ନ ଥାଏ। ପ୍ରତିପତ୍ତି, କ୍ଷମତା ଓ ଧନୀକ ଗୋଷ୍ଠୀରେ ହିଁ ଏହି ସମସ୍ୟା ଅଧିକ। ନିଜର ପିଲାଙ୍କ ଖୁସି ଠାରୁ ଜାତି, କୂଳ ର ସମ୍ମାନ ସେମାଙ୍କୁ ବେଶି ପ୍ରିୟ। ଦୁଃଖର ବିଷୟ ଏଭଳି ଘଟଣା ଘଟିଗଲା ପରେ ପରିବାର ଲୋକ ହିଁ କଥାଟିକୁ ଭିତରେ ଲୁଚେଇ ଦିଅନ୍ତି। କେମିତି କେଉଁଠି ସେମାନଙ୍କୁ ହତ୍ୟା କରି ରାସ୍ତାରୁ ହଟେଇ ଦିଆଯାଏ ତାର ଟେର ବି କେହି ପାଇ ପାରନ୍ତି ନାହିଁ। ସେଥିପାଇଁ ପୋଲିସ ଏବଂ ପ୍ରଶାସନ ମଧ୍ୟ ଏ ଦିଗରେ କିଛି ସାହାଯ୍ୟ କରିପାରନ୍ତି ନାହିଁ। 

‘ଅନର୍ ‘ ବା ‘ ସମ୍ମାନ ‘ ହାନିର ପ୍ରକୃତ ଅର୍ଥ ସେଇ ହତ୍ୟାକାରୀ ମାନଙ୍କ ହିସାବରେ ନିଜ ସନ୍ତାନ ମାନଙ୍କ ଉପରେ ସଶକ୍ତ ନିୟନ୍ତ୍ରଣ l ସେମାନଙ୍କୁ ନିଜର ସାଥୀ ଚୟନ କରିବା ପାଇଁ ସ୍ୱାଧୀନତା ଏବଂ ଅଧିକାର ନ ଦେବା l କୌଣସି ମହିଳା /ପୁରୁଷ ଯଦି ନିଜ ଇଚ୍ଛା ଅନୁଯାୟୀ ଏପରି କରିବାକୁ ଇଚ୍ଛା କରେ ତେବେ ତାଙ୍କୁ ହିଂସା, ଶୋଷଣ, ଅପମାନ ଶେଷରେ ମୃତ୍ୟୁ ମୁଖକୁ ଠେଲି ଦିଆଯାଏ l ଯୁଗ ବଦଳିଛି ହେଲେ ଏମାନଙ୍କର ମାନସିକତା ରେ ପରିବର୍ତ୍ତନ ଆସିନାହିଁ l ଏବେ ବି ଅନର କିଲିଂ ର ବହୁତ ଉଦାହରଣ ସମାଜରେ ଦେଖାଯାଉଛି l ଆମର ସିନେମା ଜଗତରେ ୟା ଉପରେ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଉଛି, ଯାହାକୁ ଦେଖିଲେ ଦେହ ଶୀତେଇ ଉଠିବ l

 ପରୀକ୍ଷଣ କଲେ ଜଣାପଡିବ ପ୍ରତିବର୍ଷ ଅନର୍ କିଲିଂ ରେ ଯେତେ ଜଣ ମୃତ୍ୟୁବରଣ କରୁଛନ୍ତି ତାହା ସୀମାରେ କିମ୍ବା କୌଣସି ମହାମାରୀ ଜନିତ ମୃତ୍ୟହାର ଠାରୁ ମଧ୍ଯ ଅଧିକ ! କହିବା ବାହୁଲ୍ୟ ଯେ ଏଭଳି ଘୃଣ୍ୟ କାମ କରୁଥିବା ବ୍ୟକ୍ତିମାନେ ପରିବାର, ଜାତି, ବଂଶର ସମ୍ମାନକୁ ପ୍ରତିଷ୍ଠିତ କରିବାର ଭୂଲ ରାସ୍ତାକୁ ଆପଣେଇ ନେଇଛନ୍ତି। ପରିବାରର ସଦସ୍ୟଙ୍କୁ କିମ୍ବା ତାର ଜୀବନସାଥୀ ଏବଂ ସନ୍ତାନକୁ ନୃଶଂସ ଭାବରେ ହତ୍ୟା କରିବାରେ ବଂଶର କି ସମ୍ମାନ ? ପରିବାର ତ ସେଇମାନଙ୍କୁ ନେଇ କି !

ଏବେ ସମୟ ଆସିଯାଇଛି ଆମ ଆଇନ ବ୍ୟବସ୍ଥାରେ ଏହା ପାଇଁ କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ l କଠୋର ଦଣ୍ଡ ବିଧାନ ହିଁ ଏଥିରେ ସହାୟକ ହେବ l ନିଜ ମନମୁଖୀ ବିଚାରରେ ପରିବାର ଜନଙ୍କ ହତ୍ୟାକୁ ରୋକିବା ପାଇଁ ଆମ ସମ୍ବିଧାନରେ ନୂତନ ଆଇନ ପ୍ରଣୟନ କରିବାର ନିହାତି ଆବଶ୍ୟକ l କାହିଁ କେଉଁ ଦିନରୁ ଚାଲି ଆସୁଥିବା ଏବଂ କ୍ରମେ ବଢିଚାଲିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ମାନ୍ୟବର ନ୍ୟାୟାଳୟ ଯେତେ ଶୀଘ୍ର କିଛି ପଦକ୍ଷେପ ନେବେ ସମାଜରେ ଅନର କିଲିଂ ରୂପକ ବ୍ୟାଧି ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଆଶା କରାଯାଏ l

      ଏଭଳି ପରିସ୍ଥିତିରେ ଆବଶ୍ୟକତା ରହିଛି ନିଜ ପରିବାର ଲୋକଙ୍କୁ ନିଃସ୍ୱାର୍ଥପର ଭାବରେ ଭଲପାଇବା। ବ୍ୟକ୍ତି ନିଜ ପରିବାରକୁ ଭଲ ପାଇଲେ ତା ପ୍ରତି ହିଂସା, ଅପରାଧ ଭଳି ଘୃଣ୍ୟ କାମ କରିବାରୁ ବିରତ ରହିବ। ପାରସ୍ପରିକ ପ୍ରେମ ହିଁ ମନୁଷ୍ୟକୃତ ଜାତି, ଗୋତ୍ର ପ୍ରଭେଦକୁ ଦୂର କରି ସମସ୍ତଙ୍କୁ ଏକାଠି ରଖିବାର ଏକ କ୍ଷୀଣ ଆଶା ବୋଲି କୁହାଯାଇପାରେ।

ଫୋନ – 6370516478
ବିବେକାନନ୍ଦ ମାର୍ଗ , ଭୁବନେଶ୍ୱର

0 Comments

Leave Your Comment

Your email address will not be published. Required fields are marked *

%d bloggers like this: