ଶ୍ରୁତସଂକ୍ଷିପ୍ତ-ରାଜନୀତିରେ ଦୁର୍ନୀତି

ନିର୍ବାଚନ ପ୍ରତିନିଧି ନିଜ ସମ୍ପତ୍ତିର ତାଲିକା ସମ୍ପର୍କରେ ସଠିକ ତଥ୍ୟ ଦେଉନାହାନ୍ତି l ମତଦାତା କୁ ପ୍ରଭାବିତ କରିବା ପାଇଁ ନାନା ଆକର୍ଷଣୀୟ ଯୋଜନା କରାଯାଉଛି l ନିର୍ବାଚନ ଜିତିଲେ ଜନତାଙ୍କ ଅଭାବ, ଅସୁବିଧା କଥା ବୁଝି ସେ ଦିଗରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭଣ୍ଡେଇ ଦିଆଯାଉଛି l

(ଶୃତକୀର୍ତ୍ତିପାଠୀ):ନିକଟ ଅତୀତରେ ଆମେ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ ନିର୍ବାଚନ ଦେଖିଲେ l ଆଶ୍ଚର୍ଯ୍ୟକର ବିଷୟ ସରକାର ଓ ବ୍ୟବସ୍ଥା କୁ ଦୋଷ ଦେଉଥିବା ଅର୍ଦ୍ଧାଧିକ ଜନସାଧାରଣ ମତଦାନ କେନ୍ଦ୍ରକୁ ମଧ୍ୟ ଗଲେ ନାହିଁ l ଗ୍ରାମାଞ୍ଚଳରେ ତ ଚଳିବ, ମାତ୍ର ସହରରେ ପୌର ନିର୍ବାଚନରେ ମାତ୍ର ୫୪% ମତଦାନ, ମତଦାତାଙ୍କ ଦାୟିତ୍ୱ ଓ ନିଜ ଅଧିକାର ପ୍ରତି ସଚେତନତାର ପରିହାସ କରୁଛି l କାରଣ ଯେଉଁ ପରିବର୍ତ୍ତନ କେବଳ ଜନତା ଦ୍ୱାରା ସମ୍ଭବ, ସେହି ଜନତା ନିଜେ ତାର ସାମର୍ଥ୍ୟ ବିଷୟରେ ଅଜ୍ଞାନ l ଦେଖାଯାଇଛି ସହରାଞ୍ଚଳରେ ଅଧିକ ଶିକ୍ଷିତ ଏବଂ ବୁଦ୍ଧିମାନ ଲୋକଙ୍କ ଉପସ୍ଥିତି, ଏହା ସତ୍ତ୍ୱେ ସେମାନେ ମତଦାନ ଓ ନିର୍ବାଚନ କଥା ଉଠିଲା ମାତ୍ରେ ଅନ୍ୟମନସ୍କ ହୁଅନ୍ତି କିମ୍ବା କଥାକୁ ଏଡେଇ ଦେଇ ଯାଆନ୍ତି l ଅସାଧୁ ଉପାୟରେ ହଉଥିବା ନିର୍ବାଚନ ପ୍ରକ୍ରିୟା, ଭୋଟର କିଣା ବ୍ୟବସ୍ଥା ଏବଂ ଗଣତି ବେଳେ ହେଉଥିବା ହିଂସା ଏହା ପଛରେ ଥିବା ମୂଳ କାରଣ l ସେଥିପାଇଁ ସେମାନେ ମତଦାନ କେନ୍ଦ୍ରକୁ ନ ଯିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସାମିଲ ନ ହେବା ହିଁ ଠିକ ମଣନ୍ତି l ସତକଥା, ” କାଦୁଅକୁ ଯିବେ କାହିଁକି ଗୋଡ଼ ଧୋଇବେ କାହିଁକି ? ” ହେଲେ ନିର୍ବାଚନରେ ବଢିଚାଲୁଥିବା ଏଇ ଦୁର୍ନୀତିରେ କଣ ରୋକ ଲଗାଯାଇ ପାରିବ ନାହିଁ !

ଦୁର୍ନୀତି,ସବୁଠି ତାର କାୟା ବିସ୍ତାର କରି ଚାଲିଛି ମାତ୍ର ରାଜନୀତି ଓ ନିର୍ବାଚନ କଥା ଉଠିଲା ମାନେ, ଏହାର ସଂକ୍ରମଣ ଅତି ମାରାତ୍ମକ l ଆମ ଦେଶରେ ଦୁର୍ନୀତିର ପ୍ରମୁଖ ମାଧ୍ୟମ ନିର୍ବାଚନ କହିଲେ ଭୁଲ ହେବ ନାହିଁ l ଏବେ ତ ଏମିତି ପରିସ୍ଥିତି ହେଲାଣି, ଲାଗୁଛି ଦୁର୍ନୀତି କରିବା ପାଇଁ ହିଁ ଲୋକେ ନିର୍ବାଚନରେ ଯୋଗ ଦେଉଛନ୍ତି l ‘ କଳା ‘ କୁ ‘ ଧଳା ‘ କରିବାର ସରଳ ଉପାୟଟି ହେଉଛି ରାଜନୀତି ନାମକ ମୁଖାଟିଏ ପିନ୍ଧି ଅଭିନୟ କରିବା l ହେଲେ ଦୁର୍ନୀତି କରିବା ପଛର କାରଣ ଉପରେ ଟିକେ ଆଲୋକପାତ ଆଲୋଚନା ପ୍ରାସଙ୍ଗିକ ମନେହୁଏ l

ଆମେ ସମସ୍ତେ ଭଲ ଭାବରେ ଜାଣୁ ଯେ ନିର୍ବାଚନ ପ୍ରଚାର ଏବଂ କାର୍ଯକାରିତା ପାଇଁ ବିପୁଳ ଟଙ୍କାର ଆବଶ୍ୟକତା ହୋଇଥାଏ l ଯେଉଁ ପ୍ରାର୍ଥୀ ଜଣକ ନିର୍ବାଚନ ରେ ୫ ରୁ ୧o କୋଟି ଟଙ୍କା ଖର୍ଚ୍ଚ କରେ, ସେ ନିର୍ବାଚିତ ହେବା ପରେ ସର୍ବପ୍ରଥମେ ନିଜେ ଖର୍ଚ୍ଚ କରିଥିବା ଅର୍ଥର ଭରଣା ଦିଗରେ ଭାବିବା ସ୍ୱାଭାବିକl ଏହି ସତ୍ୟ ସହ ଦେଶର ପ୍ରାୟ ସମସ୍ତ ନାଗରିକ ଊଣା ଅଧିକେ ଅବଗତ l ଆଜିକାଲି ନିର୍ବାଚନୀ ଖର୍ଚ୍ଚର କିଛି ଯଥେଷ୍ଟ ସୀମା ନାହିଁ l ଯିଏ ଯେତେ ଧନ ପାଣି ପରି ଖର୍ଚ୍ଚ କରିପାରିଲା l ତାର ପ୍ରଚାର ସେତେ ଜୋରସୋର ରେ ଚାଲିଲା ଲୋକଙ୍କ ଆଖିଦୃଶିଆ ହେଲା l ତେଣୁ ବିଜୟ ପରେ ସେତକ ଧନ ଫେରିପାଇବା ପାଇଁ କଳେ, ବଳେ, କୌଶଳେ ଆପ୍ରାଣ ଚେଷ୍ଟା ବିଜୟୀ ଦଳ କରିବା ସୁନିଶ୍ଚିତ l

କଥା ହଉଛି ନିର୍ବାଚନରେ ଧନବଳ ରୋକିବାକୁ ଏ ପର୍ଯ୍ୟନ୍ତ ସେପରି କୌଣସି ଉପାୟ ଖୋଜି ବାହାର କରାଯାଇ ନାହିଁ l ଜନମତକୁ ପ୍ରଭାବିତ କରିବା ପାଇଁ କୋଟି କୋଟି ଟଙ୍କାର ପ୍ରୟୋଗ କରଯାଉଛି l ଇଏ ତ ଗଲା ଧନବଳ କଥା, ଏବେ ଆସିବା ବାହୁବଳ କଥା ଉପରକୁ l ଏକଥା ଉଠିଲେ ଅନେକ ଅପ୍ରୀତିକର ଘଟଣା ଆଗକୁ ଆସେ l ଯେପରିକି ଦେଖାଯାଇଛି ଅପରାଧ ପୃଷ୍ଠଭୂମି ଥିବା କିମ୍ବା ଅପରାଧିକ ମାମଲା ଚାଲିଥିବା ପ୍ରାର୍ଥୀଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳେ l ବନ୍ଧୁଗଣ, ୟାକୁ କୁହନ୍ତି ” ଦୋମୁହାଁ ” କଥା l କାରଣ ଇଆଡ଼େ ଦୁର୍ନୀତି ବନ୍ଦ କରିବାକୁ ସ୍ୱର ଉତ୍ତୋଳନ କରାଯାଏ ତ ଅନ୍ୟ ଆଡେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଏହାକୁ ସମର୍ଥନ କରାଯାଏ l

ନିର୍ବାଚନ ପ୍ରତିନିଧି ନିଜ ସମ୍ପତ୍ତିର ତାଲିକା ସମ୍ପର୍କରେ ସଠିକ ତଥ୍ୟ ଦେଉନାହାନ୍ତି l ମତଦାତା କୁ ପ୍ରଭାବିତ କରିବା ପାଇଁ ନାନା ଆକର୍ଷଣୀୟ ଯୋଜନା କରାଯାଉଛି l ନିର୍ବାଚନ ଜିତିଲେ ଜନତାଙ୍କ ଅଭାବ, ଅସୁବିଧା କଥା ବୁଝି ସେ ଦିଗରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭଣ୍ଡେଇ ଦିଆଯାଉଛି l ଉନ୍ନତି ମୂଳକ କାର୍ଯ୍ୟର ଆଶା , ନୂତନ ସୁବିଧା ଗୁଡ଼ିକର ଲୋଭ ଦେଖାଇ ଭୋଟ ହାତେଇବା ସେମାନଙ୍କର ଏକ ଚିରାଚରିତ ଗୁଣ ପାଲଟି ଗଲାଣିl

କିନ୍ତୁ ନିରୀହ କହିବା ବା ବୋକା କହିଲେ ଠିକ ହବ, ଭୋଟର ମାନେ ପ୍ରତିଥର ତାଙ୍କ ଚିକ୍କଣ କଥାରେ ଭଳି ଯାଆନ୍ତି l ପ୍ରତିଥର ଭୋଟ ଦେଇ ତାଙ୍କୁ ଚୟନ କରନ୍ତି ଏବଂ ବାରମ୍ବାର ପ୍ରତାରିତ ହୁଅନ୍ତି l ଅପରପକ୍ଷେ ଏହା ବି ସତ ଯେ ଅନେକ ଶିକ୍ଷିତ ଲୋକ ଭୋଟ ଦେବାକୁ ଅରାଜି ହେଉଛନ୍ତି l ରାଗ, ଅଭିମାନ କିମ୍ବା ଖାମଖିଆଲି ମନୋଭାବ ଯୋଗୁଁ ହଉ ପଛେ ନିର୍ବାଚନ ଦିନଟିକୁ କେବଳ ଗୋଟିଏ ଛୁଟିଦିନ ଭାବି ଘରେ ରହିଯାଉଛନ୍ତି l ‘ ଆମର ଗୋଟିଏ ଭୋଟ ରେ କଣ ପରିବର୍ତ୍ତନ ସମ୍ଭବ ? ତା ପରେ ଏଠି କେହି ଭଦ୍ର ଲୋକ ନାହାନ୍ତି l ତେଣୁ ଆମେ ଭୋଟ ଦେଲେ କେତେ ନ ଦେଲେ କେତେ ! ‘ ଏହିଭଳି କିଛି ଭାବି ନିଜ ମନକୁ ବୁଝେଇ ଦିଆଯାଉଛି l ହେଲେ ବାସ୍ତବରେ ଏଭଳି କରି ସେମାନେ ଆଗକୁ ନେତାଙ୍କୁ ଭୁଲ କହିବା ବା ବ୍ୟବସ୍ଥାରେ ତ୍ରୁଟି ବାହାର କରିବାର ଅଧିକାରରୁ ନିଜକୁ ବଞ୍ଚିତ କରୁଛନ୍ତି l ଯଦି ଜଣେ ଭୋଟ ହିଁ ଦେବ ନାହିଁ, ତେବେ ତାର ନାଗରିକର ଅଧିକାର ସେ କିଭଳି ସାବ୍ୟସ୍ତ କରିବ ? କହିବା ବାହୁଲ୍ୟ ଦେଶର ପ୍ରତ୍ୟେକ ନାଗରିକ ସଠିକ ପ୍ରାର୍ଥୀ ଚୟନ କଲେ ହିଁ ଦେଶର ରାଜନୀତିରେ ପରିବର୍ତ୍ତନ ସମ୍ଭବ l ଶିକ୍ଷିତବର୍ଗ ଭୋଟ ବର୍ଜନ କରିବା ଦ୍ୱାରା ଅଶିକ୍ଷିତ ମାନଙ୍କ ଦ୍ୱାରା ନିର୍ବାଚିତ ନେତା ରାଜନୀତିରେ ପ୍ରବେଶ କରୁଛନ୍ତି l ପରିଣାମ ପ୍ରାର୍ଥୀଙ୍କ ଭିତରେ ପ୍ରତିଦ୍ବନ୍ଦିତା ହେଉନାହିଁ ଏବଂ ନିର୍ବାଚନରେ ଏକପାଖିଆ ବିଜୟ ଲାଭ କରି ପ୍ରାର୍ଥୀ ଦଳ ଗଠନ କରୁଛନ୍ତି l

ଯଦି ଦେଶ ଗଠନରେ ରାଜନୈତିକ ଦଳଗୁଡ଼ିକ ପ୍ରକୃତରେ ସୁଧାର ଆଣିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ନିଜ ମଧ୍ୟରେ ଲୋକତନ୍ତ୍ର ବଜାୟ ରଖିବାକୁ ହେବ l ଅସତ ଉପାୟରେ ଭୋଟ ଗ୍ରହଣ, କିମ୍ବା ଭୋଟରଙ୍କୁ କିଣି ତାଙ୍କ ମତ ହାସଲ ଏକ ନିକୃଷ୍ଟ ପ୍ରକ୍ରିୟା l ଏଭଳି ନିର୍ବାଚନ ପ୍ରକ୍ରିୟାର କୁପ୍ରଭାବ ଦେଶର ବିକାଶ ନୀତିକୁ ପ୍ରଭାବିତ କରେ l ଯାହା ଧନୀଙ୍କୁ ଆହୁରି ଧନୀ ଏବଂ ଗରିବଙ୍କୁ ଆହୁରି ଗରିବରେ ପରିଣତ କରେ l ଫଳରେ ସମାଜରେ କ୍ରମେ ଦେଖାଯାଉଛି ଏକ ଅର୍ଥନୈତିକ ଅସନ୍ତୁଳନ l ବିକାଶର ଲାଭ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଞ୍ଚିବା ଆବଶ୍ୟକ l ତା ପରେ ଲାଞ୍ଚ ଦେଇ ଆଉ ଭୋଟ କିଣିବାକୁ ପଡିବ ନାହିଁ l

ଶେଷରେ ଏତିକି କୁହାଯାଇପାରେ, ଜନତା ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରି ଚାପ ସୃଷ୍ଟି କରିବାର କ୍ଷମତା ରଖେ l ଆବଶ୍ୟକ ଅଛି ନିଜ ମତକୁ ସଠିକ ଢଙ୍ଗରେ ଉପସ୍ଥାପିତ କରିବା l ତେବେ ହିଁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିବ, ଯାହା ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏକ ଶୁଭ ସଂକେତ ମନେହେବ l

Leave a Reply

Your email address will not be published.