(ଶ୍ରୁତସଂକ୍ଷିପ୍ତ)- ହାତଟିଏ ବଢ଼ାଅ

(ଶ୍ରୁତକୀର୍ତ୍ତି ତ୍ରିପାଠୀ): ମାସେ ତଳେ ଆମେ ମହିଳା ଦିବସ ପାଳନ କଲେ, ବର୍ଷତମାମ ଆମେ ମହିଳା ସଶକ୍ତିକରଣ କଥା କହୁଛେ, ତଥାପି ଆମ ଚାରିଆଡ଼େ ପ୍ରତିଦିନ ଘଟିଯାଉଥିବା ନାରୀ ନିର୍ଯାତନା,ମହିଳା ଶୋଷଣ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଜନିତ ଘଟଣା ଓ ଦୁର୍ଘଟଣା ବଢ଼ି ଚାଲିଛି। ଏତେ ଆଲୋଚନା, ଯୋଜନା ସତ୍ତ୍ବେ ଆମେ ଯେଉଁଠି ଥିଲେ ସେଇଠି ଅଛେ ବୋଲି କହିଲେ ଭୁଲ ହେବ ନାହିଁ। ନାରୀ ଅବହେଳିତ, ଅପମାନିତ ଏବଂ ନିର୍ଯାତିତ ହେବା ପଛରେ ଅନେକ କାରଣ ରହିଛି, କିନ୍ତୁ ଏସବୁ ରୋକିବା ଦିଗରେ ସଶକ୍ତ, ସକ୍ଷମ ଏବଂ ଯୋଗ୍ୟ ବ୍ୟକ୍ତିଙ୍କ ସହଯୋଗ କ’ଣ ରହିଛି ତାହା ଆଲୋଚ୍ୟର ବିଷୟ। ଯେଉଁମାନେ ଘଟିଯାଉଥିବା ଘଟଣାଗୁଡ଼ିକ ପଛରେ ଥିବା ମୂଳ କାରଣକୁ ବୁଝିବାରେ ସକ୍ଷମ, ସେମାନେ ଏହାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଅଥବା କୌଣସି ଚାପ ବଶବର୍ତ୍ତୀ ହୋଇ କିଛି କରିବାକୁ ସାହସ କରୁନାହାନ୍ତି। ଧନ, ପ୍ରତିପତ୍ତି ଥିବା ବ୍ୟକ୍ତିଙ୍କ ମତ ଓ ମନ୍ତବ୍ୟ ଉପରେ ଆମର ବର୍ତ୍ତମାନ ସମାଜ ବିଶ୍ୱାସ କରୁଛି, ହେଲେ ସେମାନେ କ’ଣ ତାଙ୍କ ଦାୟିତ୍ୱ ଠିକ ରୂପେ ତୁଲାଉଛନ୍ତି ? ପରିଣାମ ଯିଏ ଯେଉଁ ସ୍ତରରେ ପୀଡ଼ିତ, ଅବହେଳିତ, ସେ ସେଇସ୍ତରରେ କିମ୍ବା ତା’ଠାରୁ ଆହୁରି ନିର୍ଯାତନା, ଶୋଷଣର ଶିକାର ହେଉଛି। ଆଇନ ହାତରେ ଏମାନଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରମାଣ, ସାକ୍ଷୀ ଅଭାବରୁ ଏହା ସମ୍ଭବ ହେଉନାହିଁ। ଏଣୁ ଏକମାତ୍ର ଶେଷ ପନ୍ଥା ଯାହା ନାରୀ ପାଇଁ କରଣୀୟ, ତାହା ହେଉଛି ନିଜ ପ୍ରତି ହେଉଥିବା ଅନ୍ୟାୟ ବିପକ୍ଷରେ ସ୍ୱର ଉତ୍ତୋଳନ ସହିତ ଏହାର ବିରୋଧ କରିବା। ଚୁପ୍ ହୋଇ ବସି କାହାର ସାହାଯ୍ୟକୁ ଅପେକ୍ଷା ନ କରି ଉଚିତ୍ ପଦକ୍ଷେପ ନେବା।

ଜଣେ ନାରୀ ଏକକାଳୀନ ଅନେକ ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରଖେ। ଜନନୀ ରୂପେ ସ୍ନେହ ମମତା ଓ କରୁଣାର ଗଙ୍ଗା ବୁହାଇ ଦିଏ ତ, ଭଗିନୀ ରୂପେ ଭାଇକୁ ପ୍ରେମ ବନ୍ଧନରେ ବାନ୍ଧି ପକାଏ, ପତ୍ନୀ ଭାବରେ ସ୍ୱାମୀ ସହ ସଂସାର ଗଢ଼ି ତାର ସମଧର୍ମ, ସମକର୍ମରେ ଅଂଶୀଦାର ହୋଇ ତାହାର ଚଲାପଥକୁ କୁସୁମିତ କରେ ତ, ପୁଣି ନିଜ ଔରସରୁ ସୃଷ୍ଟି କରି ତାହାର ଲାଳନପାଳନ ପାଇଁ ସବୁ ଦୁଃଖକଷ୍ଟ ସହିଯାଏ। ବାର୍ଦ୍ଧକ୍ୟରେ ଉପନୀତ ହେବା ପର୍ଯ୍ୟନ୍ତ ସୀମାହୀନ ଯନ୍ତ୍ରଣା ଭୁଲି ନିଜ ପରିବାରର ସୁଖଦୁଃଖରେ ନିଜକୁ ହଜେଇ ଦିଏ। ତ୍ୟାଗ ହିଁ ତାର ସର୍ବଶ୍ରେଷ୍ଠ ପୁଞ୍ଜି। ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସନ୍ତାନକୁ ମଣିଷଟିଏ କରିବାର କାମନା ଏବଂ ସେଥିରେ ସଫଳତା ହିଁ ତା’ଜୀବନର ଉଦ୍ଦେଶ୍ୟ ପାଲଟିଯାଏ। ଏସବୁ ଭିତରେ ସେ ଭୁଲିଯାଏ ନିଜର ମନକଥା, ସମ୍ମାନ ଓ ମୂଲ୍ୟବୋଧର ଗାଥା। ନିଜର ରୁଚି, ଇଚ୍ଛା, ପସନ୍ଦ, ଆଶା ଓ ସ୍ବପ୍ନ ସତେ ଯେମିତି ତାହାର ପ୍ରାଥମିକତା ନୁହେଁ। ଅପରପକ୍ଷେ ଏସବୁରୁ ଉର୍ଦ୍ଧ୍ୱରେ ରହି ଯଦି କେହି କିଛି କରିବାକୁ ଆଗେଇ ଆସିଲା, ତା’ କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହୁଏ ଅନେକ ଅନ୍ତରାୟ।

ଧର୍ମାନୁଷ୍ଠାନ, ରାଜନୀତି, ଶିକ୍ଷା, ଆଇନ, ବିଜ୍ଞାନ, ଦେଶର ଗଠନ ଏଭଳି କି ଦେଶର ସୁରକ୍ଷା ସବୁଠାରେ ନିଜର ଅବସ୍ଥିତିକୁ ଜାହିର କରି ଦେଶକୁ ସର୍ବାଧିକ ଉନ୍ନତି ପଥରେ ବାହିନେବାର କ୍ଷମତା ମହିଳା ଭିତରେ ଅନ୍ତର୍ନିହିତ। ନାରୀ ସ୍ୱୟଂସମ୍ପୂର୍ଣ୍ଣା। ସ୍ୱଭାବରେ ସେ ଲଜ୍ଜ୍ୟାଶୀଳା, ତା’ର ଲଜ୍ଜ୍ୟାକୁ ଦୁର୍ବଳତା ମନେକରିବା ସମାଜର ଅବିବେକିତା କୁହାଯାଇପାରେ। ଦରକାର ହେଲେ ପୁରୁଷ ଦ୍ଵାରା ଅସାଧ୍ୟ ମନେ ହେଉଥିବା କାମ ବି ସହଜରେ ସେ କରିଦେଇପାରେ। ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ନାରୀ ଭିତରେ ମଧ୍ୟ ନକାରାତ୍ମକ ଭରି ରହିଛି। ମାତ୍ର ସେହି ନକାରାତ୍ମକତାକୁ ପଛରେ ପକେଇ ଯିଏ ଦାମ୍ଭିକତାର ସହ ସବୁ ସମସ୍ୟାକୁ ସମାଧାନ କରେ, ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ଆଗକୁ ବଢ଼େ, ସେହି ନାରୀ ହୁଏ ଆଗ୍ରଗଣ୍ୟ। ମାର୍ଜିତ ପୋଷାକପତ୍ର, ଭଦ୍ର ସ୍ଵଭାବ, ଶାଳୀନ ବ୍ୟବହାର ଏବଂ ପ୍ରତ୍ୟେକ ମଣିଷ ଭିତରେ ଦିବ୍ୟ ସତ୍ତାର ଅନୁଭବ ନାରୀକୁ ସ୍ୱତନ୍ତ୍ର ଭାବେ ଗଢ଼ି ତୋଳେ।

ଏତେସବୁ ଗୁଣ ତ୍ୟାଗ, ସହନଶୀଳତା, ଦୟା, ପ୍ରେମ ଓ ମମତା ସତ୍ତ୍ୱେ ମହିଳାଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼େ। ସାମାନ୍ୟ ଅସାବଧାନତା କିମ୍ବା ଭୂଲ ପାଇଁ ତା’ ଉପରେ ଅଙ୍ଗୁଳି ଉଠେ, ଯାହା ଭିତରେ ସେ ଅଣନିଃଶ୍ୱାସୀ ହୋଇଉଠେ। ଅସହ୍ୟ ହେଲେ ନିଜ ସମ୍ମାନ ରକ୍ଷା ପାଇଁ ପ୍ରତିବାଦ କରେ, ସ୍ୱର ଉଠାଏ। ତା’ର ଭାଗ୍ୟ ଭଲ ଥିଲେ କିଏ ତାକୁ ଶୁଣେ, ତା’ର ସାହାଯ୍ୟ କରେ ଅନ୍ୟଥା ସେ ମାନସିକ ଓ ଶାରୀରିକ ଯନ୍ତ୍ରଣାର ଶିକାର ହୁଏ। ଏଭଳି ଅନେକ ଉଦାହରଣ ପ୍ରତିଦିନ ଟିଭି କିମ୍ବା ଖବରକାଗଜ ପୃଷ୍ଠା ମଣ୍ଡନ କରି ଆମର ଦୃଷ୍ଟି ଆକର୍ଷଣ କରେ। ଘଟଣା ଟିଏ ଘଟିଗଲା ମାତ୍ରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନାର ସୁଅ ଛୁଟେ। ବେଶୀ ସମ୍ବେଦନଶୀଳ ଘଟଣା ହେଲେ ଧାରଣା, ରାଲି, କ୍ୟାଣ୍ଡେଲ ମାର୍ଚ୍ଚ, ବିରୋଧ ହୁଏ, ମାତ୍ର ନିଷ୍କର୍ଷ କିଛି ବାହାରେନା। କିଛିଦିନର ହୋ ହା ପରେ ସବୁ ଥଣ୍ଡା ପଡ଼ିଯାଏ। ପ୍ରଭାବିତ ହୁଅନ୍ତି କେବଳ ନିର୍ଯାତନା ଭୋଗିଥିବା ଝିଅ / ମହିଳା ଏବଂ ତା’ର ପରିବାର ବର୍ଗ। ଦୁଃଖର ବିଷୟ ଏହା ଉପରେ କିଛି ବି କରାଯାଇ ପାରୁନାହିଁ। ବ୍ୟବସ୍ଥା, ସରକାର ସମସ୍ତଙ୍କ ହାତ ଏକ ଅଦୃଶ୍ୟ ଶିକୁଳିରେ ବନ୍ଧା ହୋଇଛି।

ଏହି ସମୟରେ ସ୍ୱୟଂ ମହିଳା ନିଜେ ନିଜର ଗୁରୁ ଦାୟିତ୍ୱ ବହନ କରିବା ପ୍ରୟୋଜନୀୟ। ଘର ହେଉ କି କାର୍ଯ୍ୟକ୍ଷେତ୍ର, ଶିକ୍ଷାନୁଷ୍ଠାନ ହେଉ କି ଯେ କୌଣସି ପରିବେଶରେ, ତା’ର କେଉଁଥିରେ ଆପତ୍ତି, ଅଭିଯୋଗ, ବାରଣ ତାହା ସେ ପାଟି ଖୋଲି କହୁ। ନିଜର ବୁଦ୍ଧି, ବିବେକ, ଶିକ୍ଷା ଏବଂ ଯୋଗ୍ୟତାର ପ୍ରଦର୍ଶନ କରି ନିଜ ଲକ୍ଷ୍ୟ ହାସଲ କରୁ। ଦୟା ଓ ସହାନୁଭୂତିର ଅପେକ୍ଷାରେ ନ ରହି ନିଜ ଅଧିକାର କ’ଣ ଜାଣୁ ଏବଂ ତାକୁ ସାବ୍ୟସ୍ତ କରୁ। ସମାଜର ସକ୍ଷମ ଓ ସମର୍ଥ ବର୍ଗ ମହିଳା , ଦୁର୍ବଳ ଏବଂ ନିର୍ଯାତିତ ବର୍ଗଙ୍କ ପାଇଁ ସହାୟତାର ହାତ ବଢ଼େଇଲେ ସ୍ୱତଃ ପରିବର୍ତ୍ତନ ଆସିବ। ମହିଳାଟିଏ ଅନ୍ୟ ମହିଳା ପ୍ରତି ଅସହିଷ୍ଣୁ ଭାବ ପୋଷଣ ନ କରି ବନ୍ଧୁ ଭଳି ତା’ ପାଇଁ ହାତ ବଢ଼ାଉ , ଯାହାକୁ ଧରି ସେ ତାହାର ସମସ୍ୟାରୁ, ବିପଦରୁ ମୁକୁଳି ଆସୁ। କଙ୍କଡ଼ା ପ୍ରକୃତି ଛାଡ଼ି ମହିଳାମାନେ ସାମୂହିକ ଭାବେ କୌଣସି କାମ କରିବାକୁ ସଂକଳ୍ପବଦ୍ଧ ହେଲେ, ସେ କାମଟି ନିଶ୍ଚୟ ସଫଳ ହେବ ବୋଲି ଆଶା ଓ ବିଶ୍ୱାସ।

ଫୋନ – 6370516478

Leave a Reply

Your email address will not be published.