ଏହି ଦେଶରେ ପେଟ୍ରୋଲ ଲିଟରକୁ ୪୭୦ ଓ ଡିଜେଲ ୪୬୦ ଟଙ୍କା

ଏହି ଦେଶରେ ପେଟ୍ରୋଲ ଲିଟରକୁ ୪୭୦ ଓ ଡିଜେଲ ୪୬୦ ଟଙ୍କା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଗୁରୁତର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ପୁଣି ତୈଳ ଦର ବୃଦ୍ଧି ହୋଇଛି। ଫଳରେ ପେଟ୍ରୋଲ ଲିଟର ପିଛା ଦର ଏଠାରେ ୪୭୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୪୬୦ ଟଙ୍କା ହୋଇଛି। ଆଜି ସକାଳର ଦେଶରେ ଏହି ଦରବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ଲିଟର ପିଛା ୬୦ ଟଙ୍କା ମହଙ୍ଗା ହୋଇଛି। ଉପୁଜିଥିବା ପରିସ୍ଥିତିରେ ତୈଳ ଦର ବୃଦ୍ଧି ବ୍ୟତୀତ ସରକାରଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନାହିଁ। ଗତ ଦୁଇ ମାସରେ ଏହା ତୃତୀୟ ମୂଲ୍ୟବୃଦ୍ଧି।

ସାର୍ବଜନିକ କ୍ଷେତ୍ରର ତୈଳ ବିକ୍ରେତା ସିଲୋନ ପେଟ୍ରୋଲିୟମ କର୍ପୋରେସନ( ସିପିସି) ରବିବାର ରାତି ୨ଟାରେ ଏହି ମୂଲ୍ୟବୃଦ୍ଧି ଦର ଘୋଷଣା କରିଛନ୍ତି। ଗତ ମେ ମାସରେ ମଧ୍ୟ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା। ମେ ୨୨ ତାରିଖ ଦିନ ପେଟ୍ରୋଲିୟମ କମ୍ପାନୀମାନେ ପେଟ୍ରୋଲ ଲିଟର ପିଛା ୨୪.୩ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟରପିଛା ୩୮.୪ ପ୍ରତିଶତ ବୃଦ୍ଧି କରିଥିଲେ।ଦେଶରେ ପେଟ୍ରୋଲ ଓ ଡିଜେଲର ଚାହିଦା ଏବଂ ଯୋଗାଣ ସନ୍ତୁଳିତ ହୋଇପାରୁନଥିବାରୁ ଲୋକେ ପେଟ୍ରୋଲ ପମ୍ପମାନଙ୍କରେ ତୈଳ ଲାଗି ଧାଡି ବାନ୍ଧୁଥିବା ଦେଖାଯାଇଛି। ଲୋକେ ଜାରକିନ ଓ ବଡବଡ ଡ୍ରମ ସହ ଧାଡି ବାନ୍ଧୁଥିବା ବେଳେ ଗାଡିମାନେ ମଧ୍ୟ ଦୀର୍ଘ ଧାଡିରେ ରହୁଛନ୍ତି। ଏପରିକି ଲୋକଙ୍କୁ ଦିନ ଦିନ ଧରି ଧାଡିରେ ଛିଡା ହେବାକୁ ପଡୁଛି। କେବଳ ତେଲ ଦର ନୁହେଁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ମଧ୍ୟ ଆକାଶଛୁଆଁ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: