ବରିଷ୍ଠ ନାଗରିକଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ୱତନ୍ତ୍ର ସେବା

ବରିଷ୍ଠ ନାଗରିକଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ୱତନ୍ତ୍ର ସେବା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏମ୍ସରେ ଆରମ୍ଭ ହେଲା ଏକ ସ୍ୱତନ୍ତ୍ର କ୍ଲିନିକ ସେବା। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରର ମେଡିସିନ୍ (ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି ସ୍ୱତନ୍ତ୍ର କ୍ଲିନିକ୍ ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ କାର୍ୟ୍ୟ କରିବ। ଏମ୍ସ ଭୁବନେଶ୍ୱର ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମୀ ରଂଜନ ମହାନ୍ତି ଏହି କ୍ଲିନିକ୍ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ। ଏହି କ୍ଲିନିକ୍ ବାର୍ଦ୍ଧକ୍ୟଜନିତ ରୋଗର ସାମଗ୍ରୀକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି କୋଭିଡ୍ ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ଏହି କ୍ଲିନିକ୍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡ. ରଶ୍ମୀ ରଂଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ଅବସରରେ ଜେରିଆଟ୍ରିକ୍ ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାରର ଆୟୋଜନ କରାଯାଇଥିଲା। ଜେରିଆଟ୍ରିକ୍ ମେଡିସିନର ବିଶିଷ୍ଟ ଚିକିତ୍ସକ ତଥା ଏମ୍ସ ଦିଲ୍ଲୀ ଜେରିଆଟ୍ରିକ୍ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡ. ଏ ବି ଦେ ଏହି ଅବସରରେ ବିଶେଷ ବକ୍ତବ୍ୟ ପ୍ରକାଶ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: