ମିଛ କାହାଣୀ ଲେଖିଥିଲେ ଅରୁଣ ବୋଥ୍ରା !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୟାଗଡ଼ ଯଦୁପୁର ପରୀହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ଲାଗିଛି ବଡ଼ ଝଟକା। ଅସଲ ଅପରାଧୀକୁ ନ ଧରି ଏସଆଇଟି ମୁଖ୍ୟ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ବିଧିବଦ୍ଧ ଭାବେ ପ୍ରମାଣିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀ ହେଉ ବା ଅନ୍ୟ ଯେ କୌଣସି ଫୋରମ୍ ହେଉ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବାରମ୍ବାର ଏକଥା ଉଲ୍ଲେଖ କରି ଆସିଛନ୍ତି ଯେ, ଅଭିଯୁକ୍ତ ଜଣେ ସାବାଳକ। ତେବେ କୋର୍ଟରେ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେବାପରେ ତଦନ୍ତର ଦିଗକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଯେଉଁଭଳି ଭାବେ କୌଣସି ବିଧିବଦ୍ଧ ତଥ୍ୟ ପ୍ରମାଣ ବିନା ଜଣେ ନାବାଳକକୁ ସାବାଳକ କହି, ତାକୁ ପୋଲିସ ରିମାଣ୍ଡରେ ନେଲା, ତାହା ଏସଆଇଟିର ନିରପେକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାସହ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଯେଉଁଭଳି ଭାବରେ ଆବେଦନ କରିଛି, ତାହା ଖାଲି ତଦନ୍ତକୁ ଦିଗହରା କରିବାକୁ ହିଁ ଉଦ୍ଦିଷ୍ଟ। କାରଣ ଏବେ ହୁଏତ ତାହା ଆଉ ସମ୍ଭବ ନୁହେଁ।ଏସଆଇଟି କିଭଳି ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ମାହୋଲ ସୃଷ୍ଟି କରୁଥିଲେ, ଏବଂ ତଦନ୍ତର ମଙ୍ଗ ମୋଡ଼ିବାକୁ ଯାଇ ଜଣେ ନାବାଳକକୁ ଜୋର ଜବରଦସ୍ତ ସାବାଳକ ଦର୍ଶାଇଥିଲେ, କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ପରେ ସେକଥାର ହୋଇଯାଇଛି ପର୍ଦ୍ଦାଫାସ।

ନୟାଗଡ଼ ପୋକ୍ସୋ କୋର୍ଟରେ ନାବାଳକ ଅଭିଯୁକ୍ତଙ୍କ ଓକିଲ ପ୍ରଫୁଲ୍ଲ ଶତପଥୀ ଅଭିଯୁକ୍ତର ମାଟ୍ରିକ୍ ସାର୍ଟିଫିକେଟ ସାଙ୍ଗକୁ ଅନ୍ୟାନ୍ୟ ବୟସ ପ୍ରମାଣପତ୍ର ଦେଖାଇବାରୁ ଜଣା ପଡ଼ିଥିଲା ଯେ, ଅଭିଯୁକ୍ତଙ୍କୁ ଆଦୌ ୧୮ ବର୍ଷ ହୋଇନାହିଁ। ଏଥିସହ କୋର୍ଟରେ ସରକାରୀ ଓକିଲ ବଂଶୀଧର ରାଉତରାୟଙ୍କ ଉପସ୍ଥାପନ ବି ସେହିପରି ଥିଲା। ଏ ଦୁଇ ଓକିଲ ଅଭିଯୁକ୍ତ ନାବାଳକ ଥିବା ନେଇ କୋର୍ଟଙ୍କ ଉକ୍ତିର ପୁଷ୍ଟି କରିଥିଲେ। ଉପଯୁକ୍ତ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକ୍ସୋ କୋର୍ଟ। ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବା ପରେ ମାମଲା ଜୁଭେନାଇଲ କୋର୍ଟକୁ ହସ୍ତାନ୍ତର ହୋଇଯାଇଛି। ଏଥିସହ ଏସଆଇଟି ମୁଖିଆ ଯେ ମିଛ କହିଥିଲେ, ତାହା ପ୍ରମାଣିତ ହୋଇଛି। ତେବେ ଏଇଠି ସରିଯାଉ ନାହିଁ ଏ ଘଟଣା। ଏବେ ପ୍ରଶ୍ନ ଉଠିବା ଆରମ୍ଭ କଲାଣି ଯେ, ଯଦି ଅଭିଯୁକ୍ତ ବାବଦରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ପୋକ୍ସୋ କୋର୍ଟ ତାକୁ ନାବାଳକ ବୋଲି ଦର୍ଶାଇଲେ, ତେବେ କେଉଁ ତଥ୍ୟ ଓ ପ୍ରମାଣକୁ ଆଧାର କରି ଏସଆଇଟି ମୁଖିଆ ତାକୁ ସାବାଳକ ବୋଲି ଦର୍ଶାଇଥିଲେ। ଖାଲି ଦର୍ଶାଇ ନ ଥିଲେ, ବରଂ ରାଜ୍ୟର ସମସ୍ତ ସଚେତନ ଗଣମାଧ୍ୟମ ଆଖିରେ ଆଙ୍ଗୁଠି ଗେଞ୍ଜି, ସାମ୍ବାଦିକ ସମ୍ମିଳନୀରେ ଏକଥା ବଖାଣିବାକୁ ମଧ୍ୟ ପଛେଇ ନ ଥିଲେ। ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ତାର ମାମଲା ପୋକ୍ସୋ କୋର୍ଟରେ ନୁହେଁ, ବରଂ ଜୁଭେନାଇଲ କୋର୍ଟରେ ବିଚାର ହେଉ ବୋଲି କରିଥିଲା ଆବେଦନ। ସେଥିପାଇଁ ତା’ ତରଫରୁ ଉପଯୁକ୍ତ ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ ହୋଇଥିଲା। ଆଉ ସରକାରୀ ଓକିଲ ଏବଂ ଅଭିଯୁକ୍ତର ଓକିଲଙ୍କ ବୟାନ ଏକଥାକୁ ସ୍ପଷ୍ଟ କରୁଛି ଯେ, ସେ ଜଣେ ନାବାଳକ ବୋଲି କୋର୍ଟଙ୍କର ହୃଦବୋଧ ହୋଇଛି।

ତେବେ କୋର୍ଟଙ୍କ କଥାକୁ ଯଦି ସତ ବୋଲି ଧରାଯାଏ, ତେବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କ’ଣ ମିଛ କହୁଥିଲେ ? ଯଦି ମିଛ କହୁଥିଲେ, ତେବେ କାହିଁକି ଓ କାହା ସ୍ୱାର୍ଥରେ ମିଛ କହୁଥିଲେ ? ସେ କ’ଣ କାହାକୁ ବଞ୍ଚାଇବାକୁ ମିଛ କହୁଥିଲେ ? ଯଦି ଅଭିଯୁକ୍ତର ବୟସ ସମ୍ବନ୍ଧୀୟ କୋର୍ଟଙ୍କ ରାୟ ସତ, ତେବେ ଅଭିଯୁକ୍ତକୁ ଦୋଷ ସ୍ୱୀକାର ପାଇଁ ଅରୁଣ ବୋଥ୍ରା ୫ ଲକ୍ଷ ଟଙ୍କା ଯାଚିବା କଥା ବି କ’ଣ ସତ ? ସରକାର କ’ଣ ତଦନ୍ତର ମଙ୍ଗ ମୋଡ଼ିବାକୁ ଗଠନ କରିଥିଲେ ଏସଆଇଟି ? ଭାରତର ନ୍ୟାୟପାଳିକା ଇତିହାସ କହୁଛି, ଶହେ ଅପରାଧୀ ପଛେ ଖସି ଯାଆନ୍ତୁ, ଜଣେ ନିରପରାଧ ଦଣ୍ଡ ନ ପାଉ। ନିଜ କ୍ଷମତା ଓ ପିଠିରେ ସରକାରଙ୍କ ସାବାସୀରେ ଉତଫୁଲ୍ଲିତ ବୋଥ୍ରା କ’ଣ ଏହାକୁ ପାଦରେ ଦଳି ଦେଇଥିଲେ ? ତେବେ କ’ଣ ଧରିନେବାକୁ ହେବ, ରାଜ୍ୟ ସରକାରଙ୍କ ବିରୋଧରେ ଉଠିଥିବା ଏତେବଡ଼ ଏକ ଝଡ଼କୁ ପ୍ରଶମିତ କରିଥିବାରୁ ହିଁ ପୁରସ୍କାର ସ୍ୱରୁପ ବୋଥ୍ରାଙ୍କୁ ତୁରନ୍ତ ଏଡିଜି ରାଙ୍କକୁ ମିଳିଲା ପଦୋନ୍ନତି ? ହୁଏତ ଏହା ଏକ ରୁଟିନ୍ ପ୍ରମୋଶନ ହୋଇ ଥାଇପାରେ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ତ ସେଇଆ ହିଁ ସତ ବୋଲି ବୁଝାପଡୁଛି। ତା’ପରେ ଅରୁଣ ବୋଥ୍ରା ବାରମ୍ବାର ଟ୍ୱିଟ୍ କରି ବିଜେପି ଉପରେ ତଥା ଅନ୍ୟମାନଙ୍କ ଉପରେ ଏକ ଏଜେଣ୍ଡା ଚଳାଉଥିବାର ଦୋଷ ଲଦି ଚାଲିଛନ୍ତି। ଏହା ମନ୍ଦିର ଭିତରେ କିଏ ନା ମୁଁ କଦଳି ଖାଇନାହିଁ ସଦୃଶ। କାରଣ ଯଦି ତାଙ୍କ ଅଭିଯୋଗକୁ ସତ ବୋଲି ମଧ୍ୟ ଧରାଯାଏ, ତେବେ ବିରୋଧୀଙ୍କ କାମ ସରକାର ବିରେଧୀ ଏଜେଣ୍ଡା ଚଳାଇବା। ମାତ୍ର ବୋଥ୍ରା ଯଦି ସତ, ତାଙ୍କ ତଦନ୍ତର ଦିଗ ଯଦି ଉଚିତ୍ ମାର୍ଗରେ ଯାଉଛି, ତେବେ ସେ କାହାକୁ ଓ କାହିଁକି ଭୟ କରୁଛନ୍ତି ? ଏକଥା ପ୍ରମାଣ କରୁଛି ଯେ, ସେ କେବଳ ଶୂନ୍ୟରେ ହିଁ ବାଡ଼ି ବୁଲାଉଛନ୍ତି। କାରଣ ଏସଆଇଟି ମୁଖିଆ ଅରୁଣ ବୋଥ୍ରାଙ୍କ ତଦନ୍ତ ଓ ଜଣେ ନାବାଳକକୁ ସାବାଳକ ଦର୍ଶାଇ ଅଭିଯୁକ୍ତ ସଜାଇବା ହିଁ ତମାମ ଘଟଣାକୁ ଏକ ଭିନ୍ନ ମୋଡ଼ ଦେବାରେ ସହାୟକ ହୋଇଥିଲା। ପୁଣି ବୋଥ୍ରା ଯେଉଁସବୁ ପ୍ରମାଣ ଯୋଗାଡ଼ କରିଛନ୍ତି, ତା’ର ଦୁର୍ବଳ ଭିତ୍ତିଭୂମି ସେଗୁଡ଼ିକୁ କୋର୍ଟରେ ପ୍ରମାଣିତ କରି ନ ପାରିବାର ଆଶଙ୍କା ସୃଷ୍ଟି କରିଛି। ଏଇ ଯେମିତି ଅଭିଯୁକ୍ତ ନାବାଳକର ଘର ନିକଟରେ ଥିବା ପୋଖରୀରୁ ପରୀର ଲେଗିଙ୍ଗସ ଉଦ୍ଧାର କରିବା ଏବଂ ମୃତଦେହର ଅବଶେଷରୁ ସିମେନ୍ସ ଯୋଗାଡ଼ କରିବା ଇତ୍ୟାଦି।

ଏପର୍ଯ୍ୟନ୍ତ ପରୀର ମାତାପିତାଙ୍କୁ ତାର ଲେଗିଙ୍ଗସକୁ ଦେଖା ଯାଇ ନ ଥିବା କହିଛନ୍ତି ପରୀର ମାଆ। ତେଣୁ ସେଇଟି ଯେ ପରୀର ଲେଗିଙ୍ଗସ ଏହା ଏସଆଇଟି ମୁଖ୍ୟ ଜାଣିଲେ କେମିତି ? ତା’ଛଡ଼ା ସିମେନ୍ସ ସମ୍ପର୍କରେ ପ୍ରାଥମିକ ତଦନ୍ତ ସମୟରେ ଆଦୌ କିଛି ଜଣା ପଡ଼ି ନ ଥିବା ବେଳେ ବୋଥ୍ରା କେମିତି ଓ କେଉଁ ବିଜ୍ଞାନ ବଳରେ ଜାଣି ପାରିଥିଲେ ଯେ, ଏହା ଅଭିଯୁକ୍ତର ସିମେନ୍ସ ବୋଲି ? କାରଣ ଚିକିତ୍ସା ବିଜ୍ଞାନ ମଧ୍ୟ ଏ ନେଇ ହାତଟେକି ଦେଇଛି ଯେ, ୪ ମାସରୁ ଅଧିକ ହୋଇଥିଲେ ସିମେନ୍ସ ସମ୍ପର୍କରେ କୌଣସି ବିଧିବଦ୍ଧ ତଥ୍ୟ ଜଣାପଡ଼ିବ ନାହିଁ। ଏସଆଇଟି ଜାନୁଆରୀ ୪ ତାରିଖ ଦିନ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିଲା। ଭାରତୀୟ ଦଣ୍ଡବିଧି ଆଇନରେ କୌଣସି ବ୍ୟକ୍ତିର ବିନା ସମ୍ମତିରେ ନାର୍କୋ ଟେଷ୍ଟ ଆଇନସମ୍ମତ ନୁହେଁ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ତା’ ଛଡ଼ା ନାବାଳକ ଅପରାଧୀଙ୍କର ନାର୍କୋ ଟେଷ୍ଟର ଉଦାହରଣ ଭାରତୀୟ ଅପରାଧ ଇତିହାସରେ ନାହିଁ କହିଲେ ଚଳେ। ତେଣୁ ଏସଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ପାଇଁ ଆବେଦନ ଏବେ ଆକାଶ କଇଆଁ ଚିଲିକା ମାଛ ପାଲଟି ଯାଇଛି।

%d bloggers like this: