ମଣିଷଙ୍କ ପାଇଁ ସଞ୍ଜିବନି ହେବ ସାପ ବିଷ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କାନାଡାର ୱେଷ୍ଟର୍ଣ୍ଣ ୟୁନିଭରସିଟିର ବୈଜ୍ଞାନିକଙ୍କ ସମେତ ଏକ ବିଶ୍ଵର ଅନ୍ୟ କେତେକ ବୈଜ୍ଞାନିକ ଗ୍ରୁପ ‘ସୁପର ଗ୍ଲୁ’ ବିକଶିତ କରିଛନ୍ତି, ଯାହା ମାନବ ଟିସୁରେ ଲାଗିଯାଏ। ଏହି ସୁପର ଗ୍ଲୁ’ ମାଧ୍ୟମରେ ଶରୀରର ଯେକୌଣସି ଅଙ୍ଗରୁ କ୍ରମାଗତ ଭାବରେ ପ୍ରବାହିତ ରକ୍ତ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯିବ। ଏହି ଗ୍ଲୁ’ ଶରୀରର କ୍ଷତ ଅଂଶରେ ଲାଗିଥାଏ ଏବଂ ରକ୍ତ ପ୍ରବାହକୁ ହଠାତ୍ ବନ୍ଦ କରିଦିଏ। ରକ୍ତ ଜମାଟ ବାନ୍ଧୁଥିବା ଏନଜାଇମ୍ ରେପ୍ଟିଲେଜ୍ କିମ୍ବା ବାଟ୍ରୋକ୍ସୋବିନ୍ ବ୍ୟବହାର କରି ଏହି ସୁପର ଗ୍ଲୁ ପ୍ରସ୍ତୁତ କରାଯାଇଛି। ବିପଜ୍ଜନକ ଲେନ୍ସହେଡ୍ ସାପର ବିଷରୁ ବାଟ୍ରୋକ୍ସୋବିନ୍ ମିଳିଥାଏ।
ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ପ୍ରଫେସର ତଥା ଅଧ୍ୟୟନର ସହ-ଲେଖକ କିବ୍ରେଟ୍ ମେକ୍ୱେଣ୍ଟ ଏହି ସମବନ୍ଧରେ ସୂଚନା ଦେଇ କହିଛନ୍ତି ଯେ ଟ୍ରୋମା, ଆଘାତ କିମ୍ବା ଜରୁରୀକାଳୀନ ରକ୍ତସ୍ରାବ ସମୟରେ ଏହି ସୁପରଗ୍ଲୁକୁ ଟ୍ୟୁବରୁ ବାହାର କରି ଆଘାତ ହୋଇଥିବା ସ୍ଥାନରେ ପ୍ରୟୋଗ କରାଯିବା ପରେ ସେଥିରେ ଲେଜର ପଏଣ୍ଟର୍ ପରି ଆଲୋକକୁ କିଛି ସେକେଣ୍ଡ ପାଇଁ ଦେଖାଇବାକୁ ପଡିବ। ସ୍ମାର୍ଟଫୋନର ଫ୍ଲାସ୍ ଲାଇଟ୍ ମଧ୍ୟ ଏଥିପାଇଁ ଯଥେଷ୍ଟ। ଏଭଳି କରିବା ଦ୍ଵାରା ଏହି ଗ୍ଲୁ କ୍ଷତସ୍ଥାନରେ ଲାଗି ରହିବ ଏବଂ ରକ୍ତସ୍ରାବ ହଠାତ୍ ବନ୍ଦ କରିବ। ଲେନ୍ସହେଡ୍ ସାପକୁ ଦକ୍ଷିଣ ଆମେରିକାର ସବୁଠାରୁ ବିଷାକ୍ତ ସାପ ଭାବରେ ବିବେଚନା କରାଯାଏ। ସେଗୁଡିକ ମୂଳତଃ ମାଳଦ୍ୱୀପର ଉତ୍ତର ଭାଗରେ ଦେଖାଯାନ୍ତି।
ପ୍ରାପ୍ତ ବୟସରେ ଲେନ୍ସହେଡ୍ ସାପଗୁଡିକ ୩୦ ରୁ ୫୦ ଇଞ୍ଚ ଲମ୍ବା ହୋଇଥାଆନ୍ତି। ସେମାନେ ସାଧାରଣତଃ କଫି ଏବଂ କଦଳୀ ଗଛରେ ଲୁଚି ନିଜର ଶିକାର ଖୋଜନ୍ତି। ଏହି ସାପ ଗୋଟିଏ ଥରରେ ୧୨୪ ମିଲିଗ୍ରାମ ବିଷ ଉତ୍ପାଦନ କରିପାରେ। ବେଳେବେଳେ ସେମାନେ ୩୪୨ ମିଲିଗ୍ରାମ ପର୍ଯ୍ୟନ୍ତ ବିଷ ମଧ୍ୟ ନିଗ୍ରତ କରନ୍ତି। ନୂତନ ସିଲାଣ୍ଟର କ୍ଲିନିକାଲ୍ ପରୀକ୍ଷଣରେ ଏହା ଫାଇବ୍ରିନ୍ ଗ୍ଲୁ ର ଜାବୁଡ଼ି ଧରିବା ଶକ୍ତିର ୧୦ ଗୁଣ ଅଧିକ ବୋଲି ଜଣାପଡିଛି। ଫାଇବ୍ରିନ୍ ଗ୍ଲୁ କ୍ଷତକୁ ୯୦ ସେକେଣ୍ଡରେ ବନ୍ଦ କରୁଥିବାବେଳେ ଏହି ସୁପର ଗ୍ଲୁ ଏହାକୁ ମାତ୍ର ୪୫ ସେକେଣ୍ଡରେ ବନ୍ଦ କରିଦିଏ।
ହେମୋଷ୍ଟାଟିକ୍ ଆଡେସିଭ୍ (HAD) ବିନା ହାରାହାରି ପାଞ୍ଚରୁ ଛଅ ମିନିଟ୍ ପରେ ରକ୍ତ ଜମାଟ ବାନ୍ଧିଥାଏ। ଏହି ସମୟରେ ଜଣେ ବ୍ୟକ୍ତିର ଅନେକ ରକ୍ତ ବୋହିଯାଏ ଏବଂ ଏହା ତାଙ୍କ ମୃତ୍ୟୁ ଆଶଙ୍କା ବଢାଇଥାଏ। ଏଥିସହ କ୍ଷତକୁ ସିଲେଇ ନକରି ବନ୍ଦ କରିବା ପାଇଁ ‘ସୁପର ଗ୍ଲୁ’ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ଚର୍ମର ଗଭୀର ଆଘାତ, ଫାଟିଯାଇଥିବା ମହାଧମନି ଏବଂ ଯକୃତରେ ଗୁରୁତର ଭାବରେ ଆଘାତ ପ୍ରାପ୍ତ ଅବସ୍ଥାରେ ଏହି ଗ୍ଲୁର ବ୍ୟବହାର କରାଯାଇପାରିବ। ଏସବୁକୁ ଗୁରୁତର ରକ୍ତସ୍ରାବ ବୋଲି ବିବେଚନା କରାଯାଏ, ଯେଉଁଥିରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ। କୁହାଯାଉଛି ଯେ ଏହି ଗ୍ଲୁ ଯୁଦ୍ଧକ୍ଷେତ୍ର ଏବଂ କାର ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ।

Leave a Reply

Your email address will not be published.