ସବ୍ୟସାଚୀ ମହାପାତ୍ରଙ୍କ କୁହୁକ ସିନେମା ଓ ‘ଶଲା ବୁଢ଼ାର୍ ବଦଲା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୧୯୮୯ ମସିହାର ‘ଭୂଖା’ ସିନେମା ଆଜି ବି ଓଡ଼ିଆ ସିନେମା ଜଗତର ଅନ୍ୟତମ ଶ୍ରେଷ୍ଠ ସିନେମା। ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ମହୁରିଆ, ବଜନିଆ ଭିତ୍ତିକ ଏହି ସିନେମାର ପ୍ରତିଟି ଚରିତ୍ର ଥିଲା ଜୀବନ୍ତ। ଫଟାଇ ଖାଇଲି ବେଲ ଗୀତ ଶୁଣିଲେ ଆଜି ବି ମନ ଫେରିଯାଏ ଅଶୀ ଦଶକକୁ। ତେବେ ଏହି ସିନେମାର ସ୍ରଷ୍ଟା ଯିଏ ଥିଲେ, ସେ ହେଉଛନ୍ତି ସବ୍ୟସାଚୀ ମହାପାତ୍ର। ଓଡ଼ିଆ ସିନେମା ଜଗତର ଅନ୍ୟତମ କାରିଗର। ସିନେମା ତିଆରି କରିବାର ନିଶା ତାଙ୍କୁ ‘ସବୁ ମାୟାରେ ବାୟା’, ‘ବୋଉ’, ‘ବାହୁଡ଼ିବେ ମୋ ଜଗା ବଳିଆ’, ‘ଜୟ ଜଗନ୍ନାଥ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛି। ଜୟ ଜଗନ୍ନାଥ ସିନେମା ପରେ ସବ୍ୟସାଚୀ ମହାପାତ୍ର ବେଶ୍ କିଛିଦିନ ଧରି ସିନେମା କରି ନ ଥିଲେ। ଆଉ ପୁଣି ଥରେ ୨୦୧୨ ମସିହାରେ ସିନେମା ଜଗତକୁ ଆସିଥିଲେ ଏକ ଭିନ୍ନ ଅନ୍ଦାଜରେ, ଏକ ନୂଆ ଚିନ୍ତାଧାରାରେ।

‘ଶଲା ବୁଢ଼ା’ ସିନେମା। ପଶ୍ଚିମ ଓଡ଼ିଶାର ଜଣେ ଗାଉଁଲି ଜମିଦାର କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଏହି ସିନେମା କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ରେକର୍ଡ କରିଛି। ଅନେକ ପୁରସ୍କାର ସାଉଁଟିଛି । ବେଶେଷ କରି ‘ଶଲା ବୁଢ଼ା’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଟଳ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ଓ ଜଣେ କଳାକାରର ମିଶ୍ରିତ ଛୁଙ୍କକୁ ପ୍ରତିପାଦିତ କରିଛି। ଅଟଳ ପଣ୍ଡା ଏହି ସିନେମାରେ ଯେଉଁ ଅଭିନୟ କରିଛନ୍ତି, ତାହା କେଉଁ ସତ୍ୟଜିତ ରାୟ କିମ୍ୱା ଶ୍ୟାମ ବେନିଗଲ ଅବା ବାସୁ ଚାଟାର୍ଜୀଙ୍କ କୌଣସି ସିନେମାଠାରୁ କମ୍ ନୁହେଁ। ଜଣେ ସରଳ, ନିରିହ, ନିଷ୍କପଟ ଗାଉଁଲି ବୁଢ଼ା ଚରିତ୍ରରେ ଅଭିନୟ କରି ଅଟଳ ପଣ୍ଡା ଏଇ ବୟସରେ ବି ନିଜକୁ ଜଣେ ଆଗଧାଡ଼ିର କଳାକାରଙ୍କ ମଧ୍ୟରେ ସାମିଲ କରି ପାରିଥିଲେ। ତେବେ ପିତା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କ ରଚିତ କାହାଣୀକୁ ରୂପେଲି ପରଦାର କଳା ଧଳାର ମିଶ୍ରିତ ଚଟାଣରେ ଅତି ନିଖୁଣ ଭାବେ ଫିଲ୍ମ ଭାବେ ଆଙ୍କି ପାରିବାର କଳା କେବଳ ସବ୍ୟସାଚୀ ମହାପାତ୍ର ହିଁ ତୁଲାଇଥିଲେ। ଏହାପରେ ‘ଶଲା ବୁଢ଼ାର୍ ବଦଲା’ ଥିଲା ସବ୍ୟସାଚୀଙ୍କ ଅନ୍ୟତମ କଳାତ୍ମକ ସିନେମା। ନବେ ବର୍ଷ ବୟସରେ ଶଲା ବୁଢ଼ା କିଭଳି ବଦଲା ବା ପ୍ରତିଶୋଧ ନେଉଛି, ତାହା ଏହି ସିନେମାର କାହାଣୀ।
‘ଶଲା ବୁଢ଼ାର୍ ବଦଲା’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଏହି ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ। ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଆଣିଛନ୍ତି ସବ୍ୟସାଚୀ ମହାପାତ୍ର। ‘ପାହାଡ଼ର ଲୁହ’କୁ ନେଇ କାହାଣୀ ବଖାଣି ପାରୁଥିବା ସବ୍ୟସାଚୀ ମହାପାତ୍ର ସବୁ ମାୟାକୁ କୁହୁକ କରି ବାୟା ମଧ୍ୟ କରିବାର ଦୁଃସାହସ କରିପାରନ୍ତି। ଏହା ତାଙ୍କର ପ୍ରତିଟି ସିନେମା ଦେଖିଲେ ଜଣାପଡ଼େ।

%d bloggers like this: