ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କ ହେବ କୋରୋନା ଟେଷ୍ଟ । ବିମାନ, ଟ୍ରେନ୍ ଏବଂ ବସ୍ ଯୋଗେ ଦେଶର ରାଜଧାନୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବ । ବିଶେଷକରି କରୋନାର ପ୍ରଭାବିତ ଅଞ୍ଚଳରୁ ଫେରୁଥିବା ଯାତ୍ରୀମାନଙ୍କ ଏହି ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ଯାତ୍ରୀଙ୍କ ପଜିଟିଭ୍ ମିଳିବ, ତେବେ ସେମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୋଟୋକଲ୍ ଅନୁଯାୟୀ କ୍ବାରାଣ୍ଟାଇନ୍ ରେ ରଖାଯିବ। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଟୁଇଟ୍ କରି ଏନେଇ ସୂଚନା ଦିଆଯାଇଛି । ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନେଇ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ଗୋଟିଏ ଦିନରେ ଭାରତରେ ୫୩, ୪୮୦ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଯାହା ଫଳରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୨୧,୪୯,୩୩୫କୁ ବୃଦ୍ଧି ପାଇଛି । ସେହିପରି ସଂକ୍ରମଣରେ ଆହୁରି ୩୫୪ ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା । ଏହା ସହିତ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୧,୬୨,୪୬୮କୁ ବୃଦ୍ଧି ପାଇଛି | ଡିସେମ୍ବର ୧୭ ତାରିଖରେ କରୋନା ମହାମାରୀରେ ଦେଶର ୩୫୫ ଜଣଙ୍କର ମୃତ୍ୟୁ ହୋଇଥିଲା।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୫, ୫୨,୫୬୬ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଯାହା ମୋଟ ସଂକ୍ରମଣର ୪.୫୫ ପ୍ରତିଶତ ଅଟେ। ସେହିପରି ସୁସ୍ଥତା ହାର ୯୪.୧୧ ପ୍ରତିଶତକୁ ଖସି ଆସିଛି।

%d bloggers like this: