ପିକେ ହେଉଛନ୍ତି…କ’ଣ କହିଲେ ରାଜସ୍ଥାନ ସିଏମ୍ ?

ପିକେ ହେଉଛନ୍ତି…କ’ଣ କହିଲେ ରାଜସ୍ଥାନ ସିଏମ୍ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଦୁଇ ଥର ସାକ୍ଷାତ ଆଲୋଚନା ପରେ, କଂଗ୍ରେସ କ୍ୟାମ୍ପରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସ୍ଥିତିରେ ପିକେଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଗାନ୍ଧି ପରିବାରର ଅନ୍ୟତମ ଘନିଷ୍ଠ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ପ୍ରଶାନ୍ତ କିଶୋରଙ୍କର କଂଗ୍ରେସରେ ଏଣ୍ଟ୍ରି ନେଇ ସୋନିଆ ଗାନ୍ଧିଙ୍କ ଉପରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ିଥିବା ବେଳେ, ପିକେଙ୍କ ସମର୍ଥନରେ ବୟାନ ଦେଇଛନ୍ତି ଗେହଲଟ୍ । ଦିଲ୍ଲୀ ଗସ୍ତରେ ଥିବା ଗେହଲଟ୍, ପ୍ରଶାନ୍ତଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଶାନ୍ତ କିଶୋର ଦେଶରେ ଏକ ବ୍ରାଣ୍ଡ ପାଲଟିଛନ୍ତି। ପ୍ରଶାନ୍ତଙ୍କର ଅନେକ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି। ପ୍ରଶାନ୍ତ କିଶୋର ଏକ ଏଜେନ୍ସି ଭାବେ କାର୍ଯ୍ୟ କରନ୍ତି, ଯିଏ ବୃତ୍ତିଗତ ଏଜେନ୍ସି ସହିତ କାମ କରନ୍ତି।

ସେ କହିଛନ୍ତି ଯେ, ୨୦୧୪ ଠାରୁ ବର୍ତ୍ତମାନ ଯାଏଁ ପ୍ରଶାନ୍ତ କିଶୋର ବିଭିନ୍ନ ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରି ଲକି ସାବ୍ୟସ୍ତ ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ହେଉ କି, ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ, ପଞ୍ଜାବର ତତକାଳନୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କିମ୍ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ସବୁଥିରେ ସଫଳ ହୋଇଛି ପିକେଙ୍କ ପଲିଟିକାଲ୍ ଷ୍ଟ୍ରାଟେଜି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, କେନ୍ଦ୍ରରେ ବିଜେପି ସରକାର ବିରୋଧରେ ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବା ପାଇଁ ପ୍ରଶାନ୍ତ କାର୍ଯ୍ୟ କରୁଛନ୍ତି । ପ୍ରଶାନ୍ତଙ୍କ ଅନୁଭବ, ଉପଯୋଗୀ ହୋଇପାରେ ବୋଲି ଆଶା ରଖିଛନ୍ତି ଗେହଲଟ।

୨୦୨୨ ଶେଷ ଆଡ଼କୁ ଗୁଜରାଟ ଏବଂ ହିମାଚଳରେ ବିଧାନସଭା ନିର୍ବାଚନ । ସେହିପରି ୨୦୨୩ରେ ରାଜସ୍ଥାନ ଏବଂ ଛତିଶଗଡ଼ରେ ନିର୍ବାଚନ । ଦେଶର ରାଜସ୍ଥାନ ଏବଂ ଛତିଶଗଡ଼ ହେଉଛି ଦୁଇଟି ରାଜ୍ୟ, ଯେଉଁଠି କଂଗ୍ରେସ କ୍ଷମତାରେ ରହିଛି। ରାଜସ୍ଥାନରେ ପ୍ରତି ୫ ବର୍ଷରେ ସରକାର ବଦଳୁଥିବା ବେଳେ, ଗେହଲଟଟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଆଶା ଆଶଙ୍କା ଜାରି ରହିଛି । ରାଜସ୍ଥାନରେ କଂଗ୍ରେସକୁ ପୁଣି ଥରେ କ୍ଷମତାସୀନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଗେହଲଟ୍ । ଏଭଳି ସମୟରେ ପିକେଙ୍କୁ ପ୍ରଶଂସା କରିବା, ରାଜନୈତିକ ମହଲରେ ନାନା ଚର୍ଚ୍ଚା ସୃଷ୍ଟି କରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: