ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ କରି ଦମ୍ ଦେଖେଇଲା ଲଢ଼ୁଆ ବିମାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏକ୍ସପ୍ରେସ ୱେ ପାଲଟିଲା ଏୟାରବେସ୍‌ । ରାସ୍ତା ଉପରେ ଲ୍ୟାଣ୍ଡିଂ ହେଲା ଲଢ଼ୁଆ ବାୟୁସେନା ବିମାନ । ଏଭଳି ଦୃଶ୍ୟ ଆଜି ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେ ୱେର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି। ଆଜି ଏହି ବହୁ ପ୍ରତିକ୍ଷିତ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩୪୧ କିମି ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ଗାଜିପୁରକୁ ସଂଯୋଗ କରୁଛି।ଏହି ଏକ୍ସପ୍ରେସ ୱେରେ ୩.୨ କିଲୋମିଟର ଲମ୍ବର ଏୟାର ଷ୍ଟ୍ରିପ୍‌ ନିର୍ମାଣ ହୋଇଛି ।ଆଜି ଏଠାରେ ଏୟାର ଫୋର୍ସର ପଣ୍ୟବାହୀ ବିମାନ C-130 J ସୁପର ହରକ୍ଲେସ୍‌ରେ ପ୍ରଥମେ ଅବତରଣ କରିଥିଲେ ପ୍ରଧାନମନ୍ତ୍ରୀ ।ଏହି ଏକ୍ସପ୍ରେସ ୱେରେ ଅବତରଣ କରିବା ପରେ ସେ ଏହି ଏକ୍ସପ୍ରେସ ୱେର ଶୁଭ ଉଦଘାଟନ କରିଥିଲେ ।ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏକ୍ସପ୍ରେସ ୱେରେ ବିମାନ ଓ ଯୁଦ୍ଧ ବିମାନ ମଧ୍ୟ ଅବତରଣ କରାଯାଇପାରିବ । ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ। ଏହା ଦ୍ଵାରା ଦିଲ୍ଲୀ ଠାରୁ ଗାଜିପୁର ମଧ୍ୟରେ ଥିବା ଦୂରତା ବେଶ କମିଯିବ । ନୋଇଡାଠାରୁ ମାତ୍ର ସାଢେ଼ ୮ ଘଣ୍ଟାରେ ଗାଜିପୁରରେ ଏହି ଏକ୍ସପ୍ରେସ ୱେ ଦ୍ୱାରା ପହଞ୍ଚି ହେବ । ଆଜିର ଏହି ଅତ୍ୟାଧୁନିକ ସଂଯୋଗୀକରଣ ସ୍ୱାଧୀନତା ପରେ ପ୍ରଥମଥର ସମ୍ଭବ ହୋଇ ପାରିଛି ବୋଲି ମୋଦି ଆଜିର ଏହି ଉଦଘାଟନୀ ସମାରୋହରେ କହିଛନ୍ତି। ଏହାସହିତ ଏହି ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ବିକାଶର ଏକ୍ସପ୍ରେସ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଏକ୍ସପ୍ରେସ ୱେ ବାୟୁ ସେନାର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପରିବ । ଦେଶରେ ପ୍ରଥମ କରି ଏକ ରାଜପଥକୁ ଏଭଳି ଭାବରେ ତିଆରି କରାଯାଇଛି ଯେଉଁଠି ଜରୁରୀ ସମୟରେ ବାୟୁ ସେନାର ବିମାନ ଓ ଅନ୍ୟ ବିମାନ ମଧ୍ୟ ଅବତରଣ କରାଯାଇପାରିବ ବୋଲି ମୋଦି କହିଛନ୍ତି । ତେବେ ଏହି ଏକ୍ସପ୍ରେସ ୱେ ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଲାଭଦାୟକ ହେବା ସହିତ ଲକ୍ଷ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରିବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ।ଦେଶର ବିକାଶ ସହ ସୁରକ୍ଷା ମଧ୍ୟ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୋଦି ।

Leave a Reply

Your email address will not be published. Required fields are marked *