କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ, ଜାଳିଦେଲେ ଟ୍ରେନ ବଗି

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ, ଜାଳିଦେଲେ ଟ୍ରେନ ବଗି

ପ୍ରିଜମ ନ୍ୟୁଜ ବ୍ୟୁରୋ:କ୍ରମାଗତ ଦ୍ବିତୀୟ ଦିନରେ ବିହାରରେ ସଶସ୍ତ୍ରବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ। ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍‌ ରେଳ ଷ୍ଟେସନ୍‌ରେ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ପୁଲିସ କହିଛି।‘ଇଣ୍ଡିଆନ୍‌ ଆର୍ମି ଲଭର୍ସ’ ଲେଖାଥିବା ବ୍ୟାନର୍‌ ଧରି ସେମାନେ ନୂଆ ନିଯୁକ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସ୍ଲୋଗାନ୍‌ ଦେଉଛନ୍ତି।

ଆରା ରେଳ ଷ୍ଟେସନ୍‌ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିକରିଛି। ବଗିରେ ଲାଗିଥିବା ନିଆଁ ଲିଭାଇବା ପାଇଁ ରେଳ କର୍ମଚାରୀମାନେ ‘ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌’ ବ୍ୟବହାର କରୁଥିବା ଦୃଶ୍ୟ ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି।କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଛାତ୍ରମାନେ ଜାହାନାବାଦରେ ୮୩ ନମ୍ଵର ଜାତୀୟ ରାଜପଥ ଏବ ୧୧୦ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି।ସେହିପରି, ଜେହାନାବାଦ୍‌ରେ ଛାତ୍ରମାନଙ୍କ ଟେକାପଥର ମାଡ଼ରେ କେତେକ ସାଧାରଣ ଜନତା ଓ ପୁଲିସ ଆହତ ହୋଇଛନ୍ତି। ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। ଉତ୍ତୋଳିତ ଫଟୋରେ ଦେଖାଯାଉଛି, ପୁଲିସ ଓ ପ୍ରତିବାଦକାରୀମାନ‌େ ପରସ୍ପର ଉପରକୁ ଟେକାପଥର ଫିଙ୍ଗୁଛନ୍ତି। ପ୍ରତିବାଦକାରୀମାନଙ୍କୁ ଭୟଭୀତ କରି ଘଉଡ଼ାଇ ଦେବା ଲାଗି କେତେକ ପୁଲିସ ବନ୍ଧୁକ ମଧ୍ୟ ଦେଖାଉଛନ୍ତି।

ଅସନ୍ତୁଷ୍ଟ ଛାତ୍ରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି? ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ,କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରୀ ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ଏବେ ପ୍ରଶ୍ନ ଉଠୁଛି।ଉଲ୍ଲେଖଯୋଗ୍ୟ, ‘ଟୁର୍‌ ଅଫ୍‌ ଡିୟୁଟି ସ୍କିମ୍‌’ ‘ଅଗ୍ନିପଥ’ ଯୋଜନାରେ ୪ ବର୍ଷ ନିମନ୍ତେ ଯବାନମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ୪ ବର୍ଷ ପରେ ଗ୍ରାଚୁଇଟି ଏବଂ ପେନ୍‌ସନ୍‌ ବିନା ବାଧ୍ୟତାମୂଳକ ଅବସର ଦିଆଯିବ। ଅସ୍ତ୍ରଶସ୍ତ୍ର ବାବଦ ଖର୍ଚ୍ଚ ପାଇଁ ପାଣ୍ଠି ବୃଦ୍ଧି କରିବା ଲାଗି ସରକାର ସେନାରେ ନିଯୁକ୍ତି ନିମନ୍ତେ ‘ଅଗ୍ନିପଥ’ ଯୋଜନା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: