ପ୍ରମୋଦିନୀଙ୍କୁ ଏସିଡ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ

ପ୍ରମୋଦିନୀଙ୍କୁ ଏସିଡ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା ସାହୁ। ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଓରଫ୍‌ ବିଶ୍ୱଜିତ୍‌ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଲେଖାଏ ଜରିମାନା, ଅନାଦେୟ ହେଲେ ୯ ମାସ ଲେଖାଏ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି।

୨୦୦୯ ଏପ୍ରିଲ ୧୮ରେ ଏହି ଚାଞ୍ଚଲ୍ୟକର ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା।ସୂଚନାନୁଯାୟୀ, ଜଗତସିଂହପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଦିନେ ପ୍ରମୋଦିନୀ ତାଙ୍କ ମାଉସୀ ଘରୁ ନିଜ ଘରକୁ ଫେରୁଥିବା ବେଳେ କନକପୁର ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜ ନିକଟରେ ସନ୍ତୋଷ ବେଦାନ୍ତ ସହଯୋଗୀ ବିଶ୍ୱଜିତ୍‌ ଦଳସିଂରାୟଙ୍କ ସହ ମିଶି ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ମାଡ଼ କରି ଫେରାର ହୋଇଯାଇଥିଲେ।ଏହି ଏସିଡ୍‌ ମାଡ଼ରେ ପ୍ରମୋଦିନୀଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଦୀର୍ଘ ୨ ବର୍ଷ ଚିକିତ୍ସା କରାଯାଇଥିଲେ ହେଁ ତାଙ୍କ ପୂର୍ବ ଚେହେରା ଫେରି ନ ଥିଲା।

ସେପଟେ ଘଟଣାର ୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ନ ପାରି ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ। କିନ୍ତୁ ୨୦୧୭ ମସିହାରେ ତତ୍‌କାଳୀନ ଜଗତସିଂହପୁର ଏସ୍‌ପି ଜୟନାରାୟଣ ଶଙ୍କର ଏହି ମାମଲାକୁ ଗୁରୁତ୍ୱ ଦେଇ ରିଓପନ କରିବାକୁ ପଦକ୍ଷେପ ନେଇଥିଲେ। ପ୍ରମୋଦିନୀ ଏସ୍‌ପିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କଲା ପରେ ୪ ସେପ୍ଟେମ୍ବର ୨୦୧୭ରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ସୋମବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଉକ୍ତ ରାୟରେ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରମୋଦିନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାୟକୁ ସେ ସମ୍ମାନ ଦେଉଛନ୍ତି କିନ୍ତୁ ଦୋଷୀଙ୍କୁ ଆଶାନୁରୂପ ଦଣ୍ଡ ବିଧାନ କରାଯାଇନାହିଁ। ତେଣୁ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: