ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ:  ଗିରଫର ଦିନକ ପରେ ଏନକାଉଣ୍ଟରରେ ଗଲା ଜୀବନ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନ…

ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ: ଗିରଫର ଦିନକ ପରେ ଏନକାଉଣ୍ଟରରେ ଗଲା ଜୀବନ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି କାନପୁର ଠାରେ ପୁଲିସ୍ ଗୁଳିରେ ନିହତ ହୋଇଛି। ଜୁନ୍‌ ୩ରେ କାନପୁର ଶୁଟଆଉଟ ହୋଇଥିଲା। ଏଥିରେ ବିକାଶ ଓ ତା’ର ସହଯୋଗୀମାନେ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ସେବେଠାରୁ ବିକାଶ ଫେରାର ଥିଲା। ପୁଲିସ ତା’କୁ ଖୋଜିବା ବେଳେ ତା’ର ୩ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ବିକାଶକୁ ବି ପୁଲିସ୍‌ ଗୁଳି କରିବାର ଆଶଙ୍କା ଥିବାରୁ ସେ ଉତ୍ତର ପ୍ରଦେଶ ବଦଳରେ ମଧ୍ୟପ୍ରଦେଶ ଚାଲି ଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶରୁ ଆସିବାବେଳେ କାନପୁର ଠାରେ ତା’କୁ ଏନକାଉଣ୍ଟର କରାଯାଇଛି।

ବିକାଶ ଦୁବେଙ୍କ ଏନକାଉଣ୍ଟର ସମ୍ପର୍କରେ କାନପୁର ପୋଲିସ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଉଜ୍ଜୟିନୀରୁ 5 ଲକ୍ଷ ପୁରସ୍କାର ରାଶି ରଖାଯାଇଥିବା ଅପରାଧୀ ବିକାଶ ଦୁବେଙ୍କୁ ଗିରଫ କରିବା ପରେ ପୋଲିସ ଏବଂ ଏସଟିଏଫ ଟିମ୍ ଆଜି (ଜୁଲାଇ 10) ରେ କାନପୁର ସହରକୁ ଆଣିଥିଲେ। ଆଣିବା ବାଟରେ କାନପୁର ନାଗର ଭାଉଣ୍ଟି ନିକଟରେ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବିକାଶ ଦୁବେ ଏବଂ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

କାନପୁର ପୋଲିସର ସୂଚନାନୁସାରେ, ଏହି ସମୟରେ ବିକାଶ ଦୁବେ ଆହତ ପୋଲିସର ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ଦଳ ଗୋଡ଼ାଇ ତାଙ୍କୁ ଘେରି ଯାଇ ଆତ୍ମସମର୍ପଣ କରିବାକୁ କହିଥିଲା, କିନ୍ତୁ ସେ ମନା କରି ପୋଲିସ ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ଏହାର ପ୍ରତିଶୋଧ ନେଇଥିଲା। ଏହି ସମୟରେ ବିକାଶ ଦୁବେ ଆହତ ହୋଇଥିଲେ।

ପୋଲିସର ସୂଚନାନୁସାରେ ଆହତ ବିକାଶ ଦୁବେଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ବିକାଶ ଦୁବେଙ୍କର ମୃତ୍ୟୁ ହୋଇଥିଲା। କାନପୁର ପୋଲିସ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କୌଣସି ପୋଲିସ କର୍ମଚାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ପୂରା ଘଟଣାକ୍ରମ କେମିତି ଥିଲା ଜାଣନ୍ତୁ-

୧-ଜୁଲାଇ ୩: କାନପୁର ସ୍ଥିତ ଗାଁରେ ବିକାଶ ଓ ତା’ର ସହଯୋଗୀମାନଙ୍କୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରେ ଆକ୍ରମଣ ହୋଇଥିଲା। ବିକାଶ ଓ ତା’ର ସହଯୋଗୀମାନେ ଗୁଳି ଚଳାଇବାରୁ ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ। ତେବେ ବିକାଶ ଓ ତା’ର ସହଯୋଗୀମାନେ ଫେରାର ହୋଇଯାଇଥିଲେ।

୨-ଜୁଲାଇ ୪: ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ୍‌ ୨୫ଟି ଟିମ୍‌ ଗଠନ କରିଥିଲା। ସେହିପରି ୫୦୦ ମୋବାଇଲ ଫୋନକୁ ସ୍କାନ କରି ବିକାଶ ସମ୍ପର୍କରେ ସୂଚନା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା।

ପ୍ରାଥମିକ ଅବସ୍ଥାରେ ବିକାଶ ଦୁବେ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଥିଲା। ସେହିଦିନ ହିଁ ପୁଲିସ୍‌ର ରେଡ୍‌ ସମ୍ପର୍କରେ ବିକାଶକୁ ଆଗୁଆ ସତର୍କ କରାଇ ଦେଇଥିବା ଅଭିଯୋଗରେ ଚୌବେୟପୁର ପୁଲିସ୍‌ ଷ୍ଟେସନ ଅଫିସର ବିନୟ ତିୱାରୀ ନିଲମ୍ବିତ ହୋଇଥିଲେ।

୩- ଜଲାଇ ୫: ବିକାଶ ଦୁବେ ସରକାରୀ ଗାଡ଼ି ବ୍ୟବହାର କରି ବୁଲୁଥିବା ପୁଲିସ୍‌ କହିଥିଲା। ଲକ୍ଷ୍ନୌ ପୁଲିସ୍‌ ବିକାଶର ଭାଇ ଘରୁ ଉକ୍ତ ସରକାରୀ ଗାଡ଼ି ଠାବ କରିଥିଲା। ବିକାଶ ଏହି ଗାଡ଼ି ଜରିଆରେ ସବୁଆଡ଼େ ବୁଲି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ସରକାର ତା’ ସହ ଅଛନ୍ତି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥାଏ। ସେହିଦିନ ବିକାଶ ଦୁବେର ମା’ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ ମୋ ପୁଅକୁ ପୁଲିସ୍‌ ଗୁଳି କରି ମାରିଦେବା ଉଚିତ।

 ୪- ଜୁଲାଇ ୬: ବିକାଶ ଦୁବେର ସହଯୋଗୀ ଦୟା ଶଙ୍କର ଅଗ୍ନିହୋତ୍ରୀ ପୁଲିସ୍‌ ଆଗରେ ବଡ଼ ବୟାନ ଦେଇଥିଲା। ପୁଲିସ୍‌ ଟିମ୍‌ ବିକାଶକୁ ଧରିବା ପାଇଁ ବିକୁର ଗାଁରେ ପହଞ୍ଚିବା ପୂର୍ବରୁ ତା’ ପାଖକୁ ଫୋନ କଲ ଆସିଥିଲା। ଷ୍ଟେସନ ଅଫିସର ବିନୟ ତିୱାରୀ ହିଁ ଫୋନ କରି ତା’କୁ ସତର୍କ କରାଇଥିଲେ।

ଏଥିସହ ସେ ଲାଇନମ୍ୟାନକୁ ମଧ୍ୟ ବିଜୁଳି କାଟ କରିବାକୁ କହିଥିଲେ। ଘଟଣାକୁ ନେଇ ୩ ଜଣ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ ଓ ବିକାଶ ସମ୍ପର୍କରେ ସୂଚନା ଦେବା ପୁରସ୍କାର ରାଶିକୁ ଅଢ଼େଇ ଲକ୍ଷ କରାଯାଇଥିଲା।

୫-ଜୁଲାଇ ୭: ପୁଲିସ୍‌ ବିକାଶ ଦୁବେର ଜଣେ ସମ୍ପର୍କୀୟ, ପଡ଼ୋଶୀ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। କାନପୁର ଗ୍ୟାଙ୍ଗଷ୍ଟର ସହ ସମ୍ପର୍କ ରଖିଥିବା ଅଭିଯୋଗରେ ୨ଶହ ପୁଲିସ୍‌ଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା।

୬-ଜୁଲାଇ ୮: ବିକାଶ ଦୁବେ ପୁଲିସ୍‌କୁ ଚକମା ଦେଇ ଫରିଦାବାଦ ହୋଟେଲରୁ ଫେରାର ହୋଇଯାଇଥିଲା। ତେବେ ଏଠାରୁ ପୁଲିସ୍‌ ତା’ର ସହଯୋଗୀ ପ୍ରଭାତ ମିଶ୍ରାକୁ ଗିରଫ କରିଥିଲା। ସେହିପରି ଏନକାଉଣ୍ଟରରେ ପୁଲିସ୍‌ ବିକାଶର ସହଯୋଗୀ ତଥା ସମ୍ପର୍କୀୟ ଅମର ଦୁବେକୁ ଗୁଳି କରିଥିଲା। ବିକାଶ ମୁଣ୍ଡରେ ଲାଗିଥିବା ପୁରସ୍କାର ରାଶିକୁ ୫୦ ଲକ୍ଷ କରାଯାଇଥିଲା।

୭- ଜୁଲାଇ ୯: ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଳାକୁ ପୁଲିସ୍‌ ଏନକାଉଣ୍ଟ କରିଥିଲା। ଏହାର କିଛି ଘଣ୍ଟା ପରେ ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୁଲିସ୍‌ ଉଜ୍ଜୟୀନରୁ ଗିରଫ କରିଥିଲା।

୮-ଜୁଲାଇ ୧୦: ଉଜ୍ଜୟୀନରୁ କାନପୁର ଆସୁଥିବା ବେଳେ ବାରା ଅଞ୍ଚଳରେ ପୁଲିସ୍‌ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ ବିକାଶ ଫେରାର ହେବାକୁ ଯୋଜନା କରିଥିଲା। କିନ୍ତୁ ପୁଲିସ୍‌ ଗୁଳିରେ ସେ ନିହତ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: