ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଜଗତସିଂହପୁର ବିକାଶର ଥିଲେ ବିନ୍ଧାଣୀ

ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଜଗତସିଂହପୁର ବିକାଶର ଥିଲେ ବିନ୍ଧାଣୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଚାଲିଗଲେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ। ରାଜଧାନୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେପଟେ ବିଷ୍ଣୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଶୋକ ବାର୍ତ୍ତାରେ ନବୀନ କହିଛନ୍ତି ଯେ, ସ୍ୱର୍ଗତ ବିଷ୍ଣୁ ଦାସ ଜଣେ ଦକ୍ଷ ସଂଗଠକ, ରାଜନେତା ଓ ପ୍ରଶାସକ ଥିଲେ । ମନ୍ତ୍ରୀ, ସାଂସଦ ତଥା ବିଧାୟକ ଭାବରେ ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ଅବଦାନ ଛାଡ଼ି ଯାଇଛନ୍ତି । ବିଶେଷ କରି ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ନିଜ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଦଳର ସାଂଗଠନିକ ଶକ୍ତିକୁ ମଜଭୂତ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଶେଷରେ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ୱର୍ଗତ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଥାଉ କି, ଜୁନ୍ ୨୨ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦାସଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବାପରେ ମୁଣ୍ଡରେ ରକ୍ତଜମାଟ ବାନ୍ଧି ଯାଇଥିଲା। ଜୁନ୍ ୨୩ତାରିଖ ସକାଳେ ଏକ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଶ୍ରୀ ଦାସଙ୍କର ଡାଇବେଟିସ୍‌, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ରୋଗ ଥିବାରୁ ସେବେଠୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ଓ ଗତକାଲି ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା। ତେବେ ଡାକ୍ତରୀ ଟିମର ସବୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇନଥିଲା।

ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଶ୍ରୀ ଦାସ ୧୯୫୪ ମସିହା ଅକ୍ଟୋବର ୯ତାରିଖରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏସଭିଏମ୍ କଲେଜ ଛାତ୍ର ସଂସଦର ସଭାପତି ଭାବେ ୩ଥର ନିର୍ବାଚିତ ହୋଇଥିଲେ। ୧୯୮୦ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ଓ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରି ଏନଏଏସଓରେ ଜେଲ୍ ଯାଇଥିଲେ। ପରେ ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜନତା ଦଳରେ ସାମିଲ ହୋଇ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ତେବେ ପ୍ରଥମଥର ୧୯୮୫ ମସିହାରେ ନିର୍ବାଚନ ହାରିବା ପରେ ୧୯୯୦ ମସିହାରୁ ନିୟମିତ ଭାବେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସିଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେ ପରାଜିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା । ପରେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ତିର୍ତ୍ତୋଲ ବିଧାନସଭାରୁ ପ୍ରାର୍ଥୀ କରିଥିଲା ଓ ସେ ବହୁ ଭୋଟରେ ବିଜୟୀ ହୋଇଥିଲେ । ଦୀର୍ଘବର୍ଷ ଧରି ସେ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଶ୍ରୀ ଦାସ ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: