EXCLUSIVE-ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ !

EXCLUSIVE-ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ !

ପ୍ରିଜମ୍ ନ୍ୟୁଜ(EXCLUSIVE): ଶୀର୍ଷକଟି ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ନବୀନ ପଟ୍ଟନାୟକ। ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶା କ୍ଷମତା ରାଜନୀତିର ଶୀର୍ଷ ଆସନରେ ଅଛନ୍ତି। ୨୦୦୦ ମସିହା ନିର୍ବାଚନକୁ ବାଦ୍ ଦେଲେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ରାଜ୍ୟରେ ଲୋକସଭା ସାଙ୍ଗେ ବିଧାନସଭା ନିର୍ବାଚନ ହୋଇଛି। ତେଣୁ, କେନ୍ଦ୍ରୀୟ ଦଳଗୁଡ଼ିକ ବିଧାନସଭାରେ ନବୀନଙ୍କୁ ଏତେଟା ଚ୍ୟାଲେଞ୍ଜ ଦେଇ ପାରିନାହାନ୍ତି। ଏକାସାଙ୍ଗେ ନିର୍ବାଚନ ହୋଇଥିବାରୁ ନବୀନ ସହଜରେ ବିଜେଡିକୁ ଜିତାଇ ପାରୁଛନ୍ତି ବୋଲି ଏକ ଧାରଣା ରହିଛି। ସେଥିପାଇଁ ୨୦୨୪ ପରବର୍ତ୍ତୀ ନିର୍ବାଚନରେ ନବୀନଙ୍କୁ ମାତ୍ ଦେବା ପାଇଁ ବିଜେପି ରଣକୌଶଳ ଆରମ୍ଭ କରିଛି।

ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା, ଜୟନାରାୟଣ ମିଶ୍ରଙ୍କୁ ମୁଖ୍ୟ ବିରୋଧୀ ଦଳ ନେତା କରିବା, ଅଣରାଜନୈତିକ କାମରେ ଶାହ ଓଡ଼ିଶା ଗସ୍ତ କରି ଫେରିବା ପରେ ତାଙ୍କର ସବୁଠାରୁ ବିଶ୍ବସ୍ତ ସୈନିକ ସୁନୀଲ ବଂଶଲଙ୍କୁ ରାଜ୍ୟ ପ୍ରଭାରୀ ଭାବେ ଘୋଷଣା କରିବା ଭିନ୍ନ ସଙ୍କେତ ଦେଉଛି। ବିଜେପି ହୁଏତ ମ୍ୟାଜିକ୍ ନମ୍ବର ୭୪ ଛୁଇଁ ନ ପାରେ, ହେଲେ ଯଦି କୌଣସି ମତେ ନିଜ ଆସନ ସଂଖ୍ୟା ୪୦ରୁ ୫୦କୁ ବୃଦ୍ଧି କରାଇ ପାରୁଛି, ତେବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ଓଡ଼ିଶାରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ପରିସ୍ଥିତି ଯେ ସୃଷ୍ଟି ନ କରିବ, ସେକଥା କିଏ କହିବ।

ଏକାକୀ ନିର୍ବାଚନ ଲଢ଼ି ବିଜେଡି ବିଧାନସଭା ବିଜୟୀ ହେଉଛି। ଏକଥା ସତ। କିନ୍ତୁ ବର୍ତ୍ତମାନର ସ୍ଥିତିରେ ଜାତୀୟ ରାଜନୀତିରେ ପଟ୍ଟ ପରିବର୍ତ୍ତନର ଆଭାସ ମିଳିଛି। କିଛିଦିନ ପୂର୍ବେ ବିହାରର ରାଜନୈତିକ ଘଟଣାକ୍ରମ ଏ ଦିଗରେ ଇସାରା କରୁଛି। ତେଣୁ ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବଭଳି ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ନ କରିବାର ସମ୍ଭାବନା ରହିଛି। ଭାରତୀୟ ରାଜନୀତିର ଚାରି ଧାମ ରାଜ୍ୟ (ୟୁପି, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର)ରେ ୨୧୦ଟି ଲୋକସଭା ରହୁଛି। ଏହି ସମୁଦାୟ ଆସନରେ ବିରୋଧୀ ମେଣ୍ଟ ଯଦି ୩୫ରୁ ୪୦ ପ୍ରତିଶତ ଆସନ ବି ହାତେଇ ଦେବ, ତେବେ ଅନ୍ତତଃ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ନେଇ କଷ୍ଟକର ହେବ। ଅନ୍ୟପଟେ ଏକାଠି ନିର୍ବାଚନ ହେଉଛି ବୋଲି ନବୀନଙ୍କୁ ନିର୍ବାଚନ ଜିତିବାକୁ ସହଜ ହେଉଛି। ଏକଥା ବି ବିଜେଡି ଶୀର୍ଷ ନେତୃତ୍ବ ଗ୍ରହଣ କରିବାକୁ ନାରାଜ। ଯେଉଁ ପରିସ୍ଥିତିରେ, ଯେଉଁ ସମୟରେ ନିର୍ବାଚନ ହେଉନା କାହିଁକି, ବିଜେଡି ସହଜରେ ନିର୍ବାଚନ ବୈତରଣୀ ପାର ହୋଇ ଆସିବ। ସେ ବିଶ୍ବାସ ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ପରିଚାଳନା କରୁଥିବା ସିଣ୍ଡିକେଟ୍ ଗୋଷ୍ଠୀର ଦୃଢ଼ ବିଶ୍ବାସ ରହିଛି।

କିଛିଦିନ ପୂର୍ବେ ଏକ ଜାତୀୟ ଗଣମାଧ୍ୟମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବିଷୟରେ ଏକ ସୁନ୍ଦର ଆଲେଖ୍ୟ ପ୍ରକାଶ କରିଥିଲେ। ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ଏନଆରସି, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଇତ୍ୟାଦି ପ୍ରସଙ୍ଗରେ ନବୀନ ନୀତୀଶଙ୍କ ସହ ଗୋଟିଏ ଧାଡ଼ିରେ ଠିଆ ହୋଇଥାନ୍ତି। ବ୍ୟକ୍ତିଗତ ଭାବେ ନବୀନଙ୍କ ନୀତୀଶଙ୍କ ସହିତ ସମ୍ପର୍କ ଅତି ଭଲ। ରାଜନୈତିକ ସମୀକ୍ଷକ ବିଜୟ ସାହୁଙ୍କ ଭାଷାରେ, ଯଦି ନୀତୀଶ ଏବେ ନବୀନଙ୍କୁ ବାଏ ବାଏ କରୁଛନ୍ତି, ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ବାବୁ ବାଁ ହାତ ହଲାଇ ଟା’ ଟା’ କରିଦେବେ ବୋଲି ସାହୁ କହିଛନ୍ତି।

ଏହିକ୍ରମରେ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିର ସିଟ୍ ସଂଖ୍ୟା କମାଇ, ବିଜେଡିକୁ ଜାତୀୟ ରାଜନୀତିରେ ଅଧିକ କ୍ରିୟାଶୀଳ କରିବା ପାଇଁ ନବୀନ ଆଗୁଆ ବିଧାନସଭା ନିର୍ବାଚନ କରିପାରନ୍ତି। ଯାହା ଫଳରେ ଲୋକସଭା ନିର୍ବାଚନରେ ସେ ପୂର୍ଣ୍ଣାଙ୍ଗ ସମୟ ଦେଇପାରିବେ। ଏହାକୁ ଦୃଷ୍ଟିରେ ରଖି ୨୦୨୩ ମସିହା ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ଦଳୀୟ ବିଧାୟକମାନଙ୍କୁ ସଙ୍କେତ ଦିଆଯାଇ ସାରିଛି। ଏକଥା ନିକଟରେ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ଗଣମାଧ୍ୟମରେ ମଧ୍ୟ ପ୍ରକାଶ କରିଛନ୍ତି। ତେଣୁ, ୨୦୦୪ରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭାକୁ ଡେଇଁଥିବା ନବୀନ ଅନାୟସରେ ଏକାକୀ ବିଧାନସଭା ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ସୂତ୍ରରୁ ଜଣାପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: