ଓଡ଼ିଶା କଂଗ୍ରେସର ପାଞ୍ଜି କାଢ଼ିଲେ ପ୍ରଶାନ୍ତ କିଶୋର, ଏମିତି କହିଲେ…

ଓଡ଼ିଶା କଂଗ୍ରେସର ପାଞ୍ଜି କାଢ଼ିଲେ ପ୍ରଶାନ୍ତ କିଶୋର, ଏମିତି କହିଲେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସ ସ୍ଥିତି ଖରାପ ନ ଥିଲା। ଏଆଇସସି ଏବଂ କେତେକ ବରିଷ୍ଠ କଂଗ୍ରେସ ନେତାଙ୍କ ଭୁଲ ଦଳକୁ ଏହି ପରିସ୍ଥିତିକୁ ଆଣିଛି। ଓଡ଼ିଶାରେ ପ୍ରସଙ୍ଗର ସମୁଦ୍ର ଥାଇ ବି ହାତ ଦଳ ଶାମୁକାଟିଏ ସାଉଁଟି ପାରୁନି। କଂଗ୍ରେସ କ୍ଷମତାରୁ ଯାଇଛି ସତ, ହେଲେ କର୍ପୁର ପଡ଼ିରହିଛି। ଦଳ ତିନି ନମ୍ବରରେ ଅଛି। ଦଳକୁ ଦୁଇ ନମ୍ବର ହେବାକୁ ପୁଣି ସ୍ବପ୍ନ ଦେଖିବାକୁ ହେବ। ୨୦୨୪ ହୁଏତ କଂଗ୍ରେସକୁ ଯଥାସ୍ଥିତିରେ ରଖି ଦେଇପାରେ। ହେଲେ ଜାତୀୟ ସ୍ତରରେ ବିଜେପିର କମୁଥିବା ଲୋକପ୍ରିୟତା ରାଜ୍ୟରେ ବିଜେଡି ବିରୁଦ୍ଧରେ ସୃଷ୍ଟି ହୋଇଥିବା ଆଣ୍ଟି ଇନକମ୍ବେନ୍ସି କଂଗ୍ରେସ ପାଇଁ ଆଗାମୀ ଦଶନ୍ଧିରେ ସୁଯୋଗ ଆଣିପାରେ। ଏଥିପାଇଁ ତିନି ବର୍ଷ ସମୟ ଲାଗିପାରେ କିମ୍ବା ପାଞ୍ଚ ବର୍ଷ ସମୟ ଲାଗିପାରେ। ହୁଏତ ସାତ ବର୍ଷ ବି ଲାଗି ଯାଇପାରେ। କଂଗ୍ରେସର ଭବିଷ୍ୟତ ଅନିଶ୍ଚିତ ହୋଇପାରେ କିନ୍ତୁ ଅବିଶ୍ବସନୀୟ ନୁହେଁ। ଉପରୋକ୍ତ ଲେଖା ଯାଇଥିବା ସମସ୍ତ ବାକ୍ୟ ଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଦ୍ବାରା ଦିଆଯାଇଥିବା ଫିଡବ୍ୟାକର ଏକ ଅଂଶ।

ମଙ୍ଗଳବାର ରାତିରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ସ୍ଥିତି ନେଇ ଆଲୋଚନା ହେଉଥିବାବେଳେ ଓଡ଼ିଶାକୁ ନେଇ ପ୍ରଶାନ୍ତଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର କାରଣ ପାଲଟିଛି। ଏଆଇସିସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓଡ଼ିଶା କଂଗ୍ରେସ ସମ୍ପର୍କରେ ପ୍ରଶାନ୍ତ ଯେତେବେଳେ ରାହୁଲ-ପ୍ରିୟଙ୍କାଙ୍କୁ ଫିଡବ୍ୟାକ୍ ଦେଉଥିଲେ, ସେ ସମୟରେ ରାହୁଲ ଫୋନ୍ କଲର ବାହାନା ଦେଇ ଉଠି ଯାଇଥିଲେ। ହେଲେ ଓଡ଼ିଶା ସମ୍ପର୍କରେ ସୂକ୍ଷ୍ମ ଭାବେ ପ୍ରଶାନ୍ତ କିଶୋର କ’ଣ ଭାବୁଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ପ୍ରିୟଙ୍କା। ଆଶ୍ଚର୍ଯ୍ୟର କଥା, ବିଗତ ଦଶନ୍ଧିରେ ଓଡ଼ିଶାରେ ପାଦ ଥାପି ନ ଥିବା ପ୍ରଶାନ୍ତ କଂଗ୍ରେସ ରାଜନୀତିର ଶିରା ପ୍ରଶିରା ପ୍ରିୟଙ୍କାଙ୍କ ଆଗରେ ବଖାଣି ଥିଲେ।


ପ୍ରିୟଙ୍କାଙ୍କୁ ପ୍ରଶାନ୍ତ କହିଥିଲେ ଯେ, ଜାତୀୟ ରାଜନୀତିରେ ସୁବାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି କଂଗ୍ରେସ ନେତାଙ୍କୁ ବିଜେପି ନିଜର ଆଇକନ୍ କରି ସାରିଲାଣି। ଖାଲି ସେତିକି ନୁହେଁ, ତାମିଲନାଡୁରେ କଂଗ୍ରେସ ନେତା କେ. କାମରାଜଙ୍କ ଲିଗାସିକୁ ବିଜେପି-ଏଆଇଏଡିଏମକେ, ତେଲଙ୍ଗାନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଲିଗାସିକୁ ଟିଆରଏସ ନେଇ ସାରିଲାଣି। ଓଡ଼ିଶା ରାଜନୀତି ପ୍ରବାଦ ପୁରୁଷ ବିଜୁଙ୍କ ଚାରିପଟେ ବୁଲୁଛି। ହେଲେ ଆଜି ବି ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀ ଏବଂ ନୀଳମଣି ରାଉତରାୟଙ୍କ ଭଳି ନେତାଙ୍କ ଲିଗାସି ଖାଲି ପଡ଼ିଛି। ସାମ୍ପ୍ରତିକ ରାଜନୀତିକୁ ଦେଖିଲେ ହରେକୃଷ୍ଣ ମହତାବଙ୍କୁ ବିଜେପି ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛି। ବିଜୁ ପଟ୍ଟନାୟକ କଂଗ୍ରେସ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଯାହା କରିଥିଲେ, ତାହା ଆଜି ବି ବିଦ୍ୟମାନ। ହେଲେ କଂଗ୍ରେସ ତାକୁ କହି ଭୋଟ୍ ସାଉଁଟି ପାରୁନି। ମାଷ୍ଟରକ୍ୟାଣ୍ଟିନରେ ଠିଆ ହୋଇଥିବା ଆଧୁନିକ ଓଡ଼ିଶା ରାଜନୀତିର ମୁକସାକ୍ଷୀ କଂଗ୍ରେସ ଭବନ ନନ୍ଦିନୀ ଶତପଥୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ନନ୍ଦିନୀ ହିଁ ଭୂ-ସଂସ୍କାର ଆଣିଥିଲେ। ନନ୍ଦିନୀଙ୍କ ସମୟରେ ରାଜ୍ୟର ଅଧିକାଂଶ ଜଳସମ୍ପଦ ପ୍ରକଳ୍ପର ଭିତ୍ତି ରଚନା କରାଯାଇଥିଲା। ଏକାଧିକ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଏବଂ ବିଶିଷ୍ଟ ରାଜନେତାଙ୍କ ମଧ୍ୟରେ ନନ୍ଦିନୀଙ୍କ ସୂକ୍ଷ୍ମ ଅବଧି ଓଡ଼ିଶାରେ ସବୁଠୁ ପ୍ରଭାବଶାଳୀ ଥିଲା। ମାତ୍ର ନନ୍ଦିନୀଙ୍କ କଥା କଂଗ୍ରେସ ଆଲୋଚନା କରୁଛି ତ !

୧୯୮୦ ମସିହାରେ ଟାଟା କମ୍ପାନୀର ଲବି ଯୋଗୁ ନନ୍ଦିନୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଟାଟା କମ୍ପାନୀର ଲବି ହିଁ ତାଙ୍କୁ କୌଣସି ସାମ୍ବିଧାନିକ ପଦବୀରେ ପହଞ୍ଚାଇ ଦେଇ ନ ଥିଲା। ଜାନକୀ ବାବୁଙ୍କ ପନ୍ଦର ବର୍ଷର ମୁଖ୍ୟମନ୍ତ୍ରୀ ସମୟ ଉଭୟ କଳଙ୍କ ଏବଂ ସ୍ବର୍ଣ୍ଣିମ ବୋଲି କୁହାଯାଇଥାଏ। ୨୦୦୦ ମସିହା ପରେ ଜାନକୀ ବାବୁଙ୍କ ବିରୋଧରେ ପ୍ରଚାର କରି ବିଜେପି-ବିଜେଡି ଶାସନକୁ ଆସିଲେ। ୨୦୦୯ରୁ ବିଜେଡି ଏକାକୀ ଶାସନ କରୁଛି। ଆଜି ବି କଂଗ୍ରେସ ଅତୀତର ଉଦାହରଣ ଦେବାକୁ ଯାଇ ଜାନକୀ ବାବୁଙ୍କ ନିକଟରେ ଅଟକି ଯାଏ। ତେଣୁ, ପଟ୍ଟନାୟକ ପରିବାରର ପରିଧି ଭିତରୁ ବାହାରିବା ଦ୍ବାରା ହିଁ କଂଗ୍ରେସର ଭବିଷ୍ୟତ ଚିନ୍ତା କରାଯାଇପାରେ ବୋଲି ପ୍ରଶାନ୍ତ କିଶୋର ମତ ଦେଇଛନ୍ତି।


ଏସବୁ ଶୁଣିବା ପରେ ପ୍ରିୟଙ୍କା କିଛି କହି ନ ଥିଲେ। ଝାଡ଼ଖଣ୍ଡ ଓ ମେଘାଳୟ ପରେ ଓଡ଼ିଶା ବିଷୟରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଭାସ ଦେଇଥିଲେ। ହେଲେ କଂଗ୍ରେସର ନୂଆ ପିସିସି ଯିଏ ହୁଅନ୍ତି, ସେହି ଦିନ ଠାରୁ ତାଙ୍କ ବିରୋଧରେ ଲବି ଆରମ୍ଭ ହୋଇଯାଏ। ପ୍ରଶାନ୍ତଙ୍କ ଅନୁଶୀଳନ କ’ଣ ସତରେ ଓଡ଼ିଶା କଂଗ୍ରେସର ଭାଗ୍ୟ ପରିବର୍ତ୍ତନ କରିପାରିବ, ସେ ଉତ୍ତର କେବଳ ସମୟ ଦେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: