ପଢ଼ିବାକୁ ମିଳିବନି ‘କଟାକ୍ଷ କିଶୋର’

ପଢ଼ିବାକୁ ମିଳିବନି ‘କଟାକ୍ଷ କିଶୋର’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଓଡ଼ିଶାର ଏକ ନମ୍ବର ଖବର କାଗଜ ସଂସ୍ଥା ‘ସମ୍ବାଦ’ ର ଲୋକପ୍ରିୟ ଓ ଚର୍ଚ୍ଚିତ କାର୍ଟୁନିଷ୍ଟ ଏବଂ ବ୍ୟଙ୍ଗକାର କିଶୋର ରଥ ଆଉ ଏହି ଦୁନିଆରେ ନାହାନ୍ତି । ଆମ ସମସ୍ତଙ୍କୁ ପର କରି ସେ ଚାଲି ଯାଇଛନ୍ତି । କିଶୋର ରଥଙ୍କ ଦେହାନ୍ତ ସାମ୍ବାଦିକ ଏବଂ କାର୍ଟୁନ ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । କିଶୋର ରଥଙ୍କ ଦେହାନ୍ତ ଖବର ଆଜି ସକାଳୁ ସକାଳୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାରେ ଲାଗିଲା । ଏହାକୁ କିନ୍ତୁ କେହି ସହଜରେ ଗ୍ରହଣ କରିପାରୁନିଥିଲେ । ହେଲେ ସେ ଯେ ଆଉ ଆମ ଗହଣରେ ନାହାନ୍ତି ଏ କଥା ଆମକୁ ଆଜି ଗ୍ରହଣ କରି ନେବାକୁ ପଡ଼ିବ ।

ସମ୍ବାଦ ପରିବାର ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି । ‘ଆଜି ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା’ ବୋଲି ସମ୍ବାଦ ନିଜ ପୋର୍ଟାଲରେ ଖବର ପ୍ରକାଶିତ କରିଛି ।

୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତ ଥିଲେ। ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା। ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ବିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା। ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: