ବିଚ୍ ରାସ୍ତାରେ ଲୋକଙ୍କୁ କୁକୁଡ଼ା କଲା ପୋଲିସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବହୁତ ସମୟରେ ପୋଲିସ ଅଫିସର ମାନଙ୍କ କାରନାମା ଲୋକଲୋଚନକୁ ଆସିଥାଏ। କେତେବେଳେ ସେମାନଙ୍କ ଭଲ କାମର କଥା ହଟ୍ ନ୍ୟୁଜ୍ ହୁଏତ ଆଉ କେତେବେଳେ ସେମାନଙ୍କ ଅତ୍ୟାଚାର ପଦାରେ ପଡ଼େ । ଏବେ ସେମିତି ମୁମ୍ବାଇ ପୋଲିସର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ପୋଲିସ ସର୍ବସାଧାରଣରେ କିଛି ଲୋକଙ୍କୁ ମୂର୍ଗା ମାନେ କୁକୁଡ଼ା ଭଳି ରାସ୍ତାରେ ଚାଲାଉ ଥିବାର ଭିଡିଓରେ ଦେଖିବାକୁ ମିଳିଛି । ନିଜ ଜୀବନକୁ ବିପଦରେ ପକାଇ କିଛି ଲୋକ ସମୁଦ୍ରକୁ ଯିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଥିବାର ଜଣାପଡିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ମଙ୍ଗଳବାର ମଧ୍ୟାହ୍ନରେ ଘଟିଥିଲା, ଯେତେବେଳେ କି ଗୋଟିଏ ଗୋଷ୍ଠୀ ସମୁଦ୍ର ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ, ସେଠାରେ ପାଟ୍ରୋଲିଂ କରୁଥିବା ଏକ ପୋଲିସ ଟିମ୍ ଏହି ଲୋକଙ୍କୁ ଦଣ୍ଡ ଭାବରେ କୁକୁଡ଼ା ପରି ଚାଲିବାକୁ କହିଥିଲେ। ସୁରକ୍ଷା ସମ୍ପର୍କରେ ଚେତାବନୀ ଦେବା ପରେ ସେହି ସମସ୍ତଙ୍କୁ ମୁକ୍ତ କରାଯାଇଥିବାର ଜଣାପଡିଛି।
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । କୁହାଯାଉଥିଲା ଯେ ଏହି ଲୋକମାନେ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଏମିତି ଦଣ୍ଡିତ କରାଯାଇଛି। ସେହି ଟ୍ୱିଟର ପୋଷ୍ଟର ଭିଡିଓର ଜବାବ ଦେଇ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଉଲ୍ଲଂଘନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ବ୍ୟବସ୍ଥା ରହିଛି ଏବଂ କେବଳ ସେହି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏନେଇ ମେରାଇନ୍ ଡ୍ରାଇଭ୍ ପୋଲିସ୍ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ବିଶ୍ୱନାଥ କୋଲେକର ସ୍ପଷ୍ଟ କରିଛନ୍ତି ଯେ, ସମୁଦ୍ରକୁ ଯିବାକୁ ଚେଷ୍ଟା କରିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏବଂ ମାସ୍କ ନପିନ୍ଧି ଥିବାରୁ ସେମାନଙ୍କୁ ଏଭଳି ଦଣ୍ଡ ଦିଆଯାଇଛି। ଥାନା ଅଧିକାରୀ କହିଛନ୍ତି ଯେ, ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଭିଡିଓରେ କେତେକ ଲୋକ ପୋଲିସର କାର୍ଯ୍ୟକୁ ପ୍ରସଂଶା କରୁଥିବାର ନଜରକୁ ଆସିଥିବା ବେଳେ ଆଉ କେହି କେହି ଏହାକୁ ନିନ୍ଦା କରି କମେଣ୍ଟ ଦେଇଛନ୍ତି ।

%d bloggers like this: