ଏମିତି ବି ରହିଛି ପରମ୍ପରା! ମୃତ ବ୍ୟକ୍ତିର ଶବ ଧରି ନାଚନ୍ତି ପରିବାର ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଧାରଣତଃ ଖୁସିର ସମୟରେ ବା କୌଣସି ବିଶେଷ ଉତ୍ସବରେ ଲୋକମାନେ ନାଚୁଥିବାର ଦେଖିଥାଉ। ଯେପରି ଜନ୍ମଦିନ ପାର୍ଟୀ କିମ୍ବା ବାହାଘର, ଅବା କଲେଜ ଫଙ୍କସନ୍। ତେବେ ମଣିଷ ପ୍ରକୃତି ଅନୁଯାୟୀ ଯେତେବେଳେ ସେ ଖୁସି ହୁଏ ସେ ନାଚିବାକୁ ପସନ୍ଦ କରିଥାଏ। ସେହିପରି ଦୁଃଖ ସମୟରେ କାନ୍ଦି ପକାଏ। କିନ୍ତୁ ଆପଣ କେବେ ଦେଖି ନଥିବେ କି ଶୁଣିନଥିବେ କାହାର ମୃତ୍ୟୁ ପରେ ଲୋକମାନେ ଶବ ସହିତ ନଚିବା କଥା। କାରଣ ସାଧାରଣ ଭାବେ ଆମ ସମାଜରେ ଶବ ପାଖରେ କାନ୍ଦିବାର ଦେଖାଯାଏ। ମୃତ ବ୍ୟକ୍ତିଙ୍କ ଘରେ ବା ଶବ ପାଖରେ ସାମାନ୍ୟ ହସିବା ବଡ ଅପରାଧ ଓ ଅସମ୍ମାନର ସଙ୍କେତ ହୋଇଥାଏ। କିନ୍ତୁ ଶବ ସାଙ୍ଗରେ ନାଚିବା ନିହାତି ଅଦ୍ଭୁତ କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ ଅଟେ। ଏପରି ଏକ ପରମ୍ପରା ଆମ ସମାଜରେ ଏବେ ବି ପ୍ରଚଳିତ ଅଛି, ଯେଉଁଠାରେ ଯଦି କେହି ମରିଯାଏ, ତେବେ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ତାଙ୍କ ଶବଯାତ୍ରା ସହ ନାଚି ନାଚି ଶ୍ମଶାନରେ ପହଞ୍ଚିଥାନ୍ତି। ଖବର ଅନୁଯାୟୀ, ମାଡାଗାସ୍କରର ମାଲାଗାସୀ ଜନଜାତିର ଲୋକମାନେ ଅନ୍ତିମ ସଂସ୍କାର ସମୟରେ ଶବ ସହିତ ନାଚନ୍ତି। ଏହି ରୀତିନୀତିକୁ ଫାମାଡିହାନା କୁହାଯାଏ। ତେବେ ପରିବାରର ଅନେକ ମୃତ ସଦସ୍ୟଙ୍କୁ ମଧ୍ୟ ଏହି ପବିତ୍ର ରୀତିନୀତିରେ ପୈତୃକ କବରରୁ ବାହାର କରାଯାଇଥାଏ।
ଫାମାଡିହାନା ରୀତିନୀତି ଅନୁଯାୟୀ, ମୃତଦେହକୁ ସେମାନଙ୍କ କବରରୁ ଆଣିବା ପରେ, ସେଗୁଡିକୁ ନୂଆ ପୋଷାକରେ ଘୋଡାଇ କବର ଚାରିପାଖରେ ନାଚିବା ପାଇଁ ଲାଇଭ୍ ମ୍ୟୁଜିକ୍ ଲାଗିଥାଏ। ଏହି ପରମ୍ପରା ପ୍ରତି ସାତ ବର୍ଷରେ ଥରେ ପୁନଃ ଅନୁସରଣ କରାଯାଏ, କିନ୍ତୁ ଗତ କିଛି ବର୍ଷ ହେବ ଏହି ପରମ୍ପରାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ସମାଧି ଏବଂ ଉତ୍ସବରେ ବହୁ ଅର୍ଥ ଖର୍ଚ୍ଚ କରନ୍ତି ମାଲାଗାସୀ ସଂପ୍ରଦାୟର ଲୋକମାନେ କାରଣ ଏହା ଅନ୍ତିମ ସଂସ୍କାର ପରେ ଏକ ବଡ ଦିନ ଭାବରେ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *