Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୧୫)- ଆନ୍ଦୋଳନ ସପକ୍ଷରେ

ଆପଣ ଆଜି ଯାଏ ସରକାରୀ ନୀତି ବିରୋଧରେ କୌଣସି ଆନ୍ଦୋଳନ କରି ନାହାନ୍ତି ବା ସେଥିରେ ସାମିଲ ହୋଇ ନାହାନ୍ତି ବୋଲି ଯେ କାଲି କରିବେନି ତାର କିଛି ମାନେ ଅଛି? କାଲି ଯଦି ଆପଣଙ୍କୁ କୌଣସି ସରକାରୀ ନୀତି ନିୟମ ଅସୁବିଧାରେ ପକେଇଲା ଆପଣ କଣ କରିବେ? ସରକାର ଭଗବାନ, ଯାହା କରିଛନ୍ତି ଠିକ କରିଛନ୍ତି ବୋଲି କହିବେ ନା ଅନଶନ, ଧାରଣା, ବିରୋଧ ପ୍ରଦର୍ଶନ ଆଦି ଭିତରୁ କୌଣସି ଉପାୟ ବାଛିବେ?

Published

on

(ପରଂବ୍ରହ୍ମ ତ୍ରିପାଠୀ): ମାଷ୍ଟ୍ର ନା ଆନ୍ଦୋଳନଜୀବୀ? ବିଧାନସଭା ଆରମ୍ଭ ହେଲା ମାତ୍ରେ ତ ଏ ଦଳଟି ଭୁବନେଶ୍ୱରରେ, ପାଠ ପଢେଇବେ କେତେବେଳେ? ତମ ମୁଣ୍ଡରେ କିଏ ବନ୍ଧୁକ ରଖି କହିଥିଲା ମାଷ୍ଟ୍ର ହେବାକୁ, ସବୁବେଳେ କଣ ଗୋଟାଏ ଆନ୍ଦୋଳନ?

ପାଠ ପଢିବାକୁ ଯାଇଛଟି? ପାଠ ପଢୁନ, ଏ ରାଲି, ସରକାର ଏଇଟା କଲେନି, ସେଇଟା କଲେନି କଣ କରୁଛ? ସବୁ ଗୁଡାକ ଆତଙ୍କବାଦୀ। ଆମ ଟିକସ ପଇସାରେ ପଢିବେ, ଦେଢ଼ ଟଙ୍କାରେ ମିଲଟେ ଖାଇବେ, ଦଶ ଟଙ୍କା ମାସକୁ ହଷ୍ଟେଲ ଭଡା ଦେବେ। ତାପରେ ସରକାରକୁ ଗାଳି ଦେବେ, ଦେଶ ଟୁକଡା ଟୁକଡା କରିବେ। ପୁରାଅ ସମସ୍ତଙ୍କୁ ଜେଲରେ, ଏକା ଥରକେ ରଙ୍ଗ ଛାଡିଯିବ।

ତମେ ଚାଷୀ ? ପିଜ୍ଜା ଖାଇବ, ବର୍ଗର ଖାଇବ। କୋଉ ଚାଷୀ ବର୍ଗର ଖାଏ ମ? ଆମ ବାପା ଅଜା ଚଉଦ ପୁରୁଷରୁ ଦେଖି ଆସିଛୁ ପିଆଜ ପଖାଳ ମାଣ୍ଡିଆ ଜାଉ ଖାଇ ଆମ ଓଳି ତଳେ ନସର ପସର ହୁଅନ୍ତି। ଏଗୁଡାକ ଜିନ୍ସ ଜ୍ୟାକେଟ ପିନ୍ଧି କହୁଛନ୍ତି ଆମେ ଚାଷୀ! ସବୁ ଗୁଡାକ ଖଲିସ୍ଥାନୀ।

ତମେ ପରା ଡାକ୍ତର, ଦ୍ଵିତୀୟ ଈଶ୍ଵର, ତମେ କଣ ଭାଣ୍ଡଙ୍କ ଭଳିଆ ରାଲି କରୁଛ? ଖରାପ ଲାଗୁନି ତମକୁ? ସରକାରୀ ଚାକିରୀ ଯଦି ଭଲ ଲାଗୁନି, ଘରୋଇ ପ୍ରାକ୍ଟିସ କର, ଗୁଣ୍ଡାଙ୍କ ଭଳିଆ ଆନ୍ଦୋଳନ କଣ କରୁଛ? ବ୍ୟାଙ୍କରେ ଚାକିରୀ କରିଛ, ଏତେ ଦରମା, ଭତ୍ତା, ସୁବିଧା ପାଉଛ। ସେଥିରେ ବି ନିଅଣ୍ଟ ପଡୁଛି? ବ୍ୟାଙ୍କ ତୁମ ହାତରେ ଅଛି ବୋଲି ଆନ୍ଦୋଳନର ଧମକ ଦେବ, ବ୍ଲାକମେଲ କରିବ?

ଆନ୍ଦୋଳନ/ବିରୋଧ ପ୍ରଦର୍ଶନ/ ବନ୍ଦ କଥା ଶୁଣିଲା ମାତ୍ରେ ଆମେ ଦେଶପ୍ରେମୀ, ଦେଶର ଉନ୍ନତି ପାଇଁ ରକ୍ତ ମାଂସ ହାଡ଼ ଦେଉଥିବା(କେବଳ ଆମେ ହିଁ ଦେଉ, ବାକି ସବୁ ମାଗଣା ଚାଉଳଖିଆ ସବସିଡ ଭୋଗୀ ଦେଶଦ୍ରୋହୀ) ବୁଦ୍ଧିଜୀବୀମାନେ ଏମିତି କିଛି କହୁନେ କି? ଦୁଇ ତିନି ତଳେ ଜଣେ ଓଡ଼ିଆ ଷ୍ଟାଣ୍ଡ ଅପ କମେଡିଆନ ଗୋଟେ ଭିଡିଓରେ କହୁଥିଲେ ଯେ ଭାରତରେ ଯଦି ବିଲେଇଟିଏ ଛିଙ୍କି ଦେଉଛି, ସେଥିରେ ବି ଲୋକେ ଆନ୍ଦୋଳନ କରୁଛନ୍ତି। କହୁଛନ୍ତି ଓଡିଶା ବନ୍ଦ, ଭାରତ ବନ୍ଦ କରିବେ। ସେ ଭିଡିଓରେ ହଜାର ହଜାର ଲାଇକ, କମେଣ୍ଟ।

ଗୋଟିଏ ଛୋଟ କଥା ପଚାରିବାର ଥିଲା। ଆପଣ ନିଜେ କେବେ ନିରୋଳା ସଅକରେ କୌଣସି ଆନ୍ଦୋଳନକୁ ଯାଇ ଖରାରେ ଜିନ୍ଦାବାଦ, ମୂର୍ଦ୍ଦବାଦ କରି ଲାଠି ଖାଇଛନ୍ତି? ପୋଲିସ କେସରେ ନାଁ ଦରଜ କରେଇଛନ୍ତି? ଲୁହବୁହା ଗ୍ୟାସ, ଦିଲ୍ଲୀର ଡିସେମ୍ବର ମାସ ଶୀତରେ ପାଣି କ୍ୟାନନ – ଏଗୁଡିକ କେବେ ନିରୋଳା ସଅକରେ କି ଗୋଟେ ଖୁସି ଆଉ ବୋଲି ଭାବି ସହିଛନ୍ତି? କଣ କହିଲେ? କରି ନାହାନ୍ତି। ଠିକ କହିଲେ କାରଣ ନିରୋଳା ସଅକ କିମ୍ବା ଖୁସି ପାଇଁ କେହି ଏସବୁ କରେନି।

ଆପଣ ଆଜି ଯାଏ ସରକାରୀ ନୀତି ବିରୋଧରେ କୌଣସି ଆନ୍ଦୋଳନ କରି ନାହାନ୍ତି ବା ସେଥିରେ ସାମିଲ ହୋଇ ନାହାନ୍ତି ବୋଲି ଯେ କାଲି କରିବେନି ତାର କିଛି ମାନେ ଅଛି? କାଲି ଯଦି ଆପଣଙ୍କୁ କୌଣସି ସରକାରୀ ନୀତି ନିୟମ ଅସୁବିଧାରେ ପକେଇଲା ଆପଣ କଣ କରିବେ? ସରକାର ଭଗବାନ, ଯାହା କରିଛନ୍ତି ଠିକ କରିଛନ୍ତି ବୋଲି କହିବେ ନା ଅନଶନ, ଧାରଣା, ବିରୋଧ ପ୍ରଦର୍ଶନ ଆଦି ଭିତରୁ କୌଣସି ଉପାୟ ବାଛିବେ? ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱର ସବୁ ଗଣତନ୍ତ୍ରରେ ସରକାରୀ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ମାନ୍ୟତା ପାଇ ଆସିଛି।

ଏସବୁ ବିରୋଧ ରାଜନୈତିକ ହେବାକୁ ବାଧ୍ୟ। କାରଣ ଏହି ବିରୋଧ ଶାସନର ନୀତି ବିରୋଧରେ ହିଁ କରାଯାଏ। ଶାସନରେ ରହିବା ପାଇଁ ବା ଶାସନ କରିବା ପାଇଁ ଶାସକ ଗୋଷ୍ଠୀ ଯେଉଁ ନିୟମ କରେ ତାହା ଯଦି ସମାଜର କୌଣସି ଗୋଷ୍ଠୀର ସ୍ୱାର୍ଥହାନି କଲା ଭଳି ସମ୍ଭାବନା ସୃଷ୍ଟି କଲା, ତେବେ ସେହି ଗୋଷ୍ଠୀ ଆନ୍ଦୋଳନ କରିବା, ବିରୋଧ ପ୍ରଦର୍ଶନ କରିବା କୌଣସି ବ୍ୟତିକ୍ରମ କି ଘୃଣ୍ୟ କାମ ନୁହେଁ। ବରଂ ସୁସ୍ଥ ଗଣତନ୍ତ୍ରର ପରିଚାୟକ। ବିରୋଧ ଯେତେବେଳେ ରାଜନୀତିର ଓ ରାଜନୀତି ସହ ସମ୍ପର୍କିତ କାରଣର, ସେତେବେଳେ ବିରୋଧଟି, ବିରୋଧର ଉଦ୍ଦେଶ୍ୟଟି ରାଜନୈତିକ ନହୋଇ କଣ ସନ୍ଧ୍ୟା ବେଳେ ପକୁଡି ଛଣା ହେବ କି ନାହିଁ ସେ ସମ୍ପର୍କିତ ହେବ?

ବିରୋଧକୁ ରାଜନୀତି କହି ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ତା ଗୁରୁତ୍ୱ କମେଇବା ପାଇଁ ଚାହୁଁଥିବା ବୁଦ୍ଧିଜୀବୀମାନେ ବୋଧେ ରାଜନୀତିକୁ କେବଳ ଚିହ୍ନ, ଦଳ ଓ ନିର୍ବାଚନର ରାଜନୀତି ବୋଲି ବୁଝନ୍ତି। ଦଳୀୟ ବା ନିର୍ବାଚନୀ ରାଜନୀତି ଯେ ରାଜନୀତି ଶାସ୍ତ୍ରର ଛୋଟିଆ ଅଂଶଟିଏ ମାତ୍ର, ଏକଥା ବୁଝୁ ନଥିବା ବା ବୁଝି ପାରୁନଥିବା କୂପମଣ୍ଡୁକ ବୁଦ୍ଧିଜୀବୀଙ୍କ ସମୀପ ଦୃଷ୍ଟିର ଉପଚାର କେବଳ ଅଧିକ ପଠନ ଦ୍ୱାରା ହିଁ ହୋଇ ପାରେ।

କେତେକ ସମୟରେ ଦେଖାଯାଏ ଯେ କୌଣସି ବୃହତ୍ତର ଆନ୍ଦୋଳନ ଭିତରେ ଆନ୍ଦୋଳନ ସହ କୌଣସି ସମ୍ପର୍କ ନଥିବା କିଛି ବ୍ୟକ୍ତି ପଶି ଯାଆନ୍ତି, ହିଂସା ଭିଆନ୍ତି, ସାଧାରଣ ସମ୍ପତ୍ତି ନଷ୍ଟ କରନ୍ତି। ଏମିତି ଦୃଷ୍ଟାନ୍ତ ଅନେକ ଅଛି, ଏପରିକି ଅହିଂସା ଉପାୟରେ ଚାଲିଥିବା ଭାରତର ସ୍ବାଧୀନତା ସଂଗ୍ରାମରେ ବି ଏପରି ଅସାମାଜିକ ତତ୍ତ୍ୱ ଅନେକ କାଣ୍ଡ ଭିଆଇଛନ୍ତି। ଗୋଟେ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଚାରି ଛଅଟି ଏଭଳି ଲଫଙ୍ଗାଙ୍କୁ ଧରିବାର ଦାୟିତ୍ୱ କାହାର? ନିଶ୍ଚିତ ଭାବେ ଆଇନ ସୁରକ୍ଷା ଦାୟିତ୍ୱ ନେଇଥିବା ନିର୍ବାଚିତ ସରକାରର। କିନ୍ତୁ ଅନେକ ସମୟରେ ସରକାର ସେମାନଙ୍କୁ ଧରେନି କାହିଁକି? କାରଣ, ସେମାନଙ୍କ ବାହାନାରେ ଆନ୍ଦୋଳନକୁ ବଦନାମ କରିବାର ସହଜ ଉପାୟଟିଏ ସରକାର ପାଇଯାନ୍ତି। ଆଉ କୂପମଣ୍ଡୁକ ବୁଦ୍ଧିଜୀବୀମାନଙ୍କ କ୍ଷେତ୍ରରେ ସେଇ ଚାରି ଛଅ ଲଫଙ୍ଗାଙ୍କ କାମ ପାଇଁ ଆନ୍ଦୋଳନକୁ ଦୋଷ ଦେବା, ଆନ୍ଦୋଳନ କରିବାର ଅଧିକାରକୁ ଅନୈତିକ କହିବା, କେବଳ ଡ୍ରଇଂରୁମ ଆଳସ୍ୟ ନୁହେଁ, ବୌଦ୍ଧିକ ଦେବାଳିଆପଣ ବି।

ଶେଷରେ ଏତିକି, ସାରା ବିଶ୍ୱରେ, ପ୍ରତ୍ୟେକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶ୍ରମିକ ଠାରୁ ଶିକ୍ଷକ, କୃଷକ ଠାରୁ ଚିକିତ୍ସକ, ଛାତ୍ର ଠାରୁ ବୁଦ୍ଧିଜୀବୀ, ଏପରିକି ଶାସନ ପାଇଁ ନିୟମ ତିଆରି କରୁଥିବା, ତା ନିୟମର କ୍ରିୟାନ୍ଵୟନ କରୁଥିବା ପ୍ରଶାସକ, ସବୁ ଗୋଷ୍ଠୀ ଆନ୍ଦୋଳନ ବିରୋଧ କରିଥିବାର ନଜିର ଅଛି। କେବଳ ଗୋଟିଏ ଗୋଷ୍ଠୀ ଆଜି ଯାଏ କେବେ ବି ରାସ୍ତାକୁ ଓହ୍ଲାଇ ବିରୋଧ, ଆନ୍ଦୋଳନ କରି ନାହିଁ। ଆଉ ସେଇଟି ହେଲା, ଫିଲଦି ରିଚ ବା ଅପ୍ରମିତ ବିତ୍ତଶାଳୀ ଶିଳ୍ପପତି ଗୋଷ୍ଠୀ। ଆପଣ ଯଦି ସେହି ଗୋଷ୍ଠୀର ନୁହନ୍ତି, ଆନ୍ଦୋଳନ କରିବାର ପ୍ରକ୍ରିୟା ଓ ଅଧିକାରକୁ ବିରୋଧ କରିବା ପୂର୍ବରୁ ଥରେ ଭାବିବେ। ଭବିଷ୍ୟତରେ ନିଜ ଅଧିକାରର କବାଟ ବନ୍ଦ କରି ଦେଉ ନାହାନ୍ତି ତ?

ନାଉଗାଁହାଟ, ଜଗତସିଂହପୁର
9717302205

Advertisement
Advertisement
Advertisement

Trending