Connect with us

ସାହିତ୍ୟ ସ୍ତମ୍ଭ

(କିମାଶ୍ଚର୍ଯ୍ୟମ୍-୧୨)-ଚକ୍ରବ୍ୟୂହ ଭେଦନ୍ତା କି! ଅଭିମନ୍ୟୁ ଫେରନ୍ତା କି!

ଆମେ ବସ୍ତୁତଃ ଏମିତି। ଶକ୍ତିଶାଳୀର ସାମାନ୍ୟ ନମ୍ରତା ଆମକୁ ବିନମ୍ରତା ଭଳି ଲାଗେ ଆଉ ଦୁର୍ବଳର ସାମାନ୍ୟ ସାହସ ବି ପ୍ରତୀୟମାନ ହୁଏ ଦୁଃସାହସ ଭଳି।

Published

on


(ପରଂବ୍ରହ୍ମ ତ୍ରିପାଠୀ)
କଥା ୧୯୯୮ର। ଜେଇଇ ବା ରାଜ୍ୟ ଯୁଗ୍ମ ପ୍ରବେଶିକା ପରୀକ୍ଷାର ଫଳ ବାହାରିଲା। ସେତେବେଳେ ଆଜି ଭଳି ଏ ଠାରୁ ଜେଡ଼ ଯାଏ ସବୁ ଅକ୍ଷରରେ ଗୋଟିଏ ଦୁଇଟି ବେସରକାରୀ ଇଂଜିନିୟରିଂ କଲେଜ ନଥାନ୍ତି। ତେଣୁ ପରୀକ୍ଷା ଫଳର ଗୁରୁତ୍ୱ ଆଜିଠାରୁ ଟିକେ ଅଧିକ ଥାଏ। ଘର ପାଖ ରବି ଭାଇ ଇଂଜିନିୟରିଂରେ ପାଇଥାନ୍ତି ୨୮ ନମ୍ବର ସ୍ଥାନ। ଘରଠାରୁ ସାତ କିଲୋମିଟର ଦୂର ଆଉ ଏକ ଗାଁର ପିଲାଟିଏ ରଖିଥାଏ ୨୧୪ ରାଙ୍କ। ରବି ଭାଇ ୨୮ତମ ସ୍ଥାନରେ ମାନେ ବର୍ତ୍ତମାନର ଏନଆଇଟି ରାଉରକେଲା ବା ତତ୍କାଳୀନ ଆରଇସି ଥୁଆ। ମାତ୍ର ସେଦିନ ସନ୍ଧ୍ୟା ବେଳେ ଘର ପାଖ ବଜାରରେ ଚର୍ଚ୍ଚା ରବି ଭାଇଙ୍କ ବିଷୟରେ ହୋଇ ନଥିଲା, ବରଂ ହୋଇଥିଲା ୨୧୪ ସ୍ଥାନ ରଖିଥିବା ପିଲାଟି ବିଷୟରେ, ଯେମିତିକି ସେ କେମିତି ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବି ମାତ୍ର ତୃତୀୟ ପ୍ରଚେଷ୍ଟାରେ ଏ ସଫଳତା ପାଇଛି, ସେ କିପରି ଟିଉସନ କରି ନିଜ ପଢା ଖର୍ଚ୍ଚ ଉଠାଉଥିଲା, ପିଲାର ଜେଜେ ବାପା କିପରି ଅସ୍ତରଙ୍ଗରେ ଲୁଣ ବେପାରୀଙ୍କ ପାଖରେ ଗୋତି ଖଟି ଖଟି ନିଜ ଆଦ୍ୟ ଯୌବନରେ ଚନ୍ଦା ହେଇଯାଇଥିଲେ ଏମିତି ଅନେକ କଥା। ମୁଁ ସେତେବେଳେ ଯୁକ୍ତ ଦୁଇରେ ପଢୁଥାଏ, ପରୀକ୍ଷା ବିଷୟରେ ଧାରଣା ଥାଏ। ଜଣେ ବୟସ୍କଙ୍କୁ ପଚାରିଲି, ସେ ପିଲାଟି ୨୧୪ ରାଙ୍କ ରଖିଛି, ସେଇଟି ପୁଣି ତୃତୀୟ ଆଟେମ୍ପଟରେ, ରବି ଭାଇ ପ୍ରଥମ ପ୍ରଚେଷ୍ଟାରେ ୨୮ ସ୍ଥାନରେ ଅଛନ୍ତି, ଆରଇସିରେ ପଢିବେ। ସେ ପିଲାଟିକୁ ଏତେ କଣ ପାଇଁ ଟେକା ଯାଉଛି, ରବି ଭାଇଙ୍କ ସଫଳତା ବିଷୟରେ କାହିଁକି ଆଲୋଚନା ହେଉନି? ବୟସ୍କ ଗୁରୁଜନ ଜଣଙ୍କ ନିହାତି ବେପରୁଆ ଭାବେ ଉତ୍ତର ଦେଇଥିଲେ ରବି କଣ ଏମିତି ଗୋଟେ ତାଡି ପକେଇଲା କି? ଘରେ ତିନିଟା ଟ୍ରାକ୍ଟର, ବାପାର ସେକ୍ରେଟାରିଏଟ ଚାକିରୀ, କୋଚିଂ ସାଙ୍ଗକୁ କେତେ ମାଷ୍ଟ୍ରଙ୍କ ପାଖକୁ ଟିଉସନ ଯାଉଥିଲା, ସେଥିରେ ପୁଣି ପ୍ରଥମ କୋଡ଼ିଏ ଭିତରେ ନାହିଁ।

ମୁଁ କଣ କହିବାକୁ ଚାହୁଁଛି ବୁଝି ପାରିଲେ? ମୋ କହିବାର ଅର୍ଥ ହେଲା ଆମେ ସଫଳତାକୁ କେବଳ ସଫଳତାର ମାପଦଣ୍ଡରେ ଆକଳନ କରୁନି, ବରଂ କରୁ ସଫଳତା ପାଇବା ପାଇଁ ସାହାଯ୍ୟ କରିଥିବା ଉପାଦାନ/ସାଧନ ଗୁଡିକ ଉପରେ। ଆଉ ଯେଉଁ ପ୍ରତିଯୋଗୀ ପାଖରେ ସଫଳତା ପାଇଁ ଉପଲବ୍ଧ ସାଧନ ଯେତେ କମ, ଆମ ଚେତନ ଓ ଅବଚେତନରେ ତା ପାଇଁ ସହାନୁଭୂତି, ଭଲ ପାଇବା ଓ ଏପରିକି ନିଜ ଅଜାଣତରେ ତା ବିଜୟ ପାଇଁ ପ୍ରାର୍ଥନା ମଧ୍ୟ କରିବାର ପ୍ରବୃତ୍ତି ସେତିକି ଅଧିକ। କମ ସାଧନ ସହ ଲଢ଼ୁଥିବା ପ୍ରତିଯୋଗୀଙ୍କୁ ଆମେ ଅଣ୍ଡରଡଗ ବୋଲି କହିପାରିବା। କଥାଟିକୁ ସରଳ କରିବା ପାଇଁ ଆଉ ଗୋଟିଏ ଉଦାହରଣ ଦେଉଛି। ୧୮ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ T୨୦ ବିଶ୍ୱକପ। ଭାବନ୍ତୁ, ଯଦି ଏପରି ଏକ ପରିସ୍ଥିତି ଆସେ ଯେଉଁଠି ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିବେ ଆୟୋଜକ ଅଷ୍ଟ୍ରେଲିଆ ଓ ତାଲିବାନ ବିଭୀଷିକା ସହ ଲଢ଼ୁଥିବା ଆଫଗାନିସ୍ଥାନ। ଖେଳ ବେଳେ ଆପଣ କାହାକୁ ସମର୍ଥନ କରିବେ? ଆପଣଙ୍କ ମୁଣ୍ଡ କହୁଥିବ ଅଷ୍ଟ୍ରେଲିଆ ସବଳ, ଖେଳ ଅଷ୍ଟ୍ରେଲିଆରେ ହେଉଛି, ମ୍ୟାଚ ଅଷ୍ଟ୍ରେଲିଆ ଜିତିବ। କିନ୍ତୁ, ମନରେ କେଉଁଠି ନା କେଉଁଠି ଭାବନାଟେ ଆସୁଥିବ ଯେ ଚତ୍ମକାର ହୋଇ ଯାଆନ୍ତା କି? ଆଫଗାନିସ୍ଥାନ ଜିତି ଯାଆନ୍ତା କି? ଏପରି ଭାବନା ଆସିବା ସ୍ୱାଭାବିକ, କାରଣ ଅଷ୍ଟ୍ରେଲିଆ ସାଧନ ସମ୍ପନ୍ନ ଓ ଆଫଗାନିସ୍ଥାନ ସାଧନ ରହିତ। ତେଣୁ ଆଫଗାନିସ୍ଥାନ ହିଁ ଆପଣଙ୍କ ଅଜାଣତରେ ଆପଣଙ୍କ ସମସ୍ତ ସହାନୁଭୂତି, ଶ୍ରଦ୍ଧା ଏପରିକି ପ୍ରାର୍ଥନାକୁ ମଧ୍ୟ ସାଉଁଟି ନେବ।

ଆମେ ବସ୍ତୁତଃ ଏମିତି। ଶକ୍ତିଶାଳୀର ସାମାନ୍ୟ ନମ୍ରତା ଆମକୁ ବିନମ୍ରତା ଭଳି ଲାଗେ ଆଉ ଦୁର୍ବଳର ସାମାନ୍ୟ ସାହସ ବି ପ୍ରତୀୟମାନ ହୁଏ ଦୁଃସାହସ ଭଳି। ଆମେ ଅଣ୍ଡରଡଗ ବା ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଆବଶ୍ୟକ ଥିବା ସାଧାନ ଠାରୁ କମ ସାଧନ ଥିବା ପ୍ରତିଯୋଗୀକୁ ସାଧନ ସମ୍ପନ୍ନ ପ୍ରତିଯୋଗୀ ଠାରୁ ଅଧିକ ଭଲ ପାଉ, କାମନା କରୁ ଯେ ସାଧନ ରହିତ ପ୍ରତିଯୋଗୀଟି ମାତ ଦେଉ ସାଧନ ସମ୍ପନ୍ନ ପ୍ରତିଯୋଗୀକୁ। କୌରବ ପାଣ୍ଡବଙ୍କ ମଧ୍ୟରେ ପାଣ୍ଡବଙ୍କ ପାଇଁ, କର୍ଣ୍ଣ ଅର୍ଜୁନଙ୍କ ମଧ୍ୟରେ କର୍ଣ୍ଣଙ୍କ ପାଇଁ ଓ ସପ୍ତରଥୀ – ଅଭିମନ୍ୟୁଙ୍କ ଭିତରେ ଅଭିମନ୍ୟୁଙ୍କ ପାଇଁ ଅଧିକ ସହନୁଭୁତିଶୀଳ ହେଇଥାଉ। ନବେ ଦଶକରେ ଯେତେବେଳେ ଟିଭିରେ ରିୟାଲିଟି ଶୋ ଆରମ୍ଭ ହେଲା, ମେରି ଆବାଜ ଶୁନୋର ଫାଇନାଲ ଦିନ ଆମେ ସୁନିଧି ଚୌହାନଙ୍କ ଦକ୍ଷତା ସହ ତାଙ୍କ ବୟସ(୧୫) ପ୍ରତି ଅଧିକ ସହନୁଭୁତିଶୀଳ ହୋଇଥିଲେ, ଠିକ ସେମିତି ଏହାର ଏହାର ପାଖାପାଖି ୨୦ ବର୍ଷ ପରେ ‘ର ଷ୍ଟାର’ ପ୍ରତିଯୋଗିତା ଫାଇନାଲରେ ଋତୁରାଜ ମହାନ୍ତିଙ୍କ ଦକ୍ଷତା ସହ ତାଙ୍କ ପାରିବାରିକ ଓ ଅର୍ଥନୈତିକ ସ୍ଥିତି ଆମ ମନ ଭିତରେ ତାଙ୍କ ବିଜୟ ପାଇଁ ଏକ ସୁପ୍ତ କାମନା ସୃଷ୍ଟି କରିଥିଲା।

ମଣିଷର ଅଣ୍ଡରଡ଼ଗମାନଙ୍କ ପ୍ରତି ଥିବା ଅନ୍ତର୍ନିହିତ ଦୁର୍ବଳତା ଉପରେ ଅନେକ ଗବେଷଣା ହୋଇଛି। ଗବେଷଣାରୁ ପ୍ରାପ୍ତ ତଥ୍ୟ କୁହେ ଯେ ନିର୍ଣ୍ଣାୟକ ପ୍ରତିଯୋଗିତାରେ ୮୦ ପ୍ରତିଶତ ଦର୍ଶକ ନିଜ ଅବଚେତନରେ ଅଣ୍ଡରଡ଼ଗମାନଙ୍କ ବିଜୟ କାମନା କରନ୍ତି। କାହିଁକି ଏପରି ହୁଏ? ପ୍ରକ୍ରିୟାଟି ଏତେ ଜଟିଳ ନୁହେଁ, ବରଂ ଆମର ଅବଚେତନ ମନରେ ଥିବା ଅନେକ ମାନବୀୟ ପ୍ରବୃତ୍ତି ଯଥା ନୈତିକତା ପ୍ରତି ସ୍ୱାଭାବିକ ଆକର୍ଷଣ, ଇର୍ଷା ଓ ଆଚମ୍ବିତ ହେବାକୁ ଶ୍ରେଷ୍ଠ ଅନୁଭବ ବୋଲି ଗ୍ରହଣ କରିବାର ମିଶ୍ରିତ ଫଳଶ୍ରୁତି। ଆମେ କିଛି କରି ପାରେ କି ନପାରେ, ଆମ ଭିତରୁ ସଂଖ୍ୟାଧିକ ଲୋକ ଚାହାନ୍ତି ଯେ କ୍ଷମତା, ସମ୍ପଦ ଓ ସାଧନର ସୁଷମ ବଣ୍ଟନ ହେଉ, ସମସ୍ତଙ୍କୁ ସୁଯୋଗ ମିଳୁ। କିନ୍ତୁ ବାସ୍ତବ ପୃଥିବୀରେ ଏମିତି ହୁଏ ନାହିଁ। ତେଣୁ କୌଣସି ନିର୍ଣ୍ଣାୟକ ପ୍ରତିଯୋଗିତାରେ ଯେତେବେଳେ କମ ସାଧନ ସମ୍ପନ୍ନ ପ୍ରତିଯୋଗୀଟିଏ ସାଧନସଂପନ୍ନ ପ୍ରତିଯୋଗୀକୁ ଟକ୍କର ଦେଲା ଭଳି ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଆମ ଭିତରର ସେ ଅବଦମିତ ନୈତିକତା ଆମକୁ କମ ସାଧନ ସମ୍ପନ୍ନ ପ୍ରତିଯୋଗୀର ବିଜୟ କାମନା କରିବାକୁ ପ୍ରେରିତ କରେ।

ଦ୍ଵିତୀୟଟି ହେଲା ଆଚମ୍ବିତ ଫଳାଫଳ। ପୂର୍ବାନୁମାନ ନୁହେଁ ବରଂ ରୋମାଞ୍ଚ ଓ ପୂର୍ବାନୁମାନର ଠିକ ବିପରୀତ ଫଳାଫଳ ଆମକୁ ଅଧିକ ଆଚମ୍ବିତ କରିଥାଏ। ସାଧନ ସମ୍ପନ୍ନ ପ୍ରତିଯୋଗୀର ବିଜୟ ବୋଧ ହୁଏ ବିଧିଧାରିତ ଓ ଅନିବାର୍ଯ୍ୟ। ମାତ୍ର ଦୁର୍ବଳର ବିଜୟ ଦିଏ ରୋମାଞ୍ଚ, ବା ଏକ୍ସଟ୍ରା ଆଡ୍ରେନାଲିନ ରଶ। ଏହି ରୋମାଞ୍ଚ ଆମକୁ ଏମିତି ଏକ ଫଳାଫଳ ଦେଖିବାକୁ ପ୍ରେରିତ କରେ ଯେଉଁଠି ଫର ଫର ଉଡୁଥିବ ଦୁର୍ବଳର ବିଜୟ କେତନ।

ହଁ, ଇର୍ଷାକୁ ଭୁଲି ଯାଅନ୍ତୁନି। ମଣିଷ ଭାବେ ଆମେ ସମସ୍ତେ ପ୍ରାୟ ନିଜ ବ୍ୟତୀତ ଅନ୍ୟ କାହାର ଏକାଧିପତ୍ୟକୁ ଉଭୟ ଇର୍ଷା ଓ ଘୃଣା କରୁ। ସେ ଲୋକଟି ସହ ଆମର ସେମିତି କିଛି ବ୍ୟକ୍ତିଗତ ସମ୍ପର୍କ ଥାଉ କି ନଥାଉ, ତା ଦ୍ୱାରା ଆମ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉ ଥାଉ କି ନ ହେଉ ଥାଉ। ଆମକୁ ସାଧନ ସଂପନ୍ନ ପ୍ରତିଯୋଗୀଟି ଭିତରେ ଦେଖାଯାଏ ଏକାଧିପତ୍ୟ ଦେଖାଇବାର ନିଶା, ତେଣୁ ସ୍ୱାଭାବିକ ଭାବେ ତା ପାଇଁ ଆମ ମନ ଭିତରେ ତିଆରି ହୁଏ ଉଭୟ ଇର୍ଷା ଓ ଘୃଣା। ଏହାକୁ ତାଠାରୁ ଅଧିକ ସ୍ୱାଭାବିକ ଭାବେ ସମତୁଲ କରେ ସାଧନ ସମ୍ପନ୍ନ ପ୍ରତିଯୋଗୀର ମୁକାବିଲା ପାଇଁ ଠିଆ ହୋଇଥିବା ଅଣ୍ଡରଡ଼ଗ ପ୍ରତି ଆମର ଶ୍ରଦ୍ଧା, ସହାନୁଭୂତି ଓ ତାର ବିଜୟ କାମନା ଭଳି ଭାବନା।

ଶେଷରେ ଏତିକି, ଚକ୍ରବ୍ୟୁହର ଅନୈତିକତା(ଯଦି କିଛି ଥାଏ)କୁ ନିନ୍ଦା କରାଯାଉ, ଏପରିକି ଅଭିମନ୍ୟୁର ବିଜୟ ମଧ୍ୟ ପ୍ରାର୍ଥନା କରାଯାଉ, କିନ୍ତୁ ଯୁଦ୍ଧ ସରିଲା ପରେ ଅଭିମନ୍ୟୁକୁ ସର୍ବଶ୍ରେଷ୍ଠ ଯୋଦ୍ଧା ପ୍ରତିପାଦିତ କରିବା ପ୍ରୟାସରେ ସପ୍ତରଥୀଙ୍କ ରଣ କ୍ଷମତାକୁ ପ୍ରଶ୍ନ କରା ନଯାଉ।

Advertisement

Trending